spot_img
Home Blog Page 2408

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ନକ୍ସଲ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ନକ୍ସଲ । ଦାନ୍ତେୱାଡର ଟୁମକାପାଲ ଓ ଡାବା କୁନ୍ନା ଗାଁ ମଧ୍ୟରେ ଏନକାଉଣ୍ଟର ହୋଇଛି  । ଏହି ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିବା ପରେ ଡିଆରଜି, ସିଆରପିଏଫ ଓ ପୁଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀମାନେ ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା।ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ନିହତ ନକ୍ସଲଙ୍କ ମଧ୍ୟରେ ଦରଭା ଡିଭିଜିନର ଏଲଓସି କମାଣ୍ଡର ରହିଥିବା ଜଣାପଡ଼ିଛି। ସମସ୍ତ ୩ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ, ଗୁଳି, ବନ୍ଧୁକ ଓ ବିସ୍ଫୋରକ ମଧ୍ୟ ଜବତ ହୋଇଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ଦାନ୍ତେୱାଡା ଏସ୍‌ପି ଗୌରବ ରାଏ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଶୁଭ ଉଦଘାଟନ ପାଇଁ ଦେଶର ସବୁ ଦେବାଦେବୀ ପୀଠକୁ ଯିବ ନିମନ୍ତ୍ରଣ ପତ୍ର

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଶୁଭ ଉଦଘାଟନ ହେବ । ଏହି କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଭବ୍ୟ ଭାବରେ ସମ୍ପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଦେଶର ବିଭିନ୍ନ ଦେବପୀଠ ଓ ଧାର୍ମିକ ଗୁରୁମାନଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ କରାଯିବ । ୨୬ ତାରିଖରୁ ଦେଶର ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ପଠାଯିବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ପୁରୀଠାରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ, ଛତିଶା ନିଯୋଗ ଓ ସେବାୟତଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ହୋଇଛି ।  ଆସନ୍ତା ୨୮ ତାରିଖ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡ଼ିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧିମାନେ ଯାତ୍ରା ଆରମ୍ଭ କରିବେ ।

୧୩ଟି ଗାଡ଼ି ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ବାହାରିବେ । ସେହିପରି ୧୭ଟି ଗାଡ଼ି ରାଜ୍ୟ ବାହାରକୁ ଯାତ୍ରା କରିବ । ପ୍ରଥମ ନିମନ୍ତ୍ରଣ ପତ୍ର ଭୁବନେଶ୍ୱରରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରଦାନ କରାଯିବ। ସେବକମାନେ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ। ଏହାପରେ ବିଭିନ୍ନ ଦଳଗୁଡ଼ିକ ନିଜ ଗନ୍ତବ୍ୟସ୍ଥଳ ଉଦ୍ଦେଶ୍ୟରେ ଯାତ୍ରା କରିବେ। ରାଜ୍ୟ ମଧ୍ୟରେ ଚିଲିକା, ଖଲିକୋଟ, କୋଦଳା ଅଞ୍ଚଳକୁ ପ୍ରଥମ ଦଳ ଯାତ୍ରା କରିବ।

