spot_img
Home Blog Page 2310

ଶାବର ଶ୍ରୀକ୍ଷେତ୍ରରୁ ଶ୍ରୀମନ୍ଦିକୁ ଆସୁଛି କଳାଜିରା ଚାଉଳ

କୋରାପୁଟ: କୋରାପୁଟର କଳାଜିରା ଚାଉଳ ଶାବର ଶ୍ରୀକ୍ଷେତ୍ରରୁ ଯାଇ ଶ୍ରୀମନ୍ଦିରରେ ପହଞ୍ଚିଛି। ଚାଉଳ ନେଇ ବାହାରିଥିଲେ ଆଦିବାସୀ ମହିଳା। ଜୈବିକ ପଦ୍ଧତିରେ ଉତ୍ପାଦିତ କୋରାପୁଟର କଳାଜିରା ଧାନରୁ ମିଳୁଥିବା ଚାଉଳକୁ ଶ୍ରୀକ୍ଷେତ୍ର ପୁରୀର ଜଗନ୍ନାଥ ମନ୍ଦିର ପ୍ରସାଦରେ ବ୍ୟବହାର କରାଯିବ। ୧୨ ଜଣ ମହିଳା ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପାଖରେ ପ୍ରଥମେ ଅର୍ପଣ କରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପ୍ରଗତି ଓ ଜୈବିକ ଶ୍ରୀ କମ୍ପାନୀ ଦ୍ୱାରା ଏହି ସୁଗନ୍ଧିତ ଚାଉଳକୁ ପ୍ରସ୍ତୁତ କରାଯାଇଛି। କଳାଜିରା ଚାଉଳର ଗୁଣବତ୍ତା ଅନ୍ୟାନ୍ୟ ଚାଉଳ ଅପେକ୍ଷା ଅଧିକ ରହିଛି। ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ଭୋଗ ସମ୍ପୂର୍ଣ୍ଣ ରସାୟନିକ ସାର ମୁକ୍ତ ଶସ୍ୟରେ ପ୍ରସ୍ତୁତ ହେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଆୟୋଜକ।

କଳାଜିରା ଧାନ ଜିଆଇ ଟ୍ୟାଗ ପାଇବା ପରେ କୋରାପୁଟ ଜିଲ୍ଲା ପାଇଁ ଏକ ନୂତନ ପରିଚୟ ଆଣିଦେଇଛି। ଏବେ ଜୟପୁର, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା ସହ ୧୪ ଟି ବ୍ଲକରେ ଏହି ଧାନ ଚାଷ ହେଉଛି। ମୁଖ୍ୟତଃ ଆଦିବାସୀ ମହିଳା ଏହି ଧାନ ଚାଷ କରୁଛନ୍ତି । କୋରାପୁଟ ଜିଲ୍ଳାର ୧୪ ଟି ବ୍ଲକ‌ରେ ୧୮ ଶଙ ଚାଷୀ କଳାଜିରା ଧାନ ଚାଷ କରୁଥିବାବେଳେ ବାର୍ଷିକ ଏକ ଶହ କୁଇଣ୍ଟାଲ ଧାନ ଅମଳ ହେଉଥିବା ଜଣାପଡିଛି।

ନୂଆପଡ଼ା ନୂଆ-ଓ ରେ 5T ଅଧ୍ଯକ୍ଷ, ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତା ମନ୍ତ୍ର

