spot_img
Home Blog Page 2171

ପିକଅପ୍ ଭ୍ୟାନ୍ ଓଲଟି ୧୪ ମୃତ, ୨୧ ଗୁରୁତର ଆହତ

ଭୋପାଳ: ଘାଟିରେ ଓଲଟିଗଲା ପିକଅପ୍ ଭ୍ୟାନ୍ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୧ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଭୟଙ୍କର ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶର ଶାହପୁରା ଥାନା ଅଧିନ ଦିନ୍ଦୋରୀରେ ।

ଗତକାଲି ରାତିରେ ହୋଇଥିବା ଏହି ଦୁର୍ଘଟଣାରେ ମୃତକ ତଥା ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ଏହି ସବୁ ଲୋକେ ଏକ ପିକଅପ୍ ଭ୍ୟାନରେ ଶାଦଖିଆ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଗାଡ଼ି ଦ୍ରୁତ ଗତିରେ ଥିଲା । ହଠାତ ଘାଟିରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇ ବସିଲେ । ଏବଂ ଗାଡ଼ିଟି ବଡ଼ଝର ଘାଟିରେ ଓଲଟି ପଡ଼ିଥିଲା ।

ଦୁର୍ଘଟଣା ଘଟିଲା ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ିଥିଲେ । ଏହା ପରେ ପୋଲିସ୍ ଏବଂ ଅଗ୍ନିସମ କର୍ମଚାରୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଘଟଣାସ୍ଥଳରେ ହିଁ ୧୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ୨୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୃତକଙ୍କ ପରିବାରକୁ  ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ଏବଂ ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଆଗେଇଲା ପାକିସ୍ତାନରେ ସରକାର ଗଠନ ପ୍ରକ୍ରିୟା, ପିଏମଏଲ-ଏନ ଓ ପିପିପି ମେଣ୍ଟ କରିବେ ସରକାର

ଇସଲାମାବାଦ: ଆଗେଇଲା ପାକିସ୍ତାନରେ ସରକାର ଗଠନ ପ୍ରକ୍ରିୟା । ଆଜି ହେବ ସଂସଦ ଅଧିବେଶନ । ଦୁଇ ପରିବାରରେ ନିୟନ୍ତ୍ରଣରେ ଥିବା ଦୁଇ ପ୍ରମୁଖ ଦଳ ପାକିସ୍ତାନ ମୁସଲିମ ଲିଗ-ଏନ ଓ ପାକିସ୍ତାନ ପିପୁଲସ ପାର୍ଟି ପକ୍ଷରୁ ସରକାର ଗଠନ ନେଇ କ୍ଷେତ୍ର ପ୍ରସ୍ତୁତ  କରାଯାଇଛି । ଗତକାଲି ପିଏମଏଲ-ଏନ ନେତା ଶେହବାଜ ସରିଫଙ୍କୁ କରାଯାଇଥିଲା ନେତା ନିର୍ବାଚିତ। ବୁଝାମଣା ଅନୁସାରେ ପିଏମଏଲ-ଏନ ନେତା ଶେହବାଜ ସରିଫ ହେବେ ପ୍ରଧାନମନ୍ତ୍ରୀ ଓ ପିପିପି ନେତା ଅସିଫ ଅଲ୍ଲୀ ଜର୍ଦ୍ଦାରୀ ହେବେ ରାଷ୍ଟ୍ରପତି ।

