ପୁରୀ: ପୁରୀ ପ୍ରସ୍ତାବିତ ଶ୍ରୀ ମାର୍ଗ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ । ଏନେଇ ଚୂଡଙ୍ଗ ସାହି ମୌଜାରୁ ଆଜି ଜମି ଅଧିଗ୍ରହଣ କରାଯାଉଛି । ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ପ୍ରଶାସନ, ଅଗ୍ନିଶମ ବାହିନୀ, ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଧିଗ୍ରହଣ ହେଉଛି । ଆଗରୁ ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ସଭିଏଁ ସମ୍ମତି ପ୍ରକାଶ କରିଥିଲେ । ତେବେ ଏହି ରାସ୍ତା ସିଧାସଳଖ ଶ୍ରୀଜଗନ୍ନାଥ ପାର୍କିଂ ଓ ପିଲିଗ୍ରିମ ସେଣ୍ଟରରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ସଂଯୋଗ ହେଉଛି । ଯାହାଦ୍ୱାରା ଭକ୍ତ ଶ୍ରଦ୍ଧାଳୁ ସେଠାରେ ଗାଡ଼ି ପାର୍କିଂ କରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଆସି ଦର୍ଶନର ସୁବିଧା ପାଇବେ ।
କ୍ଲାଇମେଟ ଆକ୍ସନ ପ୍ଲାନ କରିବାରେ ଓଡିଶା ସାଜିଛି ଦେଶର ରୋଲ ମଡେଲ
କଟକ: କୂଳ ଲଂଘୁଛି ସମୁଦ୍ର । ୪୯ ବର୍ଷରେ ୯.୫ ସେଣ୍ଟିମିଟର ସମୁଦ୍ର ପତ୍ତନ ବୃଦ୍ଧି ପାଇଛି । ୧୨ ବର୍ଷରେ ସମୁଦ୍ରରେ ଲୀନ ହେଲାଣି ଉପକୂଳବର୍ତ୍ତୀ ୧୬ଟି ଗାଁ । ଗବେଷଣା ପରେ ଏମିତି ତଥ୍ୟ ଦେଇଛନ୍ତି କଟକ ରେଭେନ୍ସାର ପ୍ରାଧ୍ୟାପିକା ଡ. ମାଳିନୀ ପ୍ରଭା ସେଠୀ । ସେପଟେ କ୍ଲାଇମେଟ ଆକ୍ସନ ପ୍ଲାନ କରିବାରେ ଓଡିଶା ଦେଶର ପ୍ରଥମ ରୋଲ ମଡେଲ ସାଜିଛି । ୧୨ ବର୍ଷରେ ଆସିଛି ୧୬ଟି ପ୍ରାକୃତିକ ବିପର୍ଯ୍ୟାୟ । ଜିରୋ କାଜୁଆଲଟି ଉପରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଓ ଓଡ଼ିଶା ସରକାରଙ୍କ ଏହାର ମୁକାବିଲାକୁ ପାଇଁ ନେଇଛନ୍ତି କି ପଦକ୍ଷେପ ଆସନ୍ତୁ ଜାଣିବା ।
ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ଓଡିଶା । ସାଧାରଣତଃ ବର୍ଷାଦିନରେ ପ୍ରାକୃତିକ ବିପର୍ଯ୍ୟାୟ ହୋଇଥାଏ । କିନ୍ତୁ ବର୍ଷକରେ ଏକାଧିକ ଥର ଏହି ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ଏହାର ମୁଖ୍ୟ କାରଣ ଜଳବାୟୁର ପରିବର୍ତ୍ତନ । ୧୯୬୬ରୁ ୨୦୧୫ ପର୍ଯ୍ୟନ୍ତ ୪୯ ବର୍ଷ ମଧ୍ୟରେ ସମୁଦ୍ର ପତ୍ତନ ୯.୫ ସେଣ୍ଟିମିଟର ବୃଦ୍ଧି ପାଇଛି । ଫଳରେ ଗତ ୧୨ ବର୍ଷ ମଧ୍ୟରେ ଉପକୂଳକବର୍ତ୍ତୀ ୧୬ଟି ଗାଁ ସମୁଦ୍ର ଲୀନ ହେଲାଣି । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ ଭଳି ଜିଲ୍ଲାର ବହୁ ଉପକୂଳବର୍ତ୍ତୀ ଲୋକ ଗାଁ ଛାଡ଼ିଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨ଶହ ଘର ନିଚ୍ଛିନ୍ନ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲାର ସାତଭାୟା, ପାରାଦୀପ ବନ୍ଦର ଅଞ୍ଚଳ, ପୁରୀ ସମୁଦ୍ରକୂଳ ଏବଂ ଗୋପାଳପୁର ବନ୍ଦରର ବିଭିନ୍ନ ଅଞ୍ଚଳରେ ଉପକୂଳ କ୍ଷୟ ହେବା ସମ୍ଭାବନା ରହିଛି । ଏନେଇ ଇଣ୍ଟିଗ୍ରେଟେଡ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପ୍ରକଳ୍ପ ପୂର୍ବାନୁମାନ କରିଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ଭୂଗୋଳ ବିଭାଗର ସହକାରୀ ପ୍ରାଧ୍ୟାପିକା ଡ. ମାଳିନୀ ପ୍ରଭା ସେଠୀଙ୍କ ଗବେଷଣାରୁ ଜଣାପଡିଛି । ଏସିଆନ ଡିଜାଷ୍ଟର ପ୍ରପେୟାର୍ଡନେସ ସେଣ୍ଟର ଦ୍ବାରା ଏହି ଗବେଷଣାର ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ।
ଓଡିଶା ଦେଶର ଏକମାତ୍ର ରାଜ୍ୟ ଭାବେ ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ କ୍ଲାଇମେଟ ଆକ୍ସନ ପ୍ଲାନ କରିଛି । ସମୁଦ୍ର ଜୁଆରର ଗତିକୁ ରୋକିବାକୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଙ୍ଗଲ ଏବଂ ଘଞ୍ଚ ବନାନୀ ସୃଷ୍ଟି କରାଯାଉଛି । ଜିଓ ସିନ୍ଥେଟିକ ଟ୍ୟୁବ ଲଗାଯାଉଛି । ସହକାରୀ ପ୍ରଫେସର ଡ. ସେଠୀ ୬ ମାସ ଧରି ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ବୁଲି ତଥ୍ୟ ସଂଗ୍ରହ କରିଛନ୍ତି । ଆଇସିଜେଏମ୍ ପ୍ରକଳ୍ପରେ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ ମାଟି ଉପରକୁ ଚେର କାଢି ବଢୁଥିବା ଗ୍ରୀଷ୍ମମଣ୍ଡଳୀୟ ଗଛ ଲଗାଉଛନ୍ତି । ଏହି ଗଛର ମୂଳ ଜୁଆର ଗତିକୁ ରୋକିବା ସହ ଏହାର ପତ୍ର ଦ୍ରୁତ ପବନ ଏବଂ ଘୂର୍ଣ୍ଣିବଳୟ ରୋକିବାର ସହାୟକ କରିଥାଏ ।
ଓଡ଼ିଶା ସରକାରଙ୍କ ପଦକ୍ଷେପ କେବଳ ଜଳବାୟୁ ପ୍ରଭାବକୁ ମୁକାବିଲା କରିବ ତାହା ନୁହେଁ ବରଂ ପ୍ରଦୂଷଣ ସ୍ତରକୁ ମଧ୍ୟ ହ୍ରାସ କରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ଗାନ୍ଧିଜୀଙ୍କ ସ୍ମୃତି ବହନ କରୁଥିବା ଚାରିବାଟିଆର ହେବ ବିକାଶ, ମୁଖ୍ୟମନ୍ତ୍ରୀ କଲେ ଆର୍ଥିକ ଅନୁଦାନ ଘୋଷଣା
