spot_img
Home Blog Page 2462

୩୦ ବର୍ଷ ପରେ ଫେରିଲେ ନିଖୋଜ ସ୍ୱାମୀ

ଦେବଗଡ଼: ୩୦ ବର୍ଷ ପରେ ସ୍ୱାମୀଙ୍କୁ ପାଇଲେ ସ୍ତ୍ରୀ। ଦେବଗଡ଼ ଥାନା ସୁବନପାଲି ମାକରମୁଣ୍ଡା ସାହିର କପିଳ ସାହୁ ୧୯୯୨ ମସିହାରୁ ରୋଜଗାର ପାଇଁ ବାହାରକୁ ଚାଲିଯାଇଥିଲେ ହେଲେ ଅର୍ଥ ରୋଜଗାରରେ ସମର୍ଥ ନହେବାରୁ ନିଜ ଘର ପରିବାରକୁ ନ ଫେରି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଘୁରିବୁଲୁଥିଲେ।

ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ନିଜ ସ୍ତ୍ରୀ, ପିଲା ଛୁଆ ତଥା ସମ୍ପର୍କୀୟଙ୍କ ଠାରୁ ଦୁରେଇ ରହିବା ପରେ ଶେଷରେ ଗତକାଲି ନିଜ ଗାଁକୁ ଫେରି ଆସିଛନ୍ତି। ଯୁବ ଅବସ୍ଥାରେ ଟଙ୍କା ରୋଜଗାର ନିଶାରେ ହଜି ଯାଇଥିବା ବ୍ୟକ୍ତି ଆଜି ଘରକୁ ଫେରିଛନ୍ତି। ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଥିବା ସ୍ତ୍ରୀଙ୍କ ଆଖିରୁ ଝରି ଯାଉଛି ଲୁହ।

ସେହିପରି ତାଙ୍କର ପିଲା ଛୋଟ ଥିବା ବେଳେ ଏବେ ବିବାହିତ। ନିଜ ବାପକୁ ପାଇ ଅତୀତକୁ ମନେ ପକାଉଛନ୍ତି ପିଲାମାନେ। ବିଚ୍ଛେଦ ଓ ମିଳନର ଏଭଳି ଦୃଶ୍ୟ ଦେଖି ଭାବ ବିହ୍ଵଳ ହୋଇ ପଡିଛନ୍ତି ଗ୍ରାମବାସୀ।

୨୫ ବର୍ଷର ସର୍ଚ୍ଚ ହିଷ୍ଟ୍ରି ପ୍ରକାଶ: ‘ଗୁଗୁଲ’ରେ ସବୁଠୁ ଅଧିକ ଖୋଜା ଯାଇଥିବା କ୍ରିକେଟର ଓ ଆଥଲେଟ୍ ହେଲେ…

ନୂଆଦିଲ୍ଲୀ: ‘ଗୁଗୁଲ୍’ ପକ୍ଷରୁ ବିଗତ ୨୫ ବର୍ଷର ସର୍ଚ୍ଚ ହିଷ୍ଟ୍ରି ପ୍ରକାଶ କରାଯାଇଛି । ଯେଉଁଥିରେ ରେକର୍ଡ କରିଛନ୍ତି ବିରାଟ କୋହଲି। ବିରାଟ କୋହଲି କ୍ରିକେଟ୍ ପଡ଼ିଆରେ ଅନେକ ରେକର୍ଡ ସୃଷ୍ଟି କରୁଥିବା ବେଳେ କ୍ରିକେଟ୍ ପଡ଼ିଆ ବାହାରେ ବି ରେକର୍ଡ କରୁଛନ୍ତି ।

ରିପୋର୍ଟ ଅନୁସାରେ କୋହଲି ଗତ ୨୫ ବର୍ଷ ମଧ୍ୟରେ ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା କ୍ରିକେଟର ହୋଇପାରିଛନ୍ତି। ସଚିନ୍ ତେନ୍ଦୁଲକର, ଲାରା ଏବଂ ଅନ୍ୟ କ୍ରିକେଟରଙ୍କ ଅପେକ୍ଷା କୋହଲିଙ୍କୁ ସର୍ବାଧିକ ସର୍ଚ୍ଚ କ୍ରିକେଟର ଭାବରେ ଦର୍ଶାଯାଇଛି।