ଦୁଇ ଦଳ ମଧ୍ୟରେ ବୁଝାମଣା ଯୋଗୁ ପାକିସ୍ତାନ ତେହରିକ-ଇ-ଇନସାଫର ସରକାର ଗଠନ ଆଶା ଧୂଳିସାତ୍ ହୋଇଛି । ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନେତୃତ୍ବାଧୀନ ପିଟିଆଇ ସର୍ବାଧିକ ଆସନ ହାସଲ କରିଥିଲେ ବି ସରକାର ଗଠନ କରିବାରେ ସକ୍ଷମ ହୋଇପାରିନାହିଁ । ଅଧିବେଶନର ପ୍ରଥମ ଦିନରେ ବାଚସ୍ପତି, ଉପବାଚସ୍ପତି ଓ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚିତ କରାଯିବ । ୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ପିଏମଏଲ-ଏନ ୮୨ ଓ ପିପିପି ୫୪ ଆସନ ହାସଲ କରିଛନ୍ତି  । ପିଟିଆଇ ୯୩ ଆସନ ହାସଲ କରିଛି । ୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ମ୍ୟାଜିକ ନମ୍ବର ହେଉଛି ୧୩୩ । ୨୦୨୨ରୁ ୨୦୨୩ ଯାଏ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୦୮ରୁ ୨୦୧୩ ଯାଏ ଜର୍ଦ୍ଦାରୀ ଥିଲେ ରାଷ୍ଟ୍ରପତି ।

ଆଜି ଉଦଘାଟିତ ହେବ ଦ୍ବିତୀୟ ପର୍ଯ୍ୟାୟ ‘ଆମ ବ୍ୟାଙ୍କ’ ଯୋଜନା 

ଭୁବନେଶ୍ବର: ହାତ ପାହାନ୍ତାରେ ପହଞ୍ଚିଲା ବ୍ୟାଙ୍କ ସୁବିଧା  । ବ୍ୟାଙ୍କ ନଥିବା ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଯୋଜନା  ।  ରାଜ୍ଯରେ ଦ୍ବିତୀୟ ପର୍ଯ୍ୟାୟରେ ଆଜି ୨ହଜାର ସିଏସପି ପ୍ଲସ ଶାଖାର ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ଲୋକସେବା ଭବନରେ ମୁଖ୍ଯମନ୍ତ୍ରୀ ସେବାର ଶୁଭାରମ୍ଭ କରିବେ । ରାଜ୍ଯ ସରକାରଙ୍କ ଏହି ଯୋଜନାରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡି ହୋଇଛନ୍ତି । ଆମ ବ୍ୟାଙ୍କ ଗୁଡିକ ଲୋକଙ୍କୁ ୧୫ ପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦେବେ । ରାଜ୍ୟର ସମୁଦାୟ ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୪୩୭୩ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ ।

ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାଙ୍କ ସୁବିଧା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ବ୍ୟାଙ୍କ ମାନଙ୍କୁ ସମସ୍ତ ସୁବିଧା ପ୍ରଦାନ ବ୍ୟାଙ୍କ ନ ଥିବା ପଞ୍ଚାୟତରେ ଯୋଜନା ଆରମ୍ଭ କରିଛନ୍ତି । ଆମ ବ୍ୟାଙ୍କ ଲୋକଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଆଉ ଏକ ମାଇଲଷ୍ଟୋନ ସାଜିଛି  । ଆମ ବ୍ୟାଙ୍କ ମଡେଲ ସାରା ଦେଶରେ ପ୍ରଥମ ।  ରାଜ୍ୟ ସରକାରଙ୍କ 5T ଉପକ୍ରମରେ ଏହା ଆରମ୍ଭ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । ଯୋଜନାରେ ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମନଙ୍କୁ ଘରେ ହିଁ ବ୍ୟାଙ୍କ ସେବା ଯୋଗାଇ ଦିଆଯାଉଛି ।

ଏସିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲା ବିଶ୍ବର ସବୁଠରୁ ଛୋଟ ରାମ ମନ୍ଦିର

