spot_img
Home Blog Page 2234

ବିଲୁପ୍ତ ହୋଇଯିବେ ମାନ୍ଧାତା ବାବାଙ୍କ ବିରଳ କଇଁଛ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମାନେଶ୍ବରରେ ଥିବା ମନ୍ଦିରରେ କାହିଁ କେତେ କାଳରୁ ମାନ୍ଧାତା ବାବା ରୂପେ ପୂଜା ପାଉଛନ୍ତି ଦେବ ଦେବ ମହାଦେବ । ଏହି ଐତିହାସିକ ମନ୍ଦିରର ବିଶେଷତ୍ତ୍ବ ହେଉଛି ଏଠାକାର ପୋଖରୀ । ଶହ ଶହ ବର୍ଷ ହେବ ଏହି ପୋଖରୀରେ ଦେଖାଯାଆନ୍ତି ଏକ ବିରଳ ପ୍ରଜାତିର କଇଁଛ । ମହାଦେବଙ୍କ ପାଖରେ ଭୋଗ ଲାଗି ପରେ ଏହାକୁ କଇଁଛଙ୍କୁ ଅର୍ପଣ କରାଯାଏ । ହେଲେ ପୋଖରୀର ରକ୍ଷଣାବେକ୍ଷଣା ଅଭାବରୁ ଏବେ ବିପଦରେ ପଡିଛି ଏହି ବିରଳ କଇଁଛଙ୍କ ଜୀବନ । ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଛି ଏମାନଙ୍କ ପ୍ରଜାତୀ । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

ସମ୍ବଲପୁର ସହରଠାରୁ ୮ କିମି ଦୂରରେ ରହିଛି ମାନ୍ଧାତା ବାବାଙ୍କ  ମନ୍ଦିର । ୧୫୬୦ ମସିହାରେ ସମ୍ବଲପୁରର ରାଜା ବଳରାମ ଦେବ ଏହି ଶିବ ମନ୍ଦିର ନିର୍ମାଣ କରିଥିଲେ । କାହିଁ କେଉଁ କାଳରୁ ମନ୍ଦିରରେ ଥିବା ପୋଖରୀରେ ଦେଖାଯାଆନ୍ତି ବିରଳ ପ୍ରଜାତୀର ବିଶାଳକାୟ କଇଁଛ । ଏହି କଇଁଛକୁ ବାବାଙ୍କ ଆଉ ଏକ ରୂପ ଭାବି ପୂଜା କରନ୍ତି ଶ୍ରଦ୍ଧାଳୁ । ମହାଦେବଙ୍କ ନିକଟରେ ଭୋଗ ଲାଗିବା ପରେ କଇଁଛକୁ ଏହା ଅର୍ପଣ କରାଯାଏ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରଜାତି ଏବେ ଲୋପ ପାଇବାକୁ ବସିଲେଣି l ଫଳରେ ପର୍ଯ୍ୟଟକ କଇଁଛ ଦେଖିବାରୁ ବଞ୍ଚିତ ହେଉଛନ୍ତି ।

ଅପରିଷ୍କାର ପରିବେଶ ପାଇଁ କଇଁଛ ଏଠାରେ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଥିବା ଅଭିଯୋଗ ହୋଇଛି । ପ୍ଲାଷ୍ଟିକ ବୋତଲଠାରୁ ଆରମ୍ଭ କରି ପଲିଥିନ ପକାଉଛନ୍ତି ଏଠାକୁ ଆସୁଥିବା ଲୋକ । ଅନେକ ଦିନରୁ ପୋଖରୀ ସଫେଇ ହୋଇ ନଥିବାରୁ ଆବର୍ଜନା ଭରି ରହିଛି । ତେଣୁ ସ୍ଥାନୀୟ ପ୍ରଶାସନ ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି । ଏବେଠାରୁ ଏହାର ସୁରକ୍ଷା ନକଲେ ଇତିହାସର ଏହି ସ୍ମୃତି ଦିନ ଇତିହାସରେ ମିଳେଇ ଯିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

