ରାଉରକେଲାରେ ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆକ୍ରାନ୍ତ

ରାଉରକେଲା: ଚିନ୍ତାରେ ଲୋକେ । ରାଉରକେଲା ସହରରେ ଝାଡ଼ାବାନ୍ତି ଆତଙ୍କ । ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିବା ବେଳେ ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ରାଉରକେଲା ସରକାରୀ ଡାକ୍ତରଖାନାରେ ଶହେରୁ ଅଧିକ ଲୋକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ସ୍ବତନ୍ତ୍ର ଡାକ୍ତରୀ ଦଳ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛନ୍ତି । ସହରର ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନସ୍ବାସ୍ଥ୍ୟ ବିଭାଗ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ଔଷଧ ବଣ୍ଟନ କରାଯିବା ସହ ପ୍ରତିକାର ବ୍ୟବସ୍ଥା କରାଯାଉଛି । ଝାଡାବାନ୍ତି ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ୧୨ ଟି ଟିମ ପକ୍ଷରୁ ଔଷଧ ବଣ୍ଟନ କରୁଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ୬ଟି ଟିମ୍ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି ଟିମ୍ ବିଭିନ୍ନ ଅଞ୍ଚଳ ଗସ୍ତ କରି ଔଷଧ ବଣ୍ଟନ ଓ ପାନୀୟ ଜଳ ପରୀକ୍ଷା କରୁଛନ୍ତି । ଝାଡାବାନ୍ତି ବୃଦ୍ଧି ପାଇବାର ନିର୍ଦ୍ଧିଷ୍ଟ କାରଣ କଣ ଅନୁସନ୍ଧାନ କରାଯାଉଥିବା ବେଳେ, ପାନୀୟ ଜଳ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଏହାସହ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ ନମୁନା ଯାଞ୍ଚ ଆରମ୍ଭ ହୋଇଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟ ବରଣ କରିଥିବା ୪ ଜଣ ହେଲେ ଗ୍ଲାସନ ସମାନ୍ତ, ନାନସୀ ଦୁବେ, ଫୁଲଟୋଲୀ ଗୌଡ ଓ ଅହଲ୍ୟା ନାୟକ ।