ନନ୍ଦିଘୋଷ ବ୍ୟୁରୋ : ଆଫ୍ରିକୀୟ ଦେଶ ମାଲିରେ ଧସିଲା ସୁନା ଖଣି । ଏଥିରେ ୭୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ଘଟିଛି । କଙ୍ଗିବା ଜିଲା ଦକ୍ଷିଣ ପଶ୍ଚିମ କୌଲିକୋରୋ ଅଞ୍ଚଳରେ ରହିଛି ଏହି ଖଣି । ଖଣିରେ ୨୦୦ରୁ ଅଧିକ ଶ୍ରମିକ କାମ କରୁଥିବା ସୂଚନା ରହିଥିବା ବେଳେ କିଛି ଶ୍ରମିକ ଏବେ ବି ଫଶି ରହିଥିବା ଆଶଙ୍କା କରାଯାଉଛି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ସେପଟେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୭୩ ଟି ମୃତଦେହ ମିଳିଛି । ମୃତକଙ୍କ ପରିବାରକୁ ମାଲି ସରକାର ସମବେଦନା ଜଣାଇଛନ୍ତି ।
କହୁ କହୁ କହିଦେଲେ ରାହୁଲ ଗାନ୍ଧୀ, ଚା‘ ଗରମ ପାଇଁ ଷ୍ଟୋଭ୍ରେ କୋଇଲା ପକାଇବା ଦରକାର..
ଆସାମ: କହୁ କହୁ କହିଦେଲେ ରାହୁଲ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଳୁରୁ ସୁନା ବାହାରିବା କଥା କହିବା ପରେ ଏବେ ଚା’ ଗରମ ପାଇଁ ଷ୍ଟୋଭ୍ରେ କୋଇଲା ପକାଇବା ଦରକାର ବୋଲି କହିଛନ୍ତି । ଯାହାର ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାହୁଲ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ କହୁଛନ୍ତି, ସକାଳେ ଉଠି, ଚା ଗରମ କରିବା ପାଇଁ ଷ୍ଟୋଭ୍ରେ କୋଇଲା ରଖି ଜଳା ଯାଏ । ଏହି କିଛି ସେକେଣ୍ଡର ଭିଡିଓକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଭିଡିଓକୁ ସମାଲୋଚନା କରି ହିମନ୍ତ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଷ୍ଟୋଭରେ କୋଇଲା? ଆପଣ ଷ୍ଟୋଭ୍ରେ କୋଇଲା ରଖି ଆମକୁ ଦ୍ୱନ୍ଦ୍ୱରେ ପକାଇଛନ୍ତି, ଆଳୁରୁ ସୁନା ତିଆରି କରିବାର କଳ୍ପନା ଆମେ ଏଥିରୁ ପାଇବୁ ବୋଧେ। ରାହୁଲ ବର୍ତ୍ତମାନ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଆସାମରେ ଅଛନ୍ତି ।
ରାହୁଲ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ବୁଧବାର ଦିନ ସେ ସାମରିକ ନିଯୁକ୍ତିର ଏହି ଯୋଜନା ସମ୍ପର୍କରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ପୂର୍ବ ପ୍ରକ୍ରିୟା ଅନୁଯାୟୀ ନିଯୁକ୍ତି ଦିଆଯାଇଥିବା ୧.୫ ଲକ୍ଷ ଯୁବବର୍ଗ ବର୍ତ୍ତମାନ ବେକାର ଏବଂ ନିରାଶ ହୋଇଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ କିଛି ଯୁବକଙ୍କ ସହ କଥାବାର୍ତ୍ତା କରି ୟୁଟ୍ୟୁବରେ ସେ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ସେହି ଯୁବକମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ଯେଉଁମାନେ ପୂର୍ବ ନିଯୁକ୍ତି ପ୍ରକ୍ରିୟାରେ ଅନୁମୋଦନ ପାଇବା ପରେ ମଧ୍ୟ ନିଯୁକ୍ତ ହୋଇ ନ ଥିଲେ।
କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାନୁଆରୀ ୨୫ରେ କୁଚ ବିହାର ଜିଲ୍ଲାର ବକ୍ସିରହାଟ ଦେଇ ପଶ୍ଚିମବଙ୍ଗରେ ପ୍ରବେଶ କରିବ । ରାହୁଲ ଗାନ୍ଧୀ ସହରର ମା’ ଭବାନୀ ଚୌକ ଠାରୁ ପଦଯାତ୍ରାର ନେତୃତ୍ୱ ନେବେ । ଜାନୁଆରୀ ୨୯ରେ ଏହି ଯାତ୍ରା ବିହାରରେ ପ୍ରବେଶ କରିବ । ତେବେ ଜାନୁୟାରୀ ୩୧ରେ ଯାତ୍ରା ପୁନର୍ବାର ମାଲଦା ଠାରୁ ପଶ୍ଚିମବଙ୍ଗକୁ ପ୍ରବେଶ କରିବ । ଏହି ଯାତ୍ରା ଜଲପାଇଗୁଡି, ଆଲିପୁରଦ୍ବାର, ଉତ୍ତର ଦିନାଜପୁର, ଦାର୍ଜିଲିଂ, ମାଲଦା ଏବଂ ମୁର୍ସିଦାବାଦ ଜିଲ୍ଲା ଦେଇ ଯିବ । ଏହି ଯାତ୍ରା ପଶ୍ଚିମବଙ୍ଗରେ ମୋଟ ପାଞ୍ଚ ଦିନ ଚାଲିବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୬ଟି ଜିଲ୍ଲା ଏବଂ ୬ଟି ଲୋକସଭା ଆସନ ଗସ୍ତ କରିବେ।
ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ, ସଜେଇ ହେଲାଣି ରାଜଧାନୀ ଦିଲ୍ଲୀ
ନୂଆଦିଲ୍ଲୀ : ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ । ସାରା ଦେଶ ପାଳିବ ୭୫ତମ ସାଧାରଣତନ୍ତ୍ର ଦିବସ। ଏଥିଲାଗି ସାରା ଦେଶ ଚଳଚଞ୍ଚଳ । ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବ ଲାଗି ବ୍ୟାପକ ଆୟୋଜନ ହୋଇଛି । କର୍ତ୍ତବ୍ୟପଥରେ ଏହି ପରେଡ୍ ପ୍ରଦର୍ଶିତ ହେବ । ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ।
ପ୍ରଜ୍ଞାପନ ମେଢ ସହ ୩ ସେନା, ଅର୍ଦ୍ଧସାମରିକ ବାହିନୀ, ଏନସିସି ସହ ଅନ୍ୟ ଦଳକୁ ନେଇ ପରେଡ୍ ପ୍ରଦର୍ଶିତ ହେବ। ଏଥିଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କର୍ତ୍ତବ୍ୟପଥରେ ୧୪ ହଜାର ପୋଲିସ କର୍ମୀ ମୁତୟନ ରହିବେ। ଦିଲ୍ଲୀ ସହର ମଧ୍ୟକୁ ଭାରିଯାନ ଏବଂ ହାଲୁକା ମାଲବାହୀ ଯାନ ପ୍ରବେଶ ଉପରେ କଟକଣା ଲାଗିଛି । କର୍ତ୍ତବ୍ୟପଥରେ ୭୭ ହଜାର ଜନତା ପରେଡ ଦେଖିବେ । ସେମାନଙ୍କ ମଧ୍ୟରେ ରହିବେ ୪୨ ହଜାର ଆମନ୍ତ୍ରିତ ଅତିଥି।
ଆଜିରାତିରୁ ଦିଲ୍ଲୀର ସମସ୍ତ ସୀମା ସୁରକ୍ଷା୍କର୍ମୀଙ୍କ ନଜରରେ ରହିବ । ସାଧାରଣତନ୍ତ୍ର ଦିବସ ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି । ଆଜି ରାତି ୮ଟାରୁ ଆରମ୍ଭ ହୋଇ କଟକଣା ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଜାରି ରହିବ। ନିର୍ଦ୍ଦେଶନାମା ଅନୁସାରେ ନୂଆଦିଲ୍ଲୀ ରେଲୱେ ଷ୍ଟେସନ, ପୁରୁଣା ଦିଲ୍ଲୀ ଷ୍ଟେସନ, ନିଜାମୁଦ୍ଦିନ ଷ୍ଟେସନ ଏବଂ ଆନନ୍ଦବିହାର ଷ୍ଟେସନ ନିକଟରେ କୌଣସି ଗାଡ଼ି ପାର୍କ କରିବାକୁ ଅନୁମତି ନାହିଁ ।
ଦିଲ୍ଲୀରେ ସର୍ବସାଧାରଣଙ୍କ ଲାଗି ଉଦ୍ଦିଷ୍ଟ ପରିବହନ ବ୍ୟବସ୍ଥା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଷ୍ଟେସନକୁ ଆସୁଥିବା ଗାଡି ଷ୍ଟେସନ ବାହାରେ ଅପେକ୍ଷା କରିବେ । ଜାନୁଆରୀ ୨୩ରୁ ଆରମ୍ଭ ହୋଇଥିବା ଭାରତ ପର୍ବ ଲାଗି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଭାରତ ପର୍ବ । ଏଠାରେ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହୋଇଥିବା ପ୍ରଜ୍ଞାପନ ମେଢ ଲୋକଙ୍କ ଦର୍ଶନ ଲାଗି ରହିବ । ଏହାସହ ସେନାବାହିନୀ ପକ୍ଷରୁ ବ୍ୟାଣ୍ଡ ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟ ଷ୍ଟଲ, କ୍ରାଫ୍ଟ ବଜାର ସହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଭିଲିୟନ ରହିଛି।
ପବିତ୍ର ପୌଷପୂର୍ଣ୍ଣିମାରେ ରାଜରାଜେଶ୍ବର ବେଶରେ ଦର୍ଶନ ଦେବେ କାଳିଆ ଠାକୁର
ପୁରୀ : ଆଜି ପବିତ୍ର ପୌଷପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଏହା ଏକ ଅନନ୍ୟ ଯାତ୍ରା । ଗତକାଲି ଚତୁର୍ଦଶୀ ତିଥିରେ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କୁ ଅଭିଷେକ କରାଯିବ । ପରେ ମହାପ୍ରଭୁଙ୍କଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମାଆ ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ । ଏହାପରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । କିରିଟ, କୁଣ୍ଡଳ,ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ,ସେବତୀମାଳ, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ବର୍ଣ ଅଳଙ୍କାରରେ ମହାପ୍ରଭୁ ରାଜରାଜେଶ୍ବର ବେଶରେ ବିଭୂଷିତ ହୋଇ ଭକ୍ତ ଜନଙ୍କୁ ଦର୍ଶନ ଦେବେ ।
ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପଡିବ ଯବନିକା, ଆଜି ମାମୁଁ କଂସଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ
ବରଗଡ଼ : ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରାରେ ପଡିବ ଯବନିକା । ରାଜା କଂସାଧିପତିଙ୍କର ଆଜି ହେଉଛି ଶେଷ ଦିନ । ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହେବେ ମଥୁରାବାସୀ । ବରଗଡ଼ରେ ଦୀର୍ଘ ୧୧ ଦିନ ଚାଲିଆସୁଥିବା ଧନୁଯାତ୍ରାରେ ଆଜି ଅଭିନୀତ ହେବ କଂସ ବଦ୍ଧର ଦୃଶ୍ୟ ।ଏଥି ସହ କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, କୁବଳୟା ବଧ, ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ, କଂସ ବଦ୍ଧ ଏବଂ ପରିଶେଷରେ ଉଗ୍ରସେନଙ୍କ ରାଜ୍ୟଭିଷେକ ଦୃଶ୍ୟ ଅଭିନୀତ ହେବ ।
ଗତକାଲି କଂସଙ୍କ ଠାରୁ ମୁକ୍ତି ପାଇଁ କୃଷ୍ଣଙ୍କ ନିକଟରେ ଆକୁଳ ବିନତି କରିଥିଲେ ମଥୁରାବାସୀ ।ଏଥିସହ କୁବଜା ଉଦ୍ଧାର, କଂସଙ୍କ ଦିଗବିଜୟ ଭ୍ରମଣ ଅଭୀନିତ ହୋଇଥିଲା । ଗତକାଲି ଧନୁଯାତ୍ରା ଦେଖିବାକୁ ବରଗଡରେ ପ୍ରବଳ ଜନସମାଗମ ହୋଇଥିଲା ।
ଆଜି ପଶ୍ଚିମବଙ୍ଗରେ ପ୍ରବେଶ କରିବ ଭାରତ ଯୋଡ ନ୍ୟାୟ ଯାତ୍ରା
କୋଲକାତା : ଆଜି ପଶ୍ଚିମବଙ୍ଗରେ ପ୍ରବେଶ କରିବ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ଆସାମ-ପଶ୍ଚିମବଙ୍ଗ ସୀମା ଅନ୍ତର୍ଗତ ବକ୍ସିରହାଟ ଦେଇ କୁଚବେହାରରେ ପ୍ରବେଶ କରିବ ଯାତ୍ରା । ସେଠାରୁ ତୋଫାନଗଞ୍ଜ ଓ କୁଚ ବେହାର ଦେଇ ଯାତ୍ରା ଚାଲିବ । ତେବେ ଏହି ଯାତ୍ରା କୋଲକାତା ଯିବ ନାହିଁ ବୋଲି ସୂଚନା ମିଳିଛି । କେବଳ ପଶ୍ଚିମବଙ୍ଗରେ ନ୍ୟାୟ ଯାତ୍ରାର ଅବଧି ୫୨୩ କିଲୋମିଟର ରହିଛି ।
ଉତ୍ତର ଦିନାପୁର, ଆଲିପୁର୍ଦୁଆର, ଜଲପାଇଗୁଡି, ଦାର୍ଜିଲିଂ, ମାଲଦା, ମୁର୍ଶିଦାବାଦ ଜିଲ୍ଲା ଦେଇ ଏହି ଅଭିଯାନ ଚାଲିବ । ଏହି ସବୁ ସ୍ଥାନରେ ରୋଡ ସୋ’ ଓ ସଭା କାର୍ଯ୍ୟକ୍ରମ ଆଦି ରହିଛି । ଆଲିପୁର୍ଦୁଆରରେ ୨୬ ଓ ୨୭ରେ ଯାତ୍ରା ୨ ଦିନ ଲାଗି ସ୍ଥଗିତ ରହିବ । ଆସନ୍ତା ୨୯ରେ ଭାରତ ଯୋଡ ଯାତ୍ରା ବିହାରରେ ପ୍ରବେଶ କରିବ । ଗତ ଜାନୁଆରୀ ୧୪ରେ ମଣିପୁରରୁ ବାହାରିଥିବା ଅଭିଯାନ ୬ହଜାର ୭୧୩ କିଲୋମିଟର ଅତିକ୍ରମ କରି ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ ।
ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସ୍କୁଲ,କଲେଜ ଛୁଟି ଘୋଷଣା
ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ଲୋକାର୍ପିତ ହେବ ମା’ ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ । ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି ଲୋକାର୍ପଣ ଉତ୍ସବ । ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖକୁ ଛୁଟି ଘୋଷଣା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଦିନ ସାରା ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଦିନ ଚତୁର୍ଥ ଶନିବାର ପଡୁଥିବାରୁ ସମସ୍ତ ସରକାରୀ ଅଫିସ ମଧ୍ଯ ବନ୍ଦ ରହିବ । କାର୍ଯ୍ୟକ୍ରମରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା’ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ।
ଐତିହ୍ୟ କରିଡରର ଆକର୍ଷଣରେ ବିମୋହିତ ହେଉଛି ଭକ୍ତ । ମୁଖଶାଳାର ପ୍ରତିଟି କାରିଗରୀରେ ସଂସ୍କୃତିର ଛାପ ଦେଖିବାକୁ ମିଳିଛି । ସବୁଜ ବଳୟ, ସୁବ୍ୟବସ୍ଥିତ ମାର୍ଗ, ସୁସଜ୍ଜିତ ନବରୂପ । ଇଏ ନୂଆ ଓଡ଼ିଶାର ସମଲେଇ, ବିକଶିତ ସମଲେଇ ଆଉ ରୂପାନ୍ତରିତ ସମଲେଇ ପୀଠ । ରୂପାନ୍ତରଣର ଐତିହାସିକ କୀର୍ତ୍ତିର ଲୋକାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଶ୍ରଦ୍ଧାଳୁଙ୍କୁ ଟାଣିନେଉଛି ମନ୍ଦିରର ୪ଦ୍ବାର ଆଉ ଓ୍ବାଚ୍ ଟାଓ୍ବାର୍ । ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ସବୁଠି ଭାବ ଭକ୍ତି ଆନନ୍ଦ ଦେଖିବାକୁ ମିଳୁଛି । ସବୁଠି ଫୁଲରେ ସାଜସଜ୍ଜା କରାଯାଉ ଥିବା ବେଳେ ୪ ଦ୍ବାରରେ ହୋମଯଜ୍ଞ ପାଇଁ ଆୟୋଜନ କରାଯାଇଛି। ଲୋକାର୍ପଣ ଉତ୍ସବ ଦିନ ଶ୍ରଦ୍ଧାଳୁମାନେ ସିନ୍ଦୂର ଓ ଚୁନରି ଅର୍ପଣ କରିପାରିବେ । ପ୍ରଥମେ ନିଜ ଗାଁର ଗ୍ରାମଦେବୀଙ୍କୁ ଅର୍ପଣ କଲା ପରେ ତାହା ପୁଣି ସମ୍ବଲପୁର ଅଣଯାଇ ମାଆ ସମଲେଶ୍ବରୀଙ୍କ ନିକଟରେ ଅର୍ପଣ କରାଯିବ ।
ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଅଦଳବଦଳ, ଜାଣନ୍ତୁ କିଏ-କେଉଁଠି…
ଭୁବନେଶ୍ୱର: ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଅଦଳବଦଳ। ବଦଳିଲେ ୬ ଜିଲ୍ଲାର ଏସପିଙ୍କ ସମେତ ଟୁଇନସିଟି ପୋଲିସ କମିଶନର। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ କଟକ-ଭୁବନେଶ୍ବରର ନୂଆ ପୋଲିସ କମିଶନର ହୋଇଛନ୍ତି ସଞ୍ଜୀବ ପଣ୍ଡା।
କଟକ ଡିସିପି ହୋଇଛନ୍ତି କନଓ୍ବର ବିଶାଲ ସିଂ। ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି। ହିମାଂଶୁ ଲାଲ୍ ହୋଇଛନ୍ତି ଉତ୍ତରାଞ୍ଚଳ ଆଇଜି। ସନ୍ତୋଷ ବାଲାଙ୍କୁ OPHWC ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ ରପ୍ରଦାନ କରାଯାଇଛି। ଦୀପକ କୁମାର ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ହୋଇଛନ୍ତି। ଏହା ସହ ସେ ଅନୁଗୁଳ ପିଟିସି ପ୍ରିନସିପାଲ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।
ସେହିପରି ପୂର୍ବାଞ୍ଚଳ ଆଇଜି ହୋଇଛନ୍ତି ସତ୍ୟବ୍ରତ ଭୋଇ। ଜେଏନ୍ ପଙ୍କଜ ହୋଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି। EOW ଓ STF ଆଇଜି ଭାବେ ସେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ପିନାକ ମିଶ୍ର ପୁରୀ ଏସପି ହୋଇଥିବା ବେଳେ ବି. ଯୁଗଳ କିଶୋର କୁମାର କେନ୍ଦ୍ରାପଡା଼ ଓ ଏମ୍. ସନ୍ଦୀପ ସମ୍ପଦ ଢେଙ୍କାନାଳ ଏସପି ହୋଇଛନ୍ତି। ରାମପ୍ରସାଦ ସାହୁ ଦେବଗଡ଼, ହରିଶ ବି.ସି. ରାୟଗଡ଼ା, ଓ ୟଶପ୍ରତାପ ଶ୍ରୀମଲ ସୋନପୁର ଏସପି ହୋଇଛନ୍ତି। ବିବେକାନନ୍ଦ ଶର୍ମା ଏଆଇଜି, ପୋଲିସ ମୁଖ୍ୟାଳୟ ହୋଇଥିବାବେଳେ ଜ୍ଞାନରଞ୍ଜନ ମହାପାତ୍ର ସ୍ପେଶାଲ ବ୍ରାଞ୍ଚ ଏସପି ଓ ଅମରେଶ କୁମାର ପଣ୍ଡା ପୋଲିସ ମୁଖ୍ୟାଳୟ ଏଆଇଜି ହୋଇଛନ୍ତି।
ସଜେଇ ହେଉଛି ସମଲେଇ ପୀଠ, ଆକର୍ଷିତ କରୁଛି ୱାଚ୍ ଟାୱାର୍
ଝାରସୁଗୁଡା: ବିଶ୍ବଦେଖିବ ଆସ୍ଥା ଓ ବିଶ୍ବାସର ପୀଠ ସମଲେଇ ମନ୍ଦିରର ରୂପାନ୍ତରିତ ରୂପ। ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ମନ୍ଦିରର ନୂଆ ରୂପ ଦେଖି ତୃପ୍ତ ହେଉଛନ୍ତି ଭକ୍ତ। ମାଆଙ୍କୁ ଦର୍ଶନ କରି ସଭିଏଁ ଦିବ୍ୟ ଓ ଭବ୍ୟ ଅନୁଭୂତି ନେଉଥିବା ବେଳେ ଲୋକାର୍ପଣ ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ମୁଖଶାଳାର ପ୍ରତିଟି କାରିଗରୀରେ ସଂସ୍କୃତିର ଛାପ। ସବୁଜ ବଳୟ, ସୁବ୍ୟବସ୍ଥିତ ମାର୍ଗ, ସୁସଜ୍ଜିତ ନବରୂପ। ରୂପାନ୍ତରଣର ଐତିହାସିକ କୀର୍ତ୍ତିର ଲୋକାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଶ୍ରଦ୍ଧାଳୁଙ୍କୁ ଟାଣିନେଉଛି ମନ୍ଦିରର ୪ଦ୍ବାର ଆଉ ୱାଚ୍ ଟାୱାର୍।
ଶୁକ୍ରବାର କଳସ ଯାତ୍ରା ଓ ଅଧିବାସ ଆରମ୍ଭ ହେବାକୁ ଥିବା ବେଳେ ୨୭ରେ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି। ପ୍ରକଳ୍ପ ନିର୍ମାଣରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ। ସବୁଠି ଫୁଲରେ ସାଜସଜ୍ଜା କରାଯାଉ ଥିବା ବେଳେ ୪ଦ୍ବାରରେ ହୋମଯଜ୍ଞ ପାଇଁ ଆୟୋଜନ କରାଯାଇଛି। ଲୋକାର୍ପଣ ଉତ୍ସବ ଦିନ ଶ୍ରଦ୍ଧାଳୁମାନେ ସିନ୍ଦୂର ଓ ଚୁନରି ଅର୍ପଣ କରିପାରିବେ। ପ୍ରଥମେ ନିଜ ଗାଁର ଗ୍ରାମଦେବୀଙ୍କୁ ଅର୍ପଣ କଲା ପରେ ତାହା ପୁଣି ସମ୍ବଲପୁର ଅଣଯାଇ ମାଆ ସମଲେଶ୍ବରୀଙ୍କ ନିକଟରେ ଅର୍ପଣ କରାଯିବ।
5T ସ୍କୁଲ ରୂପାନ୍ତରଣ; ୪ର୍ଥ ପର୍ଯ୍ୟାୟରେ ୨୮୬ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାର ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରାଯାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାର ୮୦ଟି ହାଇସ୍କୁଲ, ସୁବର୍ଣ୍ଣପୁରର ୧୪ଟି, ପୁରୀର ୫୩ଟି, ନୟାଗଡ଼ର ୭୫ଟି, ବୌଦ୍ଧର ୧୦ଟି ଓ ନବରଙ୍ଗପୁରର ୫୪ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି।
ତେବେ ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ । ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି। ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ସାରଥୀ ହେବେ । ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ । ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି।
ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ତୁମେମାନେ ତୁମ ଜୀବନରେ 5T ନୀତିର ପ୍ରୟୋଗ କର । ଏହା ତୁମ ମାନଙ୍କ ପାଇଁ ସଫଳତା ଆଣିଦେବ। ତୁମେ ମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର। ମିଳିମିଶି କାମ କର। କ୍ରୀଡା କ୍ଷେତ୍ରରେ ଟିମ୍ ୱାର୍କର ବିଶେଷ ଭୂମିକା ରହିଛି । ସ୍ବଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର। ସମୟ ହେଉଛି ତୁମ ମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ। ସମୟକୁ ନଷ୍ଟ ନ କରି ତାର ଉପଯୋଗ କର । କାର୍ଯ୍ୟକ୍ରମରେ ଯୋଗ ଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ରାଜ୍ୟର ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ନେଇ ଯେଉଁସବୁ ସ୍ବପ୍ନ ଦେଖିଛନ୍ତି, ତାକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ରୂପାନ୍ତରିତ ସ୍କୁଲରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି। ଶିକ୍ଷା କ୍ଷେତ୍ରରେ ଓ ଭବିଷ୍ୟତ ନିର୍ମାଣ ପାଇଁ ଏହା ସେମାନଙ୍କୁ ସଶକ୍ତ କରିବ । ଏହି ରୂପାନ୍ତରିତ ସ୍କୁଲ ଗୁଡିକ ହେଉଛି ଆପଣମାନଙ୍କ ସମ୍ପତ୍ତି, ରାଜ୍ୟବାସୀଙ୍କ ସମ୍ପତ୍ତି । ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ସମସ୍ତେ ଦାୟିତ୍ବବାନ ହେବାକୁ ସେ ପରାମର୍ଶ ଦେଇଥିଲେ ।