କୋଟିଏ ଟଙ୍କା ଚଳୁ କରିଥିବା ବ୍ୟାଙ୍କ ମ୍ୟାନେଜର ଗିରଫ

ନବରଙ୍ଗପୁର: କୋଟିଏ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର । ଆଇଡିବିଆଇ ବ୍ୟାଙ୍କର ମ୍ୟାନେଜର ଅଞ୍ଜନ ଶତପଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନବରଙ୍ଗପୁର ଟାଉନ ଥାନା ପୋଲିସ । ଟଙ୍କା ଆତ୍ମସାତ ନେଇ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ସ୍ବରୂପ ଦତ୍ତ ଥାନାରେ ଏତଲା ଦେଇଥିଲେ l

ପ୍ରାଥମିକ ତଦନ୍ତ କରି ଅଞ୍ଜନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ଟଙ୍କା ଆତ୍ମସାତ ନେଇ ମାନିବା ପରେ ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଅଞ୍ଜନ ଏସବିଆଇ କରେନ୍ସି ଚେଷ୍ଟରେ ଜମା କରିବାକୁ କହି ଟଙ୍କା ନେଇଥିଲେ । ତେବେ ପରେ ବ୍ୟାଙ୍କ ତଦନ୍ତ ସମୟରେ ଟଙ୍କା ଜମା ହୋଇ ନଥିବା ଜଣାପଡ଼ିଥିଲା । ଡିଜିଏମ ସ୍ବରୂପ ଦତ୍ତ ବ୍ୟାଙ୍କକୁ ଆସି ତଦନ୍ତ କରିବା ପରେ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ l

ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛନ୍ତି ବୁଲା କୁକୁର, ଗୋଡ଼ାଇ ଗୋଡ଼ାଇ କାମୁଡୁଛନ୍ତି

ଭୁବନେଶ୍ବର: ଭୁବନେଶ୍ବରରେ ସହରିଆଙ୍କୁ ଚିନ୍ତା ବଢାଇଛନ୍ତି ବୁଲା କୁକୁର । ବଢୁଛି କୁକୁର କାମୁଡା ଘଟଣା । ଦୈନିକ କ୍ୟାପିଟାଲ ହସ୍ପଟାଲରେ ଚିକିତ୍ସା ପାଇଁ ଲାଗୁଛି ଭିଡ଼ । ସେପଟେ କୁକୁର ବନ୍ଧ୍ୟାକରଣକୁ ନେଇ କୋର୍ଟରେ ମାମଲା ଥିବାରୁ ଦୀର୍ଘ ୪ ମାସ ହେବ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ହୋଇପାରୁନାହିଁ । ଚଳିତ ମାସ ଶେଷ ସୁଦ୍ଧା କୋର୍ଟଙ୍କ ଅନୁମତି ମିଳିବା ପରେ ବନ୍ଧ୍ୟାକରଣ ଜୋରଦାର କରାଯିବ ବୋଲି କହିଛନ୍ତି କମିଶନର ।

ରାଜଧାନୀରେ ପ୍ରତିଦିନ କୁକୁର କାମୁଡ଼ା ଅଙ୍କ ଛୁଉଁଛି ଦୁଇଶହ । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଲାଗୁଛି ଭିଡ଼ । ମାସ ଶେଷ ସୁଦ୍ଧା ବନ୍ଧ୍ୟାକରଣ ଲାଗି କୋର୍ଟରୁ ମିଳିବ ଗ୍ରୀନ ସିଗନାଲ୍ । ଗଳି କନ୍ଦି ହେଉ କି ଘର । ବୁଲା ହେଉକୁ ପୋଷା କୁକୁର । ରାସ୍ତାରେ ଗଲା ବେଳେ ଅବା ଭୋରରୁ ଫୁଲ ତୋଳିବାକୁ ଗଲା ବେଳେ କାମୁଡ଼ାର ଶିକାର ହେଉଛନ୍ତି ଲୋକେ । କ୍ୟାପିଟାଲ ହସ୍ପିଟାଲରେ ଥିବା ଜଳାତଙ୍କ ପ୍ରତିଷେଧକ ଟୀକାକରଣ କେନ୍ଦ୍ରରେ ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତି ଟୀକା ନେବାକୁ ଛୋଟରୁ ବଡ, ଲାଗୁଛି ଲମ୍ବା ଲାଇନ । ବଡ଼ ଅପେକ୍ଷା ଛୋଟ ପିଲା କୁକୁର କାମୁଡ଼ାରେ ଅଧିକ ଶିକାର ହେଉଛନ୍ତି । କୁକୁର ଛୁଆ ଜନ୍ମ ଦେବା ପରେ ଆଗ୍ରେସିଭ ଥାଆନ୍ତି । ଫଳରେ ଛୋଟ ପିଲା ଖେଳିବାକୁ ଗଲାବେଳେ କାମୁଡ଼ାର ଶିକାର ହୁଅନ୍ତି ବୋଲି ଜଳାତଙ୍କ ଟୀକାକରଣ କେନ୍ଦ୍ର ହେଡ୍ ନର୍ସ ଉମା ରାଉତ କହିଛନ୍ତି ।

