ଅନୁଗୁଳ: କୂଅ ଭିତରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର। ଅନୁଗୁଳ ଜିଲ୍ଲା ବସଲା ପଞ୍ଚାୟତ ମୁଣ୍ଡାଢିପ ସାହିରେ ଘଟିଛି ଅଭାବନୀୟ ଘଟଣା। ମୃତକ ୫ ମାସର ଭାଇଭଉଣୀ।ମୃତକ ସୁନୀଲ ସାହୁଙ୍କ ପୁଅ ସାଇ ଓ ଶ୍ରଦ୍ଧା । ଉଭୟଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ମାଆ ତପସ୍ବିନୀ ସାହୁ ଉଭୟ ଛୁଆଙ୍କୁ ଘରେ ଛାଡ଼ି କ୍ଷୀର ଆଣିବାକୁ ଯାଇଥିଲେ । ପରେ ଘରକୁ ଆସି ଛୁଆଙ୍କୁ ଦେଖିବାକୁ ପାଇନଥିଲେ । ଘରର ଲାଇଟ ବନ୍ଦ ଥିବାବେଳେ ବିଭିନ୍ନ ସ୍ଥାନ ଖୋଜାଖୋଜି କରିବା ପରେ ବି ପିଲାଙ୍କୁ ଦେଖିବାକୁ ପାଇନଥିଲେ । ପରେ ବାଡ଼ିପଟେ ଖୋଜାଖୋଜି କରିବା ପରେ କୂଅରେ ଏକ ଶିଶୁ ଭାସୁଥିବା ଦେଖିବାକୁ ପାଇଥିଲେ । କୂଅରୁ ଉଦ୍ଧାର କରି ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମାଆ କ୍ଷୀର ପାଇ ବାହାରକୁ ଯାଇଥିବାବେଳେ କେହି ବାଡ଼ିପଟୁ ଘରେ ପଶି ଶିଶୁଦୁଇଟିକୁ କୂଅରେ ପକାଇଦେଇଥିବା ଅଭିଯୋଗ ହୋଇଛି । ତେବେ ଛୁଆମାନେ ଘରୁ କୂଅ ନିକଟକୁ କେମିତି ଗଲେ। କିଏ ଏଭଳି ଜଘନ୍ୟକାଣ୍ଡ ଘଟାଇଛି ସେନେଇ କୌଣସି ସୂଚନା ମିଳିପାରିନି ।
ମନମୋହିଲା ସାବିତ୍ରୀଙ୍କ ନୃତ୍ୟ
ଜୟପୁର: ମନୋବଳ ଦୃଢ ଥିଲେ ସବୁକିଛି ସମ୍ଭବ। ଇଛାଶକ୍ତି ଆଗରେ ହାର ମାନେ ଅକ୍ଷମତା । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜୟପୁର ବୋରିଗୁମ୍ମା ବ୍ଲକ ଢୁଟିଗୁଡ଼ା ଗାଁର ସାବିତ୍ରୀ ପୂଜାରୀ । ଏହି ୯ ବର୍ଷର କୁନି ଝିଅକୁ ନେଇ ଏବେ ସବୁଠି ଚର୍ଚ୍ଚା । ବୋରିଗୁମ୍ମା ଦିବ୍ୟାଙ୍ଗ ଉତ୍ସବରେ ଗୋଟିଏ ଗୋଡ଼ରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ଜିଣିଛନ୍ତି ସାବିତ୍ରୀ ।
ସିଏ ନାଚ ହେଉ କି ଖେଳ । ସବୁଥିରେ ଆଗୁଆ । ମନୋବଳ ଓ ଇଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା । ଟିକେ ଭଲ କରି ଦେଖନ୍ତୁ ଏହି କୁନିଝିଅକୁ । ଏହି କୁନି ଝିଅ ଏବେ ସମସ୍ତଙ୍କ ପାଇଁ ସାଜିଛି ପ୍ରେରଣା । ବୋରିଗୁମ୍ମା ବ୍ଲକ ଢୁଟିଗୁଡ଼ା ଗାଁର ସାବିତ୍ରୀ ପୂଜାରୀ । ବୟସ ମାତ୍ର ୯ ବର୍ଷ । ଚାଷୀ ପରିବାରରେ ଜନ୍ମ । ଜନ୍ମ ବେଳୁ ଗୋଟିଏ ଗୋଡ଼ ନାହିଁ କି ହାତର ଆଙ୍ଗୁଠି ବି ନାହିଁ । ତଥାପି ପାଠ, ନାଚ, ଖେଳକୁଦରେ ଅନ୍ୟମାନଙ୍କ ତୁଳନାରେ କୌଣସି ଗୁଣରେ କମ ନୁହେଁ । ତାର ଦୃଢ ମନୋବଳ ଦେଖି ମାଆବାପା ଝିଅର ଅକ୍ଷମତାକୁ ପାସୋରି ଦେଇଥିବାବେଳେ ଝିଅ ମଧ୍ୟ ତାଙ୍କର ଟେକ ରଖିବାକୁ ଯଥାସାଧ୍ୟ ଉଦ୍ୟମ କରୁଛି।
ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ସ୍କୁଲକୁ ଯାଏ ସାବିତ୍ରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଇ ସାଇକେଲ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଛି । ସରକାରଙ୍କ ପ୍ରୋତ୍ସାହନ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତାରେ ପାଠରେ ବି ବେଶ ଆଗରେ ସାବିତ୍ରୀ। ବୋରିଗୁମ୍ମା କ୍ରୀଡ଼ା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ସାମିଲ ହୋଇ ସମସ୍ତଙ୍କ ମନ ଜିତିଛି ସାବିତ୍ରୀ । ତାର ନୃତ୍ୟ ଦେଖଣାହାରୀଙ୍କୁ ବେଶ ପସନ୍ଦ ଆସିଛି।
