କୋକେନ ଜବତ ଜାହାଜ ଏମଭି ଦେବୀ ପାନ୍ନାମାରୁ ପଡି ଜଣେ ସଦସ୍ୟ ଆହତ

1 min read

ପାରାଦୀପ: ପାରାଦୀପ ପିଆଇସିଟି ବର୍ଥର ଜାହାଜରୁ କୋକେନ ଜବତ ଘଟଣା । ଏମଭି ଦେବୀ ପାନ୍ନାମା ଜାହାଜରୁ ପଡି ଜାହାଜର ଜଣେ ସଦସ୍ଯ ଆହତ । ବନ୍ଦରର ଆଙ୍କରେଜ ଏରିଆରେ ଏଭଳି ଘଟଣା ଘଟିଛି । ଆହତ ହୋଇଥିବା ଜାହାଜର କ୍ରୁ ସଦସ୍ୟ ହେଲେ ବୋଇଂ ଙ୍କୁ ହୁଁ । ତାଙ୍କ ମୁହଁ ଓ ହାତରେ ଲାଗିଛି ଗଭୀର ଆଘାତ । ଜାହାଜରୁ ଗଳି ପଡିବା ପରେ ଜାହାଜ ଫ୍ୟାନରେ କଟିଥିବା ଅନୁମାନ କରାଯାଉଛି । ତାଙ୍କୁ ବନ୍ଦର ଚିକିତ୍ସାଳୟରୁ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଗତ ଡିସେମ୍ବର ୧ ତାରିଖରେ ପାରାଦୀପ ବନ୍ଦରରୁ ଜବତ ହୋଇଥିଲା ୨ ଶହ ୨୦ କୋଟି ଟଙ୍କାର କୋକେନ । ଏମଭି-ଦେବୀ ପାନାମା ନାମକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ କରିଥିଲା କଷ୍ଟମସ ବିଭାଗ । ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିଲା । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଏହି ଜାହାଜ ଡେନମାର୍କ ଯାଇଥାନ୍ତା ।

ଷ୍ଟିଲ ପ୍ଲେଟ ଲୋଡ଼ ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମ୍ସ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣାପଡ଼ିଥିଲା । ସନ୍ଦେହରେ ଭୁବନେଶ୍ବରରୁ ଡ୍ରଗ ଡିଟେକ୍ସନ ଟିମକୁ ଯୋଗାଯୋଗ କରିବା ପରେ ଏହା ମାରାତ୍ମକ ନିଶାଦ୍ରବ୍ୟ କୋକେନ ବୋଲି ଜଣାପଡିଥିଲା ।