ଭଦ୍ରକ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ସାଇମନ୍ଦିର ନିକଟରେ ଦୁର୍ଘଟଣା। ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ସ୍କର୍ପିଓ। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୪ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପଶ୍ଚିମବଙ୍ଗ ଅଞ୍ଚଳର କିଛି ପର୍ଯ୍ୟଟକ ପୁରୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣଙ୍କୁ ମେଡିକାଲରେ ମୃତ ଘୋଷଣା କରାଯାଇଛି। ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକ ଓ ଗୁରୁତରଙ୍କର ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ, ସ୍କର୍ପିଓ ଗାଡି ନମ୍ବରକୁ ଆଧାର କରି ମୃତକ ଓ ଗୁରୁତର ସମସ୍ତେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି।
କଂଗ୍ରେସକୁ ପୁଣି ଝଟକା, ଇସ୍ତଫା ଦେଲେ ବରିଷ୍ଠ ନେତା ଗଣେଶ୍ବର ବେହେରା
ଭୁବନେଶ୍ବର: ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତେ ସରଗରମ ହେଉଛି । ଏହାରି ଭିତରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା। କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଗଣେଶ୍ବର ବେହେରା। ଦଳର ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଇଛନ୍ତି ଗଣେଶ୍ବର। ସେ ପିସିସି ସଭାପତିଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି। ତେଣୁ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ପିସିସି ସଭାପତିଙ୍କୁ ଅନୁରୋଧ କରିଛନ୍ତି ଗଣେଶ୍ବର। ଅନ୍ୟପଟେ ଯେଉଁମାନେ ଦଳ ଛାଡୁଛନ୍ତି ତାର ପ୍ରଭାବ କଂଗ୍ରେସ ଉପରେ ପଡ଼ିବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।
ଜଗା ଦର୍ଶନ ପାଇଁ ଗଲାବେଳେ ଦୁର୍ଘଟଣାର ଶୀକାର ବ୍ୟକ୍ତିଙ୍କୁ ସାହାଯ୍ୟ କଲେ ଅଭିନେତା ସବ୍ୟସାଚ୍ଚୀ
ଦଶପଲ୍ଲା: ଜଗା ଦର୍ଶନପାଇଁ ଗଲାବେଳେ ଦୁର୍ଘଟଣା । ପିପିଲି ବାଇପାସ ନିକଟରେ ଘଟିଛି ଏହି ଦୁର୍ଘଟଣା । ବାପା ମାଆଙ୍କୁ ନେଇ ପୁରୀ ଗଲାବେଳେ ଗାଈ ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ବାପା ଏବଂ ପୁଅ ଆହତ ହୋଇଛନ୍ତି । ଦୁର୍ଘଟଣାଗସ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରଲୀଧର ରଥ ଏବଂ ତାଙ୍କ ପୁଅ ଅଶୋକଙ୍କୁ ତୁରନ୍ତ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଅଭିନେତା ସବ୍ୟସାଚ୍ଚୀ ମିଶ୍ର । ଦୁର୍ଘଟଣାର ଶୀକାର ହେଲା ପରେ ଉଭୟ ବାପା ଏବଂ ପୁଅ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ ଅଭିନେତା ସବ୍ୟସାଚ୍ଚୀ ।