କୁକୁର ବନ୍ଧ୍ୟାକରଣକୁ ନେଇ କୋର୍ଟରେ ମାମଲା ଥିବାରୁ ୪ ମାସ ହେବ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ହୋଇପାରୁନାହିଁ । ଏହି ମାସ ଶେଷ ସୁଦ୍ଧା କୋର୍ଟଙ୍କ ଅନୁମତି ମିଳିବା ପରେ ବନ୍ଧ୍ୟାକରଣ ଜୋରଦାର କରାଯିବ । ଏବେ ମଞ୍ଚେଶ୍ବର ଅଞ୍ଚଳରେ ୨୫୦ କକ୍ଷ ବିଶିଷ୍ଟ କୁକୁର କେନେଲ ତିଆରି ହୋଇଛି । କେନେଲରେ ଦିନକୁ ୧୦୦ରୁ ଅଧିକ କୁକୁରଙ୍କ ବନ୍ଧ୍ୟାକରଣ କରାଯିବାର ବ୍ୟବସ୍ଥା ରହିଛି । ଏବିସି ପ୍ରୋଗାମର ଡେପୁଟି କମିଶନର ରମେଶ ଜେନା କେନେଲ ବୁଲି ଦେଖିଛନ୍ତି ।

ରାଉରକେଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଅନୁଧ୍ୟାନ କଲେ 5T ଅଧ୍ୟକ୍ଷ

ଭୁବନେଶ୍ବର: ରାଉରକେଲା ସହରରେ ଝାଡାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟଣା । ଭିସି ଜରିଆରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସ୍ଥିତି ଅନୁଧ୍ୟାନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ, ମୁଖ୍ୟ ଶାସନ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ସ୍ୱାସ୍ଥ୍ୟ ସଚିବ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସୁନ୍ଦରଗଡ଼ ଜିଲ୍ଲାପାଳ, RMC କମିଶନର, ୱାଟକୋର ତିନି ଜଣ ବରିଷ୍ଠ ଅଧିକାରୀ, CDMO,  RGHର  ଡାକ୍ତର ଓ ବରିଷ୍ଠ ଅଧିକାରୀ ଭିସିରେ ଉପସ୍ଥିତ ଥିଲେ । କିଛି ଝାଡାବାନ୍ତି ଆକ୍ରାନ୍ତଙ୍କ ଟେଷ୍ଟରୁ କଲେରା ବାହାରିଛି । ଏହାକୁ କନଫର୍ମ କରିବା ପାଇଁ ଏକ ଟିମ ଗଠନ କରାଯାଇଛି । ଫୁଡ ସେଫଟି ଅଫିସର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଆଜି ସୁଦ୍ଧା ୧୦୨୫ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାଡାବାନ୍ତି ଆକ୍ରାନ୍ତରେ ୫ ଜଣ ମୃତ୍ୟୁବରଣ କରିଛନ୍ତି । ଆଉ ଜଣଙ୍କର ମୃତ୍ୟୁ ଅଡିଟ ରିପୋର୍ଟ ପରେ ଝାଡ଼ାବାନ୍ତିରେ କି ନାହିଁ ଜଣା ପଡିବ ।

