ପିକଅପ୍ ଭ୍ୟାନ୍ ଓଲଟି ୧୪ ମୃତ, ୨୧ ଗୁରୁତର ଆହତ

ଭୋପାଳ: ଘାଟିରେ ଓଲଟିଗଲା ପିକଅପ୍ ଭ୍ୟାନ୍ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୧ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଭୟଙ୍କର ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶର ଶାହପୁରା ଥାନା ଅଧିନ ଦିନ୍ଦୋରୀରେ ।

ଗତକାଲି ରାତିରେ ହୋଇଥିବା ଏହି ଦୁର୍ଘଟଣାରେ ମୃତକ ତଥା ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ଏହି ସବୁ ଲୋକେ ଏକ ପିକଅପ୍ ଭ୍ୟାନରେ ଶାଦଖିଆ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଗାଡ଼ି ଦ୍ରୁତ ଗତିରେ ଥିଲା । ହଠାତ ଘାଟିରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇ ବସିଲେ । ଏବଂ ଗାଡ଼ିଟି ବଡ଼ଝର ଘାଟିରେ ଓଲଟି ପଡ଼ିଥିଲା ।

ଦୁର୍ଘଟଣା ଘଟିଲା ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ିଥିଲେ । ଏହା ପରେ ପୋଲିସ୍ ଏବଂ ଅଗ୍ନିସମ କର୍ମଚାରୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଘଟଣାସ୍ଥଳରେ ହିଁ ୧୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ୨୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୃତକଙ୍କ ପରିବାରକୁ  ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ଏବଂ ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।