ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଷ୍ଟମଥର ଲାଗି ଇଡିର ସମନ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଷ୍ଟମ ଥର ଲାଗି ଜାରି ହୋଇଛି ସମନ । ଆସନ୍ତା ଜାନୁଆରୀ ୧୬ରୁ ୨୦ ମଧ୍ୟରେ ହାଜର ହେବା ଲାଗି ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜାନୁଆରୀ ୧୬ରେ ତଦନ୍ତ ପ୍ରକ୍ରିୟାରେ ସାମିଲ ହେବା ଲାଗି ହେମନ୍ତଙ୍କ ପ୍ରେସ ପରାମର୍ଶଦାତା ଅଭିଷେକ ପ୍ରସାଦଙ୍କୁ ନିର୍ଦ୍ଦେଶ ଦେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ଅର୍ଥଚାଲାଣ ଓ ବେଆଇନ ଖଣି ମାମଲାରେ ହେମନ୍ତକୁ ବାରମ୍ବାର ସମନ ଜାରି କରିଆସୁଛି ଇଡି । ପୂର୍ବରୁ ଅଭିଷେକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିବସବ୍ୟାପୀ ସର୍ଚ୍ଚ ଅପରେସନ କରିଥିଲା । ଦୁର୍ନୀତି ମାମଲାରେ ଅଭିଷେକ ପ୍ରସାଦ ଓ ସାହେବଗଞ୍ଜ ଡେପୁଟି କମିଶନର ରାମ ନିବାସ ଯାଦବଙ୍କ ଘର ସମେତ ୧୨ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାମ ନିବାସଙ୍କ ଘରୁ ୭ ଲକ୍ଷରୁ ଅଧିକ ଟଙ୍କା ଓ ୨୧ଟି କାଟ୍ରିଜ ଜବତ କରିଥିଲା ଇଡି । ପୂର୍ବରୁ ଗତ ୨୦୨୩ ଅଗଷ୍ଟ ୧୪, ଅଗଷ୍ଟ ୨୪, ସେପ୍ଟେମ୍ବର ୯, ସେପ୍ଟେମ୍ବର ୨୩, ଅକ୍ଟୋବର ୪, ଡିସେମ୍ବର ୧୨, ଡିସେମ୍ବର ୩୦ରେ ହାଜର ହେବା ଲାଗି ସମନ ଜାରି କରିଥିଲା ଇଡି ।