ପାକିସ୍ତାନରେ ହିନ୍ଦୁ ନାବାଳିକାଙ୍କ ଅପହରଣ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ

1 min read

ବ୍ୟୁରୋ ରିପୋର୍ଟ: ପାକିସ୍ତାନରେ ଆଜି ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୧୭ ବର୍ଷିୟା ହିନ୍ଦୁ ନାବାଳିକା ପ୍ରିୟା କୁମାରୀଙ୍କ ଅପହରଣ ଘଟଣାରେ ସିନ୍ଧ ଅଞ୍ଚଳର ଡେରା ମୁରାଦ ଜାମାଲିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଫେବ୍ରୁଆରି ୧୫ରେ ପ୍ରିୟା କୁମାରୀଙ୍କୁ ସ୍ଥାନୀୟ ନୌକଟ ବଜାରରୁ କେତେକ ମୁସଲିମ୍‌ ଯୁବକ ଅପହରଣ କରିନେଇଥିଲେ। ପ୍ରିୟା କୁମାରୀଙ୍କୁ ତୁରନ୍ତ ଉଦ୍ଧାର କରି ତାଙ୍କ ପରିବାରକୁ ହସ୍ତାନ୍ତର କରିବାକୁ ଦାବି କରି ଆଜି ସ୍ଥାନୀୟ ବ୍ୟବସାୟୀ ସଂଘର ନେତା ମୁଖି ମାନକ ଲାଲ, ସେଠ ତାରା ଚାନ୍ଦଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବର୍ତ୍ତମାନ ଶୁଦ୍ଧା ପୋଲିସ ହାତରେ ପ୍ରିୟା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଏ ଘଟଣାକୁ ନେଇ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ପ୍ରବଳ ବିରୋଧ କରାଯାଇଛି। ପ୍ରଧାନମନ୍ତ୍ରୀ ସେହବାଜ୍‌ ସରିଫ୍‌ ଓ ମୁଖ୍ୟମନ୍ତ୍ରୀ ମୁରାଦ ଅଲ୍ଲୀ ସାହାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି । ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବନ୍ଦ ପାଇଁ ଜରୁରୀ ପଦକ୍ଷେପ ନିମନ୍ତେ ଦାବି କରାଯାଇଛି। ଏଥିରେ ଶତାଧିକ ସଂଖ୍ୟାରେ ସ୍ଥାନୀୟ ହିନ୍ଦୁ ବାସିନ୍ଦା ଯୋଗ ଦେଇଥିଲେ।

ଅପହୃତ ପ୍ରିୟାଙ୍କ ବାପା ରମେଶ ଭୀଲ କହିଛନ୍ତି ଯେ, ସେମାନଙ୍କ ଅଭିଯୋଗର ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇନାହିଁ କି ପ୍ରିୟାକୁ ଉଦ୍ଧାର କରିବାକୁ ପ୍ରଚେଷ୍ଟା କରାଯାଉନାହିଁ। ଏହି ଅଞ୍ଚଳରେ ନିୟମିତ ଭାବେ ହିନ୍ଦୁ ନାବାଳିକାଙ୍କୁ ଅପହଣ କରାଯାଉଛି। ବଳପୂର୍ବକ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଇ ବିବାହ କରାଯାଉଥିବାରୁ ସଂଖ୍ୟାଲଘୁ ହିନ୍ଦୁମାନେ ଆତଙ୍କିତ ହୋଇ ରହିଛନ୍ତି।

ସେପଟେ ଯଦି ପ୍ରିୟାଙ୍କୁ ଉଦ୍ଧାର କରାନଯାଏ ତେବେ ଏହି ବିକ୍ଷୋଭ ଦେଶବ୍ୟାପୀ ହେବ ବୋଲି ହିନ୍ଦୁ ସମ୍ପ୍ରଦାୟ ଚେତାବନୀ ଦେଇଛି। ମାନବିକ ଅଧିକାର ଫୋକସ୍ ପାକିସ୍ଥାନ (HRFP) ମଧ୍ୟ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ନିର୍ଯାତନାକୁ ନିନ୍ଦା କରିଛି ।