ଦ୍ୱିତୀୟ ଦଳ ପୁରୀ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା, ତୃତୀୟ ଦଳ ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ୪ର୍ଥ ଦଳ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପଞ୍ଚମ ଦଳ ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ଼, ଷଷ୍ଠ ଦଳ ସମ୍ବଲପୁର ଝାରସୁଗୁଡ଼ା, ସୁନ୍ଦରଗଡ଼, ସପ୍ତମ ଦଳ କନ୍ଧମାଳ, ବୌଦ୍ଧ, ସୋନପୁର, ଅଷ୍ଟମ ଦଳ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ନବମ ଦଳ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଦଶମମ ଦଳ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ୧୧ତମ ଟିମ୍ ଗଞ୍ଜାମ, ଗଜପତି, ରାୟଗଡ଼ା, ଦ୍ୱାଦଶ ଟିମ୍ ଦାରୁକ୍ଷେତ୍ର ପୁରୀ, କାକଟପୁର, ଖୋର୍ଦ୍ଧା, ଜଗତସିଂହପୁର, ସାଲେପୁର ଓ ୧୩ତମ ଟିମ୍ ଦାରୁକ୍ଷେତ୍ର ଦଧିମାଛଗଡ଼ିଆ, ଅସ୍ତରଙ୍ଗ, ନିଆରି, ରାୟଚକ୍ରଧରପୁର ଓ ଢ଼େଲାଙ୍ଗରେ ବିଭିନ୍ନ ଦେବାଦେବୀ ପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରିବାକୁ ଯିବେ। ଅନୁରୂପ ଭାବରେ ରାଜ୍ୟ ବାହାରେ ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର, ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଜଗନ୍ନାଥ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତ୍ରୟମ୍ବକେଶ୍ୱର ଜ୍ୟୋର୍ତିଲିଙ୍ଗ, ଘୃଣେଶ୍ୱର ଜ୍ୟୋତିର୍ଲିଙ୍ଗ, ତିରୁପତି ବାଲାଜୀ, ପଦ୍ମାବଦୀ ମନ୍ଦିର, ତିରୁପତି ବିଶ୍ୱବିଦ୍ୟାଳୟ ଜଗନ୍ନାଥ ମନ୍ଦିର, କାଞ୍ଚିପୁରମ୍ କାମାକ୍ଷୀ ଦେବୀ ମନ୍ଦିର, ରାମେଶ୍ୱରମ୍, ମଦୁରାଇ ମିନାକ୍ଷୀ ମନ୍ଦିର, ଚେନ୍ନାଇ ଜଗନ୍ନାଥ ମନ୍ଦିର, ବଦ୍ରନାଥ, କେଦାରନାଥ, ଯୋଶୀମଠ, ଉତ୍ତରକାଶୀ ଜଗନ୍ନାଥ ମନ୍ଦିର, ଦ୍ୱାରକାରେ ଦ୍ୱାରକାଧୀଶ, କେଦାରନାଥ, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ସୁରତ୍ ଓ ଜମାଲପୁର ଜଗନ୍ନାଥ ମନ୍ଦିର, କାଶୀ ବିଶ୍ୱନାଥ, ଅଯୋଧ୍ୟା ମନ୍ଦିର, ଚିତ୍ରକୂଟ, ବୈଷ୍ଣୋଦେବୀ, ଅମରନାଥ ମନ୍ଦିର, ରଘୁନାଥ ମନ୍ଦିର, ନେପାଳର ପଶୁପତିନାଥ, ଶକ୍ତିପୀଠ, ସିଂହାଚଳମ୍, ପଦ୍ମନାଭ ସ୍ୱାମୀ ମନ୍ଦିର, ସାବରୀମାଳା, ଗୁରୁନାରାୟଣ, ମହାକାଳେଶ୍ୱର, ଓଁକାରେଶ୍ୱର, ବଡ଼ଧାମ, କାଳିଘାଟ, ଦକ୍ଷିଣେଶ୍ୱର କାଳୀପୀଠ, ତାରାପୀଠ, ଚାମୁଣ୍ଡେଶ୍ୱରୀ ମନ୍ଦିର ସହ ଦେଶର ପ୍ରମୁଖ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ଟିମ୍ ଗଠନ କରାଯାଇଥିବା ସୂଚନା ମିଳିଛି।

ରାଇନା କହିଲେ ଧୋନୀ ତାଙ୍କ ବିବାହରେ କେମିତି କରିଥିଲେ ନିମନ୍ତ୍ରଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦୁଇ ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଏବଂ ସୁରେଶ ରାଇନାଙ୍କ ବନ୍ଧୁତ୍ବ କାହାକୁ ମଧ୍ୟ ଅଛପା ନାହିଁ । ଉଭୟ ଭାରତକୁ ଅନେକ ମ୍ୟାଚରେ ବିଜୟୀ କରାଇଛନ୍ତି । ତେବେ ଧୋନୀ ତାଙ୍କ ବିବାହରେ ରାଇନାଙ୍କୁ କିପରି ନିମନ୍ତ୍ରଣ କରିଥିଲେ? ଏନେଇ ,କ ଭିଡିଓରେ କହିଛନ୍ତି ରାଇନା । ଯେଉଁ ଭିଡିଓଟି କି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ରାଇନା ଏହି ଭିଡିଓରେ କହିଛନ୍ତି କି, ମାହି ଭାଇ ମୋତେ ଫୋନ କରି କହିଥିଲେ କି, ତୁମେ ଏବେ କେଉଁଠି ଅଛ? ମୁଁ କହିଥିଲି ଲକ୍ଷ୍ନୌରେ ଅଛି । ସେ କହିଥିଲେ କି, ମୋ ବାହାଘର ଡେରାଡୁନରେ ହେବ । ତୁମେ ଚୁପଚାପ ଆସ । କାହାକୁ କିଛି କିଛି କହିବନି । ମୁଁ ମଧ୍ୟ ତାଙ୍କ କଥାରେ ସେଠାରେ ପହଞ୍ଚିଥିଲି । ସାଧାରଣ ପୋଷାକ ପିନ୍ଧି ଯାଇଥିଲି । ସେଠାରେ ଯିବା ପରେ ଧୋନୀଙ୍କ ଡ୍ରେସ ପିନ୍ଧି ବିବାହ ଉତ୍ସବରେ ଯୋଗ ଦେଇଥିଲି ।

 

 

ନଜର ପକାନ୍ତୁ ପାଣିପାଗ ଖବର ଉପରେ..

ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଗତ ଦୁଇ ଦିନ ଅପେକ୍ଷା ରାଜ୍ୟରେ ଶୀତ କମିବା ସହ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ବର୍ତ୍ତମାନ ରାଜ୍ୟକୁ ପୂର୍ବାଳୀ ଉଷ୍ଣ ଶୁଷ୍କ ପବନ ପ୍ରବାହ ବଢୁଥିବାରୁ ତାପମାତ୍ରା ବୃଦ୍ଧି ହେବା ସହ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଅନୁଭୁତ ହେଉଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ଘନ କୁହୁଡି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଘନ କୁହୁଡି ପାଇଁ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ କାଲି ଘନ କୁହୁଡି ପାଇଁ ୨୦ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।

ସେଗୁଡିକ ହେଲା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ କୋରାପୁଟ  । ଏହି ସବୁ ଜିଲ୍ଲାରେ ୨୦୦ ମିଟର ମଧ୍ୟରେ ରହିବ ଦୃଶ୍ୟମାନ ଦୂରତା । ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ସବୁଠାରୁ ଅଧିକ ଘନ କୁହୁଡି ବା ୪୦ ମିଟର ଦୃଶ୍ୟମାନ ରହିଥିବା ବେଳେ କୋରାପୁଟରେ ୫୦ ମିଟର, ନୟାଗଡରେ ୬୦ ମିଟର, ଫୁଲବାଣୀରେ ୭୦ ମିଟର, ବଲାଙ୍ଗୀରରେ ୯୦ ଏବଂ ଟିଟିଲାଗଡରେ ୧୦୦ ମିଟର ଥିଲା ଦୃଶ୍ୟମାନ ଦୂରତା । ସେହିଭଳି ଆଜି କୋରାପୁଟରେ ସର୍ବନିମ୍ନ ୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡିରେ ୭, ଜି ଉଦୟଗିରିରେ ୭.୪ ଏବଂ କେନ୍ଦୁଝରରେ ୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

 

ସଚେତନ ହେଲେ ସଶକ୍ତ ହେବେ ଖାଉଟି

ଭୁବନେଶ୍ବର: ସାଇବର କ୍ରାଇମ ଏବେ ନିତିଦିନିଆ ଘଟଣା ହେଲାଣି । ପ୍ରତିଦିନ କୋଟି କୋଟି ଟଙ୍କାର ଠକେଇ ହେଉଛି । ଠକେଇର ଶିକାର ବ୍ୟକ୍ତି ପୋଲିସ ପାଖକୁ ଦୌଡୁଛି । ହେଲେ ଜଣେ ଖାଉଟି ହିସାବରେ ସାଇବର କ୍ରାଇମର ଫଇସଲା ପାଇଁ ଖାଉଟି ଅଦାଲତର ବି ଦ୍ବାରସ୍ଥ ହୋଇପାରିବେ । ଇ-କମର୍ସ ଓ ଡ଼ିଜିଟାଲ ବ୍ୟବସାୟ ଯୁଗରେ ଖାଉଟିଙ୍କ ସୁରକ୍ଷାକୁ ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଖାଉଟି ଅଦାଲତରେ ମାମଲା ରୁଜୁ କଲେ ୩ ମାସ ମଧ୍ୟରେ ଫଇସଲା ହେବ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଉପଭୋକ୍ତା ଦିବସ ପାଳନ ଅବସରରେ ଖାଉଟି ମାନେ ସଚେତନ ହେଲେ ସଶକ୍ତ ହୋଇପାରିବେ ଏବଂ ଖାଉଟିଙ୍କ ପାଇଁ ସବୁ ପ୍ରକାର ସହାୟତା ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ।

ସଚେତନ ହେଲେ ସଶକ୍ତ ହେବେ ଖାଉଟି । ସାଇବର କ୍ରାଇମ ହେଉ କି ଇ-କମର୍ସରେ ଠକେଇ, ଡ଼ିଜିଟାଲ ମାର୍କେଟିଙ୍ଗ ହେଉ କି ଅନଲାଇନ ଆପରେ ଧୋକା, ଖାଉଟି ଅଦାଲତର ଆଶ୍ରୟ ନେଇପାରିବେ ସାଧାରଣ ଗ୍ରାହକ । ସାଇବର କ୍ରାଇମ ହେଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ପୋଲିସ ପାଖକୁ ଦୌଡ଼ିଥାଏ । ହେଲେ ଅଧିକାଂଶ ଜାଣିନାହାନ୍ତି ଏହାର ସହଜ ସମାଧାନ କଞ୍ଜୁମର କୋର୍ଟରେ ସମ୍ଭବ । ଅନଲାଇନ ସପିଂ କଲାବେଳେ ଗ୍ରାହକଟିଏ ସତର୍କ ଓ ସଚେତନ ରହିବା ପ୍ରଥମ ପ୍ରାଥମିକତା । ଅନେକ ସମୟରେ ଗ୍ରାହକଟିଏ ଯେତେ ସଚେତନ ହେଲେ ମଧ୍ୟ ଇ-କମର୍ସ ପ୍ଲାଟଫର୍ମରେ ଠକାମିର ଶିକାର ହୋଇଥାନ୍ତି । ଏଭଳି ସ୍ଥିତିରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ଖାଉଟି ଅଦାଲତର ୪୮ଘଣ୍ଟା ମଧ୍ୟରେ ଅଭିଯୋଗ ଗ୍ରହଣ କରିବ  । ମାସକ ମଧ୍ୟରେ ସମାଧାନର ବାଟ ଦେଖାଇପାରିବ । ଗ୍ରାହକ ସୁରକ୍ଷା ଆଇନ ୨୦୧୯ରେ ଏହି ବ୍ୟବସ୍ଥା ରହିଛି ।

