ଆଗେଇଲା ପାକିସ୍ତାନରେ ସରକାର ଗଠନ ପ୍ରକ୍ରିୟା, ପିଏମଏଲ-ଏନ ଓ ପିପିପି ମେଣ୍ଟ କରିବେ ସରକାର

1 min read

ଇସଲାମାବାଦ: ଆଗେଇଲା ପାକିସ୍ତାନରେ ସରକାର ଗଠନ ପ୍ରକ୍ରିୟା । ଆଜି ହେବ ସଂସଦ ଅଧିବେଶନ । ଦୁଇ ପରିବାରରେ ନିୟନ୍ତ୍ରଣରେ ଥିବା ଦୁଇ ପ୍ରମୁଖ ଦଳ ପାକିସ୍ତାନ ମୁସଲିମ ଲିଗ-ଏନ ଓ ପାକିସ୍ତାନ ପିପୁଲସ ପାର୍ଟି ପକ୍ଷରୁ ସରକାର ଗଠନ ନେଇ କ୍ଷେତ୍ର ପ୍ରସ୍ତୁତ  କରାଯାଇଛି । ଗତକାଲି ପିଏମଏଲ-ଏନ ନେତା ଶେହବାଜ ସରିଫଙ୍କୁ କରାଯାଇଥିଲା ନେତା ନିର୍ବାଚିତ। ବୁଝାମଣା ଅନୁସାରେ ପିଏମଏଲ-ଏନ ନେତା ଶେହବାଜ ସରିଫ ହେବେ ପ୍ରଧାନମନ୍ତ୍ରୀ ଓ ପିପିପି ନେତା ଅସିଫ ଅଲ୍ଲୀ ଜର୍ଦ୍ଦାରୀ ହେବେ ରାଷ୍ଟ୍ରପତି ।

ଦୁଇ ଦଳ ମଧ୍ୟରେ ବୁଝାମଣା ଯୋଗୁ ପାକିସ୍ତାନ ତେହରିକ-ଇ-ଇନସାଫର ସରକାର ଗଠନ ଆଶା ଧୂଳିସାତ୍ ହୋଇଛି । ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନେତୃତ୍ବାଧୀନ ପିଟିଆଇ ସର୍ବାଧିକ ଆସନ ହାସଲ କରିଥିଲେ ବି ସରକାର ଗଠନ କରିବାରେ ସକ୍ଷମ ହୋଇପାରିନାହିଁ । ଅଧିବେଶନର ପ୍ରଥମ ଦିନରେ ବାଚସ୍ପତି, ଉପବାଚସ୍ପତି ଓ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚିତ କରାଯିବ । ୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ପିଏମଏଲ-ଏନ ୮୨ ଓ ପିପିପି ୫୪ ଆସନ ହାସଲ କରିଛନ୍ତି  । ପିଟିଆଇ ୯୩ ଆସନ ହାସଲ କରିଛି । ୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ମ୍ୟାଜିକ ନମ୍ବର ହେଉଛି ୧୩୩ । ୨୦୨୨ରୁ ୨୦୨୩ ଯାଏ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୦୮ରୁ ୨୦୧୩ ଯାଏ ଜର୍ଦ୍ଦାରୀ ଥିଲେ ରାଷ୍ଟ୍ରପତି ।