ନିର୍ବାଚନ ପ୍ରସ୍ତୁତି: ଦିବ୍ୟାଙ୍ଗଙ୍କ ପାଇଁ ଅଧିକ ହ୍ବିଲଚେୟାର ମଗାଇଲେ ରାଜ୍ୟ ସରକାର

1 min read

ଭୁବନେଶ୍ବର: ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ, ଦିବ୍ୟାଙ୍ଗଙ୍କ ପାଇଁ ମଗାଯାଇଛି ଅଧିକ ହ୍ବିଲଚେୟାର । ଯେଉଁଠି ଅଧିକ ଆବଶ୍ୟକ ଅଛି, ସେଠାରେ ଅଧିକ ହ୍ବିଲଚେୟାର ଦିଆଯିବ । ନିର୍ବାଚନ ପାଇଁ ପାଖପାଖି ୩ ଲକ୍ଷରୁ ଅଧିକ ହ୍ବିଲ ଚେୟାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ବୁଥ ପିଛା ଗୋଟେ ହ୍ବିଲଚେୟାର ବ୍ୟବସ୍ଥା କରାଯାଉଥିଲା । ଏବେ ବୁଥ ପିଛା ଦୁଇଟି ହ୍ବିଲଚେୟାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଜନଗଣନା ଅନୁସାରେ ଯେଉଁ ଅଞ୍ଚଳରେ ଅଧିକ ଦିବ୍ୟାଙ୍ଗ ଥିବେ, ସେଠାରେ ବୁଥ ପିଛା ୫ଟି ହ୍ବିଲଚେୟାରର ବ୍ୟବସ୍ଥା କରାଯିବ । ଯେହେତୁ ଓଡ଼ିଶାରେ ହ୍ବିଲଚେୟାର ନିର୍ମାଣ କମ୍ପାନୀ ନାହିଁ, ସେଥିପାଇଁ କାନପୁରରେ ଥିବା କେନ୍ଦ୍ର ସରକାରଙ୍କ ଏକ ମାତ୍ର ସ୍ୱୀକୃତି ପ୍ରାପ୍ତ ନିର୍ମାଣକାରୀ ସଂସ୍ଥା ALIMCOକୁ  ଆବଶ୍ୟକତା ଅନୁସାରେ ବରାଦ ଦିଆଯାଇଛି । ହ୍ବିଲଚେୟାର ଆବଶ୍ୟକତା ଯେମିତି କମ ନହେବ ସେଥିପାଇଁ ଅତିରିକ୍ତ ୫ ପ୍ରତିଶତ ହ୍ବିଲଚେୟାର ବରାଦ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।