ଭୁବନେଶ୍ବର: ବିଶ୍ଵର ସବୁଠାରୁ ଛୋଟ ରାମ ମନ୍ଦିର ତିଆରି ହୋଇଛି କାଠରେ । ଏହି ମନ୍ଦିର ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି । ବାଲୁକା ଶିଳ୍ପୀ ସତ୍ୟଙ୍କ କାଳ କୃତି ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।
ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଅଯୋଧ୍ୟାରେ ଶ୍ରୀ ରାମ ଲଲ୍ଲାଙ୍କ ମନ୍ଦିର ପ୍ରତିଷ୍ଠା ସମୟରେ ନିର୍ମାଣ କରିଥିଲେ ଅଯୋଧ୍ୟାର ଅବିକଳ ମନ୍ଦିର। ଯାହାକି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇସାରିଛି। ଏହାର ଉଚ୍ଚତା ୨cm ଓ ଓସାର ୫mm ରହିଛି । ଅତି ଛୋଟ ହେଲେ ସୁଦ୍ଧା ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରିଛନ୍ତି ଶିଳ୍ପୀ ସତ୍ୟ। ସବୁ ସେ ମା କନ୍ଧୁଣୀ, ବୁଢ଼ୀ ଠାକୁରାଣୀ ଓ ଜଗନ୍ନାଥ, ଶ୍ରୀ ରାମ ଙ୍କ କୃପାରୁ ଏ ରେକର୍ଡ ହୋଇପାରିଛି। ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବା ପରେ ସତ୍ୟ ବହୁତ ଖୁସି ହୋଇଛନ୍ତି । ଆଗାମୀ ଦିନରେ ଅନେକ ବୁକ୍ ଅଫ୍ ରେକର୍ଡସ୍ ସ୍ଥାନ ପାଇବ ବୋଲି ଆଶା ରଖିଛନ୍ତି ଶିଳ୍ପୀ ସତ୍ୟ ।

୧୩୩ଟି ନୂଆ ପ୍ରାଣୀ ସେବା ଯାନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ଯରେ ଆହୁରି ସୁବ୍ୟବସ୍ଥିତ ହେବ ପ୍ରାଣୀସେବା । ଏଥିପାଇଁ ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା କାର୍ଯ୍ୟକ୍ରମ ଅଧିନରେ ଏହା କାର୍ଯ୍ୟକାରୀ ହୋଇଛି। କଳିଙ୍ଗ ଷ୍ଟାଡିୟମ୍‌ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିଛନ୍ତି ।  ପ୍ରାଣୀ ସମ୍ପଦର ସୁରକ୍ଷା ଓ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ।ପ୍ରାଣୀ ସମ୍ପଦର କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ମୁଖ୍ୟମନ୍ତ୍ରୀ ଭା୍ରମ୍ୟମାଣ ପ୍ରାଣୀ ଚିକିତ୍ସା ସେବାର ପ୍ରଚଳନ କରାଯାଇଛି ।

ଏହା ମାଧ୍ୟମରେ ପ୍ରାଣୀ ଚିକିତ୍ସା ସୁବିଧା ନଥିବା ଅଞ୍ଚଳରେ ମୋବାଇଲ ଭେଟେରିନାରୀ ୟୁନିଟ୍‌ ମାଧ୍ୟମରେ ପୀଡ଼ିତ ପ୍ରାଣୀମାନଙ୍କ ନିକଟରେ ତୁରନ୍ତ ପହଞ୍ଚାଯାଇ ପ୍ରାଣୀ ଚିକିତ୍ସା କରାଯାଇପାରୁଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ୧୮୧ ଗୋଟି ମୋବାଇଲ ଭେଟେରିନାରୀ ୟୁନିଟ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଆଜି ୨୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ଅନ୍ୟ ୧୩୩ଟି ନୂଆ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ୟୁନିଟ୍‌ ଲୋକାର୍ପିତ ହୋଇଛି । ଫାଇଭ-ଟି’ ଉପକ୍ରମରେ ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯିବା ସହିତ ସ୍ୱଚ୍ଛତା ଅବଲମ୍ବନ ପାଇଁ  ଜି.ପି.ଏସ୍‌. ମାଧ୍ୟମରେ ଭ୍ରାମ୍ୟମାଣ ଯାନଗୁଡ଼ିକୁ ଟ୍ରାକିଂ କରାଯାଇ ପାରୁଛି। । ଆଜି ସହରାଞ୍ଚଳରେ ମଧ୍ୟ ୬ ଗୋଟି ମୁଖ୍ୟମନ୍ତ୍ରୀ ପ୍ରାଣୀ ଆମ୍ବୁଲାନ୍‌ସ ସେବା ଯାନର ଲୋକାର୍ପିତ ହୋଇଛି ।

