ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦୁଝର ଓ ଭୁବନେଶ୍ବରରେ ରହିଛି ଏକାଧିକ କାର୍ଯ୍ୟକ୍ରମ

ଭୁବନେଶ୍ବର: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪ ଦିନିଆ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଆଜି କେନ୍ଦୁଝର ଓ ଭୁବନେଶ୍ବରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ମ୍ଯାଡାମ ପ୍ରେସିଡେଣ୍ଟ । ଦିନ ୧୦ଟା ୪୦ରେ ସେ କେନ୍ଦୁଝର  ରାଇସୁଆଁରେ ବିମାନ ଯୋଗେ ଅବତରଣ କରିବା ପରେ ସେଠାରୁ ଗୋନାସିକା ଗସ୍ତ କରିବେ । ସେଠାରେ ମହାମହିମ ଜୁଆଙ୍ଗ ସମ୍ପ୍ରଦାୟର ଏକ ସଭାରେ ଯୋଗଦେବେ । ରାଷ୍ଟ୍ରପତିଙ୍କୁ ପାରମ୍ପରିକ ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯିବାକୁ ପ୍ରସ୍ତୁତି ହୋଇଛି । ଏହାପରେ ରାଷ୍ଟ୍ରପତି ଗୁପ୍ତଗଙ୍ଗା, ବ୍ରହ୍ମେଶ୍ବର ମନ୍ଦିର ପରିଦର୍ଶନ କରିବେ । ଦିନ ୩ଟା ବେଳେ କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟରେ ଜନଜାତିଙ୍କର ଏକ ୨ଦିନିଆ ପ୍ରଦର୍ଶନୀ ଓ ଆଲୋଚନାଚକ୍ରକୁ ଉଦଘାଟନ କରିବେ ।

ଏହାପରେ ସେ ୪ଟା ୧୦ମିନିଟରେ ରାଇସୁଆଁରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ । ଅପରାହ୍ମରେ ଉତ୍କଳ ବିଶ୍ବବିଦ୍ଯାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ପରେ ଆସନ୍ତାକାଲି ବ୍ରହ୍ମପୁର ବିଶ୍ବବିଦ୍ଯାଳୟର ସମାବର୍ତ୍ତନ ଉତ୍ସବ ଏବଂ କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ଯାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ୨ତାରିଖରେ ସମ୍ବଲପୁର ଗସ୍ତ କରି କଦଳୀଗଡ଼ ଓ ରେଢାଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ପରେ ଝାରସୁଗୁଡ଼ା ଏୟାରପୋର୍ଟରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।