ବଦଳିଛି କଟକର ପୁରୁଣା ଛତ୍ରବଜାରର ଚେହେରା
କଟକ: ବଦଳିଛି କଟକର ପୁରୁଣା ଛତ୍ରବଜାରର ଚେହେରା । ରାଜ୍ୟ ସରକାରଙ୍କ ସହଯୋଗରେ ଦୀର୍ଘବର୍ଷ ଧରି ଖୋଲା ଆକାଶ ତଳେ ବସୁଥିବା ବ୍ୟବସାୟୀଙ୍କୁ ମିଳିଛି ସ୍ଥାୟୀ ପିଣ୍ଡି । ଆଉ ଖରା ବର୍ଷାରେ ନବସି ନିଜ ପିଣ୍ଡିରେ ବ୍ୟବସାୟ କରୁଛନ୍ତି ବେପାରୀ । ବ୍ୟବସାୟୀଙ୍କ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । କିନ୍ତୁ କିଛି ବ୍ୟବସାୟୀ ପିଣ୍ଡି ଛାଡ଼ି ବାହାରେ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି । ରାସ୍ତା କଡ଼ରେ ବସି ଆବର୍ଜନା ସୃଷ୍ଟି କଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମେୟର ।
କଟକର ସର୍ବ ପୂରାତନ ମାର୍କେଟ ଛତ୍ରବଜାର । ଯେଉଁଠି ଖରାତରାରେ ବସି ବ୍ୟବସାୟୀ ସେମାନଙ୍କ ବେପାର କରୁଥିଲେ । ହେଲେ ଏବେ ସ୍ଥିତି ବଦଳିଛି । ରାଜ୍ୟ ସରକାରଙ୍କ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇ ନେଇଛି ଅର୍ବାନ ହାଟର ରୂପ । ଯେଉଁଠି ବ୍ୟବସାୟୀଙ୍କୁ ପିଣ୍ଡି ସହ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । ସୁରକ୍ଷିତ ଭାବେ କିପରି ବ୍ୟବସାୟ କରିପାରିବେ ସେନେଇ ସିଏମସି ପକ୍ଷରୁ ମଧ୍ୟ ଯୋଗାଇ ଦିଆଯାଇଛି ସହାୟତା । ତେବେ କିଛି ବ୍ୟବସାୟୀ ପିଣ୍ଡି ଛାଡ଼ି ରାସ୍ତାକଡ଼ରେ ସେମାନଙ୍କ ପରିବା ଗଦା କରୁଥିବା ଅଭିଯୋଗ ହୋଇଛି । ଏହାଦ୍ବାରା ପରିବେଶ ନଷ୍ଟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାରଙ୍କ ପ୍ରଚେଷ୍ଟରେ ହୋଇଛି ରୂପାନ୍ତରଣ । ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯାଇ କଟକ ଛତ୍ର ବଜାର ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କ ପାଇଁ ସୁନ୍ଦର ଅର୍ବାନ ହାଟ ନିର୍ମାଣ କରାଯାଇଛି । ତେବେ ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥା କାମ ଠିକରୂପେ କରୁ ନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ସେପଟେ ଅଭିଯୋଗ ପରେ ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମେୟର ।
ଠାକୁରଙ୍କୁ ବି ଛାଡ଼ିଲେନି, ଜାଗୁଳାଇ ଗ୍ରାମ ଦେବତୀ ମନ୍ଦିରରୁ ଚୋରି
ଭୁବନେଶ୍ବର: ଭୁବନେଶ୍ୱରର ମଞ୍ଚେଶ୍ବର ଜାଗୁଳାଇ ଗ୍ରାମ ଦେବତୀ ମନ୍ଦିରରୁ ଚୋରି । ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସମେତ ଜିନିଷ ଲୁଟି ନେଇଛନ୍ତି ଲୁଟେରା ।ଗତକାଲି ବିଳମ୍ବିତ ରାତିରେ ମାଙ୍କୁ ପିନ୍ଧାଯାଇଥିବା ସୁନା ଅଳଙ୍କାର ଚୋରି କରିନେଇଛନ୍ତି ଲୁଟେରା । ମାଙ୍କ ଆଖି ତାଡି ରୂପାର ଆଖି ,ମୁକୁଟ ଓ ପିତଳ ସାମଗ୍ରୀ ଲୁଟି ନେଇଛନ୍ତି । ତିନି ଲୁଟେରାଙ୍କ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମଞ୍ଚେଶ୍ବର ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ ।