ସରୁଛି ଚାଷୀ ସଂଗଠନର ଡେଡଲାଇନ, ସଂଯୁକ୍ତ କିଷାନ ମୋର୍ଚ୍ଚା କରିପାରେ ବଡ ଘୋଷଣା

ନୂଆଦିଲ୍ଲୀ: ଆଜି ସରୁଛି ଚାଷୀ ସଂଗଠନର ଡେଡଲାଇନ । ଆନ୍ଦୋଳନ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା କରିପାରେ ବଡ ଘୋଷଣା । କେନ୍ଦ୍ର ସରକାର ବାରମ୍ବାର ଚାଷୀଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନଥିବା ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରିବା ଲାଗି ଯୋଜନା କରାଯାଉଛି । ତେଣେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ବି ହରିଆଣାର ଅମ୍ବାଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ । ହରିଆଣା-ଦିଲ୍ଲୀ ସୀମାନ୍ତରେ ଚାଷୀମାନେ ପୂର୍ବପରି ସମବେତ ହେଉଥିବା ଦେଖାଯାଉଛି । ତେଣେ ପୁଣି ଥରେ ଆଲୋଚନା ଟେବୁଲକୁ ଆସିବା ଲାଗି ଚାଷୀ ସଂଗଠନକୁ ଅନୁରୋଧ କରିଛନ୍ତି କେନ୍ଦ୍ରକୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ।

ଏମଏସପି ସମେତ ଅନ୍ଯାନ୍ୟ ଦାବି ପୂରଣ ଲାଗି ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୂର ମୋର୍ଚ୍ଚା ପକ୍ଷରୁ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହୋଇଥିଲା । ତେବେ ଏହାକୁ ୨ ଦିନ ଲାଗି ସ୍ଥଗିତ ରଖାଯାଇଥିଲା । ଏମଏସପି ଅନୁସାରେ ଡାଲିଜାତୀୟ ଶସ୍ଯ, ମକା ଓ କପା  କ୍ରୟ ସକାଶେ ନ୍ୟାସନାଲ କୋପରେଟିଭ କଞ୍ଜ୍ୟୁମର୍ସ ଫେଡେରେସନ ବା ଏନସିସିଏଫ ଏବଂ ନ୍ଯାସନାଲ ଏଗ୍ରିକଲଚର କୋପରେଟିଭି ମାର୍କେଟିଂ ଫେଡେରେସନ ଅଫ ଇଣ୍ଡିଆ ବା ନାଫେଡ ୫ ବର୍ଷିଆ ଚୁକ୍ତି କରିବେ ବୋଲି ପୂର୍ବରୁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀ ସଂଗଠନ ଅଗ୍ରାହ୍ୟ କରିଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଓ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟଙ୍କ ସହ ଚାଷୀ ନେତାଙ୍କ ହୋଇଥିଲା ଆଲୋଚନା ।

