spot_img
Home Blog Page 2451

ପାକିସ୍ତାନରେ ଇମ୍ରାନଙ୍କ ଦଳ ବେହାଲ,ନାହିଁ ନିର୍ବାଚନ ଚିହ୍ନ ନାହାନ୍ତି ନେତା

ଇସଲାମାବାଦ:  ବଢୁଛି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଡୁଆ ।  ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଇମ୍ରାନ । ପ୍ରଥମେ ତାଙ୍କ ପାର୍ଟି ପିଟିଆର ନିର୍ବାଚନୀ ଚିହ୍ନ ନିର୍ବାଚନ ଆୟୋଗ ଛଡାଇ ନେଇଥିଲେ  । ଠିକ୍ ସେହିପରି ଏବେ ଇମ୍ରାନଙ୍କ ପାର୍ଟି ତହରିକ୍-ଏ- ଇନସାଫ ନେତୃତ୍ୱ ବିହୀନ ହୋଇ ପଡିଛି  ।

ଦୀର୍ଘ ସମୟ ଅପେକ୍ଷା ପରେ ଫେବୃଆରୀରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଭୋଟ୍ ପାଇଁ ମଧ୍ୟ ଦୁଇ ମାସରୁ କମ୍ ସମୟ ବାକି ଅଛି | ଆଇନଗତ ମାମଲା ଏବଂ ଦଣ୍ଡ ଦ୍ୱାରା ଘେରି ରହିଥିବା ଇମ୍ରାନ ଖାନଙ୍କୁ ନିର୍ବାଚନ ପୂର୍ବରୁ ହିଁ ଦେଶର ନିର୍ବାଚନ ଆୟୋଗ ତାଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି।  ଫେବୃଆରୀ ୮ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ରବିବାର ପାକିସ୍ତାନର ନିର୍ବାଚନ ଆୟୋଗ ୧୭୫ ଟି ରାଜନୈତିକ ଦଳର ତାଲିକା ପ୍ରକାଶ କରିଛନ୍ତି।

ପଞ୍ଜୀକୃତ ରାଜନୈତିକ ଦଳ ଭାବରେ ଏହି ସମସ୍ତ ଦଳ ଆସନ୍ତା ନିର୍ବାଚନରେ ​​ଭାଗ ନେବେ। ଆଶ୍ଚର୍ଯ୍ୟର କଥା ଯେ, ପାକିସ୍ତାନ ତାହରିକ-ଏ-ଇନସାଫର ନେତା ହୋଇ ମଧ୍ୟ ଇମ୍ରାନ ଖାନଙ୍କ ନାମ ଏହି ତାଲିକାରେ ନାହିଁ। ଯଦି ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଦେଖିବାକୁ ଗଲେ ପିଟିଆଇ ବର୍ତ୍ତମାନ ଏକ ନେତୃତ୍ୱ ବିହୀନ ଦଳ ହୋଇ ରହିଯାଇଛି ।

ଏହାପୂର୍ବରୁ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତହରିକ-ଏ-ଇନସାଫ ନିଜ ନିର୍ବାଚନ ପ୍ରତୀକ ‘ବ୍ୟାଟ୍’ ହରାଇଛି।  ପିଟିଆଇରେ ଅନୁଷ୍ଠିତ ଆଭ୍ୟନ୍ତରୀଣ ନିର୍ବାଚନରେ ​​ନିର୍ବାଚନ ଆୟୋଗ ସନ୍ତୁଷ୍ଟ ନଥିଲେ, ଯାହାର ପରିଣାମରେ ସେ ଏହିପରି ନଷ୍ପତ୍ତି ନେଇଥିଲେ ।

