spot_img
Home Blog Page 2407

ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍ ୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ୨ ଜଣ ବ୍ୟକ୍ତି ଏହି ଭାରିଆଣ୍ଟରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ୨ ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ଜଣାପଡିଛି ।

ଚଳିତ ବର୍ଷ ରାଜ୍ୟରେ କରୋନା ଜନିତ ମୃତ୍ୟୁ ନେଇ କୌଣସି ଘଟଣା ଏଯାଏଁ ଘଟିନାହିଁ । ଯଦି ଏଭଳି ଅଭିଯୋଗ ଆସେ , ଅଡିଟ୍ ପରେ ତଥ୍ୟ ଦିଆଯିବ । ଏବେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ହୋଟେଲ ମାଲିକ ଗିରଫ, ବ୍ଲାକ୍‌ମେଲ ପାଇଁ ହତ୍ୟାକାଣ୍ଡ

ଗୁରୁଗ୍ରାମ: ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ୩ ଗିରଫ। ଦିବ୍ୟାଙ୍କୁ ହତ୍ୟା କରାଯାଇଥିବା ହୋଟେଲ ମାଲିକ ଅଭିଜିତଙ୍କ ସହ ଅନ୍ୟ ୨ ସହଯୋଗୀଙ୍କୁ ଗିରଫ କରିଛି ଗୁରୁଗ୍ରାମ ପୋଲିସ । ହତ୍ୟା ପରେ ମୃତଦେହକୁ ଏକ ବେଡସିଟରେ ଗୁଡାଇ ୩ ଜଣ ଟେକି ନେଇ ବିଏମଡବ୍ଲୁ କାରରେ ରଖୁଥିବା ଦେଖିବାକୁ ମିଳୁଛି। ଏହାପରେ କେଉଁଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।ତେବେ ମୃତଦେହକୁ ଠାବ କରିପାରିନାହିଁ ପୋଲିସ। ହତ୍ୟାକାଣ୍ଡ ଘଟିଥିବା ହୋଟେଲରେ ପୋଲିସ ଛାନବିନ କରିବା ସହ ସିସିଟିଭି ଯାଞ୍ଚ କରିଛି  ।

ବିଗତ ୨୦୧୬ ଫେବ୍ରୁଆରୀ ୭ରେ ମୁମ୍ବାଇର ଏୟାରପୋର୍ଟ ମେଟ୍ରୋ ହୋଟେଲରେ ଦିବ୍ୟା ପାହୁଜା ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଦୋଲି ସହ ଥିବାବେଳେ ଗୁରୁଗ୍ରାମ ପୋଲିସ ଟିମ୍ ଗ୍ୟାଙ୍ଗଷ୍ଟର ସନ୍ଦୀପକୁ ଏନକାଉଣ୍ଟର କରଥିଲା । ଏହି ଏନକାଉଣ୍ଟର ମିଛ ସନ୍ଦେହ କରି ମଡେଲ ଦିବ୍ୟାଙ୍କ ସହ ତାଙ୍କ ମାଆ ଓ ହରିୟାଣାର ୫ ପୋଲିସ କର୍ମୀଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ।

ଗତ ଜୁନରେ ୭ ବର୍ଷ ଜେଲରେ ରହିବା ପରେ ଦିବ୍ୟା ପାହୁଜାଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଥିଲା । ଜାମିନ ମିଳିବାର ୭ ମାସ ପରେ ଦିବ୍ୟାଙ୍କୁ ହତ୍ୟା କରାଯାଇଛି। କୁହାଯାଉଛି ସନ୍ଦୀପ ହତ୍ୟାର ବଦଲା ନେବାକୁ ଦିବ୍ୟାଙ୍କୁ କରାଯାଇଛି ହତ୍ୟା । ଏହି ହତ୍ୟା ଘଟଣାରେ ଗୁରୁଗ୍ରାମର ହୋଟେଲ ସିଟି ପଏଣ୍ଟ ମାଲିକ ଅଭିଜିତ ସିଂ ଓ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି ।

ତେବେ ହିବ୍ୟା ପାହୁଜାଙ୍କୁ କାହିଁକି କରାଯାଇଛି ହତ୍ୟା। ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାକୁ ନେଇ ଜାରି ରହିଛି ସସପେନ୍ସ। ଗ୍ୟାଙ୍ଗଷ୍ଟର ହତ୍ୟାର ରିଭେଞ୍ଜ ନା ବ୍ଲାକମେଲିଂ। ହୋଟେଲ ମାଲିକ ଅଭିଜିତଙ୍କ ସହ ଦିବ୍ୟାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଅନେକ ଫଟୋ ରହିଥିଲା । ଅଭିଜିତଙ୍କୁ ଧମକ ଦେଇ ଦିବ୍ୟା ବିପୁଳ ଟଙ୍କା ନେଉଥିବା ପୋଲିସ ସୂଚନା ଦେଇଛି । ସେପଟେ ବୀରେନ୍ଦ୍ର କୁମାର ଓରଫ ବିନ୍ଦର ଗୁଜ୍ଜର ନାମକ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଦୋଲିଙ୍କ ସହ ପ୍ରତିନ୍ଦ୍ବନ୍ଦ୍ବୀ ଗ୍ୟାଙ୍ଗ୍ ଚଳାଇଥିଲା ।

ସନ୍ଦୀପକୁ ରାସ୍ତାରୁ ହଟାଇବାକୁ ହରିୟାଣା ପୋଲିସ ସହ ମିଶି ଷଡ଼ଯନ୍ତ୍ର କରିଥିଲା। ହରିୟାଣା ପୋଲିସର ଏନକାଉଣ୍ଟର ସମୟରେ ଗୁଜ୍ଜର ଜେଲରେ ଥିଲା । ଭାଇ ମନୋଜ ସହାୟତାରେ ଏହି ଏନକାଉଣ୍ଟର ଷଡ଼ଯନ୍ତ୍ର ବୀରେନ୍ଦ୍ର ଗୁଜ୍ଜର କରିଥିବା ମୁମ୍ବାଇ ପୋଲିସ ସୂଚନା ଦେଇଥିଲା ।ଏହି ସମସ୍ତ ଦିଗକୁ ନେଇ ହତ୍ୟାକାଣ୍ଡର କାରଣ ଖୋଜୁଛି ହରିୟାଣା କ୍ରାଇମବ୍ରାଞ୍ଚ ଟିମ୍ ।

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା, କହିଲେ ଯଦି ପ୍ରଧାନମନ୍ତ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କରିବେ ତାହେଲେ ମୁଁ କ’ଣ ତାଳି ବଜାଇବି

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୧ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ସାରା ଦେଶରେ ନିମନ୍ତ୍ରଣ ବଣ୍ଟା ଯାଉଥିବାବେଳେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନ ପକ୍ଷରୁ ସୁଚାରୁରୂପେ ପାଳନ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ହାତରେ ରାମଲାଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ସିଂହାସନରେ ବିରାଜମାନ କରାଇବେ । ତେବେ ଏହାକୁ ବିରୋଧ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ବୁଧବାର ରତଲାମରୁ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ।

ରତଲାମର ତ୍ରିବେଣୀ ଘାଟରେ ହିନ୍ଦୁ ଜାଗରଣ ସମ୍ମିଳନୀକୁ ସମ୍ବୋଧନ କରିବା ପାଇଁ ଯାଇଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ, ମୂର୍ତ୍ତିକୁ ସେ ଛୁଇଁବେ ମୁଁ କଣ ସେଠାରେ ଜୟ ଜୟ ଗାନ କରିବି ଆଉ ତାଳି ବଜାଇବି କି? ମୋ ପଦର ଗୋଟେ ମର୍ଯ୍ୟାଦା ରହିଛି । ରାମ ମନ୍ଦିରରେ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଶାସ୍ତ୍ର ଅନୁସାରେ ହେବା ଉଚିତ୍ । ଏଭଳି ଆୟୋଜନରେ ମୁଁ କାହିଁକି ଆସିବି? ଏହାସହ କହିଛନ୍ତି କି, ନିମନ୍ତ୍ରଣ ପତ୍ରରେ ଲେଖା ଅଛି କି, ଆପଣଙ୍କ ସହ ଜଣେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏବେ ସୁଦ୍ଧା ମୋ ସହ କୌଣସି ସମ୍ପର୍କ ହୋଇନାହିଁ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯେଉଁଭଳିଭାବେ ରାଜନୀତି ହେଉଛି ଏଭଳି ହେବା ଉଚିତ ନୁହେଁ ।

ପ୍ରବଳ ଥଣ୍ଡାରେ ଥରୁଛି ଉତ୍ତର ଭାରତ, ୬ ଯାଏଁ ସ୍କୁଲ ଛୁଟି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଜାରି ରହିଛି ପ୍ରବଳ ଥଣ୍ଡା । କଲବଲ କରୁଛି ଘନ କୁହୁଡି। ଦିଲ୍ଲୀ ଏନସିଆର ସମେତ ଉତ୍ତର ପ୍ରଦେଶ, ଚଣ୍ଡୀଗଡ, ରାଜସ୍ଥାନ , ବିହାର, ମଧ୍ୟପ୍ରଦେଶରେ କୁହୁଡିର ମୋଟା ଚାଦର ଢାଙ୍କିରହିଛି । ଘନ କୁହୁଡ଼ି ଓ ଧୂଆଁ ଯୋଗୁ ରାସ୍ତାଘାଟ ସ୍ପଷ୍ଟ ଭାବେ ଦେଖାଯାଉନି । ଦିଲ୍ଲୀର ବିଭିନ୍ନ ରାସ୍ତାରେ ଜିରୋ ଭିଜିଭିଲିଟି ସୃଷ୍ଟି ହୋଇଛି ।

ଦୃଶ୍ୟମାନ କ୍ଷମତା କମ୍ ରହିଥିବାରୁ ବିମାନ ଚଳାଚଳ ଡେରିରେ ହେଉଛି । ଉତ୍ତର ପ୍ରଦେଶର ନୋଏଡା ଓ ଗ୍ରେଟର ନୋଏଡାରେ ଭୀଷଣ ଥଣ୍ଡାକୁ ଦୃଷ୍ଟିରେ ରଖି ସରକାର ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ପ୍ରଥମ ଥର ଋଷ-ୟୁକ୍ରେନ ମଧ୍ୟରେ ବଡ଼ଧରଣର ଯୁଦ୍ଧବନ୍ଦୀ ବିନିମୟ, ୨୦୦ ପଣବନ୍ଦୀ ମୁକ୍ତ

କିଭ: ପ୍ରଥମ ଥର ଲାଗି ଋଷ-ୟୁକ୍ରେନ ମଧ୍ୟରେ ବଡ଼ଧରଣର ଯୁଦ୍ଧବନ୍ଦୀ ବିନିମୟ । ପ୍ରାୟ ୨୨ ମାସ ଧରି ଯୁଦ୍ଧ ଚାଲିଥିବାବେଳେ ପ୍ରଥମ ଥର ଲାଗି ଏହି ବଡ଼ଧରଣର ବନ୍ଦୀ ବିନିମୟ ହୋଇଛି । ବୁଝାମଣା ଅନୁସାରେ ଉଭୟ ପକ୍ଷ ୨୦୦ରୁ ଅଧିକ ଲେଖାଏ ଯୁଦ୍ଧବନ୍ଦୀ ବିନିମୟ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ୟୁକ୍ରେନର ମାନବାଧିକାର ଅମ୍ବୁଡସମ୍ୟାନ ଦିମିତ୍ରୋ ଲୋବିନେଟସ୍ କହିଛନ୍ତି- ଋଷରେ ବନ୍ଦୀ ଥିବା ୨୩୦ ୟୁକ୍ରେନ ସୈନ୍ୟ ମୁକୁଳିଛନ୍ତି । ଦୁଇ ପକ୍ଷ ମଧ୍ୟରେ ଏହା ହେଉଛି ୪୯ତମ ଯୁଦ୍ଧବନ୍ଦୀ ବିନିମୟ । ସେପଟେ ଋଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି- ତାଙ୍କ ଦେଶର ୨୪୮ ସୈନ୍ୟଙ୍କୁ ମୁକୁଳାଯାଇଛି । ସଂଯୁକ୍ତ ଆରବ ଏମିରିଟେସର ମଧ୍ୟସ୍ଥତା କ୍ରମେ ଏହି ବନ୍ଦୀ ବିନିମିୟ କାର୍ଯ୍ୟକ୍ରମ ହୋଇଛି ।

ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବ ବିଡିଏ, ୬୭ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ବିଡିଏର ଏନଫୋର୍ସମେଣ୍ଟ ବ୍ୟବସ୍ଥା ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବ । ଏଥିପାଇଁ ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିରେ ଗୋଟିଏ ଆସିଷ୍ଟାଣ୍ଟ କମିଶନର, ୬ଟି ଏଏସଆଇ ଏବଂ ୬୦ଟି କନଷ୍ଟେବଲ ପଦବୀ ସାମିଲ ଅଛି । ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦବୀ ସୃଷ୍ଟି ହେବ । ଫଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ।

ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖ ଦେବାର ଗୁରୁଦାୟିତ୍ୱ ବହନ କରିଛି ବିଡିଏ । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ ବିଡିଏର ଏନଫୋର୍ସମେଣ୍ଟ କାର୍ଯ୍ୟରେ ସମସ୍ୟା ଦେଖାଦେଉଥିଲା । ଏନଫୋର୍ସମେଣ୍ଟ କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ୬୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି।

ଯୋଜନାବଦ୍ଧ ବିକାଶ ପାଇଁ ଏହି ପଦବୀଗୁଡିକ କାର୍ଯ୍ୟ କରିବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ଭୁବନେଶ୍ୱର ସହରରେ ଏସବୁ କାର୍ଯ୍ୟ ନିମନ୍ତେ ୨୫ଟି ୟୁଗ୍ମ ଟିମ ଓ ୫ଟି ରିଜର୍ଭ ଟିମର ଆବଶ୍ୟକତା ରହିଛି । ପ୍ରତି ଟିମ୍ରେ ୨ଜଣ ପୁଲିସ୍ କନେଷ୍ଟବଳ ରହିବେ । ଏହି ଟିମ୍ଗୁଡିକର ସମନ୍ୱୟ ଓ ସୁପରିଚାଳନା ପାଇଁ ଜଣେ ଆସିଷ୍ଟାଣ୍ଟ କମିଶନର, 6 ଜଣ ଆସିଷ୍ଟାଣ୍ଟ ସବ ଇନସପେକ୍ଟର କାର୍ଯ୍ୟ କରିବେ।

ଭାରତୀୟ ପ୍ରତିରକ୍ଷାରେ ଯୋଡ଼ିହେବ ନୂଆ ଅଧ୍ୟାୟ, ଖର୍ଚ୍ଚ ହେବ ୧୯୨୦ କୋଟି

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଯୋଡ଼ିହେବ ଆଉ ଏକ ଅଧ୍ୟାୟ । ଶତ୍ରୁ ପକ୍ଷର ବିମାନ, ଡ୍ରୋନ, ହେଲିକପ୍ଟରକୁ ଧ୍ବଂସ କରିବା ଲାଗି ବିକଶିତ ହେବ ସ୍ବଦେଶୀ ମ୍ୟାନ-ପୋର୍ଟେବଲ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । ଅତି ନିକଟରୁ ଏସବୁକୁ ଖସାଇବା ଲାଗି ଏହି ଧରଣର ଅସ୍ତ୍ର ନିର୍ମାଣ ହେବ । ବର୍ତ୍ତମାନ ଏହି ଧରଣର ମୁକାବିଲା ଲାଗି ଋଷ ନିର୍ମିତ ଅସ୍ତ୍ରଶସ୍ତ୍ର ଭାରତୀୟ ସୈନ୍ୟ ବ୍ୟବହାର କରୁଥିବା ସତ୍ତ୍ବେ ସ୍ବଦେଶୀ ଅସ୍ତ୍ର ଉପରେ ଗୁରୁତ୍ବ ଦିଆଯାଇଛି ।

ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ରଗୁଡିକୁ ସହଜରେ ନେବାଅଣା କରାଯାଇପାରିବ । ବର୍ତ୍ତମାନ ଚୀନ ଓ ପୂର୍ବ ଲଦାଖରେ ଏହି ଧରଣର ଅସ୍ତ୍ର ବ୍ୟବହାର କରାଯାଉଛି । ପ୍ରାୟ ୬ କିଲୋମିଟର ଦୂରରୁ ଶତ୍ରୁ ପକ୍ଷର ବିମାନ, ହେଲିକପ୍ଟର ଓ ଡ୍ରୋନ ଆଦି ଧ୍ବଂସ କରିବା ଲାଗି ଡିଆରଡିଓ ପକ୍ଷରୁ ଏହି ଅସ୍ତ୍ର ନିର୍ମାଣ କରାଯାଇଛି । ବର୍ତ୍ତମାନ ଏହି ଧରଣର ଅସ୍ତ୍ର ମ୍ୟାନପ୍ୟାଡସର ବ୍ୟବହାର କରାଯାଉଥିଲେ ବି ଫୋର୍ଥ ଜେନେରେସନ କୁହାଯାଉଥିବା ଭିସୋରାଡସର ବିକଶିତ କରାଯିବ ।

ଏଥିଲାଗି ପ୍ରତିରକ୍ଷା ବିଭାଗ ଖର୍ଚ୍ଚ କରିବ ୧୯୨୦ କୋଟି ଟଙ୍କା । ଗତବର୍ଷ ୧୦୦ଟି ଇଗାଲା ଏସ ମିସାଇଲ ଓ ୪୮ଟି ଲଞ୍ଚର ଲାଗି ଭାରତୀୟ ସେନା ଚୁକ୍ତି କରିଥିଲା ।

ED ସମନକୁ ବେଆଇନ କହିଲେ କେଜ୍ରିୱାଲ, ବଦନାମ ପାଇଁ ଚକ୍ରାନ୍ତ କରୁଛି ଗେରୁଆ ଗ୍ୟାଙ୍ଗ୍‌

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଇଡିର ଜେରା ପ୍ରସଙ୍ଗରେ ମୁହଁ ଖୋଲିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ କୌଣସି ଘୋଟାଲା ହୋଇନାହିଁ। ଏହି ସମନ ବେଆଇନ ଅଟେ  । ‘ମୋ ଓକିଲ ମୋତେ ଏହା କହିଛନ୍ତି। ସିଏମ କେଜ୍ରିୱାଲ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ ବିଜେପିର ଉଦ୍ଦେଶ୍ୟ ତଦନ୍ତ ନୁହେଁ। ବିଜେପି ମୋତେ ବଦନାମ କରିବାକୁ ଚାହୁଁଛି। ସେ ମୋର ସଚ୍ଚୋଟତା ଉପରେ ଆକ୍ରମଣ କରିବାକୁ ଚାହୁଁଛି  । ମୁଁ ଇଡିକୁ କହିଥିଲି ଯେ ସମନ ବେଆଇନ ଅଟେ। ମୁଁ କାହିଁକି ବେଆଇନ ଡାକରା ପାଳନ କରିବି? ଯଦି ଆଇନଗତ ହାଜର ହେବାକୁ ପଡେ ନିଶ୍ଚିତ ସହଯୋଗ କରିବି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ।

 

ସେ କହିଛନ୍ତି ଯେ ‘‘ଲୋକସଭା ନିର୍ବାଚନ ପୂର୍ବରୁ ମୋତେ ଡକାଯାଉଛି। ସିବିଆଇ ମୋତେ ୮ ମାସ ପୂର୍ବରୁ ଡାକିଥିଲା, ମୁଁ ଯାଇଥିଲି  । ଏବେ ଲୋକସଭା ନିର୍ବାଚନ ପୂର୍ବରୁ ଡାକରା ଦେଇଛନ୍ତି। ବିଜେପିର ଉଦ୍ଦେଶ୍ୟ ହେଉଛି ପ୍ରଶ୍ନର ବାହାନା କରି ମୋତେ ଡାକିବା ଏବଂ ଗିରଫ କରିବା । ଯାହାଫଳରେ ମୁଁ ଲୋକସଭା ନିର୍ବାଚନରେ ​​ପ୍ରଚାର କରିପାରିବି ନାହିଁ।’’

ଦିଲ୍ଲୀ ସିଏମ କହିଛନ୍ତି ଯେ ବିଜେପି ଅନ୍ୟ ଦଳର ନେତାଙ୍କ ବିରୋଧରେ ଇଡି ଏବଂ ସିବିଆଇ ତଦନ୍ତ କରାଉଛନ୍ତି  । ପରେ ସେମାନଙ୍କୁ ବିଜେପିରେ ସାମିଲ କରି ଦିଆଯାଉଛି  । ଯିଏ ବିଜେପିରେ ଯୋଗ ଦେଉନାହାଁନ୍ତି ସେ ଜେଲକୁ ଯାଆନ୍ତି। ଯଦି ମନୀଷ ସିସୋଦିଆ, ସଞ୍ଜୟ ସିଂ ଏବଂ ବିଜୟ ନାୟାର ବିଜେପିରେ ଯୋଗ ଦେଉ ନାହାଁନ୍ତି ବୋଲି ଏବେ ଜେଲରେ ଅଛନ୍ତି।

‘ଆମେ ଦୁର୍ନୀତି କରିନାହୁଁ। ଏପରି ଦେଶ ଅଗ୍ରଗତି କରିପାରିବ ନାହିଁ  । କଣ ଚାଲିଛି? ଗଣତନ୍ତ୍ର ପାଇଁ ଏହା ଭୁଲ ଅଟେ  । ଏହାକୁ ବନ୍ଦ କରିବାକୁ ହେବ  । ମୋର ଶରୀର, ମନ ଏବଂ ଧନ ଦେଶ ପାଇଁ  ମୋର ନିଶ୍ୱାସ ଏବଂ ରକ୍ତର ପ୍ରତ୍ୟେକ ବୁନ୍ଦା ଦେଶ ପାଇଁ  । ମୁଁ ଦେଶବାସୀଙ୍କ ସମର୍ଥନ ଆବଶ୍ୟକ କରେ’ ବୋଲି ଗଣମାଧ୍ୟମରେ ନିବେଦନ କରିଛନ୍ତି କେଜ୍ରିୱାଲ  ।

କଂଗ୍ରେସରେ ଯୋଗ ଦେଲେ ୱାଇ ଏସ ଶର୍ମିଳା, ମିଳିପାରେ ଗୁରୁ ଦାୟିତ୍ବ

ଅମରାବତୀ: ଦକ୍ଷିଣରେ ଆହୁରି ମଜବୁତ ହେଲା କଂଗ୍ରେସ । କଂଗ୍ରେସରେ ଯୋଗ ଦେଲେ ୱାଇ ଏସ ଶର୍ମିଳା। ଓ୍ବାଇଏସଆର ତେଲଙ୍ଗାନା ପାର୍ଟିର ପ୍ରତିଷ୍ଠାତା ସଭାପତି ତଥା ଆନ୍ଧ୍ରପ୍ରଦେଶ ମୁଖ୍ଯମନ୍ତ୍ରୀ ଜଗନ ମୋହନ ରେଡୀଙ୍କ ଭଉଣୀ ଓ୍ବାଇଏସ ଶର୍ମିଳା କଂଗ୍ରେସରେ ଯୋଗ ଦେଇଛନ୍ତି।

ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, AICC ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ତେଲଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବା ପରେ ନିଜ ଦଳକୁ କଂଗ୍ରେସରେ ବିଲୀନ କରିବାକୁ ନିଷ୍ପତ୍ତି ନେଇଥିଲେ ଶର୍ମିଳା। ଦଳରେ ସାମିଲ ହେବା ପରେ ଶର୍ମିଳାଙ୍କୁ କଂଗ୍ରେସ ଗୁରୁ ଦାୟିତ୍ବ ଦେବା ସମ୍ଭାବନା ରହିଛି ।