ସେଲ୍-ଡ଼ିସକାଉଣ୍ଟ-ଅଫର ଲୋଭରେ ବଢୁଛି ଠକାମି । ଏଥିପାଇଁ ଗ୍ରାହକଙ୍କୁ ସଚେତନ ହେବାକୁ ପଡ଼ିବ । କୌଣସି ଓ୍ବେବସାଇଟରେ ସପିଂ କରିବା ପୂର୍ବରୁ ସମସ୍ତ ସର୍ତ୍ତାବଳୀ ଭଲଭାବେ ପଢିବା ଉଚିତ । ପେମେଣ୍ଟ କରିବା ପୂର୍ବରୁ ଯାଞ୍ଚ କରିବା ଜରୁରୀ । ଅନଲାଇନ ମାର୍କେଟିଂରେ ଗ୍ରାହକର ଅସାବଧାନତା ଯୋଗୁଁ ଶହ ଶହ ସାଇବର କ୍ରାଇମ ବି ହେଉଛି । ଯଦି ସବୁ ପ୍ରକାର ପଦକ୍ଷେପ ସତ୍ତ୍ବେ ଗ୍ରାହକ ଠକାମିର ଶିକାର ହୁଏ, ତାହାଲେ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇପାରିବେ । ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିବାଦ ହେଲେ ଜିଲ୍ଲା, ୫୦ଲକ୍ଷରୁ ୨କୋଟି ଯାଏଁ ରାଜ୍ୟ ଫୋରମ୍ ଏବଂ ୨କୋଟିରୁ ଉର୍ଦ୍ଧ୍ବ ହେଲେ ଜାତୀୟ ଫୋରମକୁ ଯାଇପାରିବେ । ଖାଉଟି ଅଦାଲତର ବିଷୟରେ ଜାଣିନଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ଷ୍ଟେଟ ଇନଷ୍ଟିଚ୍ୟୁଟ ଫର୍ କଞ୍ଜୁମର ଆଓ୍ବାରନେସ୍ ବା ସିକା ସହଯୋଗର ହାତ ବଢାଇଛି । ଏଥିପାଇଁ ଥିବା ଟୋଲ୍ ଫ୍ରୀ ନମ୍ବର ୧୮୦୦-୩୪୫୬-୭୬୦ରେ ଗ୍ରାହକମାନେ ଯୋଗାଯୋଗ କରିପାରିବେ ।

 

ବର୍ଷକୁ ୨ କୋଟି ନିଯୁକ୍ତି ଗଲା କୁଆଡ଼େ ?

ନନ୍ଦିଘୋଷ ବ୍ୟୁରୋ: ବିଦ୍ୟୁତ ଚାଳିତ ଯାନ ବା ଇଭିର ଭବିଷ୍ୟତ ରହିଛି । କିନ୍ତୁ ଭାରତରେ ଏ ପର୍ଯ୍ୟନ୍ତ ଇଭି ଯାନ ସାଧାରଣ ଲୋକଙ୍କ ସାମର୍ଥ୍ୟ ବାହାରେ । ଦେଶର ଇଭି ଟେକ୍ନୋଲୋଜି ଏ ପର୍ଯ୍ୟନ୍ତ ବିଶ୍ବସ୍ତରୀୟ ଷ୍ଟାଣ୍ଡାର୍ଡ ହାସଲ କରିପାରିନି । ହେଲେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟର ଦାବି, ୨୦୩୦ ସୁଦ୍ଧା ଇଭି ଶିଳ୍ପରେ ସୃଷ୍ଟି ହେବ ୫ କୋଟି ନିଯୁକ୍ତି । କେନ୍ଦ୍ର ସରକାରଙ୍କ ଏପରି ଦାବିକୁ ନାପସନ୍ଦ କରିଛନ୍ତି ପେଟ୍ରୋଲିୟମ୍ ଡିଲର୍ସ୍ ଆସୋସିଏସନ୍ ଓ ବିରୋଧୀ । ଗରିବ ଓ ମଧ୍ୟବିତ୍ତ ଯେପରି ଏହାକୁ ସୁଲଭ ଦରରେ ପାଇବେ ସେ ନେଇ ବ୍ୟବସ୍ଥା ହୋଇପାରିନି ।

