ହୃଦଘାତରେ ଚାଲିଗଲେ ଅନୁପମା ଅଭିନେତା, ଟିଭି ଜଗତରେ ଶୋକ

ମୁମ୍ବାଇ: ଟିଭିରୁ ଓଟିଟି ଯାଏଁ ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତା ଋତୁରାଜ ଏବେ ଆରପାରିରେ  । ମାତ୍ର ୬୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି  । ଟିଭି ଦୁନିଆର ଲୋକପ୍ରିୟ ଶୋ ଅନୁପମାରେ ନଜର ଆସୁଥିଲେ ଋତୁରାଜ  । ଅଭିନେତାଙ୍କ ଅଚାନକ ନିଧନ ଖବର ଶୁଣି ଟିଭି ଜଗତ ଶୋକପ୍ରକାଶ କରିଛି  ।

ଗତକାଲି ବିଳମ୍ବିତ ରାତିରେ ତାଙ୍କର ହୃଦଘାତ ହୋଇଥିଲା  । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ଦୀର୍ଘଦିନରୁ ସେ ଅସୁସ୍ଥ ଥିଲେ  । ଅଗ୍ନାଶୟ ସମସ୍ୟାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ  ।ଅଭିନେତାଙ୍କ ବିୟୋଗ ବିଷୟରେ ତାଙ୍କ ବନ୍ଧୁ ସୂଚନା ଦେଇଛନ୍ତି  ।

ଟିଭି ଜଗତର ଅନେକ ଲୋକପ୍ରିୟ ଶୋରେ ଋତୁରାଜ ନଜର ଆସିଛନ୍ତି  । ଅପନି ବାତ, ଜ୍ୟୋତି, ହିଟଲର ଦିଦି, ଶପଥ, ୱାରିଅର ହାଇ, ଆହଟ, ଅଦାଲତ, ଦିୟା ଔର ବାତି ହମ ଭଳି ଲୋକପ୍ରିୟ ଶୋରେ ସେ କାମ କରିସାରିଛନ୍ତି  । ସେହିପରି ରାଜନୀତି ଓ ବଦ୍ରିନାଥ କି ଦୁଲହନିଆଁ ଭଳି ଫିଲ୍ମରେ ଅଭିନୟ କରିଛନ୍ତି ଋତୁରାଜ  ।