ବ୍ରିଟେନ ଉଚ୍ଚାୟୁକ୍ତଙ୍କ POK ଗସ୍ତକୁ ନେଇ ବିବାଦ, ଭାରତର କଡ଼ା ବିରୋଧ

1 min read

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀର (POK)କୁ ବ୍ରିଟେନ ଉଚ୍ଚାୟୁକ୍ତଙ୍କ ଗସ୍ତକୁ ନେଇ ବଢ଼ିଲା କୂଟନୈତିକ ବିବାଦ । ବ୍ରିଟେନ ଉଚ୍ଚାୟୁକ୍ତଙ୍କ ଏହି ଗସ୍ତକୁ ଦୃଢ଼ ବିରୋଧ କରିଛି ଭାରତ ।  ଏହା ଭାରତର ସାର୍ବଭୌମତ୍ବ ଓ ସୀମାଗତ ସଂହତି ଉପରେ ଚାଲେଞ୍ଜ ବୋଲି ଭାରତ ତରଫରୁ କୁହାଯାଇଛି ।

ଗତ ଜାନୁଆରୀ ୧୦ ତାରିଖରେ ଇସଲାମବାଦରେ ନିଯୁକ୍ତ ବ୍ରିଟେନ ଉଚ୍ଚାୟୁକ୍ତ ଜାନେ ମାରିଅଟ ପାକ୍ ଅଧିକୃତ କାଶ୍ମୀର ଅନ୍ତର୍ଗତ ମିରପୁର ଗସ୍ତ କରିଥିଲେ । ଏହି ଗସ୍ତକୁ ନେଇ ଉତକ୍ଷିପ୍ତ ହୋଇଛି ଭାରତ । ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ ଏହି ଗସ୍ତକୁ ବିରୋଧ କରାଯିବା ସହ ଭାରତର ସାର୍ବଭୌମତ୍ବ ଓ ସୀମାଗତ ସଂହତି ଉପରେ ଚାଲେଞ୍ଜ ବୋଲି କହିଛି ମନ୍ତ୍ରାଳୟ । ଏନେଇ ଭାରତସ୍ଥିତ ବ୍ରିଟେନ ଉଚ୍ଚାୟୁକ୍ତଙ୍କ ନିକଟରେ ପ୍ରତିବାଦ ଜଣାଇଛନ୍ତି ବୈଦେଶିକ ସଚିବ ବିନୟ ମୋହନ ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି- ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ ଅଙ୍ଗ । ଏହା ସଦାବେଳେ ଭାରତ ସହ ରହିବ । ସେପଟେ ଗସ୍ତ ପରେ ଜାନେ ମାରିଅଟ କହିଛନ୍ତି, ‘ପ୍ରାୟ ୭୦ ପ୍ରତିଶତ ବ୍ରିଟିଶ ପାକିସ୍ତାନୀ ହେଉଛନ୍ତି ମିରପୁରର ମୂଳ ବାସିନ୍ଦା । ଏପରିକି ମିରପୁରକୁ ସେ ସଲାମ ଜଣାଇବା ସହ ଏହି ଅଞ୍ଚଳ ବ୍ରିଟେନ ଓ ପାକିସ୍ତାନବାସୀଙ୍କ ବନ୍ଧନର ପ୍ରତୀକ ।’

ଜାନେ ମାରିଅଟଙ୍କ ବିରୋଧରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପଦକ୍ଷେପ ନିଅନ୍ତୁ ବୋଲି ଦାବି ଉଠିବାରେ ଲାଗିଛି । ପୂର୍ବରୁ ୨୦୨୩ ଅକ୍ଟୋବରରେ ପାକ୍ ଅଧିକୃତ କାଶ୍ମୀରର ଗିଲଗିଟ ବାଲତିସ୍ତାନକୁ ପାକିସ୍ତାନରେ ନିଯୁକ୍ତ ଆମେରିକା ରାଷ୍ଟ୍ରଦୂତ ଡାଭିଡ ବ୍ଲୋମ ଗସ୍ତ କରିଥିଲେ । ଏହାକୁ ନେଇ କୂଟନୈତିକ ସ୍ତରରେ ବିବାଦ ଦେଖାଦେଇଥିଲା । ଏନେଇ ଆମେରିକା ନିକଟରେ ନିଜର କ୍ଷୋଭ ପ୍ରକାଶ କରିଥିଲେ ଭାରତ ସରକାର ।