ନୂଆପଡ଼ା: ନୂଆପଡ଼ା ସ୍ଥିତ ନ୍ୟାସନାଲ କଲେଜ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ବିନା କଠିନ ପରିଶ୍ରମରେ ସଫଳତା ହାସଲ କରିହେବ ନାହିଁ। ଏଥିଲାଗି ଭଲ ପାଠ ପଢିବାକୁ ପଡିବ। ଭଲ ପାଠ ପଢିଲେ ଅଧିକ ମାର୍କ, ରାଙ୍କ୍ ରଖିବେ। ହେଲେ ଜୀବନରେ ସଫଳତା ହାସଲ କରିବାକୁ ହେଲେ ଭଲ ପାଠ ପଢିବା ସହ ସାମଗ୍ରିକ ବିକାଶ କରିବାକୁ ପଡିବ। ଏଥିଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ପାଠ ପଢିବା ସହ ପ୍ରତିଭାର ବିକାଶ ହେଲେ ସାମଗ୍ରିକ ବିକାଶ ହେବ। ସାମଗ୍ରିକ ବିକାଶ ହେଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଏଥିଲାଗି ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ କାର୍ଯ୍ୟକ୍ରମ କରିଛନ୍ତି ବୋଲି କହିଛନ୍ତି ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଆହୁରୀ ମଧ୍ୟ କହିଛନ୍ତି, ପ୍ରତିଯୋଗିତାରେ ଭାଗ ନେଲେ ଜୀବନରେ ସଫଳତା ହାସଲ କରିପାରିବେ। ଜିତିବା ଆପଣଙ୍କୁ ଖୁସି ଦେବ ହେଲେ ଭାଗ ନେବା ଜୀବନକୁ ଗୋଟିଏ ଶିକ୍ଷାଦେବ। ପ୍ରତିଯୋଗିତାରେ ହାରିଲେ ଶିଖିବେ। ଜୀବନରେ ଶିଖିବା ଗୁରୁତ୍ଵପୂର୍ଣ୍ଣ। ସଫଳତା ପାଇବାକୁ ହେଲେ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ପଡିବ। ପରିଶ୍ରମ କରିବାକୁ ହେଲେ ଶରୀରକୁ ସୁସ୍ଥ ରଖିବାକୁ ପଡିବ। ଏଥିଲାଗି ଦିନକୁ ଅତି କମରେ ୩୦ ମିନିଟ ବ୍ୟାୟାମ ସହ ମନକୁ ଶାନ୍ତ ରଖିବାକୁ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି। ମନ ଯେତେ ଶାନ୍ତିରେ ରହିବ ସେତିକି ସଫଳତା ହାସଲ କରିବେ। ସୋସିଆଲ ମିଡିଆର କୁପ୍ରଭାବ ଓ ସୁପ୍ରଭାବ ବିଷୟରେ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସୋସିଆଲ ମିଡିଆରେ କମ ସମୟ ଅପଚୟ କରିବାକୁ ପରାମର୍ଶ ଦେଇଛନ୍ତି। ବାପା, ମାଆ ଓ ଗୁରୁଜନଙ୍କୁ ସମ୍ମାନ ଦେଇ ସେମାନଙ୍କ କଥା ଶୁଣିବାକୁ କହିଛନ୍ତି। ଯେଉଁମାନେ ଏ ପଥ ଅନୁସରଣ କରୁନାହାନ୍ତି ସେମାନେ ଆତ୍ମସମୀକ୍ଷା କରନ୍ତୁ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କ ହାତରେ ଅଛି ସେମାନଙ୍କ ଭବିଷ୍ୟତ। ଚାହିଁଲେ ଭବିଷ୍ୟତକୁ ବହୁତ ଉଜ୍ଜଳ କରିପାରିବେ।

ଏହାସହ ଖୁବଶୀଘ୍ର ନୂଆପଡ଼ା ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ଏଥିରେ ଛାତ୍ରଛାତ୍ରୀ ସେମାନଙ୍କ କଲେଜକୁ ୫ ଟଙ୍କା ଦେଇ ଯାତ୍ରା କରିପାରିବେ। ଛାତ୍ରଛାତ୍ରୀଙ୍କ ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀ ଏ ସବୁ କରୁଛନ୍ତି। କେବଳ ଗୋଟିଏ ଉଦ୍ଦେଶ୍ୟ ଯାହା ବି ସ୍ଵପ୍ନ ଦେଖୁଛନ୍ତି ତାହା ସାକାର କରନ୍ତୁ। ସ୍ଵପ୍ନ ସାକାର ହେଲେ ଆପଣ ଆଗକୁ ବଢିବେ ଓଡ଼ିଶା ଆଗକୁ ବଢିବ। ସଶସ୍ତ ଓଡ଼ିଶା ଗଠନ ହେବ। ନୂଆପଡ଼ା ଜିଲ୍ଲାରେ ୩୦ ହାୟର ସେକଣ୍ଡାରୀ ସ୍କୁଲ ଓ କଲେଜର ରୂପାନ୍ତରଣ କାମ ଚାଲିଛି। ଆସନ୍ତା ମାସରୁ ଦେଢ ମାସ ମଧ୍ୟରେ ଏହି ରୂପାନ୍ତରଣ କାମ ସରିବ। ସହରର ବଡ଼ ବଡ଼ କଲେଜର ପିଲା ଯେଉଁ ସୁବିଧା ପାଉଥିଲେ ଏଠାକାର ପିଲାମାନେ ମଧ୍ୟ ଏହି ସୁବିଧା ପାଇବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସ୍କୁଲ ଝିଅଙ୍କୁ କମେଣ୍ଟ ମାରୁଥିବାରୁ ପୁଅକୁ ବିଷ ଦେଇ ମାରିଲା ବାପା

