spot_img
Home Blog Page 2425

ମାଣ୍ଡିଆକୁ ମିଳିବ ବିଶ୍ବ ମାନ୍ୟତା : ଭୁବନେଶ୍ବରରେ ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ବର : ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ  । ଜନତା ମଇଦାନରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁଷ୍ଟିଶସ୍ୟ ମାଣ୍ଡିଆର ବହୁଳ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ୨୦୧୭ରେ ଓଡ଼ିଶା ମିଲେଟ ମିଶନ ଆରମ୍ଭ ହୋଇଥିଲା । ଏହି ଶସ୍ୟ ଯେକୌଣସି ଜଳବାୟୁ ଏବଂ ଭୂଭାଗରେ ଅମଳ ହେଉଥିବାରୁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଏହା ବିଶେଷ ସାହାଯ୍ୟ କରିଥାଏ ।

ମିଲେଟ୍‌ ଚାଷରେ ସ୍ଵଳ୍ପ ପାଣି ବ୍ୟବହାର ହେଉଥିବାରୁ ଓ ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଉତ୍ପନ କମ୍ ରହୁଥିବାରୁ ଏହା ପରିବେଶ ଅନୁକୂଳ । ୨୦୨୩ ବର୍ଷକୁ ଜାତିସଂଘ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ଘୋଷଣା କରି ଏହି ଶସ୍ୟପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଏଥିଲାଗି ଜାତିସଂଘକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜ୍ଞାପନ କରିଥିଲେ ।

ଓଡ଼ିଶା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି । ଏହି ପୁଷ୍ଟିଶସ୍ୟର ପୁନରୁଦ୍ଧାର ସହିତ ଏହାକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଓଡ଼ିଶା ସରକାର କାମ କରୁଛନ୍ତି । ପ୍ରତ୍ୟେକ ଲୋକଙ୍କ ଖାଇବା ଥାଳିରେ ମିଲେଟ୍ ଭଳି ସର୍ବୋତ୍ତମ ଖାଦ୍ୟ ପହଞ୍ଚାଇବାକୁ ଚେଷ୍ଟା କରାଯିବ । ମିଲେଟ୍‌ ଓ ମିଲେଟ୍‌ ଭିଭିକ ଉଦ୍ୟୋଗ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଆମର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଓଡ଼ିଶାରେ ଏହାକୁ ବିଶେଷତଃ ଆଦିବାସୀମାନେ ଚାଷ କରି ଆସୁଛନ୍ତି । ସେମାନଙ୍କ ପାଇଁ ଏହି ମୂଲ୍ୟବାନ ଶସ୍ୟ ଆଜି ବି ବଞ୍ଚି ରହିଛି ଓ ବର୍ତ୍ତମାନର ପିଢ଼ି ପାଖରେ ପହଞ୍ଚିଛି । ଏହି ଅନନ୍ୟ ଶସ୍ୟ ଆଜିର ସମାଜରେ ତା’ର ଯୋଗ୍ୟ ସ୍ଵୀକୃତି ଫେରିପାଇବ ଏବଂ ସୁସ୍ଥ ଜୀବନଯାପନ କରିବାରେ ଆମ୍ଭମାନଙ୍କୁ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ସହ ଛୁରା ମାଡ଼ ଅଭିଯୋଗ

ନୟାଗଡ଼ :  ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରିମାଡ କଲା ଦୁର୍ବୃତ୍ତ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଇଟାମାଟି ଥାନା ବାଉଅଁଶିଆପଡା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଗାଁର ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଶୋଇଥିବା ବେଳେ ଜଣେ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ଆସି ତାଙ୍କୁ ଦୁର୍ଷ୍କମ କରିବାର ସହ ଛୁରା ମାଡ଼ କରିଥିବା ଅଭିଯୋଗ ହୋଇଛି।

ସକାଳୁ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଇଥିଲେ  ।  ପୀଡିତା ଜଣକ ପାଣ୍ଡା ନାମକ ବ୍ୟକ୍ତି ଏଭଳି କରିଥିବା କହିଛନ୍ତି ।  ପାଣ୍ଡା ସ୍ଥାନୀୟ ଅଞ୍ଚଳର ଜଣେ ଗାଡ଼ି ଚାଳକ ଥିବା ବେଳେ  ସେ ବ୍ରାଉନ ସୁଗାର ଭଳି ନିଶାରେ ବୁଡି ରହୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ପୋଲିସ ଏବେ ପୀଡିତା ଏବଂ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି   ।

ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ଟିଏମସି ସାଂସଦ ମହୁଆ ମୈତ୍ରାଙ୍କ ବଢୁଛି ଅଡୁଆ

ନୂଆଦିଲ୍ଲୀ : ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରାଙ୍କର ବଢୁଛି ଅଡୁଆ । ତାଙ୍କ ସଂସଦ ସଦସ୍ୟତା ରଦ୍ଦ କରିବା ପାଇଁ ଲୋକସଭା ସଦାଚାର କମିଟି ସୁପାରିଶ କରିଛନ୍ତି । ଏ ସଂକ୍ରାନ୍ତରେ ଅଭିଯୋଗର ତଦନ୍ତ ଏବଂ ଜେରା ପ୍ରକ୍ରିୟା ପରେ ସଦାଚାର କମିଟି ୫ଶହ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ମହୁଆଙ୍କ କାର୍ଯ୍ୟକୁ ଘୋର ଆପତ୍ତିଜନକ, ଅନୈତିକ ଓ ଅପରାଧିକ ବୋଲି ବର୍ଣ୍ଣନା କରାଯିବା ସହ ତାଙ୍କ ସଦସ୍ୟତା ରଦ୍ଦ କରାଯିବା ଉଚିତ ବୋଲି କହିଛନ୍ତି ।

ସଦାଚାର କମିଟିର ଏହି ପଦକ୍ଷେପ ମହୁଆଙ୍କ ପାଇଁ ଅଡୁଆ ବଢାଇ ଦେଇଛି । ଅନ୍ୟପଟେ ମାମଲାରେ ଦୁର୍ନୀତି ନିବାରଣ ପ୍ୟାନେଲ ଏହି ମାମଲାରେ ଏବେ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ଦାବି କରିଛନ୍ତି । ସେ ସୋସିଆଲ ମିଡିଆରେ ଏନେଇ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ସରକାରୀ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ରେଡ୍‌

ବଲାଙ୍ଗୀର : ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି।

ଏକକାଳୀନ ୬ଟି ସ୍ଥାନରେ ଜାରି ରହିଛି ଚଢାଉ । ପୁରୀ ଜିଲ୍ଲାରେ ଥିବା ତାଙ୍କର ୪ଟି ଘରେ ଭିଜିଲାନ୍ସ ଟିମ୍‌ର ଚଢାଉ ଚାଲିଥିବା ବେଳେ ସମ୍ବଲପୁର ସ୍ଥିତ ସୁଦର୍ଶନ ପତ୍ନୀଙ୍କ କ୍ୱାର୍ଟର୍ସ, ବଲାଙ୍ଗିର ଅଫିସ୍‌ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ  ଚାଲିଛି ରେଡ୍ । ଏହି ଚଢାଉରେ ୮ ଡିଏସପି ଓ ୬ ଇନିସପେକ୍ଟର ସାମିଲ ଅଛନ୍ତି।

ସେମିର ୪ର୍ଥ ଦଳ ଦୌଡ଼ରେ କିଏ ମାରିବ ବାଜି : ଆଜି ଶ୍ରୀଲଙ୍କା ସହ ଲଢିବ ନ୍ୟୁଜିଲାଣ୍ଡ

ବେଙ୍ଗାଲୁରୁ : ଚତୁର୍ଥ ଦଳ ଭାବେ କିଏ ପାଇବ ବିଶ୍ବକପ ସେମିଫାଇନାଲ ଟିକେଟ । ସେମି ଆଶା ପକ୍କା କରିବାକୁ ଆଜି ଶ୍ରୀଲଙ୍କା ସହ ଲଢିବ ନ୍ୟୁଜିଲାଣ୍ଡ । ସେମିର ୪ର୍ଥ ଦଳ ଦୌଡ଼ରେ ଏବେ ରହିଛନ୍ତି ନ୍ୟୁଜିଲାଣ୍ଡ, ପାକିସ୍ତାନ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଯଦି ନିଜ ନିଜର ଶେଷ ମ୍ୟାଚ ଜିତନ୍ତି ତେବେ ନେଟ୍ ରନରେଟ ଅନୁସାରେ ୪ର୍ଥ ଦଳ ନିର୍ଦ୍ଧାରଣ ହେବ । ବର୍ତ୍ତମାନର ରନରେଟ ଅନୁସାରେ ନ୍ୟୁଜିଲାଣ୍ଡ ପାକିସ୍ତାନଠାରୁ ଆଗୁଆ ରହିଛି । ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ନ୍ୟୁଜିଲାଣ୍ଡ ନିଜର ଶେଷ ଲିଗ୍ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ।

