ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଷ୍ଟମ ଥର ଲାଗି ଜାରି ହୋଇଛି ସମନ । ଆସନ୍ତା ଜାନୁଆରୀ ୧୬ରୁ ୨୦ ମଧ୍ୟରେ ହାଜର ହେବା ଲାଗି ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜାନୁଆରୀ ୧୬ରେ ତଦନ୍ତ ପ୍ରକ୍ରିୟାରେ ସାମିଲ ହେବା ଲାଗି ହେମନ୍ତଙ୍କ ପ୍ରେସ ପରାମର୍ଶଦାତା ଅଭିଷେକ ପ୍ରସାଦଙ୍କୁ ନିର୍ଦ୍ଦେଶ ଦେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ଅର୍ଥଚାଲାଣ ଓ ବେଆଇନ ଖଣି ମାମଲାରେ ହେମନ୍ତକୁ ବାରମ୍ବାର ସମନ ଜାରି କରିଆସୁଛି ଇଡି । ପୂର୍ବରୁ ଅଭିଷେକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିବସବ୍ୟାପୀ ସର୍ଚ୍ଚ ଅପରେସନ କରିଥିଲା । ଦୁର୍ନୀତି ମାମଲାରେ ଅଭିଷେକ ପ୍ରସାଦ ଓ ସାହେବଗଞ୍ଜ ଡେପୁଟି କମିଶନର ରାମ ନିବାସ ଯାଦବଙ୍କ ଘର ସମେତ ୧୨ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାମ ନିବାସଙ୍କ ଘରୁ ୭ ଲକ୍ଷରୁ ଅଧିକ ଟଙ୍କା ଓ ୨୧ଟି କାଟ୍ରିଜ ଜବତ କରିଥିଲା ଇଡି । ପୂର୍ବରୁ ଗତ ୨୦୨୩ ଅଗଷ୍ଟ ୧୪, ଅଗଷ୍ଟ ୨୪, ସେପ୍ଟେମ୍ବର ୯, ସେପ୍ଟେମ୍ବର ୨୩, ଅକ୍ଟୋବର ୪, ଡିସେମ୍ବର ୧୨, ଡିସେମ୍ବର ୩୦ରେ ହାଜର ହେବା ଲାଗି ସମନ ଜାରି କରିଥିଲା ଇଡି ।
ଭିଜିଲାନ୍ସ ଏସପି ପରିଚୟ ଦେଇ ଠକୁଥିବା ଅଧ୍ୟାପକଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ବର: ପୋଲିସ ଜାଲରେ ଠକ ଅଧ୍ୟାପକ । ନିଜକୁ ଭିଜିଲାନ୍ସ ଏସପି ପରିଚୟ ଦେଇ ଠିକାଦାରଙ୍କୁ ଲଗାଇଥିଲେ ୭ ଲକ୍ଷ ୬୦ ହଜାର ଟଙ୍କା ଚୂନ । ପେଶା ଶିକ୍ଷାଦାନ ହୋଇଥିବା ବେଳେ ଅଧ୍ୟାପକଙ୍କ କାମ ଥିଲା ଅନ୍ୟଙ୍କୁ ଚୂନ ଲଗାଇ ସେମାନଙ୍କ ପାଖରୁ ଟଙ୍କା ଲୁଟିବା ।
ଅଭିଯୋଗ ଅନୁସାରେ, ଗତବର୍ଷ ମେ’ ୩୧ ତାରିଖରେ ରାୟଗଡା ଅଞ୍ଚଳର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାର ଏହି ଠକେଇ ନେଇ ଅଭିଯୋଗ କରିଥିଲେ । ଏତଲା ଆଧାରରେ ଅଭିଯୁକ୍ତ ମନୋଜ କୁମାର ମାଝୀଙ୍କୁ ଗିରଫ କରିଛି ପୋଲିସ । ଏତଲାକାରୀଙ୍କୁ ଠକ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଭିଜିଲାନ୍ସ କାର୍ଯ୍ୟାଳୟର କନଷ୍ଟ୍ରକସନ କାମ ହେବ ବୋଲି କହିଥିଲେ । ଠିକାଦାରଙ୍କୁ କାମ ଦେବା ପାଇଁ ୧୦ ଲକ୍ଷ ଟଙ୍କା ମାଗିଥିଲା ଠକ । ଏପରିକି ବିଶ୍ବାସ ଜନ୍ମାଇବା ପାଇଁ କିଛି କାଗଜପତ୍ର ଦେଇଥିଲା ଠକ । ଏହାପରେ ମନୋଜକୁ ପ୍ରଥମେ ଅନଲାଇନରେ ୫ ଲକ୍ଷ ଓ ପରେ ୨ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ ଅଭିଯୋଗକାରୀ । ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇ ନଥିଲା ଅଭିଯୁକ୍ତ । ତଦନ୍ତ ପରେ କେସ ନମ୍ବର ୫୦ ଦଫା ୪୧୯, ୪୨୦, ୪୬୭, ୪୬୮ ଓ ଆଇଟି ଆକ୍ଟରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।
ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ । ଅଭିଯୁକ୍ତ ନାଁରେ ଟଙ୍କା ଠକେଇ ନେଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ୫ଟି ମାମଲା ସହ ଗଞ୍ଜାମ, ପୁରୀ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି । ମନୋଜ ମାଝୀଠାରୁ ୨ ଲକ୍ଷ ୬୦ ହଜାର ନଗଦ ଟଙ୍କା, ଗୋଟିଏ ମୋବାଇଲ, ୬ଟି ଏଟିଏମ କାର୍ଡ ଜବତ ହୋଇଛି ।
ନିର୍ବାଚନ ପ୍ରସ୍ତୁତି: ଦିବ୍ୟାଙ୍ଗଙ୍କ ପାଇଁ ଅଧିକ ହ୍ବିଲଚେୟାର ମଗାଇଲେ ରାଜ୍ୟ ସରକାର
ଭୁବନେଶ୍ବର: ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ, ଦିବ୍ୟାଙ୍ଗଙ୍କ ପାଇଁ ମଗାଯାଇଛି ଅଧିକ ହ୍ବିଲଚେୟାର । ଯେଉଁଠି ଅଧିକ ଆବଶ୍ୟକ ଅଛି, ସେଠାରେ ଅଧିକ ହ୍ବିଲଚେୟାର ଦିଆଯିବ । ନିର୍ବାଚନ ପାଇଁ ପାଖପାଖି ୩ ଲକ୍ଷରୁ ଅଧିକ ହ୍ବିଲ ଚେୟାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ବୁଥ ପିଛା ଗୋଟେ ହ୍ବିଲଚେୟାର ବ୍ୟବସ୍ଥା କରାଯାଉଥିଲା । ଏବେ ବୁଥ ପିଛା ଦୁଇଟି ହ୍ବିଲଚେୟାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
ଜନଗଣନା ଅନୁସାରେ ଯେଉଁ ଅଞ୍ଚଳରେ ଅଧିକ ଦିବ୍ୟାଙ୍ଗ ଥିବେ, ସେଠାରେ ବୁଥ ପିଛା ୫ଟି ହ୍ବିଲଚେୟାରର ବ୍ୟବସ୍ଥା କରାଯିବ । ଯେହେତୁ ଓଡ଼ିଶାରେ ହ୍ବିଲଚେୟାର ନିର୍ମାଣ କମ୍ପାନୀ ନାହିଁ, ସେଥିପାଇଁ କାନପୁରରେ ଥିବା କେନ୍ଦ୍ର ସରକାରଙ୍କ ଏକ ମାତ୍ର ସ୍ୱୀକୃତି ପ୍ରାପ୍ତ ନିର୍ମାଣକାରୀ ସଂସ୍ଥା ALIMCOକୁ ଆବଶ୍ୟକତା ଅନୁସାରେ ବରାଦ ଦିଆଯାଇଛି । ହ୍ବିଲଚେୟାର ଆବଶ୍ୟକତା ଯେମିତି କମ ନହେବ ସେଥିପାଇଁ ଅତିରିକ୍ତ ୫ ପ୍ରତିଶତ ହ୍ବିଲଚେୟାର ବରାଦ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।
ଶିଶୁର ମୁଣ୍ଡ ଧରି ବୁଲୁଥିଲା କୁକୁର, ଜବତ କଲା ପୋଲିସ
ଯାଜପୁର: ଗାଁ ଦାଣ୍ଡରେ ଏକ ଶିଶୁର ମୁଣ୍ଡ ଧରି ବୁଲୁଥିଲା କୁକୁର । ଗାଁ ଲୋକ ଦେଖିବା ପରେ ପଡ଼ିଗଲା ହଇଚଇ । ଘଟଣା ଘଟିଛି ଯାଜପୁର ରୋଡ ଥାନା ଶଙ୍ଖଚିଲା ରାଧାନଗର ଗାଁରେ ।