ବାସୁଦେବପୁର: ଇତିହାସ ପ୍ରେରଣା ଯୋଗାଏ, ଆଗକୁ ବଢିବା ପାଇଁ ଶକ୍ତି ଦିଏ । ମହାପୁରୁଷଙ୍କ ଗାରିମାର ଗାଥା ଯୁବ ପିଢିଙ୍କୁ ଉତ୍ସାହିତ କରିଥାଏ । ଓଡ଼ିଶାର ଏଭଳି ଏକ ସ୍ଥାନ ହେଉଛି ଭଦ୍ରକ ଜିଲ୍ଲାର ଚାରବାଟିଆ । ଆଜି ପର୍ଯ୍ୟନ୍ତ ଏଠାକାର ପରିବେଶ ସ୍ବାଧୀନତାର ସ୍ମୃତି ବଖାଣୁଛି । ଆଜିର ଦିନରେ ଏଠାକୁ ଆସି ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବାପୁଜୀ । ଇତିହାସକୁ ଗୌରବମୟ କରିବାକୁ ମୁଖ୍ୟମନ୍ତ୍ରୀ ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରିବା ସହ ଅଞ୍ଚଳର ବିକାଶ ପାଇଁ ଘୋଷଣା କରିଛନ୍ତି ଆର୍ଥିକ ଅନୁଦାନ ।
ଭାରତ ସ୍ବାଧୀନତାର ସ୍ମୃତି ବଖାଣୁଛି ଚାରବାଟିଆ । ମହାତ୍ମା ଗାନ୍ଧୀଙ୍କ ମହତ ଉଦ୍ଦେଶ୍ୟକୁ ଆଜି ବି ସାଇତି ରଖିଛି ଏହି ପୁଣ୍ୟସ୍ଥଳୀ । ବୀରମାଟିର ଲଢୁଆ ପୁଅ ଏଠାରୁ ଇଂରେଜଙ୍କ ବିରୋଧରେ ଦେଇଥିଲା ରଣ ହୁଙ୍କାର । ବାପୁଜୀଙ୍କ ଡାକରାରେ ଅହିଂସାକୁ ମୁଖ୍ୟ ଅସ୍ତ୍ର କରି ସ୍ବାଧୀନତା ସଂଗ୍ରାମକୁ ଝାସ ଦେଉଥିଲେ ଏଠାକାର ଅଗଣିତ ଯୁବକ ଯୁବତୀ । ଏନେଇ ଭଦ୍ରକର ଚାରବାଟିଆଠାରେ ଆଜିର ଦିନରେ ଆୟୋଜିତ ହୋଇଥିଲା ବିରାଟ ସଭା । ୧୯୨୭ ମସିହା ଡିସେମ୍ବର ୧୭ ତାରିଖରେ ଉପସ୍ଥିତ ସଂଗ୍ରାମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବାପୁଜୀ । ଲକ୍ଷ୍ୟ ଥିଲା ସ୍ବାଧୀନତା ସଂଗ୍ରାମକୁ ଗଣ ଆନ୍ଦୋଳନରେ ପରିଣତ କରିବା । ସେଦିନର ଭାଷଣ ଓ ଗାନ୍ଧିଜୀଙ୍କ ପାଦ ସ୍ପର୍ଶକୁ ଆଜି ବି ଝୁରୁଛନ୍ତି ଚାରବାଟିଆବାସୀ ।
ଏହି ଐତିହାସିକ ସ୍ଥଳୀର ବିକାଶ ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଚାରବାଟିଆକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ସହ ୬୫ କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି । ଗାନ୍ଧି ସ୍ମୃତି ଭବନ, ବାଣିଜ୍ୟ କୋଠି ଓ ପାର୍କର ଉନ୍ନତ୍ତିକରଣ ପାଇଁ ୭୧ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାନ୍ଧିଜୀ ଆସିଥିବା ମନ୍ତେଇ ନଦୀ ଉପରେ ୬୫ କୋଟି ଟଙ୍କାର ପୋଲ ନିର୍ମାଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ ।