ସାମାନ୍ୟ କଳହରୁ ଭାଇକୁ ହତ୍ୟା କଲା ଭାଇ

କଳାହାଣ୍ଡି : ସାମାନ୍ୟ କଳିରୁ ଭାଇକୁ ମାରିଲା ଭାଇ ।  ଭବାନୀପାଟଣା ସହରର ବାହାଦୁର ବଗିଚାପଡ଼ାରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁଇ ଭାଇଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ହତ୍ୟା କାଣ୍ଡ ଘଟିଛି । ଗତକାଲି ରାତିରେ କିଛି କଥାକୁ ଦୁଇ ଭାଇଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା  । ଯାହା ପରେ ବଡ଼ ଭାଇକୁ ହତ୍ୟା କରିଥିଲା ସାନ ଭାଇ ମହେନ୍ଦ୍ର ବାଗ । ନିଜ ଭାଇକୁ ଗଣେଶ ବାଗକୁ ହତ୍ୟା କରିବା ପରେ ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ସାନଭାଇ। ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ  ।

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା; ବନ୍ଧା ହେଲେ ୫ରୁ ଅଧିକ ଯୁବକ

ଭୁବନେଶ୍ବର : ଭୁବନେଶ୍ବର ଏୟାରପୋର୍ଟ ଟ୍ରାଫିକ ନିକଟରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ତନାଘନା । ଅଭିଯୁକ୍ତଙ୍କୁ ହାତକଡ଼ି ପିନ୍ଧାଇଲା ଏୟାରପୋର୍ଟ ଥାନା ପୋଲିସ । ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିର ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଘଟଣାରେ ସମ୍ପୃକ୍ତ ଥିବା ୫ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଥାନାରେ ବିଭିନ୍ନ ମାମଲା ରହିଛି । ଅନ୍ୟମାନଙ୍କ ଅପରାଧର ତାଲିକା ଖୋଜୁଛି ପୋଲିସ । ଗତକାଲି ରାତିରେ ମଦନ ମହାରଣା ଓରଫ ଶିବାକୁ ଗୋଡାଇ ଗୋଡାଇ ହାଣିଥିଲେ ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ଶିବାକୁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଆକ୍ରମଣର ଶିକାର ହୋଇଥିବା ଶିବା ନାଁରେ ପୂର୍ବରୁ ୧୭ରୁ ଅଧିକ ଅପରାଧିକ ମାମଲା ରହିଛି ବୋଲି ଜଣାପଡିଛି ।

ନବରଙ୍ଗପୁରରେ ବଢିଲା ବିଜେଡି ବଳ; ଯୋଗ ଦେଲେ ୩୦୦ରୁ ଅଧିକ କର୍ମୀ

ନବରଙ୍ଗପୁର :  ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ। ୩୦୦ ରୁ ଅଧିକ କର୍ମୀ ବିଜେଡିରେ ହେଲେ ସାମିଲ । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଉମରକୋଟ ସ୍ଥିତ ବାସଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ସାଂସଦ ରମେଶ ମାଝିଙ୍କ ସହ ରାଜ୍ୟ ଉଠା ଜଳସେଚନ ନିଗମର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ପୂର୍ବତନ ନଗରପାଳ ଝଡେଶ୍ୱର ମହାନ୍ତିଙ୍କ ସହ ବହୁ ଦଳୀୟ ନେତା ଉପସ୍ଥିତ ରହିଥିଲେ ।

ଏହି ମିଶ୍ରଣ ପର୍ବରେ ବିଜେପି ଓ କଂଗ୍ରେସ ଦଳ ଛାଡି ୩୦୦ ରୁ ଉର୍ଦ୍ଧ କର୍ମୀ ବିଜେଡି ରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ନବରଙ୍ଗପୁର ଜିଲ୍ଲାରେ ସାଂସଦଙ୍କ ଉନ୍ନତିମୂଳକ କାର୍ଯ୍ୟ ଓ ସଂଗଠନିକ ଦକ୍ଷତାକୁ ଦେଖି ସମସ୍ତେ ଦଳ ରେ ସାମିଲ ହେଇଥିବା କର୍ମୀ ପ୍ରକାଶ କରିଛନ୍ତି ।

