୨୦୨୩ର ଶେଷ ଦିନ, ରାଜଧାନୀରେ ଅଦିନିଆ ଛାଡ଼ଖାଇ

ଭୁବନେଶ୍ବର: ଆଜି ୨୦୨୩ ଡିସେମ୍ବର ୩୧ ତାରିଖ । ଅର୍ଥାତ ୨୦୨୩ର ଶେଷ ଦିନ । କିଛି ଘଣ୍ଟା ପରେ ୨୦୨୪କୁ ସ୍ବାଗତ କରିବେ ଲୋକେ । ତେବେ ୨୩ର ଶେଷ ଦିନରେ ଆମିଷ ବଜାରରେ ଲାଗିଛି ଲୋକଙ୍କ ଭିଡ଼ । ଏମିତି ଲାଗୁଛି ଅଦିନିଆ ଛାଡ଼ଖାଇ ପାଳୁଛନ୍ତି ରାଜଧାନୀବାସୀ । କିଏ ଘରକୁ ମାଛ, ମାଂସ ବୋହି ନେଉଛି ତ କିଏ ଭୋଜି କରିବାକୁ ବଜାରରେ ଲଗାଇଛି ଆମିଷ ନେବାକୁ ଲାଇନ୍ ।

ନୂଆବର୍ଷର ଆରମ୍ଭକୁ ନିଜ ମନମୁତାବ ଭାବେ ସ୍ବାଗତ କରିବେ । ଏହି ଦିନରେ କିଏ ତୀର୍ଥ ସ୍ଥାନ ଭ୍ରମଣ କରିବାକୁ ମନସ୍ଥ କରିଛି, ତ ଆଉ କେହି ବିଭିନ୍ନ ପର୍ଯ୍ୟଟନସ୍ଥଳରେ ସାଙ୍ଗସାଥୀ ବା ପରିବାର ସହ ସମୟ ବିତାଇବେ । କିନ୍ତୁ ନୂଆବର୍ଷ ଉପଲକ୍ଷେ ପ୍ରଥମ ଚଏସ୍‌‌ ଥାଏ ଭୋଜି । ପ୍ରାୟ ପ୍ରତିବର୍ଷ ବାର ସାଙ୍ଗକୁ ତାଳ ଦେଇ ପଡ଼ିଥାଏ ବଡ଼ଦିନ ଏବଂ ନୂଆବର୍ଷ । ହେଲେ ଚଳିତ ବର୍ଷ ସୋମବାରରେ ପଡ଼ିଛି ନୂଆବର୍ଷ । ତଥାପି ଆମିଷ ଖାଉଥିବା ଲୋକଙ୍କ ଖୁସି ବା ଉତ୍କଣ୍ଠା କମିନି । କାରଣ ପୂର୍ବଦିନ ଅର୍ଥାତ୍‌ ଆଜି‌ ରବିବାର ଥିବାରୁ ଜମିବ ଭୋଜିର ଆସର । ସହରର ପ୍ରମୁଖ ମାର୍କେଟ୍‌‌ ୪ ନମ୍ବର ଆମିଷ ମାର୍କେଟ, ୧ ନମ୍ବର ମାଛ ମାର୍କେଟ୍‌‌, ବଡ଼ଗଡ଼ ମାଛ ମାର୍କେଟ୍‌‌, ଡମଣା ମାଛ ମାର୍କେଟ୍‌‌, ଡମଣା ଆଦି ଆମିଷ ମାର୍କେଟରେ ଭିଡ଼ ଲାଗିଛି । ମଟନ ୮ ଶହ, ଦେଶୀ ଚିକେନ ୪୫୦, ପାମ୍ପ୍ଲେଟ ୮୫୦ରୁ ହଜାରେ ୫୦, ଖଈଙ୍ଗା ୪୫୦, କଙ୍କଡା ୧୩ ଶହରୁ୨୫ ଶହ, ଭେକ୍ଟି ୮ ଶହ, ଚିଙ୍ଗୁଡ଼ି ୫ ଶହରୁ ୨୨ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ।

ତେବେ କେବଳ ରାଜଧାନୀ ନୁହେଁ ସାରା ଓଡ଼ିଶାରେ ସମାନ ସ୍ଥିତି । ବିଭିନ୍ନ ବଜାରରେ ଆମିଷ ଦୋକାନ ପାଖରେ ଲାଗିଛି ଲୋକଙ୍କ ଗହଳି ।