ଆସନ୍ତାକାଲି ଦୁଇଜଣ ସିନିଅର ଅଫିସର ରାଉରକେଲା ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିବେ । ଝାଡାବାନ୍ତି ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା  ଦୁଇରୁ ତିନିଦିନ ମଧ୍ୟରେ ରାଉରକେଲା ସହରରେ ଝାଡାବାନ୍ତି ନିୟନ୍ତ୍ରଣ ହୋଇଯିବ ବୋଲି କହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି ।

ଫେରିଲା କରୋନା: ସାରା ଦେଶରେ ହାଇ ଆର୍ଲଟ, କାଲି ସବୁ ରାଜ୍ୟ ସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଭାରତକୁ ଫେରିଲା କୋଭିଡ଼ । ୧୭ ଦିନରେ କେରଳରେ ୧୦ ମୃତ । କେରଳ ସହ କର୍ଣ୍ଣାଟକରେ ସଙ୍ଗୀନ ହେଉଛି ସ୍ଥିତି । ସାରା ଦେଶକୁ ହାଇ ଆଲର୍ଟ । କୋଭିଡର JN.1 ଭାରିଆଣ୍ଟ ନେଇ ସବୁ ରାଜ୍ୟକୁ କେନ୍ଦ୍ର ସରକାର ଚିଠି ଜରିଆରେ ସତର୍କ କରିବା ସହ ସ୍ଥିତି ସମୀକ୍ଷା କରିବାକୁ ଦେଇଛନ୍ତି ପରାମର୍ଶ । ଆଗକୁ ବଡ଼ଦିନ ଓ ନୂଆବର୍ଷ ପାଳନ ଯୋଗୁଁ ଭିଡ଼ ବଢିବାର ଆଶଙ୍କା ରହିଛି । ଯାହାକୁ ନେଇ ଭୟ ବଢିଛି । ଆସନ୍ତାକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟଙ୍କ ସହ କୋଭିଡ ସ୍ଥିତି ନେଇ ବୈଠକ କରିବାର ରହିଛି କାର୍ଯ୍ୟକ୍ରମ ।

ପୁଣି ଫେରିପାରେ ମାସ୍କ ପିନ୍ଧା ଦିନ । କୋଭିଡର ନୂଆ ଭାରିଆଣ୍ଟ JN.1 ଦକ୍ଷିଣ ଭାରତର କେରଳ ଓ କର୍ଣ୍ଣାଟକରେ ସ୍ଥିତି କଲାଣୀ ସଙ୍ଗୀନ । କର୍ଣ୍ଣାଟକକୁ ଓଡ଼ିଶାରୁ ଅଧିକାଂଶ ଲୋକଙ୍କ ଯିବାଆସିବା ଥିବାରୁ, ସତର୍କ ହେବାର ସମୟ ଆସିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ପାଇବା ପରେ ରାଜ୍ୟ ସରକାର ବି କୋଭିଡ ମୁକାବିଲା ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ଜିଲ୍ଲାଓ୍ବାରୀ ମାମଲା ରିପୋର୍ଟ କରି ଅଧିକ ସଂଖ୍ୟାରେ RT-PCR ଟେଷ୍ଟ କରିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ଭେଲାନ୍ସ ଜାରି ରହିଛି । ଏଯାଏଁ ଓଡ଼ିଶାରେ କୌଣସି ଲୋକଙ୍କ ଭିତରେ JN.1 ଚିହ୍ନଟ ହୋଇ ନାହାଁନ୍ତି । ହେଲେ ଯିଏ ବି ପଜିଟିଭ ବାହାରିବ, ତାଙ୍କ ନମୁନାର ଜିନୋମ୍ ସିକ୍ବେନ୍ସିଂ କରାଯିବ । ବର୍ତ୍ତମାନ ସୁଦ୍ଧା ଏହି ନୂଆ ଭାରିଆଣ୍ଟର ସିଭିଆରିଟି ନେଇ କୌଣସି ସୂଚନା ମିଳିନି । ବୁଧବାର ସବୁ ରାଜ୍ୟଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସମୀକ୍ଷା ବୈଠକ ନେବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ବୈଷୟିକ କମିଟି ବି ସମୀକ୍ଷା ଜାରି ରଖିଛି । ଆବଶ୍ୟକ ପଡିଲେ, ରାଜ୍ୟ ଜାରି କରି ପାରେ ଗାଇଡଲାଇନ । ପିକନିକ ଋତୁ ଆରମ୍ଭ ହୋଇ ଗଲାଣି । ସେହିପରି ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ଭିଡ଼ ଜମିବ । ଭିଡ଼ ବଢିବା ସହ କୋଭିଡ ବ୍ୟାପି ବିସ୍ଫୋରକ ସ୍ଥିତି ସୃଷ୍ଟି କରିବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ । ଥଣ୍ଡା, ଜ୍ବର ଲାଗି ରହିଲେ, ତୁରନ୍ତ ଟେଷ୍ଟିଂ କରିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଦେହ ଭଲ ନ ଲାଗିଲେ, ପିକନିକ କି ଘର ବାହାରେ ବଡ଼ଦିନ ପାଳନରୁ ନିବୃତ୍ତ ରହିବାକୁ ବି ଆହ୍ବାନ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ଆଲର୍ଟ ମୋଡକୁ ଆସିଛି ସବୁ ହସ୍ପିଟାଲ । କୋମର୍ବିଡ୍ ଓ ବୟସ୍କମାନେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଖ୍ରୀଷ୍ଟମାସ୍ ଓ ନୂଆବର୍ଷରେ ବିପଦ ଆଶଙ୍କା ଯୋଗୁଁ ହସ୍ପିଟାଲଗୁଡ଼ିକ ଅଧିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ପୂର୍ବରୁ ମ୍ୟାନପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ମହଜୁଦ ଥିବାରୁ, କୋଭିଡ ମୁକାବିଲା ସେତେଟା କଷ୍ଟ ହେବନି । ହେଲେ ଲୋକେ ଯଦି ସଚେତନ ନ ହୁଅନ୍ତି, ପୁଣି ଥରେ ମାସ୍କ ପିନ୍ଧି ବାହାରକୁ ବାହାରିବା ନିୟମ ଆଣିବାକୁ ବାଧ୍ୟ ହେବେ ରାଜ୍ୟ ସରକାର ।