ସେହିପରି, ଗତ ୨୫ ବର୍ଷ ମଧ୍ୟରେ ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା ଆଥଲେଟ୍ ହେଉଛନ୍ତି ରୋନାଲଡୋ । ଏଥିସହିତ ମେସି, ରୋଜର ଫେଡେରର, ରାଫେଲ ନାଡାଲ ଏବଂ ଜୋକୋଭିକଙ୍କ ପରି କିମ୍ବଦନ୍ତୀ ଆଥଲେଟଙ୍କୁ ପଛରେ ପକାଇବାରେ ସଫଳ ହୋଇଛନ୍ତି ରୋନାଲଡୋ।  ବିଶ୍ୱର ସମସ୍ତ ନାମି ଦାମୀ ଖେଳାଳିଙ୍କ ମଧ୍ୟରୁ ରୋନାଲ୍ଡଙ୍କୁ ଲୋକେ ଅଧିକ ଗୁଗୁଲରେ ଖୋଜିଛନ୍ତି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ବିରାଟ କୋହଲି  ବ୍ରେକରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ କୋହଲି ପ୍ରତ୍ୟାବର୍ତ୍ତନ କରିବେ। ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଟିମ୍ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବେଳେ ସେଠାରେ ଟିମ୍ ଇଣ୍ଡିଆ ୩ଟି ଦିନିକିଆ ଓ ୩ T-20 ମ୍ୟାଚ୍ ଖେଳୁଛି । ଏହି ଦୁଇଟି ସିରିଜ୍ ପରେ ଭାରତୀୟ ଦଳ ଟେଷ୍ଟ ସିରିଜ୍ ଖେଳିବ।

ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗରେ ଜାତିସଂଘରେ ଭୋଟ: ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତର ଦାବି

ଗାଜା : ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗ। ମାନବିକ ସହାୟତା ନେଇ ତୁରନ୍ତ ଅସ୍ତ୍ରବିରତି ସଂକ୍ରାନ୍ତ ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଆଗତ ପ୍ରସ୍ତାବ ସପକ୍ଷରେ ଭୋଟ ଦେଲା ଭାରତ। ଅସ୍ତ୍ରବିରତି ଓ ସମସ୍ତ ପଣବନ୍ଦୀଙ୍କ ନିଃସର୍ତ୍ତ ମୁକ୍ତି ନେଇ ଆଗତ ହୋଇଥିଲା ପ୍ରସ୍ତାବ। ଆଲଜେରିଆ, ବାହାରିନ, ଇରାକ, କୁଏତ, ଓମାନ, କତାର, ସାଉଦିଆରବ, ୟୁଏଇ ଓ ପାଲେଷ୍ଟାଇନ ଆଦି ରାଷ୍ଟ୍ର ଏହି ପ୍ରସ୍ତାବ ଆଗତ କରିଥିଲେ । ଆମେରିକା ଓ ଇସ୍ରାଏଲ ସମେତ ୧୦ଟି ରାଷ୍ଟ୍ର ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିଲେ। ୨୩ ରାଷ୍ଟ୍ର ଭୋଟ ଦାନରୁ ବିରତ ରହିଥିଲେ। ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଗୃହୀତ ପ୍ରସ୍ତାବ ସପକ୍ଷରେ ୧୫୩ ରାଷ୍ଟ୍ର ଭୋଟ ଦେଇଥିଲେ। ପ୍ରସ୍ତାବ ସପକ୍ଷରେ ଭୋଟକୁ ସ୍ବାଗତ କରିଛନ୍ତି ଜାତିସଂଘ ସ୍ଥିତ ପାଲେଷ୍ଟାଇନ ରାଷ୍ଟ୍ରଦୂତ ରିୟାଦ ମନସୁର।

ତେବେ ଏହି ପ୍ରସ୍ତାବରେ ହମାସର ନାଁ ଦର୍ଶାଯାଇ ନଥିଲା। ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ କହିଛନ୍ତି- ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଆଗତ ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ ଦେଇଛି। ଗତ ୭ ଅକ୍ଟୋବରରେ ଇସ୍ରାଏଲରେ ଘଟିଥିବା ଆକ୍ରମଣ ଏକ ଆତଙ୍କବାଦୀ ଆକ୍ରମଣ ଥିଲା । ଏହି ସଂଘର୍ଷର ସ୍ଥାୟୀ ସମାଧାନ ଭାରତ ଚାହେଁ ।