କଟକରେ ବକ୍ସ ଡ୍ରେନର ଆଜି ଶୁଭାରମ୍ଭ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ: ଇତିହାସ ହେବ କଟକର ନାଳ ସମସ୍ୟା । ବହୁ ପ୍ରତୀକ୍ଷିତ ବକ୍ସ ଡ୍ରେନର ଆଜି ଶୁଭାରମ୍ଭ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ସହର ମଧ୍ଯ ଦେଇ ପଟ୍ଟାପୋଲଠାରୁ ଛତ୍ରବଜାର ପର୍ଯ୍ୟନ୍ତ ଯାଇଥିବା ବିରାଟ ନାଳ ଉପରେ ବକ୍ସ ଡ୍ରେନ ସହ ତା ଉପରେ ହୋଇଥିବା ସୁନ୍ଦର ରାସ୍ତାକୁ ଲୋକାର୍ପଣ କରିବେ ମୁଖ୍ଯମନ୍ତ୍ରୀ । ଦିନ ସାଢେ ୧୧ଟାରେ ନବୀନ ଏହାର ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି । ୪୫୦ କୋଟି ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି । ବକ୍ସ ଡ୍ରେନ ଦ୍ବାରା ପଟ୍ଟାପୋଲଠାରୁ ବର୍ଷା ଜଳ ଓ ନର୍ଦ୍ଦମାର ପାଣି ସହଜରେ ନିଷ୍କାସିତ ହେବ ।

ଏହା ଉପରେ ପଟ୍ଟାପୋଲ ଠାରୁ ବକ୍ସିବଜାର ଗମ୍ମାଢିଆ ପର୍ଯ୍ୟନ୍ତ ଦୁଇ ଥାକିଆ, ସେଠାରୁ ଛତ୍ରବଜାର ପର୍ଯ୍ୟନ୍ତ ତିନିଥାକିଆ ରାସ୍ତା ଦେଇ ଛୋଟ ବଡ ସବୁ ଗାଡି ସହଜରେ ଯାଇ ପାରିବ। ରାସ୍ତାର ଫୁଟପାଥ୍ ଓ ସୌନ୍ଦର୍ଯ୍ୟକରଣ କାମ ମଧ୍ଯ  କରାଯାଇଛି ।  ବର୍ଷ ବର୍ଷ ଧରି ଏହି ଡ୍ରେନର ଅପରିଷ୍କାର ପାଣି, ପଙ୍କ ଓ ଆବର୍ଜନାରେ କଟକବାସୀ ହନ୍ତସନ୍ତ ହେଉଥିଲେ । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବକ୍ସ ଡ୍ରେନ କରିବାକୁ ଅନୁମୋଦନ କରିଥିଲେ ମୁଖ୍ଯମନ୍ତ୍ରୀ । ଫାଇଭ-ଟି ଉପକ୍ରମରେ ମାତ୍ର ଦୁଇ ବର୍ଷ ଭିତରେ କାମ ସମ୍ପୂର୍ଣ୍ଣ ହୋଇଛି । ଏହା ସହରର ପରିବେଶକୁ ସୁନ୍ଦର କରିବା ସହ ସାଧାରଣ ଲୋକଙ୍କ ଗମନାଗମନକୁ ସୁଗମ କରିଛି ।