ଇଏ ବିଜେଡି ସରକାର ନୁହେଁ, ଆପଣମାନଙ୍କ ସରକାର: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ବିରୋଧୀଙ୍କୁ ଟାର୍ଗେଟ ନକରି ମାଷ୍ଟରଷ୍ଟ୍ରୋକ ଖେଳିଲେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଦୁଇ ଚାରିଟି ଶବ୍ଦରେ ଜିଣିନେଲେ ମୟୂରଭଞ୍ଜବାସୀଙ୍କ ମନ । କହିଲେ- ଏ ସରକାର ବିଜେଡି ସରକାର ନୁହେଁ, ଏହା ଆପଣମାନଙ୍କର ସରକାର, ଲୋକଙ୍କ ସରକାର । ଆପଣମାନେ ଯେତେବେଳେ ଯାହା ଚାହିଁବେ, ଏ ସରକାର ତାହା କରିବ । ସମଗ୍ର ଓଡିଶାବାସୀ ନବୀନଙ୍କ ପରିବାର, ବିଜୁ ପରିବାର ।

ବାରିପଦା ଛଉପଡିଆରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବା ବେଳେ କାର୍ତ୍ତିକ ପାଣ୍ଡିଆନ ଏଭଳି କିଛି କହିଥିଲେ, ଯାହା ଏବେ ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଜେଡି ପ୍ରତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅଧିକ ସୁଦୃଢ ହୋଇଛି । ନିଜ ଅଭିଭାଷଣରେ ନବୀନ ପଟ୍ଟନାୟକଙ୍କୁ ତୁଙ୍ଗ ଜନନାୟକ ବୋଲି କହିବା ସହ ଓଡିଶାବାସୀଙ୍କ ପାଇଁ ତାଙ୍କ ସମର୍ପଣର ବିଭିନ୍ନ ଉଦାହରଣ ଦେଇଥିଲେ ପାଣ୍ଡିଆନ୍ । ଜିଲ୍ଲାରେ ୫୬ ଜିଲ୍ଲା ପରିଷଦ ଆସନରୁ ୫୩ଟି ଜିତି ମ୍ୟାଜିକ କରିଛି ମୟୂରଭଞ୍ଜ । ଆଗାମୀ ଦିନରେ ଏକାଠି କାମ କଲେ ୫୬ରୁ ୫୬ ଭଳି ମ୍ୟାଜିକ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

