ପ୍ରେମିକାଙ୍କ ଉପରେ କାର ଚଢ଼ାଇ ଦେଲା ପ୍ରେମିକର ଡ୍ରାଇଭର

1 min read

ମୁମ୍ବାଇ: ମହାରାଷ୍ଟ୍ର ଠାଣେର ଅଭାବନୀୟ ଘଟଣା । ବାନ୍ଧବୀଙ୍କ ଉପରେ କାର୍ ଚଢାଇ ଦେଲା ବୟଫେଣ୍ଡର ଡ୍ରାଇଭର । ଗୁରୁତର ଅବସ୍ଥାରେ ଯୁବତୀଙ୍କ ଚାଲିଛି ଚିକିତ୍ସା । ବଡ଼କଥା ହେଉଛି ଅଭିଯୁକ୍ତ ବୟଫ୍ରେଣ୍ଡ ଅଶ୍ବଜିତ ଗାଏକଓ୍ବାଡ ହେଉଛି ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଅନିଲ ଗାଏକଓ୍ବାଡଙ୍କ ପୁଅ । ପ୍ରିୟା ସିଂ ନାମ୍ନୀ ଯୁବତୀ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି- ଗତ ଡିସେମ୍ବର ୧୧ ତାରିଖରେ ଏକ ପାରିବାରିକ ଉତ୍ସବରେ  ସେ ଅଶ୍ବଜିତଙ୍କ ଭେଟିବା ଲାଗି ଯାଇଥିଲେ । ମାତ୍ରେ ସେଠାରେ ତାଙ୍କୁ ଅଶ୍ବଜିତ ଅତି କର୍କଶ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏପରିକି ସେଠାରେ ତାଙ୍କୁ ଅଶ୍ବଜିତ ଚାପୁଡା ମାରିବା ସହ ଚୁଟି ଟାଣି ବେକକୁ ଚିପି ଦେଇଥିଲେ । ସେଠାରେ ବି ଉପସ୍ଥିତ ଥିଲେ ଅଶ୍ବଜିତଙ୍କ ଜଣେ ସାଙ୍ଗ ।

ଅଶ୍ବଜିତ ଫୋପାଡିଦେଇଥିବା ମୋବାଇଲ ଓ ବ୍ୟାଗ ଆଣିବା ଲାଗି ଅଶ୍ବଜିତଙ୍କ କାର ନିକଟକୁ ଯିବାବେଳେ ତାଙ୍କ ଉପରେ କାର୍ ଚଢାଇ ଦେବା ଲାଗି ଡ୍ରାଇଭରଙ୍କୁ କୁଆଡେ କହିଥିଲେ ଅଶ୍ବଜିତ । ସତକୁ ସତ ଡ୍ରାଇଭରଜଣକ ପ୍ରିୟାଙ୍କ ଉପରେ ଗାଡ଼ି ଚଢାଇଦେଇଥିଲେ । ଫଳରେ ପ୍ରିୟାଙ୍କ ଗୋଡ ଉପରେ କାର୍ ଚଢିଯାଇଥିଲା । ଘଟଣା ପରେ ସେମାନେ ଫେରାର ହୋଇଯାଇଥିଲେ । ପ୍ରିୟାଙ୍କ ଗୋଡ଼ ଭାଙ୍ଗିଯାଇଥିବାବେଳେ ଶରୀରର ବହୁଳ ଭାଗ ଆଘାତପ୍ରାପ୍ତ ହୋଇଛି । ଅଶ୍ବଜିତଙ୍କ ସହ ସେ ସାଢେ ଚାରିବର୍ଷ ଧରି ଡେଟିଂ କରୁଥିଲେ । ଏହି ଘଟଣାକୁ ନେଇ ସେ କସରଓ୍ବାଦାଭଲି ଥାନାକୁ ଯାଇଥିଲେ । ମାତ୍ର ଉପର ମହଲରୁ ଚାପ ଯୋଗୁ ପୋଲିସଠାରୁ ସେ ନିରାଶ ହୋଇଥିଲେ । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପୋଲିସ ଧାରା ୩୨୩, ୨୭୯, ୫୦୪ରେ ଉଭୟ ଅଶ୍ବଜିତ ଓ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି ।