spot_img
Home Blog Page 2132

ବିଧାନସଭାକୁ ଆଉ ଆସିବିନି, ଏହା ମୋର ଶେଷ ଅଧିବେଶନ: ସୁର ରାଉତରାୟ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ବିଧାନସଭା ଗୃହରୁ ବାହାରିବା ବେଳେ ମୁଣ୍ଡିଆ ମାରି ଭାବବିହ୍ୱଳ ହେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ ଆହୁରି ମଧ୍ୟ କହିଛନ୍ତି, ଏହା ତାଙ୍କର ଶେଷ ବିଧାନସଭା । ସେ ଆଗକୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତି ନେଇସାରିଛନ୍ତି । ନିଜେ ନ ଲଢିଲେ ମଧ୍ୟ ଲୋକଙ୍କ ପାଇଁ କାମ କରୁଥିଲି, କରିବି।

୧୯୭୭ ମସିହାରେ ପ୍ରଥମଥର ବିଧାୟକ ହୋଇ ଆସିବା ପରେ ଲଗାତାର ଜଟଣୀ ଲୋକଙ୍କ ପାଇଁ ସ୍ୱର ଉଠାଇ ଆସିଛି । ଲୋକଙ୍କ କାମ କରିବାକୁ ବହୁତ ସହଯୋଗ ମିଳିଛି । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲି ଏବଂ ରହିବି । ବିଧାନସଭାକୁ ଆସିବିନି ଏଥିପାଇଁ ଦୁଃଖ ଲାଗୁଛି ।ଜଟଣୀ ଆସନରୁ ବିଧାୟକ ରହିଛନ୍ତି ସୁର । କିନ୍ତୁ ୨୦୨୪ରେ ସୁରଙ୍କୁ ରାଜନୈତିକ ମୈଦାନରେ ଦେଖିବାକୁ ମିଳିବନି ।

ଏହି ଆସନରେ ନିଜ ସାନ ପୁଅକୁ ପ୍ରାର୍ଥୀ କରିବାକୁ ସେ ଘୋଷଣା କରିଛନ୍ତି। କିନ୍ତୁ ସାନପୁଅ ମନ୍ମଥ ରାଉତରାୟ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେହିଭଳି ବଡପୁଅ ନିମାପଡା ଆସନରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ସୁର । ସେହିପରି ବିଜେଡି ବିଧାୟକମାନେ ମଧ୍ୟ ଶେଷ ଅଧିବେଶନରେ ନିଜର ମତ ରଖିଛନ୍ତି ।

ବିଧାନସଭାର ଶେଷ ଅଧିବେଶନ; ଗୋଟିଏ ଫ୍ରେମରେ ନଜର ଆସିଲେ ଶାସକ ଓ ବିରୋଧୀ ବିଧାୟକ

ଭୁବନେଶ୍ୱର: ସରିଲା ଶୋଡ଼ଷ ବିଧାନସଭାର ଶେଷ ଅଧିବେଶନ। ଶେଷ ଅଧିବେଶନର ଶେଷ ଦିନରେ ଭାବବିହ୍ବଳ ହେଲେ ବିଧାୟକ। ଗୋଟିଏ ଫ୍ରେମରେ ବସିଲେ ଶାସକ ବିରୋଧୀ ବିଧାୟକ । ପରସ୍ପର ସହ ବାଣ୍ଟିନେଲେ ବିଧାନସଭାର ସ୍ମୃତି । ଏକାଠି ହୋଇ ସଭିଏଁ ଫଟୋ ଉଠାଇବା ସହ ସ୍ମୃତି ଓ ଅନୁଭୂତିକୁ ପରସ୍ପର ମଧ୍ଯରେ ବାଣ୍ଟିଛନ୍ତି।

ପୁଣି ଲୋକଙ୍କ ଆଶୀର୍ବାଦ ମିଳିଲେ ବିଧାନସଭା ଆସିବାର ସୁଯୋଗ ମିଳିବ। ଏହାପୂର୍ବରୁ ସମସ୍ତ ସଦସ୍ଯ ଗୋଟିଏ ଜାଗାରେ ଏକାଠି ହୋଇ ଫଟୋ ଉଠାଇଛନ୍ତି। ମୁଖ୍ଯମନ୍ତ୍ରୀଙ୍କ ଗହଣରେ ବସି ଫଟୋ ଉଠାଇଥିଲେ ସମସ୍ତ ବିଧାୟକ। ଏହି ସମୟରେ ବିଧାୟକଙ୍କ ସହିତ ମୁଖ୍ଯମନ୍ତ୍ରୀ କଥା ହୋଇଥିଲେ। ଫଟୋ ସେସନ ପରେ ସମସ୍ତ ବିଧାୟକ ପରସ୍ପରକୁ କୋଳାଇ ନେଇ ଭାବବିହ୍ବଳ ହୋଇପଡ଼ିଥିଲେ। ଅନେକ ବରିଷ୍ଠ ନେତା ଏଥର ରାଜନୀତିରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିବାରୁ ସମସ୍ତଙ୍କ ସହ ହାତ ମିଶାଇ ଆଗାମୀ ଦିନ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ସେହିପରି ୬୫ରୁ ଅଧିକ ନବ ନିର୍ବାଚିତ ବିଧାୟକ ଅନେକ କିଛି ଶିକ୍ଷା ଲାଭ କରି ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କାମ କରିବାର ପ୍ରେରଣା ପାଇଥିବା କହିଛନ୍ତି । ଏହା ଭିତରେ ଓଡ଼ିଶା ପାଇଥିଲା ପ୍ରଥମ ମହିଳା ବାଚସ୍ପତି । ଗୃହ ପରିଚାଳନା ଅନୁଭୂତି ବି ତାଙ୍କ ପାଇଁ ଥିଲା ବେଶ ନିଆରା । ସେହିପରି ଅନେକ ବିଧାୟକ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି । କେବଳ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ସେମାନେ ଅପେକ୍ଷା କରିଛନ୍ତି ।

୨୦୧୯ ରୁ ୨୦୨୪ ଭିତରେ ଅନେକ ଉପନିର୍ବାଚନ ବି ହୋଇଛି। ଦୁଇ ବର୍ଷ ଉପରେ କୋଭିଡର ବି ପ୍ରଭାବ ପଡିଥିଲା । ହେଲେ ସାମାଜିକ ଦୂରତା ଓ ଅନ୍ୟ ନିୟମରେ ଚାଲିଥିଲା ଗୃହ କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତଧୂଆ କାର୍ଯ୍ୟକ୍ରମ କରି କୋଭିଡ ବିରୋଧୀ ଲଢେଇରେ ସମସ୍ତଙ୍କୁ ସାମିଲ ବି କରିଥିଲେ । ଏମିତି ଅନେକ ଅନୁଭୂତିକୁ ନେଇ ଗୃହର ମତାନ୍ତର, ମନାନ୍ତର ଭୁଲିଯାଇ ପରସ୍ପରକୁ ଆଦରି ନେଇଥିଲେ।

ଜେଲରେ ଗର୍ଭବତୀ ହେଉଛନ୍ତି ମହିଳା କଏଦୀ

କୋଲକାତା: ପଶ୍ଚିମବଙ୍ଗର ଜେଲ୍ ରେ ମହିଳା କଏଦୀ ମାନେ ହେଉଛନ୍ତି ଗର୍ଭବତୀ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ପଶ୍ଚିମବଙ୍ଗରୁ । ତେବେ ମହିଳା ଜେଲରେ ଅନ୍ତେବାସୀଙ୍କୁ କରାଯାଉଛି କି ଯୌନ ଶୋଷଣ । ପଶ୍ଚିମବଙ୍ଗର ବିଭିନ୍ନ ମହିଳା ଜେଲରେ ୧୯୬ଟି ଶିଶୁ ଜନ୍ମ ନେବା ପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  କୋଲକାତା ହାଇକୋର୍ଟରେ ଆମିକସକ୍ୟୁରୀ ଦେଇଥିବା ରିପୋର୍ଟରେ ରହିଛି ଏମିତି ଲୋମଟାଙ୍କୁରା ତଥ୍ୟ।

ରାଜ୍ୟରେ ଜେଲ୍ ସଂସ୍କାର କାର୍ଯ୍ୟକ୍ରମ ସଂପର୍କରେ ହାଇକୋର୍ଟରେ ଶୁଣାଣୀ ବେଳେ ଏମିତି ତଥ୍ୟ ରଖିଛନ୍ତି ଆମିକସ୍ କ୍ୟୁରି। କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ ସିଭାଙ୍ଗନମ୍ ଓ ଜଷ୍ଟିସ ସୁପ୍ରତିମ୍ ଭଟ୍ଟାଚାଯ୍ୟ ଗଠିତ ଖଣ୍ଡପୀଠ ମାମଲାକୁ ଗମ୍ଭୀରତାର ସହ ନେଇଥିଲେ । ଏହି ମାମଲା ସ୍ବତନ୍ତ୍ର କ୍ରିମିନାଲ୍ ଡିଭିଜନ ବେଞ୍ଚରେ ଶୁଣାଣି କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଭଳି ଜଘନ୍ୟ ଅପରାଧ ହ୍ରାସ କରିବାକୁ ଆମକସ କ୍ୟୁରି କେତେକ ପ୍ରସ୍ତାବ ଦେଇଛନ୍ତି ।

ତେବେ ମହିଳା ଜେଲ୍ ରେ ପୁରୁଷଙ୍କ ନିଯୁକ୍ତି ସଂପୂର୍ଣ୍ଣ ବନ୍ଦ କରିବାକୁ କୁହାଯାଇଛି । ସେହିପରି ମହିଳା ଜେଲ୍ ରେ ଅନ୍ତେବାସୀ ମାନଙ୍କ ବ୍ୟବହାରରେ ସୁଧାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରସ୍ତାବ ଦିଆଯାଇଛି । ପଶ୍ଚିମବଙ୍ଗର ସମସ୍ତ ଜିଲ୍ଲା ଜଜ ଙ୍କୁ ସେମାନଙ୍କ ଅଧିନରେ ଥିବା ମହିଳା ଜେଲ୍ ଗୁଡିକରେ କେତେ ସଂଖ୍ୟାରେ ଅନ୍ତେବାସୀ ଗର୍ଭବତୀ ହୋଇଛନ୍ତି ତାକୁ ଯାଞ୍ଚ କରିବାକୁ ପ୍ରସ୍ତାବ ଦେଇଛନ୍ତି ଆମକସ କ୍ୟୁରି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ହେଲା କୌଣସି ମହିଳାଙ୍କୁ ଜେଲ୍ କୁ ନେବା ପୂର୍ବରୁ ତାଙ୍କର ଗର୍ଭ ପରୀକ୍ଷା କରାଯିବା ଆବଶ୍ୟକ । ତେବେ ଏହି ସମସ୍ତ ପ୍ରସ୍ତାବ କୋଲକାତା ହାଇକୋର୍ଟର ବିଚାରାଧିନ ରହିଛି ।

ଭାଇକୁ ମାରିବାକୁ ଭାଇ ଦେଇଥିଲା ସୁପାରୀ, ବାଲେଶ୍ବରରେ ଚାଞ୍ଚଲ୍ୟକର ଘଟଣା

ନୀଳଗିରି: ଭାଇକୁ ମାରିବାକୁ ଭାଇ ଦେଇଥିଲା ସୁପାରୀ। ବାଲେଶ୍ବର ନୀଳଗିରି କାଂଶ ଗାଁରେ ଘଟିଥିବା ଦୁଇ ସାଙ୍ଗଙ୍କ ନିଖୋଜ ଘଟଣା ନେଇ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ମାମଲାରେ ଜଣେ ମହିଳାଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲେଶ୍ଵର ପୋଲିସ। ସେମାନଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ୨ କଟୁରୀ ସହ ୬ ମୋବାଇଲ ଫୋନ ଜବତ କରିଛି ପୋଲିସ।

ଅଭିଯୁକ୍ତଙ୍କ ଠାରୁ ୭୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ମୃତକ ଦୁଇ ସାଙ୍ଗ ଭବାନୀ ଶଙ୍କର ରାଉତ ଓ ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହ ଆଜି ଜବତ ହୋଇଥିଲା। ଉଭୟ ଗତ ୫ ତାରିଖରୁ ନିଖୋଜ ଥିଲେ। ଆଜି ମିତ୍ରପୁର ବ୍ଲୁ-ଲେକରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ନୀଳଗିରି ଏସଡିପିଓ ସରୋଜ ଉପାଧ୍ୟାୟ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସମେତ ନୀଳଗିରି ଅଗ୍ନିଶମ ବିଭାଗ ଓ ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଚଳାଇଛନ୍ତି।ଦୁଇ ସାଙ୍ଗଙ୍କୁ ହତ୍ୟା କରି ପାଣିରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଘଟଣାରେ ଭାଇ ଓ ଭାଉଜଙ୍କ ସମେତ ୫ ସୁପାରୀ କିଲରଙ୍କ ସମ୍ପୃକ୍ତି ସନ୍ଦେହ କରିଛି ପୋଲିସ।