୭୭ ବର୍ଷ ବୟସରେ ମଧ୍ୟ ଚଳଚଞ୍ଚଳ ମୁଖ୍ୟମନ୍ତ୍ରୀ ଲୋକ କଲ୍ୟାଣ ପାଇଁ ଅହରହ ପରିଶ୍ରମ କରୁଛନ୍ତି । ତାଙ୍କୁ ୨୪ ଘଣ୍ଟା ଦେଖି ଦେଖି ସେ ନିଜେ ପ୍ରେରଣା ପାଇଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଓଡିଶା କିଭଳି ନୂଆ ଓଡିଶା ଆଡକୁ ଅଗ୍ରସର ହେଉଛି ତା’ର ଗୋଟି ଗୋଟି ଉଦାହାରଣ ଦେବା ଛଳରେ ସେ ପରୋକ୍ଷରେ ବିକାଶ ବିରୋଧୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଏହା ଯଦି ରୂପାନ୍ତରଣ ନୁହେଁ, ଏହା ଯଦି ନୂଆ ଓଡିଶାର ଯାତ୍ରା ନୁହେଁ, ତାହା ହେଲେ ଆଉ କ’ଣ ?

ନିଜ ବକ୍ତବ୍ୟରେ ସେ ପ୍ରତି ପଞ୍ଚାୟତରୁ ବସ ଗଡିବା ପାଇଁ ହୋଇଥିବା ଲକ୍ଷ୍ମୀ ଯୋଜନାଠୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, 5T ଅଧୀନରେ ସ୍କୁଲ ଓ କଲେଜର ରୂପାନ୍ତରଣ ପ୍ରସଙ୍ଗ ଉତଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗରିବରୁ ଗରିବତମ ଲୋକଙ୍କୁ ଏଭଳି ସଶକ୍ତ କରିଛନ୍ତି ଯେ, ସେମାନେ ନିଜ ସନ୍ତାନଙ୍କୁ ଡାକ୍ତର, ଇଂଜିନିୟର ଭଳି ବଡ ବଡ ବୃତ୍ତିରେ ଦେଖିବା ସ୍ୱପ୍ନକୁ ସାକାର କରିପାରୁଛନ୍ତି । ମୁଖ୍ୟମନ୍ତ୍ରୀ ଆମ ବାପା ପରି, ଆମ ଗୁରୁ ପରି । ସେ ହେଉଛନ୍ତି ସମଗ୍ର ଓଡ଼ିଶାବାସୀଙ୍କ ପ୍ରେରଣା, ସାଢ଼େ ୪ କୋଟି ଲୋକଙ୍କ ପ୍ରେରଣା । ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରିବାର କାରଣ ହେଉଛି ରାଜ୍ୟବାସୀଙ୍କ ମୁହଁରେ ହସ ଫୁଟାଇବା । ଏହା ତାଙ୍କର ଏକମାତ୍ର ଲକ୍ଷ୍ୟ । ରାଜ୍ୟବାସୀଙ୍କ ପାଇଁ କାମ କରିବା ସେ ନିଜର ଭାଗ୍ୟ ବୋଲି ମନେକରନ୍ତି । ଏହି ଏକମାତ୍ର ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରନ୍ତି । ସେ ବିଜୁ ପଟ୍ଟନାୟକଙ୍କ ପୁଅ । ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେଲେଣି । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେଲେ ବି ଫରକ ପଡିବନି । କିନ୍ତୁ ତାଙ୍କର ଉଦ୍ଦେଶ୍ୟ ହେଉଛି ଭଲ ସରକାର ଗଠନ ଓ ନୂଆ ଓଡ଼ିଶା ଗଠନ । ଏସବୁ ପାଇଁ ସେ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଐତିହ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ୨୦୨୪ ଫେବ୍ରୁଆରୀରେ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଐତିହ୍ୟ କ୍ୟାବିନେଟରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆସନ୍ତାବର୍ଷ ଫେବ୍ରୁଆରୀରେ ତିନିଦିନ ଧରି ଭୁବନେଶ୍ବରରେ ଆୟୋଜନ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଆଜି ବସିଥିବା ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ।