ଘନ କୁହୁଡିରେ ଅଦୃଶ୍ୟ ହୋଇଗଲା କୋଣାର୍କ ମନ୍ଦିର

କୋଣାର୍କ : ଘନ କୁହୁଡି ବଳୟରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର କୋଣାର୍କ । ଘନ କୁହୁଡିରେ ଅଦୃଶ୍ୟ ହୋଇଗଲା କୋଣାର୍କ ମନ୍ଦିର । ଆଜି କୋଣାର୍କରେ ପ୍ରଥମ କୁହୁଡି ଦେଖିବାକୁ ମିଳିଥିଲା । କୁହୁଡିରେ ସଂପୂର୍ଣ୍ଣ ଢାଙ୍କି ହୋଇପଡ଼ିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର। ଆଜି ବଡ଼ ଦିନ ଥିବାରୁ କୋଣାର୍କରେ ଭୋରରୁ ଲୋକଙ୍କ ଭିଡ ହୋଇଥିଲା । ହେଲେ କୁହୁଡି ଯୋଗୁ କିଛି ଦୃଶ୍ୟମାନ ହୋଇନଥିଲା ।

ସୂର୍ଯ୍ୟମନ୍ଦିର ପରିସରରେରେ ସକାଳୁ ସକାଳୁ ମାତ୍ରାଧିକ ଘନ କୁହୁଡିର ଆସ୍ତରଣ ଯୋଗୁଁ ପର୍ଯ୍ୟଟକମାନେ ବୁୁୁଲି ଦେଖିବାରୁ ବଞ୍ଚିତ ହୋଇଥିଲେ । ରାସ୍ତାରେ ଯିବା ଆସିବା କରିବାରେ ମଧ୍ୟ ପର୍ଯ୍ୟଟକଙ୍କୁ ଅସୁବିଧା ହୋଇଥିଲା । ବିିଶେଷ ଭାବେ ସୂର୍ଯ୍ୟ ମନ୍ଦିରର ସୁୁକ୍ଷ୍ମ କରୁୁକାର୍ଯ୍ୟ ଦେଖିବାକୁ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ କୁହୁଡି ପାଇଁ ଦେଖିପାରି ନଥିଲେ ।  କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସମ୍ପୂର୍ଣ ଭାବେ ଦୀର୍ଘସମୟ ଧରି ଏହି କୁହୁଡି ଚାଦର ଲୁଚାଇ ଦେଇଥିଲା । ଯାହାଫଳରେ ଖାଲି ଆଖିରେ କିଛି ଦୃଶ୍ୟମାନ ହେଉନଥିଲା  ।

ଘରେ ଛାଡିବା ବାହାନାରେ ଦୁଷ୍କର୍ମ କଲା ରିକ୍ସା ଡ୍ରାଇଭର

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଘଟିଛି ବର୍ବରତାର ଏକ ଅଭାବନୀୟ ଚିତ୍ର । ଉତ୍ତରପ୍ରଦେଶର ଫତେପୁରରେ ଏକ ଅଷ୍ଟମ ଶ୍ରେଣୀର ଝିଅ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଇ- ରିକ୍ସା ଡ୍ରାଇଭର ଦ୍ବାରା ଦୁଷ୍କର୍ମର ଶିକାର ହୋଇଛି । ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ ଝିଅଟିକୁ ଛାଡି ପଳାଇଯାଇଥିଲା ।

ଯେତବେଳେ ଝିଅଟି ଦୀର୍ଘ ସମୟ ଯାଏଁ ଘରକୁ ଫେରି ନଥିଲା ,ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜା ଖୋଜି ଆରମ୍ଭ କରିଥିଲେ । ପରେ ଏକ ଚାଷ ଜମିରେ ଝିଅଟି ଚେତାଶୂନ୍ୟ ହୋଇ ପଡିଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ପରିବାର ସଦସ୍ୟ ଝିଅକୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରି ପୋଲିସ୍ କୁ ଖବର ଦେଇଥିଲେ । ବର୍ତ୍ତମାନ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ପୋଲିସ୍ ସମ୍ପୃକ୍ତ ଇ- ରିକ୍ସା ଡ୍ରାଇଭର ନାଁରେ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ।
ଗତ ଶନିବାର ଦିନ , ପୀଡିତା ଝିଅଟି ସ୍କୁଲରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଡ୍ରାଇଭର ଘରେ ଛାଡିବା ବାହାନାରେ ଝିଅଟିକୁ ଇ- ରିକ୍ସାରେ ବସେଇ ନେଇଥିଲା । ତାପରେ ଝିଅକୁ ଏକ ଶୂନ୍ ଶାନ୍ ଚାଷ ଜମିକୁ ନେଇ ଦୁଷ୍କର୍ମ କରିଥିଲା । ପରେ ସେ ପୀଡିତା କୁ ଚେତାଶୂନ୍ୟ ଅବସ୍ଥାରେ ଛାଡି ପଳାଇଯାଇଥିଲା ।

ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ୨ଜଣ ମୃତ ଓ ୨ ଜଣ ଆହତ

ଭୁବନେଶ୍ୱର : ନନ୍ଦନକାନନ ଥାନା ରଘୁନାଥପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ ମୁହାଁ ମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବାରଙ୍ଗ ଆସୁଥିବା ଗୋଟିଏ ବାଇକ, ଅନ୍ୟ ଏକ ବାଇକ ଟର୍ଣ୍ଣିଂ ବୁଲାଇବା ବେଳେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୨ ଜଣ ଆହତ ହୋଇଥିଲେ । ମୃତକ ଓ ଆହତଙ୍କ ପରିଚୟ ମିଳିନି

ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଉଦଘାଟନୀ ପାଇଁ ଦେଶ ବିଦେଶରୁ ଆସୁଛି ଭେଟି, ଜାଣନ୍ତୁ କେଉଁ ସ୍ଥାନରୁ କ’ଣ ଆସୁଛି…

ନନ୍ଦିଘୋଷ ବ୍ୟୁରୋ : ପାଖେଇ ଆସୁଛି ଅଯୋଧ୍ୟାରେ ନିର୍ମିତ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଉଦଘାଟନୀ ଦିନ । ଜାନୁୟାରୀ ୨୨ ଅପରାହ୍ନ ୧୨.୩୦ ମିନିଟରେ ହେବ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ । ମନ୍ଦିର ଉଦଘାଟନକୁ ନେଇ ଏବେ ଚଳଚଞ୍ଚଳ ସମଗ୍ର ଅଯୋଧ୍ୟା । ସେଥିପାଇଁ ଖୁବ୍ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ  ।

ଅଯୋଧ୍ୟାରେ ନିର୍ମିତ ଏହି ଭବ୍ୟ ମନ୍ଦିର ପାଇଁ ଏବେ ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରୁ ଆସୁଛି ଉପହାର ଭେଟି । ଯେଉଁଥିରେ ଭଗବାନ ରାମଙ୍କ ମାମୁଁଘର ଛତିଶଗଡ଼ରୁ ୩ହଜାର କ୍ୱିଣ୍ଟାଲ ଚାଉଳ ଆସିବ ଅନ୍ୟପଟେ ତାଙ୍କ ଶ୍ୱଶୁରଘର ନେପାଲର ଜନକପୁରରୁ ପୋଷାକ, ଫଳ, ମିଠା ତଥା ଉପହାର ଭରା ୧୧୦୦ଟି ଥାଳି ଆସିବ ବୋଲି ସୂଚନା ମିଳିଛି । ଏହାଛଡା ଭାରତର ବିଭିନ୍ନ ରାଜ୍ୟରୁ ଅନେକ ଜିନିଷ ଅଯୋଧ୍ୟାକୁ ଭେଟି ସ୍ୱରୂପ ପଠାଯିବ ।

କେଉଁ ସ୍ଥାନରୁ କେଉଁ ସାମଗ୍ରୀ ଆସିବ ?

  • ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ତାଙ୍କୁ ଏକ ବିଶେଷ ପ୍ରକାର ଭୋଗ ଲାଗି ହେବ ଯେଉଁ ଥିରେ ତାଙ୍କ ମାମୁଁଘରୁ ଆସିଥିବା ଚାଉଳ ଏବଂ ଶ୍ୱଶୁରଘରୁ ଆସିଥିବା ମିଠା ସାମିଲ ହେବ ।
  • ମାମୁଁଘର ଛତିଶଗଡ଼ରୁ ଆସୁଥିବା ୩ କ୍ୱିଣ୍ଟାଲ ଚାଉଳ ଭେଟି ସବୁଠାରୁ ବଡ଼ ଉପହାର ମାନଙ୍କ ମଧ୍ୟରୁ ଅନ୍ୟତମ । ଯାହା ଛତିଶଗଡ଼ର ସମସ୍ତ ଜିଲ୍ଲାରୁ ଚାଉଳ ସଂଗ୍ରହ କରି ଅଯୋଧ୍ୟା ପଠାଯିବ ।
  • ଶ୍ରୀରାମଙ୍କ ଶ୍ୱଶୁରଘର ନେପାଳର ଜନକପୁରରୁ ଆସୁଥିବା ପୋଷାକ, ଫଳ, ମିଠା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜାନୁୟାରୀ ୫ ସୁଦ୍ଧା ଅଯୋଧ୍ୟା ପହଞ୍ଚିବ । ଏଥି ସହିତ ସେଠାରୁ ୧୧୦୦ ଉପହାର ଭରା ଥାଳି ମଧ୍ୟ ଭଗବାନଙ୍କ ପାଇଁ ପଠାଯାଉଛି ।
  • ନେପାଳରୁ ଅଳଙ୍କାର, ବାସନ, ପୋଷାକ ଏବଂ ବିଭିନ୍ନ ପ୍ରକାର ମିଠା ଭାର ଆସିବ ; ଯେଉଁଥିରେ ୫୧ ପ୍ରକାର ମିଠା ସହ ଦହି, ଲହୁଣୀ ଏବଂ ଚାନ୍ଦିର ବାସନ ମଧ୍ୟ ରହିଛି ।
  • ସେହିପରି ଉତ୍ତରପ୍ରଦେଶର ଏଟା ଜିଲ୍ଲାରୁ ଭଗବାନ ରାମଙ୍କ ଉଦ୍ଦେଶ୍ୟରେ ଅଷ୍ଟଧାତୁରେ ନିର୍ମିତ ୨୧ କିଲୋର ଘଣ୍ଟି ପଠାଯିବ । କୁହାଯାଉଛି କି ଏହା ଦେଶର ସବୁଠାରୁ ବଡ଼ ଘଣ୍ଟି ହେବ । ଯାହକୁ ନିର୍ମାଣ କରିବା ପାଇଁ ୨୫ଲକ୍ଷ ଟଙ୍କା ବିନିଯୋଗ ସହ ୪୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

  • ୟୁପିରୁ ଆସୁଥିବା ଏହି ଘଣ୍ଟିର ଚଉଡା ୧୫ ଫୁଟ୍ ଏବଂ ଭିତର ପଟର ଚଉଡା ୫ ଫୁଟ ଅଟେ । ଯାହର ଓଜର ପାଖାପାଖି ୨୧୦୦ କିଲୋ ହେବ । ଯାହାକୁ ନିର୍ମାଣ କରିବାକୁ ବର୍ଷେ ସମୟ ଲାଗିଛି ।
  • ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଗୁଜୁରାଟର ବଡେଦରା ସ୍ଥାନରୁ ୧୦୮ ଫୁଟ୍ ଲମ୍ବ ବିଶିଷ୍ଟ ଏକ ଅଗରବତୀ ପଠାଯିବ । ଯାହା ପଞ୍ଚଗାଈର ଗୋବର ଏବଂ ଅନ୍ୟାନ୍ୟ ହୋମ ସାମଗ୍ରୀରେ ତିଆରି କରାଯାଇଛି । ଯାହା ୩୫୦୦ କିଲୋ ଓଜନ ବିଶିଷ୍ଟ ଅଟେ । ଏହାକୁ ତିଆରି କରିବା ପାଇଁ ୫ଲକ୍ଷ ଟଙ୍କା ଲାଗିଥିବା ବେଳେ ୬ମାସ ସମୟ ଲାଗିଥିଲା ଏବଂ ଏହାକୁ ୧୧୦ ଫୁଟ ଲମ୍ବର ଏକ ରଥରେ ଅଯୋଧ୍ୟା ପଠାଯିବ ।
  • ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭଗବାନଙ୍କ ଚରଣ ପାଦୁକା ମଧ୍ୟ ସେହି ସ୍ଥାନରେ ରହିବ । ଯାହା ବର୍ତ୍ତମାନ ଦେଶସାରା ବୁଲାଇ ୧୯ ଜାନୁଆରୀକୁ ଅଯୋଧ୍ୟା ଅଣାଯିବ  । ଏହାକୁ ହାଇଦ୍ରାବାଦର ଶ୍ରୀଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ନିର୍ମାଣ କରିଛନ୍ତି ।