ବୋରଓ୍ବେଲରୁ କେମିତି ଉଦ୍ଧାର ହେଲେ ନବଜାତକ? ଜାଣନ୍ତୁ କ’ଣ ଥିଲା ପୂରା ଘଟଣା…

ରେଙ୍ଗାଲୀ: ସମ୍ବଲପୁର ରେଙ୍ଗାଲୀ ବ୍ଲକ ଲରିପାଲି ଜଙ୍ଗଲ ଭିତରେ ବୋରଓ୍ବେଲରେ ପଡ଼ିଥିବା ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ରେଙ୍ଗାଲୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ନବଜାତକର ପିଠିରେ ଆଘାତ ଲାଗିଥିବାରୁ ଚିକିତ୍ସା କରାଯାଉଛି । ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆସନ୍ତୁ ନଜର ପକାଇବା କଣ ଥିଲା ପୂରା ଘଟଣା। ମଙ୍ଗଳବାର ଅପରାହ୍ମରେ ସମ୍ବଲପୁର ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ସ୍ଥାନୀୟ ଲୋକ ଏକ ଛୁଆର କଅଁଳା କାନ୍ଦ ଶୁଣିବାକୁ ପାଇଥିଲେ। ଜଙ୍ଗଲରେ ୫୦ ବର୍ଷ ହେବ ରହିଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରୁ ଶିଶୁଟିର କାନ୍ଦ ଶୁଣି ତୁରନ୍ତ ପୋଲିସକୁ ଖବର ଦେଇଥିଲେ।

ଖବର ପାଇବା କ୍ଷଣି ପୋଲିସ, ବ୍ଲକ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ୩ଟି ଜେସିବି ସହାୟତାରେ ସମାନ୍ତରାଳ ଗାତ ଖୋଳିବା ଆରମ୍ଭ ହୋଇଥିଲା । ଡାକ୍ତରୀ ଦଳ ପହଞ୍ଚି ନବଜାତକର ପାଖକୁ ଅକ୍ସିଜେନ ପାଇପ ପଠାଇଥିଲେ । ତୁରନ୍ତ ଝାରସୁଗୁଡ଼ାରୁ ଓଡ୍ରାଫ ଟିମ୍ ଯାଇ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲା । ଗାତ ଖୋଲି ପାଇପ ନିକଟରେ ପହଞ୍ଚିଥିଲା ଉଦ୍ଧାରକାରୀ ଦଳ।

ଅଧିକ ପଢନ୍ତୁ:- ପଥର ଚିରି ବାହାରିଲା ପାର୍ଥବୀ, ପ୍ଲାଷ୍ଟିକ ବୋତଲ ବଞ୍ଚାଇ ଦେଲା ଜୀବନ

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମରେ ଘଟଣାସ୍ଥଳକୁ ଭୁବନେଶ୍ବରରୁ ବିମାନ ଯୋଗେ ଭିକ୍ଟିମ ଲୋକେସନ କ୍ୟାମେରା ପଠାଯାଇଥିଲା। ଶିଶୁଟି ଉପରେ ନଜର ରଖିଥିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ। ଏଡିଏମ, ଉପଜିଲ୍ଲାପାଳ, ଏସପିଙ୍କ ସହ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ରେସ୍କ୍ୟୁ ଅପରେସନର ତଦାରଖ କରିଥିଲେ। ଶେଷରେ ୮ ଘଣ୍ଟାର ମାରାଥନ ଅପରେସନ ପରେ ସଫଳତା ମିଳିବା ସହ ଶିଶୁକନ୍ୟାଟିକୁ ଜୀବନ୍ତ ଭାବେ ଉଦ୍ଧାର କରାଯାଇଥିଲା ।

ଦୁନିଆରେ ଏମିତି ଏକ ଗାଁ, ଯେଉଁଠି ଲୋକମାନେ ପୋଷାକ ପିନ୍ଧନ୍ତି ନାହିଁ

ବ୍ୟୁରୋ ରିପୋର୍ଟ : ଦୁନିଆରେ ଏକ ଏମିତି ଗାଁ ଅଛି ଯେଉଁଠାରେ ଲୋକମାନେ ଆଦୌ ପୋଷାକ ପିନ୍ଧନ୍ତି ନାହିଁ। ଏମାନେ ନିବସ୍ତ୍ର ରହିବାକୁ ପସନ୍ଦ କରନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯଦି ଏଠାକୁ ଆପଣ ଛୁଟି କାଟିବାକୁ ଯାଆନ୍ତି ତେବେ ଆପଣଙ୍କୁ ବି ନିବସ୍ତ୍ର ରହିବାକୁ ପଡ଼ିବ। ତେବେ ଚାଲନ୍ତୁ ଜାଣିବା ଏହା ଗାଁ ବିଷୟରେ ।