ଆଫଗାନିସ୍ତାନକୁ ଅଷ୍ଟ୍ରେଲିଆ ପରାଜିତ କରିବା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଇଁ ଖୁସି ଖବର ଆଣିଛି । ଉଭୟ ଟିମର ସେମିଫାଇନାଲ ଟିକେଟ ହାତେଇବା ଆଶା ଆହୁରି ଉଜ୍ଜିବୀତ ହୋଇଛି । ଆଜି ନ୍ୟୁଜିଲାଣ୍ଡ ବିଜୟୀ ହେଲେ ସେମିଫାଇନାଲ ରେସରେ ସବୁଠୁ ଆଗରେ ରହିବ ।

ମାତ୍ର ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ନିକଟରୁ ପରାଜିତ ହେଲେ ପାକିସ୍ତାନ ଶେଷ ମ୍ୟାଚରେ ଇଂଲଣ୍ଡକୁ ହରାଇ ସେମିଫାଇନାଲରେ ପହଞ୍ଚିପାରିବ । କିନ୍ତୁ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମ୍ୟାଚରେ ବର୍ଷା ସମ୍ଭାବନା ରହିଛି, ଯଦି ବର୍ଷା ହୁଏ ତେବେ ନ୍ୟୁଜିଲାଣ୍ଡକୁ ଏକ ପଏଣ୍ଟ ମିଳିବ । ଯାହା ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ସମ୍ଭାବନାକୁ ଆହୁରି ବଳ ଯୋଗାଇବ ।

୧୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫଗାନିସ୍ତାନ ମୈଦାନକୁ ଓହ୍ଲାଇବାକୁ ଥିବାବେଳେ ୧୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ ପାକିସ୍ତାନ । ତେବେ ଆଜି ଶ୍ରୀଲଙ୍କା ବିପକ୍ଷରେ ବୃହତ ବିଜୟ ହାସଲ କରି ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ଆଶା ଧୂଳିସାତ କରିବାକୁ ଆଶା ରଖିଛି ନ୍ୟୁଜିଲାଣ୍ଡ ।

ରାଜ୍ୟରେ ଖସୁଛି ତାପମାତ୍ରା, ଧୀରେଧୀରେ ବଢୁଛି ଶୀତ

ଭୁବନେଶ୍ୱର : ରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ । ରାଜ୍ୟରେ ତାପମାତ୍ରା ଖସିବା ଆରମ୍ଭ ହୋଇଛି । ଦେଶର ମଧ୍ୟଭାଗରେ ଏକ ଗୁରୁଚାପବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହିତ ହେଉଛି। ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି ।

ଅନେକ ସ୍ଥାନରେ ୧-୨ ଡିଗ୍ରୀ ତାପମାତ୍ରା ହ୍ରାସ ହୋଇଥିବା ବେଳେ ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖାଦେଉଛି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।

୧୪ ତାରିଖ ପରେ ଶୀତ ଆହୁରି ବଢିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ଡିଗ୍ରୀ ତାପମାତ୍ରା କମିବା ସମ୍ଭାବନା ରହିଛି । ସେପଟେ ଦୀପାବଳିରେ ପାଗ ଅନୁକୂଳ ରହିବ। ବର୍ଷା ହେବାର ଆଶଙ୍କା ନାହିଁ ।

ମିଲେଟ୍ ସହ ଯୋଡ଼ିହେବ ବିଶ୍ବ : ଆଜିଠୁ ଭୁବନେଶ୍ବରରେ ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