ଗାଁର ଜଣେ ବ୍ୟକ୍ତିଙ୍କ ଖଳାରୁ ଉଦ୍ଧାର ହେଲା ଶିଶୁର କଟାମୁଣ୍ଡ । କଟା ମୁଣ୍ଡକୁ କୁକୁର ଖାଉଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି କଟାମୁଣ୍ଡକୁ ଜବତ କରିଛି । ମୃତ ଶିଶୁର ପରିଚୟ ମିଳିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।
ବ୍ରିଟେନ ଉଚ୍ଚାୟୁକ୍ତଙ୍କ POK ଗସ୍ତକୁ ନେଇ ବିବାଦ, ଭାରତର କଡ଼ା ବିରୋଧ
ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀର (POK)କୁ ବ୍ରିଟେନ ଉଚ୍ଚାୟୁକ୍ତଙ୍କ ଗସ୍ତକୁ ନେଇ ବଢ଼ିଲା କୂଟନୈତିକ ବିବାଦ । ବ୍ରିଟେନ ଉଚ୍ଚାୟୁକ୍ତଙ୍କ ଏହି ଗସ୍ତକୁ ଦୃଢ଼ ବିରୋଧ କରିଛି ଭାରତ । ଏହା ଭାରତର ସାର୍ବଭୌମତ୍ବ ଓ ସୀମାଗତ ସଂହତି ଉପରେ ଚାଲେଞ୍ଜ ବୋଲି ଭାରତ ତରଫରୁ କୁହାଯାଇଛି ।
ଗତ ଜାନୁଆରୀ ୧୦ ତାରିଖରେ ଇସଲାମବାଦରେ ନିଯୁକ୍ତ ବ୍ରିଟେନ ଉଚ୍ଚାୟୁକ୍ତ ଜାନେ ମାରିଅଟ ପାକ୍ ଅଧିକୃତ କାଶ୍ମୀର ଅନ୍ତର୍ଗତ ମିରପୁର ଗସ୍ତ କରିଥିଲେ । ଏହି ଗସ୍ତକୁ ନେଇ ଉତକ୍ଷିପ୍ତ ହୋଇଛି ଭାରତ । ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ ଏହି ଗସ୍ତକୁ ବିରୋଧ କରାଯିବା ସହ ଭାରତର ସାର୍ବଭୌମତ୍ବ ଓ ସୀମାଗତ ସଂହତି ଉପରେ ଚାଲେଞ୍ଜ ବୋଲି କହିଛି ମନ୍ତ୍ରାଳୟ । ଏନେଇ ଭାରତସ୍ଥିତ ବ୍ରିଟେନ ଉଚ୍ଚାୟୁକ୍ତଙ୍କ ନିକଟରେ ପ୍ରତିବାଦ ଜଣାଇଛନ୍ତି ବୈଦେଶିକ ସଚିବ ବିନୟ ମୋହନ ।
ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି- ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ ଅଙ୍ଗ । ଏହା ସଦାବେଳେ ଭାରତ ସହ ରହିବ । ସେପଟେ ଗସ୍ତ ପରେ ଜାନେ ମାରିଅଟ କହିଛନ୍ତି, ‘ପ୍ରାୟ ୭୦ ପ୍ରତିଶତ ବ୍ରିଟିଶ ପାକିସ୍ତାନୀ ହେଉଛନ୍ତି ମିରପୁରର ମୂଳ ବାସିନ୍ଦା । ଏପରିକି ମିରପୁରକୁ ସେ ସଲାମ ଜଣାଇବା ସହ ଏହି ଅଞ୍ଚଳ ବ୍ରିଟେନ ଓ ପାକିସ୍ତାନବାସୀଙ୍କ ବନ୍ଧନର ପ୍ରତୀକ ।’
ଜାନେ ମାରିଅଟଙ୍କ ବିରୋଧରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପଦକ୍ଷେପ ନିଅନ୍ତୁ ବୋଲି ଦାବି ଉଠିବାରେ ଲାଗିଛି । ପୂର୍ବରୁ ୨୦୨୩ ଅକ୍ଟୋବରରେ ପାକ୍ ଅଧିକୃତ କାଶ୍ମୀରର ଗିଲଗିଟ ବାଲତିସ୍ତାନକୁ ପାକିସ୍ତାନରେ ନିଯୁକ୍ତ ଆମେରିକା ରାଷ୍ଟ୍ରଦୂତ ଡାଭିଡ ବ୍ଲୋମ ଗସ୍ତ କରିଥିଲେ । ଏହାକୁ ନେଇ କୂଟନୈତିକ ସ୍ତରରେ ବିବାଦ ଦେଖାଦେଇଥିଲା । ଏନେଇ ଆମେରିକା ନିକଟରେ ନିଜର କ୍ଷୋଭ ପ୍ରକାଶ କରିଥିଲେ ଭାରତ ସରକାର ।
ଗାଜା ଯୁଦ୍ଧକୁ ୧୦୦ ଦିନ, କେବେ ବନ୍ଦ ହେବ ନରସଂହାର ?