ମହାରାଷ୍ଟ୍ର : ସ୍କୁଲ ଝିଅଙ୍କୁ କମେଣ୍ଟ ମାରୁଥିବାରୁ ପୁଅକୁ ବିଷ ଦେଇ ମାରିଦେଲା ବାପା। ଅଶ୍ଳୀଳ ଭିଡିଓ ଦେଖିବା ସହ ନାବାଳକ ପୁଅ ସ୍କୁଲ ଝିଅଙ୍କୁ କମେଣ୍ଟ କରୁଥିବା ଘଟଣାକୁ ନେଇ ଏଭଳି ଏକ ଜଘନ୍ଯ କାଣ୍ଡ ଘଟାଇଛି ବାପା। ପୁଅକୁ ବିଷ ଦେଇ ହତ୍ଯା କରିଛି ପିଶାଚ ବାପା।  ମହାରାଷ୍ଟ୍ର ସୋଲାପୁର ଅଞ୍ଚଳର ଏ ଘଟଣା।

ପୁଅର ଏଭଳି କାରନାମାରେ ଅତିଷ୍ଠ ହୋଇ ଶେଷରେ ପଶୁ ପାଲଟିଯାଇଥିଲା ବାପା। ବିଜୟ ବଟ୍ଟୁ ନାମକ ବ୍ଯକ୍ତି ଏହି ଜଘନ୍ଯ କାଣ୍ଡ ଘଟାଇଛି। ଅଭିଯୁକ୍ତ ବିଜୟକୁ ଗିରଫ କରିଛି ପୋଲିସ। ଜାନୁଆରୀ ୧୩ ତାରିଖରେ ପୋଲିସ ଜଣେ ନାବାଳକ ନିକୋଜ ହୋଇଯାଇଥିବା ନେଇ ଖବର ଆସିଥିଲା। ଅଭିଯୋଗର କିଛି ସମୟ ପରେ ଏକ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ନେଇ ପୋଲିସ ସୂଚନା ପାଇଥିଲା।ପରିବାର ଲୋକ ଉଦ୍ଧାର ନାବାଳକଙ୍କ ମୃତଦେହ ତାଙ୍କର ପୁଅ ବୋଲି ଚିହ୍ନଟ କରିଥିଲେ। ତେବେ ପୋଷ୍ଟମର୍ଟମ ପରେ ବିଷକ୍ରିୟାରୁ ନାବାଳକର ମୃତ୍ଯୁ ହୋଇଥିବା ଜଣାପଡିଥିଲା। ହତ୍ଯା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ପରିବାର ଲୋକଙ୍କ ବୟାନରେ ତାଳମେଳ ରହୁନଥିବାରୁ ମୃତ ନାବାଳକଙ୍କ ବାପକୁ ସନ୍ଦେହ କରିଥିଲା ପୋଲିସ।

ଅଧିକ ପଚରାଉଚରା ପରେ ପୁଅକୁ ହତ୍ଯା କରିଥିବା ମାନିଥିଲା ପିଶାଚ ବାପା। ତଦନ୍ତ ବେଳେ ପୁଅ ପାଠ ପଢୁନଥିବା କହିଛି ଅଭିଯୁକ୍ତ ବାପା ବିଜୟ। ପୁଅ ମୋବାଇଲ ଫୋନରେ ସବୁବେଳେ ଅଶ୍ଳୀଳ ଭିଡିଓ ଦେଖିବା ସହ ସ୍କୁଲ ଝିଅକୁ କମେଣ୍ଟ କରୁଥିବା କହିଛି ବିଜୟ। ଏହାପରେ ପୁଅକୁ ସାଥିରେ ନେଇ ଥଣ୍ଡା ପାନୀୟରେ ବିଷ ମିଶାଇ ହତ୍ଯା କରିଛି ପିଶାଚ ବାପା। ପୁଅ ଚେତା ହରାଇବା ପରେ ସେଠାରେ ଛାଡ଼ି ଘରକୁ ଚାଲି ଆସିଥିଲା।

 

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପଇ ସୋରେନ

ରାଞ୍ଚି: ଝାରଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ। ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ। ରାଞ୍ଚି ସ୍ଥିତ ରାଜଭବନରେ ରାଜ୍ୟପାଳ ସି.ପି ରାଧାକୃଷ୍ଣନ ଚମ୍ପଇ ସୋରନଙ୍କୁ ଶପଥ ପଠ କରାଇଥିଲେ। ଶପଥ ନେବାର ୧୦ ଦିନ ଭିତରେ ସେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ।

ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ଖାଲି ପଡିଥିଲା। ଜେଏମଏମ ପକ୍ଷରୁ ଚମ୍ପଇଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଥିଲେ। ଚମ୍ପଇ ସୋରେନ ହେମନ୍ତ ସୋରେନଙ୍କ ଘନିଷ୍ଠ ହୋଇଥିବା ବେଳେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ଚମ୍ପଇ ଝାରଖଣ୍ଡ ଟାଇଗର ଭାବେ ମଧ୍ୟ ବେଶ ପରିଚିତ। ସେ ମାତ୍ର ଦଶମ ଶ୍ରେଣୀ ଯାଏ ପାଠ ପଢିଛନ୍ତି । ଝାରଖଣ୍ଡ ଆନ୍ଦୋଳନ ସମୟରେ ଶିବୁ ସୋରେନଙ୍କ ସହଯୋଗୀ ଥିଲେ ଚମ୍ପଇ । ପ୍ରଥମେ ଷଢେଇକଳା ଆସନରୁ ସ୍ୱାଧୀନ ଭାବେ ଲଢି ଜିତିଥିଲେ । ପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଥିଲେ । ଅର୍ଜୁନ ମୁଣ୍ଡା ସରକାରରେ ଚମ୍ପଇ ସୋରେନ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଛନ୍ତି । ୨୦୧୯ରୁ ଝାରଖଣ୍ଡ ସରକାରରେ ମନ୍ତ୍ରୀ ଥିଲେ ଚମ୍ପଇ ସୋରନ।

ବିବାଦୀୟ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କ ପରଲୋକ

ବ୍ୟୁରୋ ରିପୋର୍ଟ: ବିବାଦୀୟ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କର ଦେହାନ୍ତ ହୋଇଛି । ସର୍ଭାଇକାଲ କ୍ୟାନସରରେ ପୀଡିତ ପୁନମଙ୍କର ଦେହାନ୍ତ ହୋଇଥିବା ତାଙ୍କ ମ୍ୟାନେଜର ଜଣାଇଛନ୍ତି। ପୁନମଙ୍କ ଭ୍ୟାରିଫାଇଡ୍ ଇନଷ୍ଟା ଆକାଉଣ୍ଟରେ ଏବାବଦରେ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ହୋଇଥିଲା । କାନପୁର ଥିବା ବାସଭବନରେ ପୁନମ ଅନ୍ତିମ ନିଶ୍ୱାସ ନେଇଥିଲେ ।

ପୁନମ ପାଣ୍ଡେଙ୍କ ଟିମ୍ ଦେଇଥିବା ସୂଚନା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କାନପୁରରେ ହେବ। ତେବେ ଅନ୍ତିମ ସଂସ୍କାରର ସମୟ ନେଇ କୌଣସି ସୂଚନା ଦିଆଯାଇନାହିଁ ।

ପୁନମଙ୍କ ଭ୍ୟାରିଫାଇଡ୍ ଆକାଉଣ୍ଟରେ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଆଜିର ସକାଳ ଆମ ପାଇଁ କଠିନ ଏବଂ ଦୁଃଖଦ ଥିଲା । ଆମେ ଆମର ପୁନମଙ୍କୁ ସର୍ଭାଇକାଲ କ୍ୟାନସର ଯୋଗୁଁ ହରାଇଛୁ। ତାଙ୍କୁ ଭଲପାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୟା ଭାବ ସହିତ ସ୍ୱାଗତ ଜଣାଇଛୁ।