ଭୁବନେଶ୍ୱର :  ମହକିବ ମାଣ୍ଡିଆ, ମିଲେଟ୍ ସହ ଯୋଡ଼ିହେବ ବିଶ୍ବ । ଆଜିଠୁ ଭୁବନେଶ୍ବରରେ ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ । ସମ୍ମିଳନୀର ବିଷୟବସ୍ତୁ ରହିଛି ଆଧୁନିକ ଯୁଗର ଆହ୍ବାନ ନିମନ୍ତେ ପ୍ରାଚୀନ ଶସ୍ୟ ମିଲେଟସ୍ । ଓଡ଼ିଶା ମିଲେଟ୍ ମିଶନକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନ କରୁଛି ।

ଭୁବନେଶ୍ବରର ଜନତା ମଇଦାନରେ ଆୟୋଜନ ହେଉଛି ବିରାଟ କାର୍ଯ୍ୟକ୍ରମ । ପୂରାଦେଶ ପାଇଁ ସମ୍ମିଳନୀରେ ମିଲେଟ୍ ପଲିସି ରୋଡମ୍ୟାପ୍ ପ୍ରସ୍ତୁତ ହେବ । ମାଣ୍ଡିଆ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ସହ ଘରେଘରେ ମିଲେଟ୍ ବ୍ୟବହାର ବୃଦ୍ଧି ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଲକ୍ଷ୍ୟ ରଖିଛି । ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ରାଉଣ୍ଡ ଟେବୁଲ ବୈଠକ, ବିଟୁ ବି ମିଟିଂ, ଖାଦ୍ୟ ମହୋତ୍ସବ, ମିଲେଟ୍ ଉପରେ କୁଇଜ ଓ ରନ୍ଧନ ପ୍ରତିଯୋଗିତା ହେବ ।

ଜାତିସଂଘର ବିଭିନ୍ନ ସଂସ୍ଥା, କୃଷି ସଂଗଠନ, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ, ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭଲମେଣ୍ଟ, ଆଫ୍ରିକୀୟ ଓ ୟୁରୋପୀୟ ଦେଶର କୃଷି ପରାମର୍ଶଦାତା ସାମିଲ ହେବେ । ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍, ଖାତନାମା ସେଫ୍ ବିକାଶ ଖାନ୍ନା ପ୍ରମୁଖ ସାମିଲ ହେବେ । ୨୦୧୭ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମିଲେଟ ମିଶନ ଆରମ୍ଭ କରିଛି । ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନକୌଶଳର ମିଶ୍ରଣରେ ଓଡ଼ିଶାର ୩୦ଟି ଜିଲ୍ଲାର ୧୭୭ ବ୍ଲକକୁ ସଂପ୍ରସାରଣ କରାଯାଇଛି ମିଲେଟ୍ ଚାଷ । ଦିନକୁ ଦିନ ମିଲେଟ ମିଶନ ସଫଳତାର ସିଡ଼ି ଚଢୁଛି । ଆଗମୀ ଦିନରେ ଏହି ପଲିସି ରୋଡମ୍ୟାପ୍ ବେଶ୍ ସହାୟକ ହେବ ।

ସମେଲେଇ ପୀଠର ନବକଳେବର : ସକାଳୁ ସକାଳୁ 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ସମଲେଶ୍ବରୀଙ୍କ ମନ୍ଦିର ସମୀକ୍ଷା

ସମ୍ୱଲପୁର :  ଶେଷ ପର୍ଯ୍ୟାୟରେ ମାଆ ସମଲେଶ୍ବରୀଙ୍କ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ । ଝଟକିଲାଣି ବେଢା, ପ୍ରସ୍ତୁତ ହେଲାଣି ହେରିଟେଜ୍ କରିଡର । ଆସନ୍ତାମାସ ସୁଦ୍ଧା ମନ୍ଦିରର ରୂପାନ୍ତରଣ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ସକାଳୁସକାଳୁ ପୀଠ ପରିସରରେ ପହଞ୍ଚି ରୂପାନ୍ତରଣର ଅନୁଧ୍ୟାନ କରିଛନ୍ତି 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।

ସକାଳ ୬ଟାରୁ ମାଆ ସମଲେଶ୍ବରୀଙ୍କ ପୀଠରେ ପହଞ୍ଚି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ପାଣ୍ଡିଆନ । ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଛନ୍ତି । ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂ ସ୍ଥଳୀ, ପୋଡିୟମ, ଧାଡି ପରିଚାଳନା ବ୍ୟବସ୍ଥା, କ୍ଲକ ରୁମ ସହ ମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟକରଣ କରାଯାଉଛି ।

