ପୁରୀ ଜିଲ୍ଲାରେ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

1 min read

ଭୁବନେଶ୍ବର: ପୁରୀ ଜିଲ୍ଲାରେ ନିର୍ମାଣ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ । ବ୍ରହ୍ମଗିରି, କୃଷ୍ଣପ୍ରସାଦ, କଣାସ ଓ ପୁରୀ ସଦର ବ୍ଲକରେ ଏସବୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୧୪ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନଶୁଣାଣି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି ।  5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ଼ ଦିଆଣ୍ଡି ପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା,  ବଡ଼ନଳା ପଞ୍ଚାୟତ, କଣାସ ବ୍ଲକର ବିଜିପୁର ପଞ୍ଚାୟତ ଓ ପୁରୀ ସଦର ବ୍ଲକର ରାଈଗୋରଡ଼ା ପଞ୍ଚାୟତରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ହିସାବରେ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯିବ । ଏସବୁର ନିର୍ମାଣ ଦାୟିତ୍ୱ ଗ୍ରାମ ଉନ୍ନୟନ ବିଭାଗକୁ ନ୍ୟସ୍ତ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।