ଦୁନିଆରେ ଅନେକ ରହସ୍ୟମୟ ସ୍ଥାନ ରହିଛି। ଅନେକ ସ୍ଥାନଗୁଡିକ ସେମାନଙ୍କର ଅଜବ ଖାଦ୍ୟ ଏବଂ ଜୀବନଶୈଳୀ ପାଇଁ ବେଶ୍ ଜଣାଶୁଣା। ସାଧାରଣତଃ ଲୋକମାନେ ପୋଷାକ ପିନ୍ଧିଥିବା ଆପଣ ଦେଖିଥିବେ। ତଥାପି, ଦୁନିଆରେ ଏପରି ଏକ ଗାଁ ଅଛି ଯେଉଁଠାରେ ଏକ ଅଜବ ନିୟମ ପାଳନ କରାଯାଏ ।  ପିଲାଠୁ ନେଇ ବୃଦ୍ଧା ପର୍ଯ୍ୟନ୍ତ ଏଠାରେ କେହି ପୋଷାକ ପିନ୍ଧନ୍ତି ନାହିଁ । ୯୦ ବର୍ଷ ଧରି ଏହି ନିୟମକୁ ଅନୁସରଣ କରୁଛନ୍ତି ଗାଁ ଲୋକେ। ଏହି ଗାଁ ରହିଛି ବ୍ରିଟେନ୍‌ରେ ।

ବ୍ରିଟେନର ସ୍ପିଲପ୍ଲାଟ୍‌ଜ ନାମକ ଗାଁରେ ଗତ ୯୦ ବର୍ଷ ହେବ ଲୋକମାନେ ବିନା ପୋଷାକରେ ରହୁଛନ୍ତି। ବାହାରକୁ ଯାଆନ୍ତୁ କିମ୍ବା କୌଣସି ବନ୍ଧୁ ଘରକୁ ସେମାନେ ନିବସ୍ତ୍ର ହୋଇଯାଇଥାନ୍ତି। ଏକ ରିପୋର୍ଟ ଅନୁଯାୟୀ,  ଏଠାରେ ବାସ କରୁଥିବା ଶିକ୍ଷିତ ଲୋକମାନେ ମଧ୍ୟ ଏହି ନିୟମ ପାଳନ କରିଥାନ୍ତି। ଯେତେ ଧନୀ ହୁଅନ୍ତୁ କି ଗରିବ ସମସ୍ତେ ବିନା ବସ୍ତ୍ରରେ ରହିଥାନ୍ତି। ସବୁଠୁ ବଡ କଥା ହେଉଛି ଏହି ଗାଁରେ ରହୁଥିବା ଲୋକଙ୍କ ପାଖରେ ସମସ୍ତ ପ୍ରକାରର ସୁବିଧା ଅଛି । କିନ୍ତୁ ବିଶ୍ୱାସ ଏବଂ ପରମ୍ପରା ହେତୁ ଏଠାକାର ଲୋକମାନେ ପୋଷାକ ପିନ୍ଧନ୍ତି ନାହିଁ।

ଏହି ଗାଁରେ ସୁନ୍ଦର ଘର, ସୁଇମିଂ ପୁଲ୍ ରହିଛି।  କୁହାଯାଏ ଯେ, ୯୦ ବର୍ଷରୁ ଅଧିକ ସମୟ ଧରି ଏହି ଗାଁର ଲୋକମାନେ ଏହିପରି ଜୀବନ ବିତାଉଛନ୍ତି। ୧୯୨୯ ମସିହାରେ ସ୍ପିଲପ୍ଲାଟଜ୍ ଗ୍ରାମରେ ଏହି ସମ୍ପ୍ରଦାୟ ପ୍ରତିଷ୍ଠା ହୋଇଥିଲା। ଏହି ଗାଁର ଲୋକମାନେ ବିନା ପୋଷାକରେ ବୁଲିବାକୁ ଲାଜ କରନ୍ତି ନାହିଁ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଲେ ନୟାଗଡ଼ ସବ ରେଜିଷ୍ଟ୍ରାର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ନୟାଗଡ଼ ସବ ରେଜିଷ୍ଟ୍ରାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ ଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଚଢ଼ାଉ।