ସମ୍ମିଳନୀ ରାଜ୍ୟ, ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆୟୋଜନ କରାଯିବ । ଏଥିରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ଭାଷା ବିଜ୍ଞାନୀ ଓ ଭାଷା ବିଶେଷଜ୍ଞଙ୍କୁ ନିମନ୍ତ୍ରଣ କରାଯିବ । ସମଗ୍ର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ । ଯୁବପିଢିଙ୍କ ମଧ୍ୟରେ ଓଡ଼ିଆ ଭାଷାର ଆଦୃତ ନିମନ୍ତେ ସେମାନଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ।

ଏହି ଭାଷା ସମ୍ମିଳନୀ ଆୟୋଜନ ଦ୍ବାରା ରାଜ୍ୟ, ରାଜ୍ୟ ବାହାରେ ଓ ବିଦେଶରେ ଓଡ଼ିଆ ଭାଷା ପ୍ରଚାର ପ୍ରସାର ତଥା ଗବେଷଣା କାର୍ଯ୍ୟ ତ୍ବରାନ୍ବିତ ହେବ । ଏହାବାଦ ମାତୃଭାଷାକୁ ସମ୍ମାନ ଦେବା ଓ ଏହାର ଉନ୍ନତି ସାଧନ କରିବା ତଥା ଆଗାମୀ ପିଢିଙ୍କ ପାଇଁ ଓଡ଼ିଆ ଭାଷାର ଅସ୍ମିତାକୁ ବଜାୟ ରଖିବା ପାଇଁ ଏହି ସମ୍ମିଳନୀର ପ୍ରଭାବ ସୁଦୁର ପ୍ରସାରୀ ହେବ ।

ସରିଲା I.N.D.I.A  ବୈଠକ, ପ୍ରଧାନମନ୍ତ୍ରୀ ପଦ ପାଇଁ ଖଡଗେଙ୍କ ନାମ ରଖିଲେ ମମତା

ନୂଆଦିଲ୍ଲୀ: ସରିଲା ଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ମେଣ୍ଟର ବୈଠକ । ମଙ୍ଗଳବାର ହୋଇଥିବା ଏହି ବୈଠକରେ ଟିଏମସି ଅଧ୍ୟକ୍ଷା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରସ୍ତାବ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଅନ୍ୟ କିଛି ନେତା ମମତାଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ହେଲେ ଖଡଗେ କହିଥିଲେ, ଏବେ ନିର୍ବାଚନ ସମୟ । ଏବେ ନିର୍ବାଚନ ଜିତିବା ପାଇଁ କାମ କରିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପରେ ଦେଖିବା ।

ବୈଠକରେ ଆଗାମୀ ଲୋକସଭା ନିର୍ବାଚନରେ ସିଟ୍ ବଣ୍ଟନ, ମିଳିତ ଜନସଭା ଓ ନୂଆ କରି ରଣନୀତି କରାଯିବା ଉପରେ ଆଲୋଚନା ହୋଇଛି । ଅଶୋକ ହୋଟେଲରେ ଆୟୋଜିତ ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଶରଦ ପାଓ୍ବାର, ମମତା ବାନାର୍ଜୀ, ଲାଲୁ ପ୍ରସାଦ ଯାଦବ, ନୀତୀଶ କୁମାର, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅରବିନ୍ଦ କେଜରିଓ୍ବାଲ, ଏମକେ ଷ୍ଟାଲିନ, ଅଖିଳେଶ ଯାଦବ, କେସି ବେଣୁଗୋପାଳ, ରଞ୍ଜନ ସିଂହ, ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ମହବୁବା ମୁଫତି, କୃଷ୍ଣା ପଟେଲ ଏବଂ ପଲ୍ଲବୀ ପଟେଲଙ୍କ ସମେତ ଅନ୍ୟ ନେତାମାନେ ସାମିଲ ହୋଇଥିଲେ ।