ବର୍ଷକୁ ୨ କୋଟି ନିଯୁକ୍ତି ଗଲା କୁଆଡ଼େ ? ୨୦୧୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦାବି କେତେ ପୂରଣ ହୋଇଛି ? ବିରୋଧୀଙ୍କ ଅଭିଯୋଗ ଜୁମ୍ଲାବାଜିରେ ଏ କେନ୍ଦ୍ର ସରକାରଙ୍କୁ କେହି ପାରିନାହାଁନ୍ତି । ଏବେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟର ଦାବି, ଇଭି ଉତ୍ପାଦନରେ ଭାରତ ବିଶ୍ବରେ ହେବ ଏକ ନମ୍ବର । ୨୦୩୦ ବେଳକୁ ଦେଶର ଇଭି ଶିଳ୍ପ ୫ କୋଟି ଲୋକଙ୍କୁ ନିଯୁକ୍ତି ଦେବ । ପ୍ରଦୂଷଣ ହ୍ରାସ ପାଇଁ ଇଭି ଯାନ ବ୍ୟବହାର ସମସ୍ତେ ଚାହାଁନ୍ତି । କିନ୍ତୁ ଏବେସୁଦ୍ଧା ଇଭି ଯାନଟିଏ କିଣିବାକୁ ସାଧାରଣ ଲୋକଟିଏ ସକ୍ଷମ ହେଲାଣି କି?

ବାସ୍ତବତା ହେଉଛି, ଅନ୍ୟୁନ ଲକ୍ଷେ ଟଙ୍କା ତଳକୁ ଦୁଇଚକିଆ ଇଭି ଯାନଟିଏ ବଜାରରେ ମିଳୁନି । ନୂଆ ବ୍ୟାଟେରି କିଣିବାକୁ ହେଲେ ୪୦ ହଜାର ଟଙ୍କା ପଡ଼ୁଛି । ଯାହା ସାଧାରଣ ଲୋକଟି ପକ୍ଷେ ଖର୍ଚ୍ଚ କରିବା ସମ୍ଭବ ନୁହେଁ । ଇଭି ଯାନ ରିଚାର୍ଜ ପାଇଁ ଏ ପର୍ଯ୍ୟନ୍ତ ସର୍ବଭାରତୀୟସ୍ତରରେ ପର୍ଯ୍ୟାପ୍ତ ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ହୋଇନି । ଶକ୍ତି ଉତ୍ପାଦନ ପାଇଁ ଏବେ ବି ତାପଜ ବିଦ୍ୟୁତ ଉତ୍ପାଦନ ଉପରେ ନିର୍ଭର କରିବାକୁ ପଡୁଛି । ଇଭି ଯାନ ପ୍ରଚଳନ ହେଲେ ବି ପେଟ୍ରୋଲ-ଡିଜେଲ ଚାଳିତ ଇଞ୍ଜିନ ପ୍ରସ୍ତୁତ କରୁଥିବା କମ୍ପାନୀ କେତେ ଉତ୍ପାଦନ ହ୍ରାସ କରିବେ ତାର ଆକଳନ ହୋଇନି । ପାରମ୍ପରିକ ଗାଡ଼ି ପ୍ରସ୍ତୁତ କରୁଥିବା କମ୍ପାନୀରୁ ନିଯୁକ୍ତି ହ୍ରାସ କଣ ବେକାରୀ ସୃଷ୍ଟି କରିବନି କି ? ଏପରି ବାସ୍ତବ ସମସ୍ୟାକୁ ଅନୁଧ୍ୟାନ ନ କରି ଇଭି ଶିଳ୍ପରେ ବ୍ୟାପକ ନିଯୁକ୍ତି ଦାବି କରିବା କେତେଦୂର ଯଥାର୍ଥ ?