ସୂଚନାଯୋଗ୍ୟ ଯେ, ପୁନମ ୨୦୧୩ ମସିହାରେ ‘ନଶା’ ଫିଲ୍ମ ଜରିଆରେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। ରିୟାଲିଟି ଶୋ ‘ଲକ ଅପ୍’ ସେ ପ୍ରଶଂସା ସାଉଁଟିଥିଲେ ।

ସଜେଇ ହେଲାଣି ରାଜଧାନୀ, କାଲିଠୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତାକାଲିଠୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ପୂରା ବିଶ୍ବରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର, ସଂରକ୍ଷଣ ସହ ସଭିଁଙ୍କ ମନରେ ଓଡ଼ିଆ ଭାଷାପ୍ରେମ ଜାଗ୍ରତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ବିଶାଳ ଭାଷା ମହାକୁମ୍ଭ ରାଜଧାନୀରେ ଆୟୋଜନ ହେବ। କାଲି ଦିନ ସାଢେ ୧୧ଟାରେ ଏକକାଳୀନ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସଙ୍ଗୀତ ଗାନ ସହ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନ ହେବ। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନଠାରୁ ଉଦଯାପନ ଯାଏଁ ୧୭ଟି ବିଶେଷ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।

ସମ୍ମିଳନୀରେ ଅନ୍ତର୍ଜାତୀୟସ୍ତରର ଭାଷାବିତ, ଲେଖକ, ସାହିତ୍ୟିକ ଓ ଭାଷାପ୍ରେମୀ ସାମିଲ ହେବା ନେଇ ସୂଚନା ମିଳିଛି। ଭବିଷ୍ୟତ ପିଢିଙ୍କ ପାଖରେ ଓଡ଼ିଆ ଭାଷାର ଆଦର ବଢାଇବା ସହ ଆଧୁନିକ ଜ୍ଞାନକୌଶଳ ଜରିଆରେ ଭାଷାକୁ ଆଗକୁ ବଢାଇବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଲକ୍ଷ୍ଯ। ସମ୍ମିଳନୀକୁ ନେଇ ପୁରପଲ୍ଲୀରୁ ବିଦେଶରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ବେଶ ଉତ୍ସାହିତ ଅଛନ୍ତି।


                

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ବ୍ୟୁରୋ ରିପୋର୍ଟ:  ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। କିଛିଦିନ ମଧ୍ୟରେ ଏହା ହେଇଛି ଚର୍ଥୁତ ଘଟଣା। ମୃତ ଛାତ୍ର ହେଲେ ଶ୍ରେୟାସ ରେଡ୍ଡୀ ବେନିଗେରି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ତେବେ ଶ୍ରେୟାସ ଆମେରିକା ଓହିଓର ଲିଣ୍ଡର ସ୍କୁଲ ଅଫ ବିଜନେସରେ ପାଠ ପଢ଼ୁଥିଲେ। ଶ୍ରେୟାସଙ୍କ ମୃତ୍ୟୁକୁ ନେଇ ଇଣ୍ଡିଆନ୍ ମିଶନ ଇନ୍ ନ୍ୟୁୱର୍କ ଟ୍ୱିଟରେ ପ୍ରତିକ୍ରିୟା ପ୍ରକାଶ କରିଛି। ସେ ଲେଖିଛନ୍ତି ଯେ, ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଘଟଣାର ତଦନ୍ତ ଚଳାଇଛି ସ୍ଥାନୀୟ ପୋଲିସ । ଆମେରିକାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଶ୍ରେୟାସଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି ।