ନୂଆଦିଲ୍ଲୀ: ଇସ୍ରାଏଲ ହମାସ ଯୁଦ୍ଧପୁ କରୁଛି ୧୦୦ ଦିନ । ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଥମିବା ବଦଳରେ କାୟା ମେଲାଇବାରେ ଲାଗିଛି । ଏହି ଶହେ ଦିନ ଭିତରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ହେଲେଣି ବାସହରା । ଇସ୍ରାଏଲର ଆକ୍ରମଣରେ ଗାଜା ପଟ୍ଟି ଛାରଖାର ହେବାରେ ଲାଗିଛି । ତଥାପି ଆତଙ୍କବାଦୀ ସଙ୍ଗଠନ ହମାସ ପଛକୁ ହଟୁନି କି ଇସ୍ରାଏଲ ଆକ୍ରମଣ ବନ୍ଦ କରୁନି ।
ଶହେ ଦିନର ଯୁଦ୍ଧ ପ୍ରାୟ ୩୦ ହଜାର ଲୋକଙ୍କ ଜୀବନ ନେଇ ସାରିଛି । ଲକ୍ଷାଧିକ ଲୋକ ଜୀବନ ବଞ୍ଚାଇବାକୁ ନିଜ ଭିଟାମାଟି ଛାଡିଛନ୍ତି । ସମଗ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନେଇ ଜାରି ରହିଛି ଅସ୍ଥିରତା । ଏହା ସତ୍ତ୍ବେ ଥମିବାର ନାଁ ନେଉନି ଯୁଦ୍ଧ । ତେଣେ ହମାସକୁ ପରାସ୍ତ କରିବା ଲାଗି ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଇରାନ ସମର୍ଥିତ ହାଉଥି ସଂଗଠନକୁ ଦମନ ଲାଗି ଆମେରିକା ଓ ବ୍ରିଟେନର ଯୁଦ୍ଧଂ ଦେହୀ ଅଭିଯାନ ଜାରି ରହିଛି । ଗତ ଅକ୍ଟୋବର 7 ରେ ହୋଇଥିବା ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକ ପଣବନ୍ଦୀ ରହିଛନ୍ତି ।
ଜାଣନ୍ତୁ ଯୁଦ୍ଧକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତର ଘଟଣା କ୍ରମ…
- ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ପକ୍ଷରୁ ଆକ୍ରମଣ
- ୨୪୦ ଲୋକଙ୍କୁ ପଣବନ୍ଦୀ କଲେ ହମାସ ଆତଙ୍କବାଦୀ
- ଅକ୍ଟୋବର ୮ରେ ଇସ୍ରାଏଲର ସୀମାରେ ଲେବାନନର ହେଜବୁଲ୍ଲା ସଙ୍ଗଠନର ଆକ୍ରମଣ
- ଅକ୍ଟୋବର ୧୩ରେ ଉତ୍ତର ଗାଜା ଛାଡିବା ଲାଗି ଇସ୍ରାଏଲର ନିର୍ଦ୍ଦେଶ
- ପ୍ରାୟ ୧୦ ଲକ୍ଷ ଲୋକ ଛାଡିଥିଲେ ଗାଜା ସହର
- ଅକ୍ଟୋବର ୧୭ରେ ଅଲ-ଆଲି-ଆରବି ହସ୍ପିଟାଲରେ ବିସ୍ଫୋରଣ, ଶତାଧିକ ଲୋକଙ୍କ ମୃତ୍ଯୁ
- ଅକ୍ଟୋବର ୧୯ରେ ୟେମେନରୁ ନିକ୍ଷେପ ମିଜାଇଲକୁ ନଷ୍ଟ କଲା ଆମେରିକାର ନୌ-ଜାହାଜ
- ଅକ୍ଟୋବର ୨୧ରେ ରାଫା ସୀମା ଦେଇ ଇଜିପ୍ଟରୁ ଗାଜାକୁ ରିଲିଫ ସହାୟତା ପ୍ରଦାନ ପ୍ରକ୍ରିୟା ଆରମ୍ଭ
- ନଭେମ୍ବର ୧୫ରେ ଗାଜାର ସର୍ବବୃହତ ହସ୍ପିଟାଲ ଅଲ ସିଫାରେ ଇସ୍ରାଏଲର ଆକ୍ରମଣ
- ନଭେମ୍ବର ୨୧ରେ ପ୍ରଥମ ଥର ଲାଗି ଅସ୍ତ୍ରବିରତି ଘୋଷଣା, ପଣବନ୍ଦୀ ମୁକ୍ତି ପ୍ରକ୍ରିୟା ଆରମ୍ଭ
- ଡିସେମ୍ବର ୧୫ରେ ଗାଜାରେ ଭୁଲ୍ କ୍ରମେ ୩ ପଣବନ୍ଦୀଙ୍କୁ ହତ୍ଯା କଲା ଇସ୍ରାଏଲ
- ଜାନୁଆରୀ ୧୧ରେ ୟେମେନର ହାଉଥି ସ୍ଥଳୀ ଉପରେ ବ୍ରିଟେନ ଓ ଆମେରିକାର ଏୟାର ଷ୍ଟ୍ରାଇକ
- ଜାନୁଆରୀ ୧୨ରେ ଇସ୍ରାଏଲ ବିରୋଧରେ ଦକ୍ଷିଣ ଆଫ୍ରିକାର ଅଭିଯୋଗ ନେଇ ଆନ୍ତର୍ଜାତିକ ନ୍ୟାୟାଳୟର ଶୁଣାଣି
କୋକେନ ଜବତ ଜାହାଜ ଏମଭି ଦେବୀ ପାନ୍ନାମାରୁ ପଡି ଜଣେ ସଦସ୍ୟ ଆହତ
ପାରାଦୀପ: ପାରାଦୀପ ପିଆଇସିଟି ବର୍ଥର ଜାହାଜରୁ କୋକେନ ଜବତ ଘଟଣା । ଏମଭି ଦେବୀ ପାନ୍ନାମା ଜାହାଜରୁ ପଡି ଜାହାଜର ଜଣେ ସଦସ୍ଯ ଆହତ । ବନ୍ଦରର ଆଙ୍କରେଜ ଏରିଆରେ ଏଭଳି ଘଟଣା ଘଟିଛି । ଆହତ ହୋଇଥିବା ଜାହାଜର କ୍ରୁ ସଦସ୍ୟ ହେଲେ ବୋଇଂ ଙ୍କୁ ହୁଁ । ତାଙ୍କ ମୁହଁ ଓ ହାତରେ ଲାଗିଛି ଗଭୀର ଆଘାତ । ଜାହାଜରୁ ଗଳି ପଡିବା ପରେ ଜାହାଜ ଫ୍ୟାନରେ କଟିଥିବା ଅନୁମାନ କରାଯାଉଛି । ତାଙ୍କୁ ବନ୍ଦର ଚିକିତ୍ସାଳୟରୁ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଗତ ଡିସେମ୍ବର ୧ ତାରିଖରେ ପାରାଦୀପ ବନ୍ଦରରୁ ଜବତ ହୋଇଥିଲା ୨ ଶହ ୨୦ କୋଟି ଟଙ୍କାର କୋକେନ । ଏମଭି-ଦେବୀ ପାନାମା ନାମକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ କରିଥିଲା କଷ୍ଟମସ ବିଭାଗ । ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିଲା । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଏହି ଜାହାଜ ଡେନମାର୍କ ଯାଇଥାନ୍ତା ।
ଷ୍ଟିଲ ପ୍ଲେଟ ଲୋଡ଼ ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମ୍ସ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣାପଡ଼ିଥିଲା । ସନ୍ଦେହରେ ଭୁବନେଶ୍ବରରୁ ଡ୍ରଗ ଡିଟେକ୍ସନ ଟିମକୁ ଯୋଗାଯୋଗ କରିବା ପରେ ଏହା ମାରାତ୍ମକ ନିଶାଦ୍ରବ୍ୟ କୋକେନ ବୋଲି ଜଣାପଡିଥିଲା ।
ଆଜି ମହାପ୍ରଭୁ ଜଗନ୍ନାଥଙ୍କ ନବାଙ୍କ ବେଶ
ପୁରୀ: ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନବାଙ୍କ ବେଢା ସହ ନବାଙ୍କ ବେଶ । ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଲାଣ ଓ ଫୁଲ ମେଲାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ । ନବାଙ୍କ ସହ ମହାପ୍ରଭୁଙ୍କ ଚାଉଳ ମେଲାଣ ଓ ଫୁଲ ମେଲାଣ ଉତ୍ସବ ମଧ୍ୟ ସମ୍ପନ୍ନ କରାଯିବ ।
