ମୁମ୍ବାଇ : ଆଜି ହେଉଛି ବର୍ଷର ଶେଷ ଦିନ । ନୂଆବର୍ଷକୁ ସ୍ବାଗତ ଏବଂ ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଚାରିଆଡେ ଉତ୍ସବର ମାହୋଲ୍ । ବଡ ବଡ ହୋଟେଲ୍ ମାନଙ୍କରେ ଜିରୋ ନାଇଟ୍ ସେଲିବ୍ରେସନ୍ ସାଙ୍ଗକୁ ଖାଦ୍ୟପେୟର ଆସର ଜମିବ । ତେବେ ମୁମ୍ବାଇ ନିକଟସ୍ଥ ଥାନା ଗୋଡବନ୍ଦର ରୋଡ୍ ରେ ଗତକାଲି ଏକ ରେଭ୍ ପାର୍ଟିର ଆୟୋଜନ କରାଯାଇଥିଲା । ଏହି ରେଭ୍ ପାର୍ଟିରେ ଯୁବକ ମାନଙ୍କ ବ୍ୟତୀତ ୧୨ ଝିଅଙ୍କୁ ପୋଲିସ୍ ନିଜ ହେପାଜତ୍ ରେ ରଖିଛି । ଏହି ପାର୍ଟି ଟି ଜଣଙ୍କର ଫ୍ଲାର୍ଟରେ ଆୟୋଜିତ କରାଯାଇଥିଲା । ପାର୍ଟିରେ ମଦ, ଗଞ୍ଜେଇ, ଚରସ୍ ଭଳି ବିଭିନ୍ନ ମାଦକ ଦ୍ରବ୍ୟ ଯୋଗାଇଦିଆଯାଇଥିଲା । ତେବେ ନୂଆବର୍ଷ ସେଲିବ୍ରେସନ୍ ର ଠିକ୍ ପୂର୍ବରୁ ମୁମ୍ବାଇ ନିକଟସ୍ଥ ଥାନା ଏହି ରେଭ୍ ପାର୍ଟିର ପର୍ଦାଫାଶ୍ କରିଛି । ମୁମ୍ବାଇ ଠାଣେ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ଏହି ରେଭ୍ ପାର୍ଟିରେ ମିଶିଥିବା ଯୁବକ ଯୁବତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରି ୧୦୦ରୁ ଅଧିକ ଯୁବକଙ୍କୁ ଅଟକ ରଖିଛି । ରେଭ୍ ପାର୍ଟିରେ ଯେଉଁମାନଙ୍କ ଉପରେ ଡ୍ରଗ୍ସ ସେବନ କରିଥିବାର ଅଭିଯୋଗ ରହିଛି ସେମାନଙ୍କ ମଧ୍ୟରୁ ୧୦୦ରୁ ଅଧିକ ଯୁବକଙ୍କୁ ଅଟକ ରଖିବା ପରେ ପୋଲିସ୍ ସେମାନଙ୍କର ମେଡିକାଲ୍ ଯାଞ୍ଚ କରିଛି । ସୂଚନା ଅନୁସାରେ , ଏହି ରେଭ୍ ପାର୍ଟି ମୁମ୍ବାଇ ସ୍ଥିତ ଠାଣେ ର ଗୋଡବନ୍ଦର ରୋଡ୍ ରେ ଆୟୋଜିତ କରାଯାଇଥିଲା । ରେଭ୍ ପାର୍ଟିରେ ଯୁବକ ମାନଙ୍କ ଛଡା ୧୨ ଝିଅଙ୍କୁ ଗିରଫ କରାଯାଇଛି । ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନଙ୍କ ମଧ୍ୟରୁ ଅଧିକ ଜଣ ନିଶା ଖାଉଥିବାର ଜଣାପଡିଛି ।
ଓଡ଼ିଶାରେ ପ୍ରଥମ: ଅବସର ଦିନ ପ୍ରଧାନଶିକ୍ଷକଙ୍କୁ ମିଳିଲା ପେନସନ
ପଟ୍ଟାମୁଣ୍ଡାଇ: ଅବସର ଦିନ ଲାଗୁ ହେଲା ପେନସନ୍ ସୁବିଧା । ଯାହା ଓଡ଼ିଶାରେ ପ୍ରଥମ । ଅବସର ମାତ୍ରେ ପେନସନ୍ ସହ ସବୁ ସୁବିଧା ମିଳିବା ବ୍ୟବସ୍ଥା କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ୟୁପି ସ୍କୁଲର ପ୍ରଧାନଶିକ୍ଷକ ବିଧୁଭୂଷଣ ମହାନ୍ତି ଅବସର ଗ୍ରହଣ କରିବା ସଙ୍ଗେ ସଙ୍ଗେ ତାଙ୍କର ଅବସର କାଳୀନ ସୁବିଧା ପାଇଛନ୍ତି ।
