ଭିଜିଲାନ୍ସ ଏସପି ପରିଚୟ ଦେଇ ଠକୁଥିବା ଅଧ୍ୟାପକଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ପୋଲିସ ଜାଲରେ ଠକ ଅଧ୍ୟାପକ । ନିଜକୁ ଭିଜିଲାନ୍ସ ଏସପି ପରିଚୟ ଦେଇ ଠିକାଦାରଙ୍କୁ ଲଗାଇଥିଲେ ୭ ଲକ୍ଷ ୬୦ ହଜାର ଟଙ୍କା ଚୂନ । ପେଶା ଶିକ୍ଷାଦାନ ହୋଇଥିବା ବେଳେ ଅଧ୍ୟାପକଙ୍କ କାମ ଥିଲା ଅନ୍ୟଙ୍କୁ ଚୂନ ଲଗାଇ ସେମାନଙ୍କ ପାଖରୁ ଟଙ୍କା ଲୁଟିବା ।

ଅଭିଯୋଗ ଅନୁସାରେ, ଗତବର୍ଷ ମେ’ ୩୧ ତାରିଖରେ ରାୟଗଡା ଅଞ୍ଚଳର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାର ଏହି ଠକେଇ ନେଇ ଅଭିଯୋଗ କରିଥିଲେ । ଏତଲା ଆଧାରରେ ଅଭିଯୁକ୍ତ ମନୋଜ କୁମାର ମାଝୀଙ୍କୁ ଗିରଫ କରିଛି ପୋଲିସ । ଏତଲାକାରୀଙ୍କୁ ଠକ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଭିଜିଲାନ୍ସ କାର୍ଯ୍ୟାଳୟର କନଷ୍ଟ୍ରକସନ କାମ ହେବ ବୋଲି କହିଥିଲେ । ଠିକାଦାରଙ୍କୁ କାମ ଦେବା ପାଇଁ ୧୦ ଲକ୍ଷ ଟଙ୍କା ମାଗିଥିଲା ଠକ । ଏପରିକି ବିଶ୍ବାସ ଜନ୍ମାଇବା ପାଇଁ କିଛି କାଗଜପତ୍ର ଦେଇଥିଲା ଠକ । ଏହାପରେ ମନୋଜକୁ ପ୍ରଥମେ ଅନଲାଇନରେ ୫ ଲକ୍ଷ ଓ ପରେ ୨ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ ଅଭିଯୋଗକାରୀ । ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇ ନଥିଲା ଅଭିଯୁକ୍ତ । ତଦନ୍ତ ପରେ କେସ ନମ୍ବର ୫୦ ଦଫା ୪୧୯, ୪୨୦, ୪୬୭, ୪୬୮ ଓ ଆଇଟି ଆକ୍ଟରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ । ଅଭିଯୁକ୍ତ ନାଁରେ ଟଙ୍କା ଠକେଇ ନେଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ୫ଟି ମାମଲା ସହ ଗଞ୍ଜାମ, ପୁରୀ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି । ମନୋଜ ମାଝୀଠାରୁ ୨ ଲକ୍ଷ ୬୦ ହଜାର ନଗଦ ଟଙ୍କା, ଗୋଟିଏ ମୋବାଇଲ, ୬ଟି ଏଟିଏମ କାର୍ଡ ଜବତ ହୋଇଛି ।