ସବ-ରେଜିଷ୍ଟ୍ରାର ଶାଶ୍ୱତ କୁମାର ପଟ୍ଟନାୟକଙ୍କ ନୟାଗଡ଼ ଲେନ ୪ ସ୍ଥିତ ଭଡା ଘର, କେନ୍ଦ୍ରାପଡା ତଳବାରଙ୍ଗ ସ୍ଥିତ ଘର, ନୟାଗଡ଼ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରାପଡା କୁଦାନଗରୀ ଅନ୍ତର୍ଗତ ତାଳଗାଁ ପୈତୃକ ଘର, ପେଣ୍ଠ ସ୍ଥିତ ସମ୍ପର୍କୀୟ ଘର ଓ ଦଳନ୍ତାରେ ଥିବା ସମ୍ପର୍କୀୟଙ୍କ ଘରେ ଚାଲିଛି ଚଢ଼ାଉ । ରେଡରେ ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

ନୂଆବର୍ଷ ପୂର୍ବରୁ ଝଲସିବ ସ୍ମାର୍ଟ ସିଟି ଭୁବନେଶ୍ୱର

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଝଲସିବ ସ୍ମାର୍ଟ ସିଟି ଭୁବନେଶ୍ୱର। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ମୁକ୍ତା ଯୋଜନାରେ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କ୍ରମରେ ସହର ସୌନ୍ଦର୍ଯ୍ୟ ପାଇଁ ବିଏମସି ଆଉ ଦି ପାଦ ଆଗକୁ ବଢ଼ାଇଛି। ଭୁବନେଶ୍ୱରର  ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା I LOVE BHUBANESWAR ପଏଣ୍ଟକୁ ଅତ୍ୟାଧୁନିକ ଡିଜାଇନରେ ସୁସଜ୍ଜିତ କରାଯାଇଛି।

ଭର୍ଟିକାଲ ଗାର୍ଡେନ ସହ ୱାଟର ସିନେରୀ ଡିଜାଇନ, ଆଲୋକୀକରଣ, ସିଟିଙ୍ଗ ଓ ୱାଲକିଙ୍ଗ ସ୍ଥାନକୁ ଅଧିକ ଆକର୍ଷିତ କରାଯାଇଛି। ଏଥିପାଇଁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି କାର୍ଯ୍ୟ କରିଛନ୍ତି। ଏହି ପଏଣ୍ଟ କାର୍ଯ୍ୟ ସରିବା ପରେ ଭୁବନେଶ୍ୱର ମେୟର ସୁଲୋଚନା ଦାଶ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟରଙ୍କ ସମେତ ବିଏମସିର ଅଧିକାରୀ ପହଂଚି କାର୍ଯ୍ୟ ବୁଲି ଦେଖିଛନ୍ତି। ସେପଟେ ବାହାର ରାଜ୍ୟର ଲୋକ ବି ଭୁବନେଶ୍ୱର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

କମିଶନରେଟ ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: କମିଶନରେଟ ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ। ଦୁର୍ଦ୍ଦାନ୍ତ ଲୁଟେରା ସାନୁ ସହ ଦୁଇ ସହଯୋଗୀଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ୍ । ସାନୁ ବାଇକ ଲୁଟ୍ କରୁଥିବା ବେଳେ ଦୁଇ ସହଯୋଗୀ ବାଇକ କିଣୁଥିଲେ। ଅଭିଯୁକ୍ତଙ୍କ ପାଖରୁ ୨୦ଟି ବାଇକ ଜବତ ହୋଇଛି।

ଅଭିଯୁକ୍ତ ସାନୁ ନାଁରେ ଥାନାରେ ରହିଛି ୨୦ରୁ ଅଧିକ ମାମଲା। ଅଭିଯୁକ୍ତ ମାନେ ଚୋରୀ ବାଇକରେ ଅପରାଧ ଘଟାନ୍ତି। ଚୋରି ବାଇକ ଗୁଡିକୁ ଅଳ୍ପ ଟଙ୍କାରେ ବିକ୍ରି କରନ୍ତି। ଏମାନେ ପୂର୍ବରୁ କେତେ ବାଇକ ଚୋରି କରି ବିକ୍ରି କରିଛନ୍ତି ତଦନ୍ତ ଚାଲିଛି। ଏନେଇ ସୂଚନା ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ମହାଦେବ ଆପ୍ ଦୁର୍ନୀତି ମାମଲା; ଦୁବାଇରୁ ବନ୍ଧା ହେଲା ରବି ଉପ୍ପଲ