ଆଜି ଜାତି ନନ୍ଦିଘୋଷ କନକ୍ଲେଭ୍ ୨୦୨୪, ଦିନ ତମାମ ବିଭିନ୍ନ ବିଷୟରେ ହେବ ଚର୍ଚ୍ଚା ଓ ଆଲୋଚନା

ଭୁବନେଶ୍ବର: ୨୦୩୬ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ପୂରିବ ଶହେ ବର୍ଷ। ଅନେକ ଉତଥାନ ପତନ ଭିତରେ ଗତି କରିଛି ରାଜ୍ୟ। ବିକାଶର ପର୍ଯ୍ୟାୟରେ ଜାରି ରହିଛି ରୂପାନ୍ତରଣ। ତେବେ ୨୦୩୬ବେଳକୁ କିପରି ରହିଥିବ ରାଜ୍ୟ, ଆମେ ଆମ ରାଜ୍ୟକୁ କିପରି ଦେଖିବାକୁ ଚାହୁଁ, ଏଥିଲାଗି ରାସ୍ତା କଣ, କଣ ରହିଛି ପ୍ରତିଟି ଓଡ଼ିଆଙ୍କ ଭିଜନ । ଏସବୁ ଉପରେ ଆଜି ଅନୁଷ୍ଠିତ ହେଉଛି ଜାତି ନନ୍ଦିଘୋଷ କନକ୍ଲେଭ୍ ୨୦୨୪ । ଇତି ମଧ୍ଯରେ ନନ୍ଦିଘୋଷ ଟିଭି ତାର ଚତୁର୍ଥ ସ୍ବନକ୍ଷତ୍ର ପାଳନ କରିଛି । ଏହି ଅବସରରେ ନନ୍ଦିଘୋଷ ଟିଭି ତରଫରୁ ଆୟୋଜିତ ଜାତି ନନ୍ଦିଘୋଷ କନକ୍ଲେଭ ୨୦୨୪ରେ ହେବ ମହାବିତର୍କ । ଦିନ ତମାମ ବିଭିନ୍ନ ବିଷୟରେ ହେବ ଚର୍ଚ୍ଚା ଓ ଆଲୋଚନା । ବିଶିଷ୍ଟ ବ୍ଯକ୍ତି ଓ ନିମନ୍ତ୍ରିତ ଅତିଥି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦିଗଦର୍ଶନ ଦେବେ। ପ୍ରମୁଖ ପ୍ରସଙ୍ଗରେ ହେବ ଆଲୋଚନା ।

ଓଡ଼ିଶା ୨୦୩୬ ଶୀର୍ଷକରେ ରାଜ୍ଯ ସରକାରଙ୍କ ଏକାମ୍ର ପ୍ରୋଜେକ୍ଟର ଆଡଭାଇଜର ସଂତୃପ୍ତ ମିଶ୍ର ଯୋଗଦେବେ। ଓଡ଼ିଆ ଭାଷା, ସାହିତ୍ଯ, ସଂସ୍କୃତି ଓ ପରମ୍ପରାର ଜୟଯାତ୍ରା ପ୍ରସଙ୍ଗରେ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ତାନସେନ ସିଂ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ, ଓ ଗବେଷକ ଡ. ଗୌରାଙ୍ଗ ଚରଣ ଦାସ ଯୋଗଦେବେ।  ବିଶିଷ୍ଟ ଗଣମାଧ୍ଯମ ବ୍ଯକ୍ତିତ୍ବ, ସିରିନ ସେଠୀ ଏବଂ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ରେବତୀଙ୍କ ଉପସ୍ଥିତିରେ ଆଞ୍ଚଳିକ ସିନେମାର ଗତି ଓ ପ୍ରଗତି ଶୀର୍ଷକରେ ଆଲୋଚନା କରାଯିବ । ସେହିପରି ଟେଲିଭିଜନ ନ୍ଯୁଜରୁମ ଉପରେ ଏଆଇ ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ ବିଶିଷ୍ଟ ଗଣମାଧ୍ଯମ ବ୍ଯକ୍ତିତ୍ବ, ସିରିନ ସେଠୀ । ଏହି ଅବସରରେ ବିଶିଷ୍ଟ ବ୍ୟକ୍ତି ଓ ବିକଶିତ ପ୍ରତିଭାଙ୍କୁ  ସମ୍ମାନିତ କରିବ ନନ୍ଦିଘୋଷ ଟିଭି । ଆଜି ଦିନ  ୧୦ଟା ୪୫ରୁ ଜାତି ନନ୍ଦିଘୋଷ କନକ୍ଲେଭର ସିଧାପ୍ରସାରଣ ନନ୍ଦିଘୋଷ ଟିଭିରେ ଦେଖିପାରିବେ

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦୁଝର ଓ ଭୁବନେଶ୍ବରରେ ରହିଛି ଏକାଧିକ କାର୍ଯ୍ୟକ୍ରମ