ଭେଣ୍ଡିଂ ଜୋନ, ସୂଚନା କେନ୍ଦ୍ର, ତୀର୍ଥଯାତ୍ରୀ ସୁବିଧା, ମନ୍ଦିର ସୁବିଧା କେନ୍ଦ୍ର କାମ ଜାରି ରହିଛି । ମନ୍ଦିର ରୂପାନ୍ତରଣର ୭୦ ପ୍ରତିଶତରୁ ଅଧିକ ଶେଷ ହେଲାଣି । ପ୍ରତି କାମକୁ ଦେଖିବା ସହ ଏହାର ଗୁଣାବତ୍ତା ସମ୍ପର୍କରେ ଆଲୋଚନା କରିବା ସହ ନୂଆବର୍ଷ ପୂର୍ବରୁ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭିକେ ପାଣ୍ଡିଆନ ।

ପୁଣି କ୍ୟାମ୍ପସରେ ରାଗିଂ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ପୁଣି କ୍ୟାମ୍ପସରେ ରାଗିଂ । ଛାତ୍ର ମାନୁନାହାଁନ୍ତି ନିୟମକାନୁନ । କୋଏମ୍ବାଟୁର ପିଏସଜି କଲେଜରେ ରାଗିଂ ଅଭିଯୋଗ  । ଘଟଣାରେ ୭ଜଣଙ୍କୁ ଗିରଫ କରିଛି ପୋଲିସ । ପିଏସଜି କଲେଜ  ଅଫ ଟେକନୋଲୋଜିର ୭ଜଣ ସିନିୟର ଛାତ୍ର ସେହି କଲେଜର ଜୁନିୟର ଛାତ୍ରଙ୍କୁ ବ୍ଲାକମେଲିଂ କରିବା ସହ ମାରପିଟ କରିଥିବା ଅଭିଯୋଗ ହୋଇଛି । ପୀଡିତ ଜଣକ ହେଉଛନ୍ତି  ଇଞ୍ଜିନିୟରିଂ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର । କିଛି ଦିନ ଧରି କିଛି ସିନିୟର ଛାତ୍ର ତାଙ୍କୁ ଲଗାତାର ରାଗିଂ କରିବା ସହିତ ବେଲ୍ଟରେ ପିଟୁଥିଲେ । ନିର୍ଯାତନାରେ ଅତିଷ୍ଠ ହୋଇ ପୋଲିସର ଦ୍ୱାରସ୍ଥ ହୋଇଥିଲେ ଛାତ୍ର । ଖବର ପାଇ ଘଟଣାର ତଦନ୍ତ କରୁଛି ପୋଲିସ । ସେପଟେ କଲେଜ ପ୍ରଶାସନ ପକ୍ଷରୁ ଦୋଷୀକୁ ଉଚିତ୍ ଶାସ୍ତି ଦିଆଯିବା ପାଇଁ ସମସ୍ତ ପ୍ରକାର ସହାୟତା କରିବେ ବୋଲି ଆଶ୍ୱାସନା ଦେଇଛନ୍ତି ।

 

ପୁଣି ଟ୍ରେନ୍ ଲାଇନଚ୍ୟୁତ

ସମ୍ବଲପୁର: ସମ୍ବଲପୁର ସରଲାରେ ମେମୁ ପାସେଞ୍ଜର ଲାଇନଚ୍ୟୁତ । ଗୋରୁ ସାମ୍ନାକୁ ଚାଲି ଆସିବାରୁ ଲାଇନଚ୍ୟୁତ ହୋଇଛି ଝାରସୁଗୁଡା-ସମ୍ବଲପୁର ମେମୁ ଟ୍ରେନ । ଦୁର୍ଘଟଣାରେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । କେହି ମୃତାହତ ହୋଇନଥିବା ସୂଚନା ରହିଛି । ଏବେ ରେଳ ଧାରଣାରେ ମରାମତି କାମ ଚାଲିଛି । ଦୁଇ ଘଣ୍ଟା ମଧ୍ୟରେ ମରାମତି କାମ ଶେଷ ହୋଇଯିବ ବୋଲି ବରିଷ୍ଠ ଅଧିକାରୀଙ୍କ ଦ୍ବାରା କୁହାଯାଇଛି ।