ନୂଆଦିଲ୍ଲୀ: ମହାଦେବ ଆପ୍ ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଦୁବାଇରୁ ଗିରଫ ହେଲା ସହ-ସଂସ୍ଥାପକ ରବି ଉପ୍ପଲ। ଇଡିର ଅପିଲ ପରେ ଦୁବାଇ ପୋଲିସର ଆକ୍ସନ। ଇଡ଼ିର ନିବେଦନ ପରେ ଇଣ୍ଟରପୋଲ୍ ଦ୍ୱାରା ଜାରି ହୋଇଥିଲା ରେଡ୍ କର୍ଣ୍ଣର ନୋଟିସ। ତାକୁ ଭାରତକୁ ଆଣିବା ପାଇଁ ଆଲୋଚନା କରାଯାଉଛି।

ସୂଚସୂ ନାନୁସାରେ, ରବି ଉପ୍ପଲଙ୍କୁ ଗତ ସପ୍ତାହରେ ଦୁବାଇରେ ଗିରଫ କରାଯାଇଥିଲା। ତାଙ୍କୁ ଭାରତ ପଠାଇବା ପାଇଁ ଇଡି ଅଧିକାରୀ ଦୁବାଇ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ଭାରତରେ ଛତିଶଗଡ ଏବଂ ମୁମ୍ବାଇ ପୋଲିସ ଉପ୍ପଲ ବିରୋଧରେ ତଦନ୍ତ କରୁଛି। ଏପଟେ ଇଡି ମହାଦେବ ବେଟିଂ ଆପ୍ ସହ ଜଡିତ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି। ରବି ହେଉଛି ମହାଦେବ ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରକରର ସହଯୋଗୀ । ମହାଦେବ ବୁକ୍ ଆପ୍ ବେଟିଂ ପାଇଁ ଅନଲାଇନ୍ ପ୍ଲାଟଫର୍ମ ଯୋଗାଇଥାଏ| ଏହାକୁ ଭାରତରେ ବ୍ୟାନ୍ କରାଯାଇଛି। କିନ୍ତୁ ଏହା ଅନ୍ୟ ଦେଶରେ ଚାଲିଛି | ଛତିଶଗଡର ବାସିନ୍ଦା ଚନ୍ଦ୍ରକର ଏବଂ ତାଙ୍କ ସହଯୋଗୀ ରବି ଉପପାଲ ଦୁବାଇରୁ ଏହାକୁ ପରିଚାଳନା କରୁଛନ୍ତି। ଉଭୟଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା।

ଜେରାବେଳେ ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଥିଲେ- ରବି ପ୍ରଶାନ୍ତ ମହାସାଗର ଅନ୍ତର୍ଗତ ବାନୁଆତୁ ନାମକ ଦେଶର ଏକ ପାସପୋର୍ଟ ହାସଲ କରିଛନ୍ତି । ଏହି ପାସପୋର୍ଟ ଜରିଆରେ ସେ ଅଷ୍ଟ୍ରେଲିଆରୁ ଭିସା ଲାଗି ଆବେଦନ କରିଥିଲେ । ଗତ ଫେବ୍ରୁଆରୀରେ ଦୁବାଇରେ ମହାଦେବ ଆପର ପ୍ରମୋଟର ସୌରଭ ଚନ୍ଦ୍ରକାରଙ୍କ ବିବାହ ଉତ୍ସବରେ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲେ । ଏହି ଉତ୍ସବରେ ବହୁ ବଲିଉଡ ଅଭିନେତା ଯୋଗଦେବା ପରେ ଇଡି ମାମଲାର ଛାନବିନ କରିଥିଲା । ସୌରଭ ଓ ରବିଙ୍କ ଘର ଛତିଶଗଡ଼ ଭିଲାଇରେ ଏବଂ ସେମାନେ ଦୁବାଇରେ ରହି କାର୍ଯ୍ୟ କରୁଥିଲେ । ଭାରତ, ଥାଇଲାଣ୍ଡ, ମାଲେସିଆ ଓ ୟୁଏଇରେ ୩୦ଟି କଲ୍ ସେଣ୍ଟର କରି ସେମାନେ ବେଟିଂ ଆପ୍ ଚଳାଇଥିଲେ ।