ଦେଶରେ କାଁ ଭାଁ ଥିଲାବାଲା ଲୋକ ଇଭି ଯାନ କିଣିବାରେ ସମର୍ଥ ହୋଇପାରୁଛନ୍ତି । ଏତେବଡ଼ ଦେଶରେ ଏଯାଏଁ ମାତ୍ର ୩୪ ଲକ୍ଷ ୫୪ ହଜାର ଇଭି ଗାଡ଼ି ପଞ୍ଜୀକରଣ ହୋଇଛି । ୨୦୧୪ ମସିହାରୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରଠୁ ଦେଶରେ ବାର୍ଷିକ ୨ କୋଟି ନିଯୁକ୍ତି ମିଳିବ ବୋଲି ଘୋଷଣା କରିଥିଲେ । କିନ୍ତୁ ବେରୋଜାଗାରୀ ରେକର୍ଡ ଛୁଇଁଛି । ଦରଦାମ ବୃଦ୍ଧିରେ ଖାଉଟି ଅଣନିଃଶ୍ବାସୀ । କେନ୍ଦ୍ର ସରକାର କାହିଁକି ଏପରି ଦାବି କରି ଦେଶବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ବାୟୁମଣ୍ଡଳରୁ ସବୁଜ ଗୃହ ବାଷ୍ପ ପ୍ରଭାବ କମ୍ କରିବାକୁ ହେଲେ ଆମକୁ ବହୁଳ ମାତ୍ରାରେ ଇଲେକ୍ଟ୍ରିକ୍ ଯାନ ଆପଣାଇବାକୁ ପଡ଼ିବ । ଗରିବ, ନିମ୍ନମଧ୍ୟବିତ୍ତ, ମଧ୍ୟବିତ୍ତ ଯେପରି ଇଭି ଯାନ କିଣିପାରିବେ ସେ ନେଇ କେନ୍ଦ୍ର ସରକାର ଗୁରୁତ୍ବ ଦେଲେ ଆଗାମୀ ଦିନରେ ଭାରତରେ ବାୟୁ ପ୍ରଦୂଷଣ ହ୍ରାସ ପାଇବ ସହ ପରୋକ୍ଷରେ ନିଯୁକ୍ତି ବଢିବ।

 

ପ୍ରେରଣାର ଅନ୍ୟନାମ ଜୟନ୍ତୀ

ବାଲେଶ୍ବର: ସାମାଜିକ ଗଣମାଧ୍ୟମ ଓ ଟେଲିଭିଜନରେ ଆପଣ ଅନେକ ରୋଷେଇ କରୁଥିବା ଲୋକଙ୍କୁ ଦେଖିଛନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏକ ନିଆରା ମଣିଷଙ୍କୁ ଭେଟାଇବୁ ଯିଏ ଗତ ୪ ବର୍ଷ ଧରି କର୍କଟ ରୋଗ ସହିତ ଲଢେଇ କରୁଛନ୍ତି । ତଥାପି ମାନସିକ ସ୍ତରରେ ଦୁର୍ବଳ ନହୋଇ ରୋଷେଇ ଘରେ ସମୟ କାଟୁଛନ୍ତି । ଆଉ ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ରେ ଲୋକଙ୍କୁ ଖାଇବା ଯୋଗାଇ ହୋଇଛନ୍ତି ସ୍ବାବଲମ୍ବୀ । ସେ ହେଉଛନ୍ତି ବାଲେଶ୍ବରର ଜୟନ୍ତୀ ପତି ।

ସକାଳ ହେଲେ ଫୋନ୍‌ ବାଜୁଛି । ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ରେ ଆସୁଛି ଅର୍ଡ଼ର । କିଏ ପିଜା ପାଇଁ ଅର୍ଡ଼ର କରୁଛନ୍ତି ତ  କିଏ ରୁଟି, ତରକାରୀ । ପନିର ମସଲା, ପିଠା, ପଣା ପାଇଁ ଆସୁଛି ବରାଦ୍‌ । ଠିକ୍‌ ସମୟରେ ଲୋକଙ୍କୁ ବରାଦ୍‌ ଅନୁସାରେ ଖାଇବା ଯୋଗାଇ ଦେଉଛନ୍ତି । ଆଉ ସେଥିପାଇଁ ତାଙ୍କୁ ଟଙ୍କା ତ ମିଳୁଛି । ହେଲେ ଏହି ଅର୍ଡ଼ର ତାଠୁ ଅଧିକ ସହଯୋଗ କରୁଛି ତା ସହ ନିଜ ଜୀବନକୁ ଉପଭୋଗ କରିବାର ଖୋରାକ ଯୋଗାଇଛି । ଏହି କର୍ମମୟ ଜୀବନ ଭିତରେ ସେ ଭୁଲିଯାଇଛନ୍ତି ନିଜର ଦୁରାରୋଗ୍ୟ ବ୍ୟାଧିକୁ । କର୍କଟ ରୋଗରେ ଆକ୍ରାନ୍ତ ହୋଇ ବି ଜୀବନରେ ହାରିବା ଶିଖି ନାହାନ୍ତି ବାଲେଶ୍ବରର ଜୟନ୍ତି ପତି । ତାଙ୍କୁ ଏହି କାମରେ ସହଯୋଗ କରନ୍ତି ତାଙ୍କ ସ୍ବାମୀ ।