ସବ୍ୟସାଚ୍ଚୀଙ୍କ କହିବା ଅନୁସାରେ, ସେ ପୁରୀ ଆଡ଼କୁ ଯାଉଥିଲା ବେଳେ ପିପିଲି ପାଖରେ ଜଣେ ବୃଦ୍ଧା କାନ୍ଦୁଥିବାର ଦେଖିଥିଲେ । ବୃଦ୍ଧା ଜଣଙ୍କ ଦୁର୍ଘଟଣାର ଶୀକାର ସ୍ବାମୀ ଏବଂ ପୁଅଙ୍କ ପାଇଁ କାନ୍ଦୁଥିବାର ଜାଣିବାକୁ ପାଇଥିଲେ ସବ୍ୟସାଚ୍ଚୀ । ଏହା ପରେ ତାଙ୍କୁ ତୁରନ୍ତ ପିପିଲି ହସ୍ପିଟାଲକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ନେଇ ଆସିଥିଲେ ସବ୍ୟଚାଚ୍ଚୀ । ଏହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।
ତାରା ତାରିଣୀଙ୍କର ଆଜି ଦ୍ବିତୀୟ ଚୈତ୍ର ମଙ୍ଗଳବାର, ପୀଠକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ
ଗଞ୍ଜାମ: ଚଳଚଞ୍ଚଳ ଗଞ୍ଜାମର ରତ୍ନଗିରି ପାହାଡ଼ । ମାଆ ତାରା ତାରିଣୀଙ୍କର ଆଜି ଦ୍ବିତୀୟ ଚୈତ୍ର ମଙ୍ଗଳବାର । ମାଆଙ୍କ ଦର୍ଶନ ପାଇଁ ପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ରାଜ୍ଯ ତଥା ରାଜ୍ଯ ବାହାରୁ ତାରାତାରିଣୀ ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ମନସ୍କାମନା ପୂର୍ଣ୍ଣ ହେବା ଲାଗି ମାନସିକଧାରୀ ମାନେ ମୁଣ୍ଡନ କରିବା ସହ ଅନେକ ଭକ୍ତ ୯୯୯ ପାହାଚ ଚଢ଼ି ମାଆଙ୍କୁ ଦର୍ଶନ କରୁଛନ୍ତି ।
ଚୈତ୍ର ଯାତ୍ରା ସମୟରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ଅତୁଟ ବିଶ୍ବାସ। ଭୋରରୁ ଦ୍ବାରଫିଟା ସହ ଅନ୍ୟାନ୍ୟ ନୀତି ପରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି । ଭକ୍ତ ମାନଙ୍କ ନିମନ୍ତେ ପାନୀୟ ଜଳ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ ସହ ପାହାଡ ଉପରକୁ ଯାଇ ମାଆଙ୍କୁ ଦର୍ଶନ କରିବା ନିମନ୍ତେ ୨୦ରୁ ଅଧିକ ସିଟି ବସର ବ୍ୟବସ୍ଥା କରାଯାଇଛି ।
ଆଜିଠୁ ରାଜ୍ଯରେ ଉଷ୍ମ ରାତି, ୬ ତାରିଖ ଯାଏ ନିସ୍ତାର ନାହିଁ
ଭୁବନେଶ୍ବର: ରାଜ୍ଯରେ ଆଜିଠୁ ଆହୁରି ବଢିବ ତାପମାତ୍ରା । ୪୦ ଡିଗ୍ରୀ ଉପରେ ରହିବ ଅଧିକାଂଶ ସହରର ପାରଦ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ରହିବ ପାରଦ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ସ୍ଥିତି ନାହିଁ। ମେଘମୁକ୍ତ ଆକାଶ ସମେତ ଶୁଖିଲା ପାଗ ପାଇଁ ତାତି ବୃଦ୍ଧି ପାଇଛି। ଅନ୍ଯପଟେ ଆଜିଠୁ ରାଜ୍ଯରେ ଉଷ୍ମ ରାତି । ରାତିରେ ସ୍ବାଭାବିକ ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ। ଫଳରେ ଏକ ଅସହ୍ୟ ପାଣିପାଗ ସ୍ଥିତି ଉପୁଜିବ। ଏଥିପାଇଁ ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଏବଂ ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ।
ଏଥିପାଇଁ ଭଦ୍ରକ, ଯାଜପୁର, କଟକ, ନୟାଗଡ, ବୌଦ୍ଧ, ସୋନପୁର ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୫ ତାରିଖରେ ସର୍ବାଧିକ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି। ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, କନ୍ଧମାଳ, ସୋନପୁର ଜିଲ୍ଲାରେ ଅଗ୍ନୀ ବର୍ଷା ହେବ ବୋଲି ଆକଳନ କରାଯାଇଛି।
ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ ଏବଂ ଅଙ୍ଗନବାଡ଼ି, ପାଣି ଓ ଓଆରଏସ ରଖିବାକୁ ନିର୍ଦ୍ଦେଶ
ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ । ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଆଜିଠାରୁ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଜାରି ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି ।
ଏହି ସମୟରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପାଗର ସ୍ଥିତି ନେଇ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି ।
ଆଜିଠୁ ଅଙ୍ଗନବାଡ଼ି ମଧ୍ଯ ସକାଳୁ ଆରମ୍ଭ ହୋଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଅଙ୍ଗନବାଡି କେନ୍ଦ୍ର ସକାଳୁଆ ଚାଲିବା ନିଷ୍ପତ୍ତି ନେଇଛି ମହିଳା ଶିଶୁ ବିକାଶ ବିଭାଗ । ସକାଳ ୭ଟାରୁ ୧୧ଟା ୩୦ ଯାଏ ଚାଲିବ ଅଙ୍ଗନବାଡ଼ି । ଖରା ଓ ଗରମକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ରରେ ଶୁଦ୍ଧ ପାନୀୟ ଜଳ ସହ ଯଥେଷ୍ଟ ପରିମାଣର ଓଆରଏସ୍ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ରାଜ୍ୟରେ କ୍ରମାଗତ ଭାବେ ବହୁଥିବା ତାପମାତ୍ରାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷାକରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ପ୍ରତିକାର ଓ ମୁକାବିଲା କରାଯିବା ପାଇଁ ସ୍ୱତନ୍ତ୍ର ଚିକିତ୍ସା କମିଶନରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଶେଷ ଭିଡ଼ିଓ…
ଭୁବନେଶ୍ୱର: ଓଡ଼ିଆ ଭକ୍ତି ସଂଗୀତ ଜଗତକୁ ସ୍ତବ୍ଧ କରି ଚିରବିଦାୟ ନେଇଛନ୍ତି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ। ସାରା ଜୀବନ ଭକ୍ତି ସଂଗୀତ ଲାଗି ଉତ୍ସର୍ଗୀକୃତ ଥିଲେ ଶାନ୍ତିଲତା। ଶୟନ, ସପନେ, ଜାଗରଣେ କଣ୍ଠରେ ତୋଳୁଥିଲା ଜଗନ୍ନାଥ ଜଣାଣ ସମେତ ଭକ୍ତିଗୀତ। ହେଲେ ଯାହାର ଜନ୍ମ ଭକ୍ତି ସଂଗୀତ ଲାଗି ସେ କିପରି ଜୀବନର ଶେଷ କାଳରେ ତାହାକୁ ଛାଡିପାରିବେ।
ଦୀର୍ଘ ଦିନ ଧରି କ୍ୟାନସରରେ ପିଡିତ ଥିଲେ ଶାନ୍ତିଲତା। ମାତ୍ର କଣ୍ଠ ନଥିଲା ନିଷ୍ପ୍ରଭ। ଶଯ୍ୟାଶାୟୀ ଅବସ୍ଥାରେ ବି ଗାଉଥିଲେ ଭଜନ। ଜୀବନାବସାନର ସନ୍ଧିକ୍ଷଣରେ ବି କଣ୍ଠରେ ମହକିଥିଲା ସେହି ଚିର ପରିଚିତ ସ୍ବର। ଏବେ ଆସନ୍ତୁ ଶୁଣିବା ସେହି ଅମର କଣ୍ଠରୁ କିଛି…
ଅଧିକ ପଢନ୍ତୁ:- ପରଲୋକରେ ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକ
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱର୍ଗତ ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଶାନ୍ତିଲତାଙ୍କ ଭଜନ ତାଙ୍କୁ ଅମର କରି ରଖିବ ବୋଲି କହିଛନ୍ତି ନବୀନ।
ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ଥିଲେ। ଭାବପୂର୍ଣ୍ଣ କଣ୍ଠରେ ଗାଇଥିବା ଜଗନ୍ନାଥ ଭଜନ ପାଇଁ ଓଡିଶାର ଘରେ ଘରେ ସେ ସୁପରିଚିତ ଥିଲେ। ତାଙ୍କ ଭଜନ ଥିଲା ଭକ୍ତି ଓ ସମର୍ପଣର ସଂଗୀତମୟ ନିବେଦନ। ତାଙ୍କ ସ୍ୱର ପରିବେଶକୁ ଭକ୍ତିମୟ କରିବା ସହ ଶ୍ରୋତାଙ୍କ ହୃଦୟରେ ଭାବାବେଗ ସୃଷ୍ଟି କରି ପାରୁଥିଲା। ତାଙ୍କର ବିୟୋଗ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶାନ୍ତିଲତା ବାରିକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ନବୀନ।
ପରଲୋକରେ ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକ
ଭୁବନେଶ୍ୱର: ପରଲୋକରେ ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକ। ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ ଶାନ୍ତିଲତା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ ଶାନ୍ତିଲତା। ଅନେକ ଲୋକପ୍ରିୟ ଭଜନ ଗାଇଥିବା ଶାନ୍ତିଲତା ଓଡ଼ିଶାର ଘରେ ଘରେ ଖୁବ୍ ପରିଚିତ।
ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଂଗୀତର ଜଣେ ଅତି ପରିଚିତ ନାଁ। ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ଯାଦୁଗରୀରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ଭଗବାନ ଚେତନା ସୃଷ୍ଟି କରିଥାଏ। କୋଟିକୋଟି ଓଡ଼ିଆଙ୍କ ହୃଦୟରେ ସେ ଗ୍ରହଣ କରିଥିଲେ ସ୍ବତନ୍ତ୍ର ସ୍ଥାନ।
ଶାନ୍ତିଲତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇଥିଲା। ‘ହେ ଚକାନୟନ’, ‘ମୁଁ ଯେ ଦେଉଳ ବେଢ଼ା ଦୀପ,’ ‘ଏକା ମୋ ଜଗା ସବୁରି ମୂଳ,’ ଆଦି ହେଉଛି ଶାନ୍ତିଲତାଙ୍କ ଜନପ୍ରିୟ ଭଜନ। ତାଙ୍କର ଅଧିକାଂଶ ଗୀତ କାଳିଆ ସାଆନ୍ତ ଏବଂ ଶ୍ରୀକୃଷ୍ଣଙ୍କ ଲାଗି ସମର୍ପିତ। ଭକ୍ତି ସଂଗୀତର ଯାଦୁକରୀରେ ସେ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛନ୍ତି।
ମହଙ୍ଗା ପଡିଲା ବିଜେପି ସହ ମେଣ୍ଟ; ଦଳ ଛାଡିଲେ ସାହିଦ ସିଦ୍ଦିକ
ନୂଆଦିଲ୍ଲୀ: ମହଙ୍ଗା ପଡିଲା ବିଜେପି ସହ ମେଣ୍ଟ। ରାଷ୍ଟ୍ରୀୟ ଲୋକ ଦଳ ଛାଡ଼ିଲେ ଜାତୀୟ ଉପସଭାପତି ସାହିଦ ସିଦ୍ଦିକ। ଆସନ୍ତା ଲୋକସଭା ନିର୍ବାଚନରେ ଏନଡିଏ ମେଣ୍ଟରେ ସାମିଲ ହେବା ଲାଗି ଆରଏଲଡି ନେତା ଜୟନ୍ତ ଚୌଧୁରୀ ଘୋଷଣା କରିବା ପ୍ରତିବାଦରେ ଦଳ ଛାଡିଛନ୍ତି ସାହିଦ।
ସାହିଦ କହିଛନ୍ତି ଯେ, ସେ ଓ ତାଙ୍କ ପରିବାର ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଲଢେଇ କରିଥିଲେ। ବର୍ତ୍ତମାନ ଯାହା ଚାଲିଛି ତାହାକୁ ସେ ବିରୋଧ କରୁଛନ୍ତି। ବର୍ତ୍ତମାନ ଗଣତନ୍ତ୍ର ଉପରେ ହମଲା ଚାଲିଛି। ମୁଖ୍ଯମନ୍ତ୍ରୀଙ୍କୁ ଜେଲରେ ପୂରାଯାଉଛି। ଦେଶର ସମସ୍ତ ବ୍ଯବସ୍ଥା ଉପରେ ଆକ୍ରମଣ କରାଯାଉଛି। ଜେଜେ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବା ପରେ ଏନଡିଏରେ ସାମିଲ ହୋଇଥିଲେ ଜୟନ୍ତ ଚୌଧୁରୀ।

