ଦିଲ୍ଲୀରେ କଂଗ୍ରେସ ଓ ଆମ ଆଦମି ପାର୍ଟି ମଧ୍ଯରେ ସିଟ୍ ଭାଗବଣ୍ଟା

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସ ଓ ଆମ ଆଦମି ପାର୍ଟି ମଧ୍ଯରେ ସିଟ୍ ଭାଗବଣ୍ଟା ଫାଇନାଲ। ଦିଲ୍ଲୀରେ ୪ ଲୋକସଭା ଆସନରେ ଲଢିବ ଆମ ଆଦମି ପାର୍ଟି। ସେହିପରି ବାକି ୩ ଆସନରେ କଂଗ୍ରେସ ଲଢିବ। ଉଭୟଙ୍କ ମଧ୍ଯରେ ସିଟ୍ ଭାଗବଣ୍ଟା ନେଇ ସହମତି ହୋଇଛି। ତେବେ ଉଭୟ ପାର୍ଟି ମଧ୍ଯରେ ଉତ୍ତର-ପଶ୍ଚିମ ସିଟ ଆସନକୁ ନେଇ ବିବାଦ ଲାଗି ରହିଥିଲା। ଏହି ସିଟକୁ ନେଇ ମଧ୍ଯ ବିବାଦର ସମାଧାନ ହୋଇଥିବା ଜଣାପଡିଛି।

ଏହି ସିଟ କଂଗ୍ରେସ ନିକଟକୁ ଯାଇଛି। ଏହା ବଦଳରେ ଆମ ଆଦମି ପାର୍ଟିକୁ ପୁର୍ବ ଦିଲ୍ଲୀ ସିଟ୍ ମିଳିଛି। ପୂର୍ବରୁ ଉତ୍ତର ପୂର୍ବ ଆସନରେ ଆମ ଆଦମି ପାର୍ଟି ଲଢିବାକୁ ଚାହୁଥିଲା। କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଏହି ସଂରକ୍ଷିତ ସିଟରେ ଲଢିବାକୁ ଚାହୁଁଥିଲା। ଚାନ୍ଦନୀ ଚୌକ, ନର୍ଥ ଇଷ୍ଟ ଏବଂ ନର୍ଥ ଇଷ୍ଟ ଦିଲ୍ଲୀ ଆସନରେ କଂଗ୍ରେସ ତାର ପ୍ରାର୍ଥୀ ଦେବ। ସେହିପରି ନୂଆ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ ଏବଂ ପୂର୍ବ ଦିଲ୍ଲୀରୁ ଆମ ଆଦମି ପାର୍ଟି ପ୍ରାର୍ଥୀ ଦେବ। ଦିଲ୍ଲୀ ସମେତ ଗୁଜରାଟ, ହରିୟାଣା, ଗୋଆ ଏବଂ ଚଣ୍ଡୀଗଡ଼ରେ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ଯରେ ସିଟ ଭାଗବଣ୍ଟା ପକ୍କା ହୋଇଛି।

ସେହିପରି ମହାରାଷ୍ଟ୍ରରେ ମଧ୍ଯ ଇଣ୍ଡିଆ ମେଣ୍ଟରେ ୩୯ ଆସନକୁ ନେଇ ସିଟ ଭାଗବଣ୍ଟା ସ୍ପଷ୍ଟ ହୋଇଛି। କଂଗ୍ରେସ, ଶିବସେନା ଉଦ୍ଧବ ଗୋଷ୍ଠୀ ଏବଂ ଏନସିପି ମଧ୍ଯରେ ୩୯ ଆସନକୁ ନେଇ ଡିଲ୍ ହୋଇଛି। ୯ ସିଟରେ ୩ ଦଳକୁ ନେଇ ଭାଗବଣ୍ଟା ଛିଣ୍ଡି ପାରିନାହିଁ। ଆଲୋଚନା ଜାରି ରହିଥିବାବେଳେ ଖୁବଶୀଘ୍ର ଏ ନେଇ ସ୍ପଷ୍ଟ ହେବ। ମୁମ୍ବାଇରେ କଂଗ୍ରେସ ୬ ଲୋକସଭା ଆସନ ମଧ୍ଯରୁ ୩ଟି ଲଢିବାକୁ ଚାହୁଁଛି। ସେପଟେ ପଶ୍ଚିମବଂଗରେ ସକାରାତ୍ମକ ଭାବେ ଚାଲିଛି କଂଗ୍ରେସ ସହ ଟିଏମସିର ଆଲୋଚନା। କଂଗ୍ରେସ ପଶ୍ଚିମବଂଗରେ ୫ ଆସନରେ ଲଢିବାକୁ ଚାହୁଁଛି। ତେବେ ଟିଏମସି ଏହାକୁ ଗୁରୁତ୍ଵର ସହ ନେଇନାହିଁ।