ଇଡି ତଦନ୍ତରୁ ଜଣାପଡିଛି ଯେ ମହାଦେବ ଅନଲାଇନ୍ ବୁକ୍ ରେ ପୋକର୍, କାର୍ଡ ଗେମ୍, ତାସ୍ ଖେଳ, କ୍ରିକେଟ୍, ବ୍ୟାଡମିଣ୍ଟନ୍, ଟେନିସ୍, ଫୁଟବଲ୍ ଆଦିରେ ଗେମ୍ ଖେଳାଯାଏ। ଡ୍ରାଗନ୍ ଟାଇଗର, କାର୍ଡ ଇତ୍ୟାଦି ବ୍ୟବହାର କରି ଭର୍ଚୁଆର୍ଚୁଲ୍ କ୍ରିକେଟ୍ ଖେଳ, ଏପରିକି ଭାରତରେ ଚାଲିଥିବା  ବିଭିନ୍ନ ନିର୍ବାଚନରେ ମଧ୍ୟ ବେଟିଂ କରାଇଥାଏ।ବର୍ତ୍ତମାନ ସୁଦ୍ଧା ବେଟିଂ ଆପ ମାମଲାରେ ସୁନୀଲ ଦମାନି, ଅନିଲ ଦମାନି, ଏଏସଆଇ ଚନ୍ଦ୍ରଭୂଷଣ ବର୍ମା, ଜଣେ କନଷ୍ଟେବଳ ଓ ସତୀଶ ଚନ୍ଦ୍ରକାରଙ୍କୁ ଗିରଫ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଦୈନିକ ୨୦୦ କୋଟିରୁ ଅଧିକ ଟଙ୍କାର ଟର୍ଣ୍ଣଓଭର କରୁଥିବା ବେଟିଂ ଆପକୁ ନେଇ ଗତ ନଭେମ୍ବରରେ ଛତିଶଗଡ଼ରେ ରାଜନୈତିକ ହଲଚଲ କରିଥିଲା । ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଅସୀମ ଦାସ ନାମକ ଜଣେ ବ୍ୟକ୍ତି ୫୦୮ କୋଟି ଟଙ୍କା ଦେଇଥିଲେ ବୋଲି ପ୍ରଥମେ ଦାବି କରିଥିଲେ । ମାତ୍ର ପରେ ସେ ଏହାକୁ ଅସ୍ବୀକାର କରିଥିଲେ ।

ମାଲକାନଗିରିରୁ ଖୁବଶୀଘ୍ର ଉଡିବ ବିମାନ, ଜୋରସୋରରେ ଚାଲିଛି କାମ

ମାଲକାନଗିରି: ସାକାର ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ। ଆକାଶ ପଥରେ ଯୋଡିହେବ ମାଲକାନଗିରି । ଖୁବଶୀଘ୍ର ଜିଲ୍ଲାରୁ ଉଡିବ ବିମାନ । କମ ସମୟରେ ରାଜଧାନୀ ସହ ଅନ୍ୟ ରାଜ୍ୟକୁ ଯାତାୟତ କରିପାରିବେ ଜିଲ୍ଲାବାସୀ। ଜୋରସୋରରେ ଚାଲିଛି ମାଲକାନଗିରି ବିମାନବନ୍ଦର କାର୍ଯ୍ୟ ।

ଆଭିଏସନ୍ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା ଏବଂ ବିମାନ ବନ୍ଦର ପ୍ରାଧିକରଣ ଏଜିଏମ ପ୍ରଦୀପ୍ତ କୁମାର ବେଜ ନିର୍ମାଣଧୀନ ଏଆରଷ୍ଟ୍ରିପର ନିରୀକ୍ଷଣ କରି ଫେରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ , ରାଜ୍ୟ ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ପୂର୍ତ୍ତ ବିଭାଗ ଅଧିକ୍ଷକ ଯନ୍ତ୍ରୀ ନିହାର ରଞ୍ଜନ ବେହେରାଙ୍କ ଉପସ୍ଥିତରେ ମାଲକାନଗିରି ଏଆରଷ୍ଟ୍ରିପର ଅନୁଧ୍ୟାନ କରାଯାଇଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।