ଆମେରିକାରେ ସୁରକ୍ଷିତ ନୁହଁନ୍ତି ଭାରତୀୟ ଛାତ୍ର। କିଛିଦିନ ଧରି ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଚଳିତବର୍ଷ ଏହାକୁ ମିଶାଇ ଆମେରିକାରେ ୪ ଜଣ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହେଲାଣି। ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ଚର୍ଥୁତ ମାମଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୀଲ ଆଚାର୍ଯ୍ୟ ନାମକ ଜଣେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ପରଡ୍ୟୁ ବିଶ୍ବବିଦ୍ୟାଳୟ ପରିସରରୁ ନୀଲ ଆଚାର୍ଯ୍ୟଙ୍କ ମୃତଦେହ ମିଳିଥିଲା । ନୀଲ ସେଠାରେ ଥିବା ଜନ୍ ମାର୍ଟିନ୍ସନ୍ କଲେଜରୁ କମ୍ପ୍ୟୁଟର ସାଇନ୍ସ ଏବଂ ଡାଟା ସାଇନ୍ସରେ ଡିଗ୍ରୀ ହାସଲ କରିଥିଲେ। ରବିବାର ସେ ନିଖୋଜ ହୋଇଯିବା ପରେ ସୋମବାର ଦିନ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଅନ୍ୟ ଏକ ମାମଲା, ଜାନୁଆରୀ ୨୯ରେ ବିବେକ ସାଇନି ନାମକ ଜଣେ ଭାରତୀୟ ଛାତ୍ରଙ୍କୁ ଜର୍ଜିଆରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ବିବେକଙ୍କୁ ଛରି ଭୁଶିବା ସହ ହାତୁଡ଼ି ପଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଆକ୍ରମଣକାରୀ ସାଇନିଙ୍କୁ ୫୦ଥର ଛୁରିରେ ଆକ୍ରମଣ କରି ହତ୍ୟା କରିଥିଲେ। ସାଇନି ଆମେରିକାରେ ଏମବିଏ ପଢା ଶେଷ କରିଥିଲେ।

ଅକୁଲ ଧାୱନ ନାମକ ଭାରତୀୟ ଛାତ୍ରଙ୍କର ବି ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଇଲିନୋଇସ୍ ୟୁନିଭରସିଟିରୁ ବୈଦ୍ୟୁତିକ ଇଞ୍ଜିନିୟରିଂ ପଢୁଥିବା ୧୮ବର୍ଷୀୟ ଭାରତୀୟ ଛାତ୍ର ଅକୁଲ ଧାୱନଙ୍କ ମୃତଦେହ ଜାନୁଆରୀ ମାସରେ ମିଳିଥିଲା।

 

୧୬ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା, ୧୭ ଯାତ୍ରୀ ଆହତ

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ ଗଡ଼ ଖୋର୍ଦ୍ଧା ଛକ ନିକଟରେ ସଡକ ଦୁର୍ଘଟଣା । ରାସ୍ତାରେ ଛିଡ଼ା ହୋଇଥିବା ବସକୁ ଧକ୍କା ଦେଲା ହାଇୱା। ଦୁର୍ଘଟଣାରେ ୧୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି। ଗୁଡ଼ାରୀରୁ ୪୨ ଜଣ ଯାତ୍ରୀଙ୍କୁ ନେଇ ବସଟି ଯାଉଥିବାବେଳେ ଖୋର୍ଦ୍ଧା ନିକଟରେ ବସଟି ଠିଆ ହୋଇଥିଲା । ଏହି ସମୟରେ ପଛରୁ ଏକ ହାଇୱା ଆସି ଧକ୍କା ଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ ଓ ହାଇୱାକୁ ଜବତ କରି ମାମଲାର ତଦନ୍ତ କରୁଛି ।

ଅନ୍ୟପଟେ ସାଇକେଲ ଆରୋହୀଙ୍କ ଉପରେ ଚଢିଗଲା ପିକପ୍ ଭ୍ୟାନ। ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ୫୭ ନମ୍ବର ରାଜ୍ୟ ରାଜପଥ କଣ୍ଠାଳିଆ ଛକ ନିକଟରେ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ନହରା ଗାଁର ଖଗେନ୍ଦ୍ର ଭୁଇଁୟା। ଘଟଣା ସ୍ଥଳରେ ଟାୟାର ଜାଳି ରାସ୍ତା ଅବରୋଧ। ଉଭୟ ପାର୍ଶ୍ଵରେ ଅଟକିଛି ଶତାଧିକ ଗାଡ଼ି।

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ। ସନ୍ଧ୍ଯା ୭ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିବାକୁ ଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବ।

କ୍ଯାବିନେଟ ପରେ ପରେ ମନ୍ତ୍ରିପରିଷଦ ବୈଠକ ବସିବ । ଏଥିରେ କାମଚଲା ବଜେଟକୁ ମଞ୍ଜୁରୀ ମିଳିବ । ଆସନ୍ତା ୫ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ।