ଫ୍ରାନ୍ସରେ ଅଟକ ରହିଥିବା ବିମାନକୁ ମିଳିଲା ଅନୁମତି 

ନୂଆଦିଲ୍ଲୀ : ଫ୍ରାନ୍ସରେ ଭାରତୀୟଙ୍କୁ ନେଇଯାଉଥିବା ବିମାନକୁ ପୁଣି ଉଡାଣ ଭରିବାକୁ ଅନୁମତି ମିଳିଛି । ଫ୍ରାନ୍ସର ବେଣ୍ଟ୍ରି ବିମାନବନ୍ଦରରେରେ ମଣିଷ ଚାଲାଣର ଅଭିଯୋଗରେ ଅଟକ ରହିଥିବା ବିମାନକୁ  ଶେଷରେ ଉଡାଣ ପାଇଁ ଅନୁମତି ଦିଆଯାଇଛି  । ଏହି ବିମାନରେ ୩୦୩ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଭାରତୀୟ ଥିବା ଜଣାପଡିଥିଲା  । ସୂଚନା ଅନୁସାରେ , ବିମାନଟି ବେଣ୍ଟ୍ରି ବିମାନବନ୍ଦରରେ ନିଜର ଇନ୍ଧନ ଭରିବା ପାଇଁ ଅଟକି ଥିଲା  । ଏହି ସମୟରେ ଫ୍ରାନ୍ସର ଅଧିକାରୀ ମାନଙ୍କୁ ସୂଚନା ମିଳିଥିଲା ଯେ, ଏହି ବିମାନରେ ମଣିଷ ଚୋରା ଚାଲାଣ ପାଇଁ ଯାତ୍ରୀଙ୍କୁ ନିଆଯାଉଛି  । ସେଥିପାଇଁ ସଙ୍ଗେ ସଙ୍ଗେ ବିମାନ ଉଡାଣକୁ ଅଟକ ରଖାଯାଇଥିଲା  । ବେଣ୍ଟ୍ରି ବିମାନବନ୍ଦରର ରିସେପସନ୍ ହଲଟି ଯାତ୍ରୀଙ୍କ ଓ୍ବେଣ୍ଟିଂ ହଲରେ ପରିଣତ ହୋଇଯାଇଥିଲା  । ସେଠାରେ ସମସ୍ତ ଯାତ୍ରୀଙ୍କୁ ଅଟକାଇ ରଖାଯାଇଥିଲା।