ଭୁବନେଶ୍ବର: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪ ଦିନିଆ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଆଜି କେନ୍ଦୁଝର ଓ ଭୁବନେଶ୍ବରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ମ୍ଯାଡାମ ପ୍ରେସିଡେଣ୍ଟ । ଦିନ ୧୦ଟା ୪୦ରେ ସେ କେନ୍ଦୁଝର  ରାଇସୁଆଁରେ ବିମାନ ଯୋଗେ ଅବତରଣ କରିବା ପରେ ସେଠାରୁ ଗୋନାସିକା ଗସ୍ତ କରିବେ । ସେଠାରେ ମହାମହିମ ଜୁଆଙ୍ଗ ସମ୍ପ୍ରଦାୟର ଏକ ସଭାରେ ଯୋଗଦେବେ । ରାଷ୍ଟ୍ରପତିଙ୍କୁ ପାରମ୍ପରିକ ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯିବାକୁ ପ୍ରସ୍ତୁତି ହୋଇଛି । ଏହାପରେ ରାଷ୍ଟ୍ରପତି ଗୁପ୍ତଗଙ୍ଗା, ବ୍ରହ୍ମେଶ୍ବର ମନ୍ଦିର ପରିଦର୍ଶନ କରିବେ । ଦିନ ୩ଟା ବେଳେ କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟରେ ଜନଜାତିଙ୍କର ଏକ ୨ଦିନିଆ ପ୍ରଦର୍ଶନୀ ଓ ଆଲୋଚନାଚକ୍ରକୁ ଉଦଘାଟନ କରିବେ ।

ଏହାପରେ ସେ ୪ଟା ୧୦ମିନିଟରେ ରାଇସୁଆଁରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ । ଅପରାହ୍ମରେ ଉତ୍କଳ ବିଶ୍ବବିଦ୍ଯାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ପରେ ଆସନ୍ତାକାଲି ବ୍ରହ୍ମପୁର ବିଶ୍ବବିଦ୍ଯାଳୟର ସମାବର୍ତ୍ତନ ଉତ୍ସବ ଏବଂ କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ଯାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ୨ତାରିଖରେ ସମ୍ବଲପୁର ଗସ୍ତ କରି କଦଳୀଗଡ଼ ଓ ରେଢାଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ପରେ ଝାରସୁଗୁଡ଼ା ଏୟାରପୋର୍ଟରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।

ବିଲ୍ ଗେଟସଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୩ ପ୍ରଦାନ

ଭୁବନେଶ୍ବର: ମାଇକ୍ରୋସଫ୍ଟର ସହ-ପତିଷ୍ଠାତା ଏବଂ ବିଲ୍‍ ଆଣ୍ଡ ମିଲିଣ୍ଡା ଗେଟସ୍‍ ଫାଉଣ୍ଡେସନ୍‍ର ସହ-ଅଧ୍ୟକ୍ଷ ବିଲ୍ ଗେଟସଙ୍କୁ  ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୩ ପ୍ରଦାନ। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଲ୍‍ ଗେଟସ୍‍ଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ବିଶ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସର୍ଜନଶୀଳ ବୈଷୟିକ କୌଶଳ ମାଧ୍ୟମରେ ଅସମାନତା ଦୂର କରିବା କ୍ଷେତ୍ରରେ ବିଲ୍‍ ଗେଟସ୍‍ଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ସମାନ ଅଧିକରୁ ଅଧିକ ସମାଜସେବା  କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ବିଲ ଗେଟ୍ସ । ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା କ୍ଷେତ୍ରରେ ଅଚ୍ୟୁତଙ୍କ ଦୂରଦୃଷ୍ଟି ଓ ତ୍ୟାଗକୁ ସେ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟର ଉପ କୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା କିସ୍‍ ତରଫରୁ ବିଲ୍‍ ଗେଟ୍‍ସଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।