ମଧୁମେହ ରୋଗ, ଆସ୍ଥାମା ଓ ବିପି ଭଳି ରୋଗର ରାମବାଣ ଏହି ପତ୍ରର ରସ

ବ୍ୟୁରୋ ରିପୋର୍ଟ: ଆଜିକାଲି ସମୟରେ ଅଧିକାଂଶ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଲୋକ ଔଷଧ ଖାଇଥାନ୍ତି। କିନ୍ତୁ ବିନା ଔଷଧରେ ବି ଭଲ ହୋଇପାରିବ ମଧୁମେହ, ଆସ୍ଥାମା ଏବଂ ବିପି ଭଳି ରୋଗ ।

ଆମ ଚାରିପାଖରେ ଏମିତି ଅନେକ ଉଦ୍ଭିଦ ଅଛନ୍ତି ଯାହା ଔଷଧୀୟ ଗୁଣରେ ଭରପୁର ଥାନ୍ତି। ସେଗୁଡ଼ିକୁ ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ। ସେଥିମଧ୍ୟରୁ ସାଦାବାହର ଉଦ୍ଭିଦ ଅନ୍ୟତମ। ଆୟୁର୍ବେଦରେ ସାଦାବାହର ଉଦ୍ଭିଦର ଉଭୟ ପତ୍ର ଓ ଫୁଲକୁ ଔଷଧ ଭାବରେ ବ୍ୟବହାର କରାଯାଏ। ମ୍ୟାଲେରିଆ, ମଧୁମେହ ରୋଗ, ଆସ୍ଥାମା, ବିପି ଭଳି ଗମ୍ଭୀର ରୋଗର ରାମବାଣ ବୋଲି ବିବେଚନା କରାଯାଏ।

ସାଦାବାହର ଏଭଳି ଏକ ଗଛ ଯାହା ସବୁ ଜାଗାରେ ଉପଲବ୍ଧ ଥାଏ। ଅଧିକାଂଶ ଘର ଏବଂ ପାର୍କ ଚାରିପାଖରେ ଥିବା ଖାଲି ଜମିରେ ଏହା ସହଜରେ ମିଳିପାରିବ। ଏହି ଗଛର ଉଚ୍ଚତା ୨ ରୁ ୩ ଫୁଟ ଥିବା ବେଳେ ଏହାର ପତ୍ର ଛୋଟ ଏବଂ ଏହାର ଫୁଲ ଧଳା ଏବଂ ଗୋଲାପୀ ରଙ୍ଗର ହୋଇଥାଏ। ଏହି ଗଛ ପତ୍ରର ରସ ଅନେକ ରୋଗରୁ ମୁକ୍ତି ଦେଇଥାଏ । ସାଦାବାହର ଏକ ଅତ୍ୟନ୍ତ ପ୍ରଭାବଶାଳୀ, ଲାଭଦାୟକ ଔଷଧ ରୂପେ କାମ କରିଥାଏ । ଏହାର ଉଭୟ ପତ୍ର ଏବଂ ଫୁଲକୁ ବ୍ୟବହାର କରାଯାଏ  ।

ଆୟୁର୍ବେଦିକ ଚିକିତ୍ସକ ଡକ୍ଟର ଅମିତ ବର୍ମା କହିଛନ୍ତି ଯେ, ସାଦାବାହର ଗଛକୁ ବେନକା ମଧ୍ୟ କୁହାଯାଏ। ଏହାର ପତ୍ରର ରସ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ବ୍ୟତୀତ ମ୍ୟାଲେରିଆ ଭଳି ରୋଗ ସହିତ ଲଢିବାର କ୍ଷମତା ରହିଛି। ଯଦି ଶରୀର ଦୁର୍ବଳ ଥାଏ ଏବଂ ଆସ୍ଥାମା ରୋଗ ଥାଏ ତେବେ ଏହି ପତ୍ରର ରସ ବାହାର କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହେ । ଏହା ବ୍ୟତୀତ ଏହାର ପତ୍ର ଶୁଖାଯାଇ ପାଉଡର ଭାବରେ ବ୍ୟବହାର କରିପାରିବେ । ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ଶକ୍ତି ବଢିଥାଏ ।

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]