ଅଧିକାରୀଙ୍କ କହିବା ଅନୁସାରେ, ଯାତ୍ରୀ ମାନଙ୍କୁ ବିମାନ ବନ୍ଦରର ପ୍ରବେଶ ହଲରେ ରଖାଯାଇଥିଲା  । ଏବଂ ପ୍ରବେଶ  ଏରିଆ ହଲକୁ ବନ୍ଦ କରିଦିଆଯାଇଥିଲା  । ପୋଲିସ୍ ଏହି ଏରିଆରେ ଅଲଗା ଯାତ୍ରୀଙ୍କ ପ୍ରବେଶକୁ ମଧ୍ୟ ରୋକ୍ ଲଗାଇଥିଲା  । ପ୍ୟାରିସ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ଶୁକ୍ରବାର ଦିନ ଗିରଫ ହୋଇଥିବା ଦୁଇ ଜଣ ଯାତ୍ରୀଙ୍କୁ ପୁଣି ଶନିବାର ୪୮ ଘଣ୍ଟା ଧରି ପଚାରାଉଚାର କରାଯାଇଥିଲା  । ଫ୍ରାନ୍ସରେ  ରୋକା ଯାଇଥିବା ବିମାନଟିର ନାଁ ଥିଲା ଲିଜେଣ୍ଡ ଏୟାରଲାଇନ୍ସ   । ଘଟଣା ପରେ ଏହି ଏୟାର ଲାଇନ୍ସର ଓକିଲ ଲିଲିୟାନା ବକାୟୋକୋ କହିଛନ୍ତି ଯେ, A340 ର ସମସ୍ତ କ୍ର୍ୟୁ ସଦସ୍ୟଙ୍କୁ ପଚାରାଉଚାର କରାଯିବା ପରେ ସମସ୍ତଙ୍କୁ ଛାଡିବା ପାଇଁ ଅନୁମତି ମିଳିଥିଲା   । ବିମାନଟିକୁ ରୋକା ଯାଇଥିବା ଖବର ପାଇ ଭାରତୀୟ ଦୁତାବାସର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ  । ଭାରତୀୟ ଦୁତାବାସ ଏହା ମଧ୍ୟ କହିଛି ଯେ , ବିମାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କ କିଛି ଅସୁବିଧା ହେଲେ ସେମାନେ ଭାରତୀୟ ଦୁତାବାସଙ୍କ ସହ କଥା ହେବାର ସୁବିଧା ପାଇପାରିବେ   ।

ବଡ଼ଦିନ ପାଳୁଛନ୍ତି ଖ୍ରୀଷ୍ଟଧର୍ମାବଲାମ୍ବୀ, ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର : ଆଜି ପବିତ୍ର ବଡ଼ଦିନ । ଉତ୍ସବ ପାଳୁଛନ୍ତି ଖ୍ରୀଷ୍ଟଧର୍ମାବଲାମ୍ବୀ । ଉତ୍ସବମୁଖର ହୋଇଛି ସାରା ବିଶ୍ବ । ମଧ୍ୟରାତ୍ରୀରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ସମବେତ ପ୍ରାର୍ଥନା କରି ପ୍ରଭୁଙ୍କ ଧରାବତରଣକୁ ପାଳନ କରିଛନ୍ତି ଶ୍ରଦ୍ଧାଳୁ । ବିଭିନ୍ନ ଚର୍ଚ୍ଚରେ କରାଯାଇଛି ବ୍ୟାପକ ବ୍ୟବସ୍ଥା । ବଡ଼ଦିନ ପାଇଁ ଚର୍ଚ୍ଚଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି ।

ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟର ଚର୍ଚ୍ଚରେ ଲାଗିଛି ଗହଳି । ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ଖ୍ରୀଷ୍ଟଧର୍ମାବଲାମ୍ବୀ । ଆଜିକୁ ପ୍ରାୟ ୨୦୨୩ ବର୍ଷ ପୂର୍ବେ ପ୍ରଭୁ ଯୀଶୁ ଜନ୍ମଗ୍ରହଣ କରିଥିଲେ ବୋଲି ବିଶ୍ବାସ ରହିଛି । ସେ ଜନ୍ମ ହେବା ସହ ଖ୍ରୀଷ୍ଟାବ୍ଦର ଆରମ୍ଭ ହୋଇଥିବା କୁହାଯାଉଛି । ଶେଷ ଜୀବନରେ ଯୀଶୁଙ୍କୁ କୁଶବିଦ୍ଧ କରାଯାଇ ହତ୍ୟା କରାଯାଇଥିଲା । ଏନେଇ ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବେଲରେ ଉଲ୍ଲେଖ କରାଯାଇଛି। ଏହାପରଠାରୁ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଭାବେ ପାଳନ କରାଯାଉଛି ।