ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଅଘଟଣ, ହଷ୍ଟେଲ ପାଇଖାନାରେ ଝୁଲି ପଡିଲେ ମେଧାବୀ ଛାତ୍ର

ବଲାଙ୍ଗୀର: ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଅଘଟଣ  । ସ୍କୁଲ ହଷ୍ଟେଲ ପାଇଖାନାରୁ ମାଟ୍ରିକ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର  । ମୃତ ଛାତ୍ର ହେଲେ ସଦର ଥାନା ଅନ୍ତର୍ଗତ ତଲିଉଡାର ଗାଁର ବିନାୟକ ପ୍ରଧାନ  । ସେ ବଲାଙ୍ଗୀର କାମାକ୍ଷାନଗର ବିଶ୍ବାତ୍ମା ବିଦ୍ୟା ମନ୍ଦିର ସ୍କୁଲର ଦଶମ ଶ୍ରେଣୀର ଛାତ୍ର  । ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ  ।

ବିନାୟକ ଜଣେ ମେଧାବୀ ଛାତ୍ର ଥିଲେ  । ଭଲ ପାଠ ପଢୁଥିଲେ। ତେଣୁ ପରିବାର ଲୋକେ ତାଙ୍କୁ ହଷ୍ଟେଲରେ ରଖି ପାଠ ପଢ଼ାଉଥିଲେ  । ପରୀକ୍ଷା ଥିବାରୁ ରବିବାର ଦିନ ବାପା ରାତ୍ର ପ୍ରଧାନ ତାଙ୍କୁ ଦେଖିବାକୁ ଆସିଥିଲେ  । ସେ କୌଣସି ଚାପରେ ନଥିଲେ  । ପରୀକ୍ଷାରେ 95 ପ୍ରତିଶତ ମାର୍କ ଆସିବ ବୋଲି କହିଥିଲେ ଯ ତେବେ ସେ କାହିଁକି ଆତ୍ମହତ୍ୟା କରିବ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି  ।

ବିନାୟକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ମାଟ୍ରିକ୍ ପରୀକ୍ଷା ଦେଇଥାନ୍ତେ, ହେଲେ ତାପୂର୍ବରୁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ର  । ହଷ୍ଟେଲ ବାଥରୁମରେ ବିନାୟକଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ ସ୍କୁଲ କର୍ତ୍ତୃପକ୍ଷ। ଗାମୁଛାରେ ବେକରେ ଫାଶ ଲଗାଇ ବିନାୟକ ଆତ୍ମହତ୍ୟା କରିଥିବା କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ  । ଟାଉନ ଥାନା ପୋଲିସ ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛି  ।