ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ସମସ୍ତ ଅଧିକାରୀଙ୍କୁ ସ୍ଵତନ୍ତ୍ର ଟ୍ରେନିଂ

1 min read

ଭୁବନେଶ୍ୱର : କମିଶନରେଟ ପୋଲିସ ଅଧୀନରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା ନେଇ ପୋଲିସ ସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଅତିରିକ୍ତ ପୋଲିସ କମିଶନର ଅବିନାଶ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ବିଏମସି କମିଶନର ରାଜେଶ ପାଟିଲ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଉପସ୍ଥିତ ଥିଲେ । ଭୁବନେଶ୍ୱର ୟୁପିଡିର ସମସ୍ତ ଥାନା ଅଧିକାରୀ, ଜୋନ ଏସିପି ଏବଂ ତହସିଲଦାର, ବିଡ଼ିଓ, ଏବ ଅବକାରୀ ଅଧିକାରୀ ଏଥିରେ ସାମିଲ ହୋଇଥିଲେ । କେଉଁଭଳି ଭାବେ ନିର୍ବାଚନ ପରିଚାଳନା ହେବ ସେନେଇ ହୋଇଛି ଆଲୋଚନା । ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଗଠନ କରାଯିବ ସ୍ୱତନ୍ତ୍ର ଟିମ । ମଡେଲ କୋଡ ଅଫ କଣ୍ଡକ୍ଟ ଲାଗୁହେବା ପରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରାଇବା ପାଇଁ ଏହି ସ୍ୱତନ୍ତ୍ର ଟିମ କାମ କରିବ ।

ରାସ୍ତା ଘାଟରୁ ହଟିବ ରାଜନୈତିକ ଦଳ ମାନଙ୍କର ପ୍ରଚାର ପୋଷ୍ଟର । Bmc ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ପବ୍ଲିକ ପ୍ଲେସରୁ ସମସ୍ତ ବିଜ୍ଞାପନକୁ ହଟାଯିବା ସହ ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ ଲାଇନ କରାଯିବ ଓ bmc ପକ୍ଷରୁ ତାକୁ କାର୍ଯ୍ୟକାରୀ କରାଯିବ । ଶୋଭାଯାତ୍ରା, ସାଧାରଣ ସଭା, ପ୍ରଚାର ସମୟରେ ଗାଇଡଲାଇନକୁ କେମିତି ଅନୁସରଣ କରାଯିବ ସେନେଇ ଟ୍ରେନିଂ ଦିଆଯିବ । ଭୁବନେଶ୍ୱର ଓ କଟକରେ ସ୍ଵତନ୍ତ୍ର କେନ୍ଦ୍ରୀୟ ଫୋର୍ସ ଆସି ପହଁଚି ସାରିଛି । କମିଶନରେଟ ପୋଲିସ ମଧ୍ୟ ସ୍ଵତନ୍ତ୍ର ଟିମ ଗଠନ କରିସାରିଛି ।ନିର୍ବାଚନ ତଦାରଖ ପାଇଁ ସ୍ୱତନ୍ତ୍ର ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ ହୋଇଛି । ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଦିଆଯାଇଛି ସ୍ଵତନ୍ତ୍ର ଟ୍ରେନିଂ।