ସବୁଜ ପତ୍ରିକାଧାରୀ ପାଇବେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ଫାଇଦା, କାର୍ଡ ବଣ୍ଟନର ଶୁଭାରମ୍ଭ

ଭୁବନେଶ୍ବର: ଏଣିକି ସବୁଜପତ୍ରିକାଧାରୀ ପାଇବେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ଫାଇଦା । ଆଜିଠାରୁ ସ୍ବତନ୍ତ୍ର କାର୍ଡ ବଣ୍ଟନ ଆରମ୍ଭ ହୋଇଛି । ଭୁବନେଶ୍ବର ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ୧୦ ଜଣ ସବୁଜପତ୍ରିକାଧାରୀ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିଛନ୍ତି ମନ୍ତ୍ରୀ । ଆଗାମୀ ଦିନରେ ସାରା ରାଜ୍ୟରେ ଥିବା ପ୍ରାୟ ୬ ଲକ୍ଷ ହିତାଧିକାରୀଙ୍କ ଏହି ଯୋଜନାରେ କାର୍ଡ ବଣ୍ଟନ କରାଯିବ ।

ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକଙ୍କୁ ଯୋଗାଇ ଦେଉଥିବା ସମସ୍ତ ସହାୟତା ସବୁଜପତ୍ରିକାଧାରୀଙ୍କୁ ପ୍ରଦାନ କରାଯିବ । ବିଶେଷ କରି ଝିଅ ବାହାଘର ପାଇଁ ସହାୟତା ଠାରୁ ଆରମ୍ଭ କରି ବିଭିନ୍ନ ଆର୍ଥିକ ସହାୟତା ସବୁଜପତ୍ରିକାଧାରୀ ପାଇବେ । କାର୍ଡ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା ।