spot_img
Home Blog Page 2244

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ। ସନ୍ଧ୍ଯା ୭ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିବାକୁ ଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବ।

କ୍ଯାବିନେଟ ପରେ ପରେ ମନ୍ତ୍ରିପରିଷଦ ବୈଠକ ବସିବ । ଏଥିରେ କାମଚଲା ବଜେଟକୁ ମଞ୍ଜୁରୀ ମିଳିବ । ଆସନ୍ତା ୫ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ।

ମଧୁମେହ ରୋଗ, ଆସ୍ଥାମା ଓ ବିପି ଭଳି ରୋଗର ରାମବାଣ ଏହି ପତ୍ରର ରସ

ବ୍ୟୁରୋ ରିପୋର୍ଟ: ଆଜିକାଲି ସମୟରେ ଅଧିକାଂଶ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଲୋକ ଔଷଧ ଖାଇଥାନ୍ତି। କିନ୍ତୁ ବିନା ଔଷଧରେ ବି ଭଲ ହୋଇପାରିବ ମଧୁମେହ, ଆସ୍ଥାମା ଏବଂ ବିପି ଭଳି ରୋଗ ।

ଆମ ଚାରିପାଖରେ ଏମିତି ଅନେକ ଉଦ୍ଭିଦ ଅଛନ୍ତି ଯାହା ଔଷଧୀୟ ଗୁଣରେ ଭରପୁର ଥାନ୍ତି। ସେଗୁଡ଼ିକୁ ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ। ସେଥିମଧ୍ୟରୁ ସାଦାବାହର ଉଦ୍ଭିଦ ଅନ୍ୟତମ। ଆୟୁର୍ବେଦରେ ସାଦାବାହର ଉଦ୍ଭିଦର ଉଭୟ ପତ୍ର ଓ ଫୁଲକୁ ଔଷଧ ଭାବରେ ବ୍ୟବହାର କରାଯାଏ। ମ୍ୟାଲେରିଆ, ମଧୁମେହ ରୋଗ, ଆସ୍ଥାମା, ବିପି ଭଳି ଗମ୍ଭୀର ରୋଗର ରାମବାଣ ବୋଲି ବିବେଚନା କରାଯାଏ।

ସାଦାବାହର ଏଭଳି ଏକ ଗଛ ଯାହା ସବୁ ଜାଗାରେ ଉପଲବ୍ଧ ଥାଏ। ଅଧିକାଂଶ ଘର ଏବଂ ପାର୍କ ଚାରିପାଖରେ ଥିବା ଖାଲି ଜମିରେ ଏହା ସହଜରେ ମିଳିପାରିବ। ଏହି ଗଛର ଉଚ୍ଚତା ୨ ରୁ ୩ ଫୁଟ ଥିବା ବେଳେ ଏହାର ପତ୍ର ଛୋଟ ଏବଂ ଏହାର ଫୁଲ ଧଳା ଏବଂ ଗୋଲାପୀ ରଙ୍ଗର ହୋଇଥାଏ। ଏହି ଗଛ ପତ୍ରର ରସ ଅନେକ ରୋଗରୁ ମୁକ୍ତି ଦେଇଥାଏ । ସାଦାବାହର ଏକ ଅତ୍ୟନ୍ତ ପ୍ରଭାବଶାଳୀ, ଲାଭଦାୟକ ଔଷଧ ରୂପେ କାମ କରିଥାଏ । ଏହାର ଉଭୟ ପତ୍ର ଏବଂ ଫୁଲକୁ ବ୍ୟବହାର କରାଯାଏ  ।

ଆୟୁର୍ବେଦିକ ଚିକିତ୍ସକ ଡକ୍ଟର ଅମିତ ବର୍ମା କହିଛନ୍ତି ଯେ, ସାଦାବାହର ଗଛକୁ ବେନକା ମଧ୍ୟ କୁହାଯାଏ। ଏହାର ପତ୍ରର ରସ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ବ୍ୟତୀତ ମ୍ୟାଲେରିଆ ଭଳି ରୋଗ ସହିତ ଲଢିବାର କ୍ଷମତା ରହିଛି। ଯଦି ଶରୀର ଦୁର୍ବଳ ଥାଏ ଏବଂ ଆସ୍ଥାମା ରୋଗ ଥାଏ ତେବେ ଏହି ପତ୍ରର ରସ ବାହାର କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହେ । ଏହା ବ୍ୟତୀତ ଏହାର ପତ୍ର ଶୁଖାଯାଇ ପାଉଡର ଭାବରେ ବ୍ୟବହାର କରିପାରିବେ । ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ଶକ୍ତି ବଢିଥାଏ ।

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

ଆସିକା ବନାଞ୍ଚଳରେ ୧୨ ଟିକିଆ ହାତୀପଲଙ୍କ ଉତ୍ପାତ

ଆସିକା:  ଆସିକା ରେଞ୍ଜର ଧରାକୋଟ ଓ ସଡ଼ଙ୍ଗିପଲ୍ଲି ଅଞ୍ଚଳରେ ହାତୀ ଉପଦ୍ରବ। ଦୁଇ ଦିନ ହେଲା ଆତଙ୍କ ଖେଳାଇଛନ୍ତି ୧୨ ଟିକିଆ ହାତୀପଲ। ସନ୍ଧ୍ୟା ହେଲେ ଜଙ୍ଗଲ ନିକଟରେ ଥିବା ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘର ଦ୍ଵାର ଭାଙ୍ଗୁଦେଉଛନ୍ତି ଜଙ୍ଗଲି ହାତୀ। ଗୋପାଳପୁର ଗାଁର ନବ ସେଠିଙ୍କ ଘର ଭାଙ୍ଗିବା ସହ ଘରର ଚାଉଳ ବସ୍ତା ଖାଇ ନଷ୍ଟ କରିଦେଇଥିଲେ। ଅପରପଟେ ସନ୍ଧ୍ୟା ହେଲେ ଗାଁରେ ବିଦ୍ୟୁତ କଟା ଯାଉଛି। ଆସିକା ରେଞ୍ଜରଙ୍କ ନେତୃତ୍ୱରେ ଆସିକା, ଧରାକୋଟ, ସେରଗଡ଼ ଓ ଷଡ଼ଙ୍ଗୀପଲ୍ଲି ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନେଇ ୩ଟି ଦଳ ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ଯମ ଜାରି ରଖିଛନ୍ତି। ଲୋକଙ୍କୁ ରାତିରେ ଘରୁ ବାହାରକୁ ନବାହାରିବା ପାଇଁ ସଚେତନ କରାଯାଉଛି।

ଅନ୍ୟପଟେ ଧରାକୋଟ ଷଢଙ୍ଗୀପଲ୍ଲୀ ଗାଁ ନିକଟରେ ହାତୀ ରାସ୍ତା ପାର ହେଉଥିବା ବେଳେ ହାତୀକୁ ଧକ୍କା ଦେଇଥିଲା ମୋଟର ସାଇକେଲ। ଏଥିରେ ଜଣେ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଜଣଙ୍କ ହେଲେ ବଡ଼ଗଡ଼ ଗାଙ୍ଗପୁର ଅଞ୍ଚଳର ସନ୍ତୋଷ ବିଷୋୟୀ।

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ମାମଲା, ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ମାମଲା। ଗିରଫଦାରୀ ବିରୋଧରେ ହେମନ୍ତ ସୋରେନଙ୍କ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହାକୁ ଦୃଷ୍ଟିରେ ରଖି ଗତକାଲି ପିଏମଏଲଏ କୋର୍ଟ ଇଡିର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରି ନଥିଲେ। ଆଜି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପିଏମଏଲଏ କୋର୍ଟ ରିମାଣ୍ଡ ଆବେଦନ ଉପରେ ଶୁଣାଣି କରିବେ।

ହେମନ୍ତ ସୋରେନଙ୍କୁ ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି । ତେବେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ତାଙ୍କୁ ଦିନକ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଗତକାଲି ରାତିରେ ବିଚାର ବିଭାଗୀୟ ହାଜତରେ ରାତିକାଟିଥିଲେ ହେମନ୍ତ। କୋର୍ଟ ପରିସରରୁ ହେମନ୍ତ ସୋରେନଙ୍କୁ ଜେଲ ନିଆଯାଉଥିବା ବେଳେ ଜେଏମଏମର ନେତା ଓ କାର୍ଯ୍ୟକର୍ତ୍ତା ଧର୍ଯ୍ୟ ହରା ହୋଇପଡ଼ିଥିଲେ। ହେମନ୍ତ ସୋରେନଙ୍କୁ ନେଇ ଯାଉଥିବା ଗାଡ଼ିର ପିଛା କରିଥିଲେ। କିନ୍ତୁ ପୋଲିସ୍ ସେମାନଙ୍କୁ ଅଟକାଇ ଦେଇଥିଲା।

ଆଜି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ

ଝାଡ଼ଖଣ୍ଡର: ଆଜି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ। ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବାକୁ ରାଜ୍ୟପାଳ ତାଙ୍କୁ ଆମନ୍ତ୍ରଣ କରିଛନ୍ତି। ସନ୍ଧ୍ଯାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ଶପଥ ନେବାର ୧୦ ଦିନ ଭିତରେ ସେ ସଂଖ୍ଯା ଗରିଷ୍ଠତାର ପ୍ରମାଣ ଦେବେ।

ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ଖାଲି ପଡିଛି। ଜେଏମଏମ ପକ୍ଷରୁ ଚମ୍ପଇଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଥିଲେ। ଚମ୍ପଇ ସୋରେନ ହେମନ୍ତ ସୋରେନଙ୍କ ଘନିଷ୍ଠ ହୋଇଥିବା ବେଳେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଚମ୍ପଇ ଝାଡ଼ଖଣ୍ଡ ଟାଇଗର ଭାବେ ମଧ୍ୟ ବେଶ ପରିଚିତ।

ଝାଡଖଣ୍ଡ ଆନ୍ଦୋଳନ ସମୟରେ ଶିବୁ ସୋରେନଙ୍କ ସହଯୋଗୀ ଥିଲେ ଚମ୍ପଇ। ପ୍ରଥମେ ଷଢେଇକଳା ଆସନରୁ ସ୍ୱାଧୀନ ଭାବେ ଲଢି ଜିତିଥିଲେ। ପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଥିଲେ। ଅର୍ଜୁନ ମୁଣ୍ଡା ସରକାରରେ ଚମ୍ପଇ ସୋରେନ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୧୯ରୁ ଝାଡଖଣ୍ଡ ସରକାରରେ ମନ୍ତ୍ରୀ ଅଛନ୍ତି।

‘ହନୁମାନ’ ଫିଲ୍ମରେ ଓଡିଆ ପୁଅଙ୍କ କମାଲ

ପୁଣିଥରେ ଚର୍ଚ୍ଚାରେ ଓଡିଆ ପୁଅ। ସୁପରହିଟ ତେଲୁଗୁ ସିନେମା ‘ହନୁମାନ’ରେ ସହକାରୀ ନିର୍ଦ୍ଦେଶକ ଦାୟିତ୍ଵ ତୁଲାଇ ଆଣିଛନ୍ତି ଗୌରବ। ରାୟଗଡ଼ା ଜେକେପୁରର ମିଲନ୍ କୁମାର ନାୟକ। ପାରଳାଖେମୁଣ୍ଡିରେ ବିଟେକ ଅଧ୍ୟୟନ କରିବା ପରେ ଚାକିରି ପାଇଁ ଯାଇଥିଲେ ମୁମ୍ବାଇ। ସେଠାରେ ଏକ ମଲ୍ଟି  ନ୍ଯାସନାଲ କମ୍ପାନୀରେ ୩ ବର୍ଷ ଚାକିରି କରିଥିଲେ। ହେଲେ ପିଲା ବେଳୁ ସିନେମାରେ ନିର୍ଦ୍ଦେଶନା ଦେବା ପାଇଁ ତାଙ୍କର ରହିଥିବା ଦୁର୍ବଳତା ଟାଣି ନେଇଥିଲା ସିନେମା ଜଗତକୁ । ଦୁଇଟି ହିନ୍ଦୀ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ ମିଲନ୍।

ଏହାପରେ ୨୦୧୯ ମସିହାରେ ହାଇଦ୍ରାବାଦ ଆସିଥିଲେ ମିଲନ୍। ସେଠାରେ ଦୁଇଟି ତେଲୁଗୁ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ। ନିକଟରେ ମୁକ୍ତିଲାଭ କରିଥିବା ତେଲୁଗୁ ସିନେମା ହନୁମାନରେ କାମ କରି ସେ ପ୍ରଶଂସା ସାଉଁଟିଛନ୍ତି। ପୁଅର ସଫଳତାରେ ବେଶ ଖୁସି ପରିବାର ଲୋକ। ମିଲନଙ୍କ ବାପ ରାମଚନ୍ଦ୍ର ଜେକେ କାଗଜକଳର ଜଣେ କର୍ମଚାରୀ ହୋଇଥିବା ବେଳେ ମା ଜ୍ୟୋତ୍ସ୍ନା ଜଣେ ଗୃହିଣୀ।

ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ ମ୍ୟାଚ୍

ବ୍ୟୁରୋ ରିପୋର୍ଟ: ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ। ୬ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାର ୱାଇଏସ ରାଜଶେଖର କ୍ରିକେଟ ଷ୍ଟାଡିୟମରେ ମ୍ଯାଚ ଖେଳାଯିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ପ୍ରଥମ ମ୍ଯାଚ ଜିତି ୧-୦ ରେ ଆଗୁଆ ରହିଛି । ହାଇଦ୍ରାବାଦରେ ପ୍ରଥମ ଟେଷ୍ଟ ଖେଳାଯାଇଥିବାବେଳେ ଏହାକୁ ୨୮ ରନରେ ଇଂଲଣ୍ଡ ଜିତିନେଇଥିଲା। ପ୍ରଥମ ଇଂନିସରେ ୧୯୦ରନ ପଛରେ ଥିଲେ ମଧ୍ଯ ଦ୍ବିତୀଯ ଇଂନିସରେ ଦମଦାର ପ୍ରଦର୍ଶନ କରି ଦଳ ଭାରତକୁ ପରାଜିତ କରିଥିଲା। ଦ୍ବିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଜେମ୍ସ ଆଣ୍ଡରସନ ଦଳକୁ ଫେରିଥିବାବେଳେ ସୋଏବ ବସିର ଡେବ୍ୟୁ କରିବେ।

ସେପଟେ ଦ୍ବିତୀୟ ଟେଷ୍ଟରେ ବଡ ବ୍ଯବଧାନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ କେ.ଏଲ. ରାହୁଲ ଦଳରୁ ବାଦ ପଡିଛନ୍ତି । ତେବେ ଭାରତୀୟ ସ୍ପିନରଙ୍କୁ ଶକ୍ତି ପ୍ରଦର୍ଶନ କରି ଇଂଲଣ୍ଡକୁ ଜବାବ ଦେବାକୁ ଦଳ ରଣନୀତି କରିଛି ।

ସେକ୍ସ ୱାର୍କରଙ୍କ କାହାଣୀ : ହୀରାମଣ୍ଡି

ସଞ୍ଜୟ ଲୀଲା ଭନ୍ସାଲୀଙ୍କ ବହୁ ପ୍ରତୀକ୍ଷିତ ସିରିଜ୍ ‘ହୀରାମଣ୍ଡି: ଦ ଡାଏମଣ୍ଡ୍ ବଜାର’କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଫେବୃଆରୀ ୧ରେ ଟିଜର ରିଲିଜ୍ ହେବା ପରେ ବଢିଲା ଉତ୍କଣ୍ଠା । ନିଜ ସିରିଜର ଫାଷ୍ଟ ଭିଡିଓ ସେୟାର କଲେ ନିର୍ଦ୍ଦେଶକ ସଞ୍ଜୟ । ମୁଖ୍ୟ ଭୂମିକାରେ ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ଅଦିତ୍ୟ ରାଓ ହୈଦରୀ, ରୁଚା ଚଡ୍ଢା ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି । ୬ ଜଣ ସୁନ୍ଦରୀଙ୍କ ଲୁକ୍ ଫ୍ୟାନଙ୍କ ମନ କିଣୁଛି । ତେବେ ସିରିଜର ପ୍ରଥମ ଲୁକ୍ ଦମଦାର, ଆକର୍ଷଣୀୟ ଓ ନାଟକୀୟ ହୋଇଥିବାରୁ କାହାଣୀ ବି ଦମଦାର ହୋଇଥିବ ବୋଲି ଆଶା ରଖିଛନ୍ତି ଫ୍ଯାନ୍ । ସିରିଜର ପ୍ରଥମ ଲୁକରେ ରହିନ୍ତି ଦମଦାର୍ ଷ୍ଟାରକାଷ୍ଟ । ବିଳାସପୂର୍ଣ୍ଣ ମହଲ ଓ ସୁନ୍ଦର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ରହିଛି । ଏତଦବ୍ୟତୀତ ମେଗା ସେଟ, ରାଜକୀୟ ପୋଷାକ, କୋରିଓଗ୍ରାଫି ମଧ୍ୟ ମନଛୁଆଁ । ତେବେ ହୀରାମଣ୍ଡିର କାହାଣୀ ସ୍ବାଧୀନତା ସଂଗ୍ରାମ ସମୟର ରୂପଜୀବୀଙ୍କ ଅସ୍ତିତ୍ବ, ସଂଘର୍ଷ ଓ ପ୍ରେମକୁ ନେଇ କାହାଣୀ ଗତିଶୀଳ ଇନଷ୍ଟାରେ ସିରିଜର ପ୍ରଥମ ଲୁକ୍ ସେୟାର ହୋଇଛି ।

ଟାଟୁ କରୁଥିଲେ ସାବଧାନ! ହୋଇପାରେ କ୍ୟାନସର

ନନ୍ଦିଘୋଷ ବ୍ୟୁରୋ: ଟାଟୁ ମାନିଆ । ସବୁ ବର୍ଗର ଲୋକଙ୍କୁ କ୍ରେଜି କରୁଛି ଟାଟୁ । ପିଲାଙ୍କ ଠାରୁ ବୟସ୍କ ଏମିତିକି ମହିଳା ବି ଟାଟୁ ନିଶାରେ । ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ ତିଆରି କରି ଟ୍ରେଣ୍ଡରେ ରହୁଛନ୍ତି ସମସ୍ତେ । ଏମିତିକି ଟାଟୁ ବି ମଣିଷର ପରିଚୟ ଦେଉଛି । ଅର୍ଥାତ୍ ଅନେକ ଦୁର୍ଘଟଣାରେ ଟାଟୁ ଦେଖି ପରିଚୟ ମିଳିପାରୁଛି । କିନ୍ତୁ ଆପଣ ଜାଣନ୍ତି କି ? ଟାଟୁ ଆଣିପାରେ ବିପଦ । ଚର୍ମ ରୋଗ ଠାରୁ HIV ଯାଏଁ ହୋଇପାରନ୍ତି ସଂକ୍ରମିତ । ଟାଟୁରେ ବ୍ୟବହୃତ ଛୁଞ୍ଚି, କେମିକାଲ ଆଦି ରୋଗକୁ ଡାକିଆଣେ । ଟାଟୁ ତିଆରି କରିବା ପାଇଁ ନୀଳ ରଙ୍ଗ କ୍ଷତିକାରକ । ଏଥିରେ ଆଲୁମିନିୟମ ଓ କୋବାଲ୍ଟ ଆଦି ବ୍ୟବହାର ହୋଇଥାଏ । ପିଲାଙ୍କ ତ୍ବଚା ପାଇଁ ଏହା ମାରାତ୍ମକ । ଟାଟୁରେ ବ୍ୟବହୃତ ଛୁଞ୍ଚି ମାଂସପେଶୀକୁ ଦୁର୍ବଳ କରାଏ । ଟାଟୁ କରିବା ପୂର୍ବରୁ ହେପାଟାଇଟିସଲ ବି ଟୀକା ନେବା ଆବଶ୍ୟକ । ଏଭଳିକି ଆଣ୍ଟିବାୟୋଟିକ୍ କ୍ରିମ ଲଗାଇବା ଜରୁରୀ । ଡାକ୍ତରଙ୍କ ପରାମର୍ଶ ନେଇ ଟାଟୁ କରିବାକୁ ଭୁଲନ୍ତୁ ନାହିଁ ।

ଓଡ଼ିଆ ଭାଷା ସମ୍ମିଳନୀ ସହ ଯୋଡ଼ିହେବ ସମସ୍ତ ଗ୍ରାମ ପଞ୍ଚାୟତ ଓ ବ୍ଲକ

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ସହ ଯୋଡ଼ିହେବ ସମସ୍ତ ଗ୍ରାମ ପଞ୍ଚାୟତ ଓ ବ୍ଲକ । ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଗୁଡିକର ହେବ ଲାଇଭ ଷ୍ଟ୍ରିମିଂ । ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ପ୍ରସ୍ତୁତିର ସମୀକ୍ଷା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି  ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଜନତା ମୈଦାନ ଓ ଅକ୍ଷର ଭୂମି ପରିଦର୍ଶନ କରି ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର ସେ ଅନୁଧ୍ଯାନ କରିଛନ୍ତି । ସମ୍ମିଳନୀରେ ରାଜ୍ୟର ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଯୋଡିବା ସହିତ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଗୁଡିକର ଲାଇଭ ଷ୍ଟ୍ରିମିଂ, ଭାଷା ଓ ଏହାର ଭବିଷ୍ୟତ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ସମ୍ମିଳନୀରେ ଭାଷା ସମ୍ପର୍କରେ ଯେଉଁ ପ୍ରସ୍ତାବ ଗୃହୀତ ହେବ, ତାକୁ ଭିତ୍ତି କରି ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ କରି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି  । ଐତିହ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ହେଉଛି ‘ଭାଷା ହିଁ ଭବିଷ୍ୟତ’। ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ  ୧୬ଟି ଆକାଡେମିକ୍ ଅଧିବେଶନ ରହିଛି। ଏଥିରେ ବହୁ ମାନ୍ୟଗଣ୍ୟ ଭାଷାବିତ୍, ବୁଦ୍ଧିଜୀବୀଙ୍କ  ସମେତ  ସ୍କୁଲ, କଲେଜର ଛାତ୍ରଛାତ୍ରୀମାନେ ଯୋଗଦେବେ। ସମ୍ମିଳନୀ ଓଡିଶାର ଅତୀତ ଓ ବର୍ତ୍ତମାନର ରୂପାନ୍ତରଣ ପ୍ରକ୍ରିୟା ଉପସ୍ଥାପିତ କରିବ। ଅକ୍ଷର ଭୂମିରେ ପ୍ରଥମ ଥର ପାଇଁ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଳନ କରାଯିବ । ଐତିହ୍ୟ ନଗରୀ ଭୁବନେଶ୍ୱର କେନ୍ଦ୍ର ସ୍ଥଳରେ ଏହି ସମ୍ମିଳନୀ ଓଡିଆ ଭାଷାର ଜୟଗାନ କରିବ। ଆମ ଭାଷାର ସୌନ୍ଦର୍ଯ୍ୟ ଓ ଖାଣ୍ଡେଲାଇଟ ପଥରରେ ଲିପିବଦ୍ଧ ହୋଇଥିବା କଳିଙ୍ଗ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ଏହା ମାଧ୍ୟମରେ ପ୍ରତିଫଳିତ ହେବ। ଭାଷାପ୍ରେମୀ ବିଶେଷ କରି ଯୁବ ପିଢିଙ୍କ ପାଇଁ ଏହା ହେବ ପ୍ରମୁଖ ଆକର୍ଷଣ ସ୍ଥଳୀ।