ପୂର୍ବରୁ ଅବସର ନେବା ପରେ ବର୍ଷ ବର୍ଷ ଧରି ପେନସନ ପାଇଁ ଅଫିସକୁ ଦୌଡ଼ିବାକୁ ପଡୁଥିଲା । ହେଲେ 5T ଅଧୀନକୁ ଆସିବା ପରେ ବଦଳିଛି ସ୍ଥିତି । ବିଧୁଭୂଷଣଙ୍କୁ ଅବସର ନେବା ଦିନ ପେନସନ ସହ ଅବସର କାଳୀନ ଛୁଟି ବାବଦ ଅର୍ଥ, ଜିଆରଏସ ଭଳି ସବୁଧା ଦେବାର ବ୍ୟବସ୍ଥା କରିଛି ଶିକ୍ଷା ବିଭାଗ । ଏହା କେବଳ 5T ଯୋଗୁଁ ସମ୍ଭବ ହୋଇଛି । ଏଣିକି ସବୁ କର୍ମଚାରୀଙ୍କୁ ଏମିତି ସୁବିଧା ଯୋଗାଇ ଦିଆଯିବ । ସରକାରୀ କର୍ମଚାରୀ ଅବସର ନେବାର ୬ ମାସ ପୂର୍ବରୁ ସେମାନଙ୍କର କାଗଜପତ୍ର ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ସରକାରୀ କର୍ମଚାରୀ ପ୍ରଥମ ମାସରୁ ହିଁ ପେନସନ ପାଇପାରିବେ ।
ଗଛ କାଟି ବନ୍ଧାହେଲେ ବିଜେପି ସାଂସଦଙ୍କ ଭାଇ
କର୍ଣ୍ଣାଟକ: ପୁଣି ଚର୍ଚ୍ଚାରେ ବିଜେପି ବିଧାୟକ ମହୀଶୂର-କୋଦାଗୁ ବିଜେପି ସାଂସଦ ପ୍ରତାପ ସିହ୍ମା । ପାର୍ଲାମେଣ୍ଟ ଭିତରକୁ ପଶିଥିବା ଯୁବକଙ୍କୁ ପାସ ଦେଇ ବିବାଦରେ ଥିବା ବେଳେ, ଏବେ ନିଜ ଭାଇଙ୍କୁ ନେଇ ଚର୍ଚ୍ଚା । ମନଇଚ୍ଛା ଗଛ କାଟିବା ଅଭିଯୋଗରେ ପ୍ରତାପଙ୍କ ଭାଇ ବିକ୍ରମ ସିହ୍ନାଙ୍କୁ ଗିରଫ କରିଛି କର୍ଣ୍ଣାଟକ ଜଙ୍ଗଲ ବିଭାଗର ସଂଗଠିତ ଅପରାଧ ନିରୋଧୀ ସ୍କ୍ବାଡ ।
କର୍ଣ୍ଣାଟକର ହାସନ ଜିଲ୍ଲା ଅନ୍ତର୍ଗତ ବେଲୁର ତାଲକ ଅଞ୍ଚଳର ନାନ୍ଦାଗୋନ୍ଦାନାହିଲିରେ ଥିବା ଏକ ସରକାରୀ ଜମିରୁ ୧୨୬ଟି ଗଛ କାଟିଥିଲେ ବିକ୍ରମ । ଏନେଇ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରି ଜେରା କରାଯାଉଛି । ତାଙ୍କ ବିରୋଧରେ ଅଭିଯୋଗ ହେବା ପରେ ଇଲେକ୍ଟ୍ରୋନିକ ସର୍ଭେଲାନସ ଜରିଆରେ ବିକ୍ରମଙ୍କୁ ଠାବ କରାଯାଇଥିଲା ।
ଜାନୁଆରୀ ୩ରେ ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ
ବଲାଙ୍ଗୀର: ସାକାର ହେବାକୁ ଯାଉଛି ବଲାଙ୍ଗୀରବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ । ଆସନ୍ତା ୩ ତାରିଖରେ ଲୋକାର୍ପିତ ହେବ ବଲାଙ୍ଗୀରର ଲାଇଫ ଲାଇନ କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର କରିବେ ଲୋକାର୍ପଣ । ପ୍ରକଳ୍ପ ଦ୍ବାରା ୫୦ଟି ପଞ୍ଚାୟତର ୨୦୬ଟି ଗାଁର ଲୋକେ ହେବେ ଉପକୃତ ।
ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ୪୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ । ଏହାସହ ୭୦ ହଜାରରୁ ଅଧିକ ଲୋକ ପିଇବା ପାଣିର ସୁବିଧା ପାଇବେ । ଏହି ପ୍ରକଳ୍ପ ଦ୍ବାରା ଏକ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି ୫ ହଜାର ୨୫୯ କୋଟି ଟଙ୍କା । ଜଳସେଚନ ଓ ପାନୀୟଜଳ ପାଇଁ ଏହି ପ୍ରକଳ୍ପ ହେବ ପ୍ରମୁଖ ବରଦାନ । 5T ଅଧୀନରେ କାମ ତ୍ୱରିତ ହୋଇ ଶେଷ ହେବାକୁ ବସିଛି ।
୨୦୨୩ର ଶେଷ ଦିନ, ରାଜଧାନୀରେ ଅଦିନିଆ ଛାଡ଼ଖାଇ
ଭୁବନେଶ୍ବର: ଆଜି ୨୦୨୩ ଡିସେମ୍ବର ୩୧ ତାରିଖ । ଅର୍ଥାତ ୨୦୨୩ର ଶେଷ ଦିନ । କିଛି ଘଣ୍ଟା ପରେ ୨୦୨୪କୁ ସ୍ବାଗତ କରିବେ ଲୋକେ । ତେବେ ୨୩ର ଶେଷ ଦିନରେ ଆମିଷ ବଜାରରେ ଲାଗିଛି ଲୋକଙ୍କ ଭିଡ଼ । ଏମିତି ଲାଗୁଛି ଅଦିନିଆ ଛାଡ଼ଖାଇ ପାଳୁଛନ୍ତି ରାଜଧାନୀବାସୀ । କିଏ ଘରକୁ ମାଛ, ମାଂସ ବୋହି ନେଉଛି ତ କିଏ ଭୋଜି କରିବାକୁ ବଜାରରେ ଲଗାଇଛି ଆମିଷ ନେବାକୁ ଲାଇନ୍ ।
ନୂଆବର୍ଷର ଆରମ୍ଭକୁ ନିଜ ମନମୁତାବ ଭାବେ ସ୍ବାଗତ କରିବେ । ଏହି ଦିନରେ କିଏ ତୀର୍ଥ ସ୍ଥାନ ଭ୍ରମଣ କରିବାକୁ ମନସ୍ଥ କରିଛି, ତ ଆଉ କେହି ବିଭିନ୍ନ ପର୍ଯ୍ୟଟନସ୍ଥଳରେ ସାଙ୍ଗସାଥୀ ବା ପରିବାର ସହ ସମୟ ବିତାଇବେ । କିନ୍ତୁ ନୂଆବର୍ଷ ଉପଲକ୍ଷେ ପ୍ରଥମ ଚଏସ୍ ଥାଏ ଭୋଜି । ପ୍ରାୟ ପ୍ରତିବର୍ଷ ବାର ସାଙ୍ଗକୁ ତାଳ ଦେଇ ପଡ଼ିଥାଏ ବଡ଼ଦିନ ଏବଂ ନୂଆବର୍ଷ । ହେଲେ ଚଳିତ ବର୍ଷ ସୋମବାରରେ ପଡ଼ିଛି ନୂଆବର୍ଷ । ତଥାପି ଆମିଷ ଖାଉଥିବା ଲୋକଙ୍କ ଖୁସି ବା ଉତ୍କଣ୍ଠା କମିନି । କାରଣ ପୂର୍ବଦିନ ଅର୍ଥାତ୍ ଆଜି ରବିବାର ଥିବାରୁ ଜମିବ ଭୋଜିର ଆସର । ସହରର ପ୍ରମୁଖ ମାର୍କେଟ୍ ୪ ନମ୍ବର ଆମିଷ ମାର୍କେଟ, ୧ ନମ୍ବର ମାଛ ମାର୍କେଟ୍, ବଡ଼ଗଡ଼ ମାଛ ମାର୍କେଟ୍, ଡମଣା ମାଛ ମାର୍କେଟ୍, ଡମଣା ଆଦି ଆମିଷ ମାର୍କେଟରେ ଭିଡ଼ ଲାଗିଛି । ମଟନ ୮ ଶହ, ଦେଶୀ ଚିକେନ ୪୫୦, ପାମ୍ପ୍ଲେଟ ୮୫୦ରୁ ହଜାରେ ୫୦, ଖଈଙ୍ଗା ୪୫୦, କଙ୍କଡା ୧୩ ଶହରୁ୨୫ ଶହ, ଭେକ୍ଟି ୮ ଶହ, ଚିଙ୍ଗୁଡ଼ି ୫ ଶହରୁ ୨୨ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ।
ତେବେ କେବଳ ରାଜଧାନୀ ନୁହେଁ ସାରା ଓଡ଼ିଶାରେ ସମାନ ସ୍ଥିତି । ବିଭିନ୍ନ ବଜାରରେ ଆମିଷ ଦୋକାନ ପାଖରେ ଲାଗିଛି ଲୋକଙ୍କ ଗହଳି ।



