ସରୁଛି ଚାଷୀ ସଂଗଠନର ଡେଡଲାଇନ, ସଂଯୁକ୍ତ କିଷାନ ମୋର୍ଚ୍ଚା କରିପାରେ ବଡ ଘୋଷଣା

1 min read

ନୂଆଦିଲ୍ଲୀ: ଆଜି ସରୁଛି ଚାଷୀ ସଂଗଠନର ଡେଡଲାଇନ । ଆନ୍ଦୋଳନ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା କରିପାରେ ବଡ ଘୋଷଣା । କେନ୍ଦ୍ର ସରକାର ବାରମ୍ବାର ଚାଷୀଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନଥିବା ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରିବା ଲାଗି ଯୋଜନା କରାଯାଉଛି । ତେଣେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ବି ହରିଆଣାର ଅମ୍ବାଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ । ହରିଆଣା-ଦିଲ୍ଲୀ ସୀମାନ୍ତରେ ଚାଷୀମାନେ ପୂର୍ବପରି ସମବେତ ହେଉଥିବା ଦେଖାଯାଉଛି । ତେଣେ ପୁଣି ଥରେ ଆଲୋଚନା ଟେବୁଲକୁ ଆସିବା ଲାଗି ଚାଷୀ ସଂଗଠନକୁ ଅନୁରୋଧ କରିଛନ୍ତି କେନ୍ଦ୍ରକୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ।

ଏମଏସପି ସମେତ ଅନ୍ଯାନ୍ୟ ଦାବି ପୂରଣ ଲାଗି ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୂର ମୋର୍ଚ୍ଚା ପକ୍ଷରୁ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହୋଇଥିଲା । ତେବେ ଏହାକୁ ୨ ଦିନ ଲାଗି ସ୍ଥଗିତ ରଖାଯାଇଥିଲା । ଏମଏସପି ଅନୁସାରେ ଡାଲିଜାତୀୟ ଶସ୍ଯ, ମକା ଓ କପା  କ୍ରୟ ସକାଶେ ନ୍ୟାସନାଲ କୋପରେଟିଭ କଞ୍ଜ୍ୟୁମର୍ସ ଫେଡେରେସନ ବା ଏନସିସିଏଫ ଏବଂ ନ୍ଯାସନାଲ ଏଗ୍ରିକଲଚର କୋପରେଟିଭି ମାର୍କେଟିଂ ଫେଡେରେସନ ଅଫ ଇଣ୍ଡିଆ ବା ନାଫେଡ ୫ ବର୍ଷିଆ ଚୁକ୍ତି କରିବେ ବୋଲି ପୂର୍ବରୁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀ ସଂଗଠନ ଅଗ୍ରାହ୍ୟ କରିଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଓ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟଙ୍କ ସହ ଚାଷୀ ନେତାଙ୍କ ହୋଇଥିଲା ଆଲୋଚନା ।