ଗତ ୪ ବର୍ଷ ଧରି କର୍କଟ ରୋଗରେ ପିଡ଼ିତ ଜୟନ୍ତି । ନିୟମିତ ବ୍ୟବଧାନରେ କେମୋ ନେଉଛନ୍ତି । ଚିକିତ୍ସାରେ ରହି ଔଷଧ ବି ଖାଉଛନ୍ତି । ହେଲେ ତାଙ୍କ ହାବଭାବରୁ ତାହା ବାରିବା କଷ୍ଟ । ନିଜେ ଖୁସି ରହିବା ସହିତ ପରିବାର ଲୋକଙ୍କୁ ମଧ୍ୟ ଖୁସିରେ ରହିବାକୁ ସବୁବେଳେ ଉଦ୍ୟମ କରୁଛନ୍ତି । ପଚରାରିଲେ କୁହନ୍ତି,ଦିନେ ସମସ୍ତେ ଯିବେ, ମୁଁ ବି ଯିବି । ତେବେ ଯେତିକି ସମୟ ବଞ୍ଚିଛି, ଖୁସିରେ ବଞ୍ଚିବିନି କାହିଁକି । ଜୟନ୍ତୀଙ୍କର ଏହି ଚିନ୍ତାଧାରା କର୍କଟ ରୋଗୀଙ୍କ ପାଇଁ ନିଶ୍ଚିତ ପ୍ରେରଣା ଦାୟକ ହେବ ବୋଲି କହନ୍ତି ମନସ୍ତତ୍ତ୍ବବିତ୍ ।

ଝଲସୁଛି ଚର୍ଚ୍ଚ, ପାନପତ୍ରରେ ସାନ୍ତାକ୍ଲଜ

ଭୁବନେଶ୍ବର: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଧରାବତରଣ କରିବେ ପ୍ରଭୁ ଯୀଶୁ । ମହା ଆଡ଼ମ୍ବରରେ ଶିଶୁ ଯିଶୁଙ୍କ ସ୍ବାଗତ ପାଇଁ କଟକର ସମସ୍ତ ଚର୍ଚ୍ଚରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରଭୁଙ୍କ ଜନ୍ମ ପାଇଁ ତିଆରି ସରିଛି ପ୍ରତୀକାତ୍ମକ ଗୁହାଳ । କ୍ୟାରୋଲ ପରେ ସାମୁହିକ ପ୍ରାର୍ଥନା ଏବଂ ଶେଷରେ ଦିବ୍ୟଯଜ୍ଞ ଅନୁଷ୍ଠିତ ହେବ। ସେପଟେ ଯୀଶୁଙ୍କ ଆଗମନ ପାଇଁ ମିଶନ ରୋଡ଼ ବାପଟିଷ୍ଟ ଚର୍ଚ୍ଚରେ ୧୦ ହଜାର ପାନ ପତ୍ରରେ ତିଆରି ଚାଲିଛି ସାନ୍ତାକ୍ଲଜ ।

ଧରାବତରଣ କରିବେ ପ୍ରଭୁ ଯିଶୁଖ୍ରୀଷ୍ଟ । ଆଗମନ ପାଇଁ ଝଟକୁଛି ଗୀର୍ଜାଘର । ମଧ୍ୟରାତ୍ରୀରେ ଜନ୍ମନେବେ ଯିଶୁଖ୍ରୀଷ୍ଟ । ଶିଶୁ ଯିଶୁଙ୍କ ସ୍ବାଗତ ପାଇଁ ହୋଇଛି ସମସ୍ତ ପ୍ରସ୍ତୁତି । ନିର୍ମାଣ ହୋଇଛି ପବିତ୍ର ଗୁହାଳ । କ୍ୟାଥୋଲିକ ଓ ବାପଟିଷ୍ଟ ଚର୍ଚ୍ଚ ଗୁଡ଼ିକରେ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ହୋଇଛି । କଟକରେ ଖ୍ରୀଷ୍ଟିଆନ ଭାଇ ଭଉଣୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । କ୍ୟାରୋଲ ଗାନ ପରେ ସାମୁହିକ ପ୍ରାର୍ଥନା ଅନୁଷ୍ଠିତ ହେବ । କ୍ୟାଣ୍ଡେଲ ଓ କେକ କାଟି ସ୍ବାଗତ ଜଣାଇବେ ସଭିଏଁ । ଏବେ କେବଳ ଅପେକ୍ଷା ଯିଶୁଙ୍କ ଆଗମନକୁ ।

କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ ନୁହନ୍ତି, ଭାଇଚାରାର ସହର କଟକରେ ଅନ୍ୟ ବର୍ଗର ଲୋକେ ମଧ୍ୟ ଉତ୍ସବରେ ସାମିଲ ହୋଇଛନ୍ତି । ଯିଶୁ ଜନ୍ମ ହେବାପରେ ଘରେ କେକ ଠାରୁ ଆରମ୍ଭ କରି ପିଠାପଣାର ଆସର ସାଙ୍ଗକୁ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିବ । ପରସ୍ପରକୁ ଜଣାନ୍ତି ମେରୀ ଖ୍ରୀଷ୍ଟମାସର ଶୁଭେଚ୍ଛା । ମିଶନରୋଡ଼ ବ୍ୟାପ୍ଟିଷ୍ଟ ଚର୍ଚ୍ଚ 10 ହଜାର ପାନ ପତ୍ରରେ ସାନ୍ତାକ୍ଲଜ ତିଆରି କରୁଛନ୍ତି ସ୍କେଚ ଆର୍ଟିଷ୍ଟ ବିଜୟଲକ୍ଷ୍ମୀ ରାଉତ । ୧୭ ହଜାର ବର୍ଗଫୁଟ ଅଞ୍ଚଳରେ ୬ ଜଣ ଆର୍ଟିଷ୍ଟ ଲାଗିଛନ୍ତି ଏହି କାମରେ । ଯାହା ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି ବିଜୟଲକ୍ଷ୍ମୀ ।

ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟରେ 5T ଅଧ୍ୟକ୍ଷ

ଭୁବନେଶ୍ବର: ଛୁଟିଦିନରେ ବି ବିଶ୍ରାମ ନାହିଁ । ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ବିଶ୍ବବିଦ୍ୟାଳୟରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ କାମର କଲେ ସମୀକ୍ଷା । ଆସନ୍ତା ୧୫ ଜାନୁଆରୀ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୮.୬ ଏକର ଜାଗାରେ ପ୍ରଥମ ପର୍ଯ୍ୟାୟ କାମ ଚାଲିଛି । ଏଥିରେ ୨୦୦ ପିଲାଙ୍କ ଅଧ୍ୟୟନ ପାଇଁ ବ୍ୟବସ୍ଥା ରହିଛି  । ଗୋଟିଏ ଛାତ୍ର ଓ ଗୋଟିଏ ଛାତ୍ରୀ ହଷ୍ଟେଲ କାମ ଚାଲିଛି । ଏଥିରେ ୩୨ ଜଣ ଲେଖାଏଁ ପିଲା ରହିପାରିବେ । ଲାଇବ୍ରେରୀ, କାଫେଟେରିଆ, ଆଡମିନ୍ ବ୍ଲକ ମଧ୍ୟ ରହିଛି  । କ୍ୟାମ୍ପସରେ ଚାଲିଥିବା ରାସ୍ତା କାମର ମଧ୍ୟ ସମୀକ୍ଷା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଓଡ଼ିଆ ବିଶ୍ବବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ବପ୍ନର ପ୍ରୋଜେକ୍ଟ । ସତ୍ୟବାଦୀ ବନ ବିଦ୍ୟାଳୟ ନିକଟରେ ନିର୍ମାଣ କରାଯାଉଛି । ଆସନ୍ତା ଜାନୁଆରୀ ମାସ ଶେଷ ଆଡ଼କୁ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ । ଓଡ଼ିଆ ଭାଷାର ଗବେଷଣା ପାଇଁ ଏହି ବିଶ୍ବବିଦ୍ୟାଳୟ ଏକ ଉକ୍ତୃଷ୍ଟ ସ୍ଥାନ ହେବାକୁ ଯାଉଛି ।

ବଡ଼ଦିନ ଓ ନୂଆବର୍ଷ ପାଇଁ ଖୋଲା ରହିବ ନନ୍ଦନକାନନ

ଭୁବନେଶ୍ବର: ବଡ଼ଦିନ ଓ ନୂଆବର୍ଷ ପାଇଁ ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ । ବଡ଼ଦିନ ପାଇଁ ଆସନ୍ତା ୨୫ ତାରିଖ ଓ ଜାନୁଆରୀ ପହିଲାରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତି ସୋମବାର ଦିନ ନନ୍ଦନକାନନ ବନ୍ଦ ରହିଥାଏ । କିନ୍ତୁ ନୂଆବର୍ଷ ଓ ବଡ଼ଦିନ ସୋମବାର ପଡୁଥିବାରୁ ସେହିଦିନ ଖୋଲା ରହିବ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭଦ ଉଦ୍ୟାନ । ତେବେ ମଙ୍ଗଳବାର ଦିନ ଡିସେମ୍ବର 26 ତାରିଖ ଓ ଜାନୁୟାରୀ 2 ତାରିଖ ଦିନ ନନ୍ଦନକାନନ, ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ ବୋଲି କତୃପକ୍ଷ ସୂଚନା ଦେଇଛନ୍ତି ।