ଯାତ୍ରାରେ ପୁଣି ଅଶ୍ଳିଳ ନାଚ: ଆଇଟମ୍ ଗାର୍ଲ ଲଭଲିଙ୍କୁ ବିରୋଧ

ବାଲେଶ୍ବର: ଯାତ୍ରାରେ ଅଶ୍ଳିଳ ନାଚକୁ ବିରୋଧ । ମେଲୋଡି ବେଳେ ଆଇଟମ୍ ଗାର୍ଲ ଲଭଲି ଅଶ୍ଳିଳ ନାଚ ପ୍ରଦର୍ଶନ କରିଥିବା ଅଭିଯୋଗ । ନାଚ ଚାଲିଥିବା ବେଳେ ଦର୍ଶକଙ୍କ ବିରୋଧ । ବିରୋଧ ପରେ ଆଇଟମ ଗାର୍ଲ ଖରାପ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ । ଯାହାର ଭିଡିଓ ହେଉଛି ଭାଇରାଲ ।

ସୂଚନା ଅନୁସାରେ, ଗତକାଲି ବାଲେଶ୍ବର କମର୍ଦ୍ଦା ଥାନା ଅନ୍ତର୍ଗତ କୁରୁଣ୍ଠିଆ ଗାଁରେ ବାଣେଶ୍ୱରୀ ଯାତ୍ରା ପେଣ୍ଡାଲକୁ ଡ୍ୟାନ୍ସ ପାଇଁ ଆସିଥିଲେ ଆଇଟମ ଗାର୍ଲ୍ ଲଭଲି । ଲଭଲିଙ୍କ ନୃତ୍ୟରେ ଅଶ୍ଳିଳତା ଥିବାରୁ ଏହାକୁ ବିରୋଧ କରିଥିଲେ ଦର୍ଶକ । ଫଳରେ ଅଧା ଡ୍ୟାନ୍ସରୁ ଆଇଟମ ଗାର୍ଲ୍ ଲଭଲିଙ୍କୁ ଫେରିବାକୁ ପଡିଥିଲା । ଯାତ୍ରା ମଞ୍ଚରେ ଏଭଳି ଅଶ୍ଳିଳତା ପ୍ରଦର୍ଶନ ବନ୍ଦ କରିବାକୁ ଦାବି କରିଥିଲେ ଦର୍ଶକ ।

ପରକୀୟା ପ୍ରୀତିରୁ କଣ୍ଡକ୍ଟରଙ୍କୁ ହତ୍ୟା, ପତ୍ନୀ ଓ ପୁରୁଷ ବନ୍ଧୁ ଗିରଫ

ଚୌଦ୍ବାର: କଟକ ଚୌଦ୍ୱାର ବସ୍ କଣ୍ଡକ୍ଟର ନିଶ୍ଚଳ ପ୍ରଧାନ ମୃତ୍ୟୁ ମାମଲାର ବଡ ଖୁଲାସା । ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ନିଶ୍ଚିଳଙ୍କ ପତ୍ନୀ ଓ ପୁରୁଷ ବନ୍ଧୁ ଗିରଫ । ପରିକୀୟା ପ୍ରୀତିକୁ ନେଇ ନିଶ୍ଚଳଙ୍କ ପତ୍ନୀ ତାଙ୍କ ପୁରୁଷ ବନ୍ଧୁ ହତ୍ୟା କରିଥିବା କହିଛି ପୋଲିସ ।

ଯୋଜନା ପରେ ଉଭୟ ମିଶି ତାଙ୍କ ଦେହରେ ନିଆଁ ଲଗାଇ ପୋଡି ଦେଇଥିଲେ । ଡିସେମ୍ବର ୧ ତାରିଖରେ ଘଟିଥିଲା ଘଟଣା । ନିଶ୍ଚଳଙ୍କୁ ବିରାଟଗାଦି ନିକଟରେ ଥିବା ଡମ୍ପିଂ ୟାର୍ଡ ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଚୌଦ୍ବାର ଥାନା ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ଗୁରୁତର ନିଶ୍ଚଳଙ୍କୁ ଏସସିବି ମେଡିକାଲରେ ନେଇଥିଲା । ଏସସିବିରେ ପହଁଚିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ନିଶ୍ଚଳଙ୍କ ମୃତ୍ୟୁ ପରେ ଚୌଦ୍ବାର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।