ଏଣିକି ବର୍ଷର ଯେକୌଣସି ସମୟରେ ଚାଷୀ ପାଇ ପାରିବେ କାଳିଆ ଯୋଜନା ସହାୟତା ରାଶି

1 min read

ଭୁବନେଶ୍ବର: କୃଷକଙ୍କ ସ୍ବାର୍ଥରେ ରାଜ୍ୟ ସରକାର । କାଳିଆ ଯୋଜନାର ଅବଧିକୁ ୩ ବର୍ଷ ବୃଦ୍ଧି କରି ହିତାଧିକାରୀଙ୍କ ପାଇଁ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର । ଏଣିକି ଯେତେବେଳେ ସରକାର ଆବଶ୍ୟକ ମଣିବେ ଚାଷୀଙ୍କୁ କାଳିଆ ସହାୟତା ଦେଇପାରିବେ । ବିଶେଷକରି ଭୂମିହୀନ କୃଷକ ପରିବାରକୁ ଅତିରିକ୍ତ ଭାବେ ୨ ହଜାର ଟଙ୍କା ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହା ରାଜ୍ୟର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବ । ଚାଷୀ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କାଳିଆ ଛାତ୍ର ବୃତ୍ତି ମଧ୍ଯ ବେଶ ସହାୟକ ହେଉଛି । ରାଜ୍ୟ ସରକାରଙ୍କ ଏପରି ବଡ଼ ଘୋଷଣାକୁ ଚାଷୀମାନେ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ୟବାଦ ।

ଏଣିକି ଦୁଇଟି କିସ୍ତିରେ ନୁହେଁ, ବର୍ଷର ଯେ କୌଣସି ସମୟରେ ଚାଷୀଙ୍କୁ ମିଳିବ କାଳିଆ ଯୋଜନା ସହାୟତା ରାଶି । ଗୁରୁବାର ରାଜ୍ୟ କ୍ୟାବିନେଟ କାଳିଆ ଯୋଜନାର ଅବଧିକୁ ୩ ବର୍ଷ ବୃଦ୍ଧି କରିବା ସହ ଯୋଜନାରେ ବଡ଼ ଘୋଷଣା କରିଛନ୍ତି । ଏହାସହ ଭୂମିହୀନ ଚାଷୀଙ୍କୁ ଅତିରିକ୍ତ ଭାବେ ୨  ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ଦିଆଯିବ । ଆସନ୍ତା  ୩ ବର୍ଷ ପାଇଁ ଏହି ଯୋଜନାରେ ୬୦୨୯.୭୦ କୋଟି ବ୍ୟୟ ଅଟକଳ କରାଯାଇଛି । ୨୦୧୮-୧୯ରୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବାକୁ ସରକାର କାଳିଆ ଯୋଜନାରେ ଆର୍ଥିକ ସହାୟତା ଦେଉଛନ୍ତି । ପୂର୍ବରୁ ଏପ୍ରିଲ ପହିଲା ଓ ରବି ଋତୁ ପାଇଁ କାଳିଆ ସହାୟତା ଦିଆଯାଉଥିଲା । କ୍ୟାବିନେଟର ନିଷ୍ପତ୍ତି ପରେ ସେହି ସୀମା ହଟିଛି  । ଖୁବଶୀଘ୍ର ଚାଷୀମାନେ କାଳିଆ ସହାୟତା ପାଇବା ପାଇଁ ବାଟ ଫିଟିଛି । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ନେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଚାଷୀକୁଳ ।

କାଳିଆ ଅବଧି ୩ ବର୍ଷ ବୃଦ୍ଧି ହେବା ପରେ କାଳିଆ ଯୋଜନାର ୬୩ ଲକ୍ଷ ହିତାଧିକାରୀ ଉପକୃତ ହେବ । ବିଶେଷକରି ୧୮ ଲକ୍ଷ ଭୂମିହୀନ ପରିବାର ୧୨ ହଜାର ୫୦୦ ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି । ପୁନର୍ବାର ଏହି ଭୂମିହୀନ ପରିବାରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଅତିରିକ୍ତ ଆର୍ଥିକ ସହାୟତା ମିଳିବ । ସେହିପରି କାଳିଆ ଛାତ୍ର ବୃତ୍ତି ଅବଧିକୁ ତିନି ବର୍ଷ ବୃଦ୍ଧି କରାଯାଇଛି । ୨୦୨୪-୨୫ରୁ ୨୦୨୬-୨୭ ଯାଏଁ ଛାତ୍ର ବୃତ୍ତି ଅବଧିର ସଂପ୍ରସାରଣ ହୋଇଛି । ଏ ବାବଦରେ ଖର୍ଚ୍ଚ ହେବ ମୋଟ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କା । କୃଷକମାନଙ୍କ ସୁବିଧା ଓ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ କହିଛନ୍ତି  ।