ଗତ ନିର୍ବାଚନରେ କେ. ଚନ୍ଦ୍ରଶେଖର ରାଓଙ୍କ ବିଆରଏସକୁ ଗାଦିଚ୍ଯୁତ କରାଇ ତେଲଙ୍ଗାନାରେ କଂଗ୍ରେସ କ୍ଷମତାକୁ ଆସିଛି। ଲୋକସଭା ନିର୍ବାଚନ ପୂର୍ବରୁ ତେଲଙ୍ଗାନାର ଏହି ରାଜନୈତିକ ସମୀକରଣ କଂଗ୍ରେସ ଲାଗି ବେଶ ଲାଭବାନ ହୋଇପାରେ । ଜଗନ ମୋହନ ରେଡୀ ନେତୃତ୍ବାଧୀନ ଓ୍ବାଇଏସଆରସିପିରେ ଥିବା ଅସନ୍ତୁଷ୍ଟ ନେତାମାନେ କଂଗ୍ରେସରେ ବି ସାମିଲ ହେବା ଆଶା କରାଯାଉଛି।

UAEରେ ବଦଳିଲା ଭାରତୀୟଙ୍କ ଭାଗ୍ୟ, ୪୫ କୋଟି ଟଙ୍କା ଜିତିଲେ

ଆବୁଧାବି: UAEରେ ରହୁଥିବା ଜଣେ ଭାରତୀୟଙ୍କ ଭାଗ୍ୟ ଗୋଟିଏ ଝଟକାରେ ବଦଳି ଯାଇଛି  । ଦୁବାଇରେ ରହୁଥିବା ଏହି ଭାରତୀୟ ମୁନୱର ଫିରୋଜ ପେସାରେ ଜଣେ ଡ୍ରାଇଭର । ଫିରୋଜ ନିକଟରେ ୪୫ କୋଟି ଟଙ୍କା ମୂଲ୍ୟର ଲଟେରୀ ଜିତିଯାଇଛନ୍ତି  । ଗତ ଡିସେମ୍ବର ୩୧ରେ ବିଗ ଟିକେଟ ଲାଇଭ ଡ୍ରରେ ୨୦ ମିଲିୟନ ୟୁଏଇ ଦିରହମର ପୁରସ୍କାର ସେ ଜିତି ଯାଇଛନ୍ତି  ।

ନୂଆ ବର୍ଷରେ ମୁନୱରଙ୍କ ଭାଗ୍ୟ ଉଦୟ ହୋଇଛି  । ସେ ନିଜ ନାମରେ ଯେଉଁ ଟିକେଟ କିଣିଥିଲେ ତାହାକୁ ୩୦ ଜଣ ମିଳିମିଶି କିଣିଥିଲେ  । ଏବେ ପୁରସ୍କାର ରାଶି ଏ ସମସ୍ତଙ୍କ ମଧ୍ୟରେ ବଣ୍ଟାଯିବ  । ଖଲିଜା ଟାଇମ୍ସ ରିପୋର୍ଟ ମୁତାବକ ଦୀର୍ଘଦିନରୁ ମୁନୱର ବିଗ୍‌ ଟିକେଟର ବଡ ଗ୍ରାହକ ଥିଲେ । ସେ ଗତ ୫ ବର୍ଷ ମଧ୍ୟରେ ପ୍ରତି ମାସରେ ଟିକେଟ କିଣୁଛନ୍ତି  । ସେ ଏବେ ବିଶ୍ବାସ କରିପାରୁ ନାହାନ୍ତି ଯେ ସେ ଲଟେରୀ ଟିକେଟ ଜିତି ସାରିଛନ୍ତି  ।

ମୁନୱରଙ୍କ ବ୍ୟତୀତ ଆଉ ୧୦ ବିଜେତାଙ୍କୁ ପାଖାପାଖି ୨୨ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି  । ଏଥିରେ ଭାରତୀୟ, ଫିଲିସ୍ତିନୀ, ଲେବନିସ ଓ ସାଉଦି ଆରବ ନାଗରିକ ଅଛନ୍ତି  । ଗଲ୍ଫ ନ୍ୟଜ ରିପୋର୍ଟ ମୁତାବକ UAE ରେ ଅନେକ ଭାରତୀୟ ଲଟେରୀ ଜିତିଛନ୍ତି  । ଇଞ୍ଜିନିଅର ସୁଥେଶ ପାଖାପାଖି ୨ କୋଟି ଟଙ୍କା ଲଟେରୀରୁ ଜିତିଛନ୍ତି  ।