ଋଣ ଜାଲିଆତି: ୮୧ ମହିଳା ବୁଣାକାରଙ୍କ ଅଜାଣତରେ ଲକ୍ଷାଧିକ ଟଙ୍କା ଚଳୁ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅତାଠାରେ ଥିବା ମହିଳା ବୟନ କେନ୍ଦ୍ରରେ ଋଣ ଜାଲିଆତି । ପୂର୍ବତନ ସମ୍ପାଦକଙ୍କ ବିରୋଧରେ ଅଭିଯୋଗ ଆଣିଲେ ୮୧ ଜଣ ବୁଣାକାର । ସେମାନଙ୍କ ନାଁରେ ବ୍ୟାଙ୍କରୁ ଋଣ ଉଠାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ । ପରିଶୋଧ ପାଇଁ ନୋଟିସ୍ ଆସିବା ପରେ ବୁଣାକାରମାନେ ଚିନ୍ତାରେ । ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରାଯାଇଛି ।
ସୂଚନାଯୋଗ୍ୟ, ଏହି ବୁଣାକାରମାନେ କେବେ ଋଣ ନେଇ ନାହାନ୍ତି । ବ୍ୟାଙ୍କ ବାରଣ୍ଡା ମଧ୍ୟ ମାଡ଼ି ନାହାନ୍ତି । କିନ୍ତୁ ଋଣ ପରିଶୋଧ ପାଇଁ ଆସିଛି ନୋଟିସ । ୪୨୦ ବାବୁ ପଣସ ଖାଇ ପରମୁଣ୍ଡରେ ଅଠା ବୋଳି ଦେଇଥିବା ଅଭିଯୋଗ । କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅତା ମହିଳା ବୟନ କେନ୍ଦ୍ରର ସଦସ୍ୟାମାନେ ଏହି ଅଭିଯୋଗ ଆଣିଛନ୍ତି । ବୁଣାକାର ସମବାୟ ସମିତିର ପୂର୍ବତନ ସମ୍ପାଦକ ଅକ୍ଷୟ କୁମାର ପାଗଳ ଋଣ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି । ଅକ୍ଷୟ କୁମାର ପାଗଳଙ୍କୁ ଦୁର୍ନୀତି ଅଭିଯୋଗରେ ୨୦୨୧ ମସିହା ଅଗଷ୍ଟ ମାସରେ ଉଚ୍ଚ କର୍ତ୍ତୃପକ୍ଷ ଚାକିରିରୁ ବହିଷ୍କୃତ କରିଥିଲେ l ଏବେ ତାଙ୍କ କଳା କାରନାମାରେ ଋଣ ଜାଲିଆତିର ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ଅକ୍ଷୟ ପାଗଳ ପଦବୀରେ ଥିବା ବେଳେ ୨୦୧୬ରୁ ୧୮ ଆର୍ଥିକବର୍ଷ ମଧ୍ୟରେ ୮୧ ଜଣ ବୁଣାକାରଙ୍କ ନାଁରେ ବ୍ୟାଙ୍କ ଅଫ ଇଣ୍ଡିଆ ଘଷିପୁରା ଶାଖାରୁ ୫୦ ହଜାର ଟଙ୍କା ଲେଖାଏଁ ଋଣ ଉଠାଇ ସବୁ ଅର୍ଥ ଚଳୁ କରିଥିବା ଅଭିଯୋଗ ହୋଇଛି । ଏବେ ଋଣ ଖିଲାପୀ ଭାବେ ବ୍ୟାଙ୍କ ତରଫରୁ କୋର୍ଟ ନେଟିସ୍ ପରେ ମହିଳା ବୟନ କେନ୍ଦ୍ରର ସଦସ୍ୟାମାନେ ଚିନ୍ତାରେ ପଡ଼ିଛନ୍ତି ।
ସେପଟେ ଅଭିଯୋଗକୁ ନେଇ ବେଫିକର ବହିଷ୍କୃତ ସମ୍ପାଦକ । ଯିଏ ଋଣ ନେଇଛି ସେ ଶୁଝିବ । ନଚେତ ବ୍ୟାଙ୍କ କର୍ତ୍ତୃପକ୍ଷ ବୁଝିବେ ବୋଲି ଅକ୍ଷୟ କୁମାର ପାଗଳ କହିଛନ୍ତି । ନୋଟିସ ପାଇଥିବା ମହିଳାମାନେ ଏବେ କୋର୍ଟ ଓ ବ୍ୟାଙ୍କକୁ ଦୌଡୁଛନ୍ତି । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