ଏହି ଅବସରରେ ତୁଳସୀ ଓ ଫୁଲ ଅଳଙ୍କାରରେ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗ ବିମଣ୍ଡିତ କରାଯିବ । ବଡ଼ସିଂହାର ବେଶରେ ସୋଲ ଓ ଜରି, କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୁଷକ, କୁଣ୍ଡଳ ଡଡଗୀ ଇତ୍ୟାଦି ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଲାଗି କରାଯାଇଥାଏ । ହେଲେ ନବାଙ୍କ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ର ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ, ମୁଷକ ଇତ୍ୟାଦି ଧାରଣ କରିଥାନ୍ତି । ଏଥିସହ ରତ୍ନସିଂହାସନ ମଧ୍ୟ ଗେଣ୍ଡୁ ଫୁଲରେ ସୁସଜ୍ଜିତ କରାଯାଇଥାଏ । ଶ୍ରୀମନ୍ଦିର ଦକ୍ଷିଣ ଘରୁ ମଦନମୋହନ ରତ୍ନସିଂହାସନକୁ ବିଜେ ହେବେ । ରାତ୍ରରେ ବଡସିଂହାର ଭୋଗ ସରିବା ପରେ ଠାକୁର ରତ୍ନସିଂହାସନ ଚତୁଃପାର୍ଶ୍ବରେ ପରିକ୍ରମା କରିବେ । ଆସନ୍ତାକାଲି ମହାପ୍ରଭୁଙ୍କ ମକର ସଂକ୍ରାନ୍ତି । ମକର ଚଉରାସୀ ବେଶରେ ମହାପ୍ରଭୁ ଦର୍ଶନ ଦେବେ ଭକ୍ତଙ୍କୁ ।
https://www.youtube.com/watch?v=mAbM4jdrMWk
ରେଶମ ସହରରେ ତେଲୁଗୁ ସମ୍ପ୍ରଦାୟ ଲୋକଙ୍କ ଭୋଗୀ ଉତ୍ସବ
ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁର ଧୁମଧାମରେ ପାଳନ ହେଉଛି ଭୋଗୀ ଉତ୍ସବ । ତେଲୁଗୁ ସମ୍ପ୍ରଦାୟଙ୍କ ଏହି ଉତ୍ସବକୁ ନେଇ ଚଳଚଞ୍ଚଳ ବ୍ରହ୍ମପୁର ସହର । ଗତକାଲି ବିଳମ୍ବିତ ରାତିରୁ ସହରର ସାହି ଓ ଗଳି କନ୍ଦିରେ ଭୋଗୀ ନିଆଁ ଜାଳିବା ସହ ନାଚଗୀତରେ ମସଗୁଲ ହୋଇଛନ୍ତି ଲୋକେ । ଡିଜେ ଗୀତର ତାଳେ ତାଳେ ନାଚି ଉଠିଥିଲେ ସମସ୍ତେ ।
ଭୋଗୀ ଓ ମକର ସଂକ୍ରାନ୍ତି ପାଳନ ପାଇଁ ବାହାରେ ରହୁଥିବା ତେଲୁଗୁ ସମ୍ପ୍ରଦାୟର ଲୋକେ ନିଜ ଘରକୁ ଆସି ବେଶ ମଜା ଉଠାଉଛନ୍ତି । ମକର ସଂକ୍ରାନ୍ତିକୁ ତେଲୁଗୁ ନୂଆବର୍ଷ ଭାବେ ପରିଗଣିତ କରାଯାଉଥିବାରୁ ଭୋଗୀ ଦିନ ପୁରୁଣାବର୍ଷକୁ ବିଦାୟ ଦେଇଥିଲେ । ଏହାସହ ଭୋଗି ନିଆଁରେ ସମସ୍ତ ରାଗ ରୁଷା ପାଉଁଶ ହୋଇ ନୂଆ ସଂଙ୍କଳ୍ପ ଓ ନୂଆ ଆଶା ନେଇ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ତେଲୁଗୁ ସମ୍ପ୍ରଦାୟର ଲୋକେ ।