ଏ ମାଟିର ଅବଦାନ ବହୁ ଅଧିକ, ଓଡ଼ିଶା ପାଇଁ କାମ କରିବା ଭାଗ୍ୟର କଥା: ସଂତୃପ୍ତ ମିଶ୍ର

ଭୁବନେଶ୍ୱର: ଓଡ଼ିଶା ପାଇଁ କିଛି କରିବାର ସ୍ୱପ୍ନ ଥିଲା। ସେଥିପାଇଁ ବିଜୁ ଜନତା ଦଳରେ ସାମିଲ ହୋଇଛି ବୋଲି କହିଛନ୍ତି କର୍ପୋରେଟର କିଙ୍ଗ ସଂତୃପ୍ତ ମିଶ୍ର। ସେ କହିଛନ୍ତି ଭୁବନେଶ୍ୱରରେ ସ୍କୁଲରେ ପାଠ ପଢିଥିଲି। ଓଡ଼ିଶା ପାଇଁ କାମ କରିବା ଭାଗ୍ୟର କଥା। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି, ବିକାଶମୂଳକ କାମ, ଆଧ୍ୟାତ୍ମିକ ଶାସନ ବ୍ୟବସ୍ଥା ଆକର୍ଷିତ କରିଛି। ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ସହାୟତା କରିବି ବୋଲି ସଂତୃପ୍ତ କହିଛନ୍ତି।

ସଂତୃପ୍ତ ଆହୁରି କହିଛନ୍ତି, କଟକ ଜିଲ୍ଲା ବୀରପ୍ରତାପପୁରରେ ମୋ ଗାଁ। ଛୋଟ ଜାଗାରେ ପଢ଼ି ବଡ଼ ହୋଇଛି। ବଡ଼ ବଡ଼ ଦେଶରେ କାମ କରିଛି। ଏ ମାଟିର ଅବଦାନ ବହୁ ଅଧିକ। ସମସ୍ତଙ୍କ ସହ ମିଶି ପଜିଟିଭ ଦୃଷ୍ଟିକୋଣରେ କାମ କରିବୁ। ଚିନ୍ତା କରି ଦଳ ଜାତୀୟ ମୁଖପାତ୍ର ଦାୟିତ୍ୱ ଦେଇଛି। ସାମ୍ବାଦିକଙ୍କ ସହ ଆଗରୁ ସମ୍ପର୍କ ରହିଛି। ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ମୋ ପାଇଁ ପ୍ରେରଣା। ଯେଉଁ ଦାୟିତ୍ବ ମିଳିଛି ତାହାକୁ ସୁଚାରୁରୂପେ ନିର୍ବାହ ଉପରେ କାମ କରିବି।

ରାଜନୀତିର ପ୍ରଥମ ଶ୍ରେଣୀରେ ଯୋଗ ଦେଇଛି। ଓଡ଼ିଶା ପାଇଁ କାମ କରିବାକୁ ଆସିଛି। ରାଜ୍ୟସଭା, ଲୋକସଭା ଆସନ ହେଉଛି ଦଶମ ଶ୍ରେଣୀ। ବିଜେଡି ମୋତେ ଗ୍ରହଣ କରି ଉଚ୍ଚ ମାନ ସ୍ଥାପନ କରିଛି। ବିଜେଡିରେ ବିଭିନ୍ନ ବ୍ୟକ୍ତିଙ୍କ ପାଇଁ ଜାଗା ଅଛି ତାହା ଦେଖାଇ ଦେଇଛନ୍ତି। ଏକ ଦଳ ସହ ବିଭିନ୍ନ ବିଚାର ଧାରାର ଲୋକ ଯୋଡିହେଲେ ରାଜ୍ୟର ପ୍ରଗତି ହେବ। ଜୀବନରେ ଶୃଙ୍ଖଳାର ଆବଶ୍ୟକତା ସବୁଠି ଅଛି। ରାଜନୈତିକ ଦଳମାନଙ୍କରେ ମଧ୍ୟ ଶୃଙ୍ଖଳା ଅଛି ବୋଲି ସଂତୃପ୍ତ କହିଛନ୍ତି।

ଟ୍ରେନ୍ ହାଇଜ୍ୟାକ କରିବାକୁ ଉଦ୍ୟମ, ହ୍ୱାଟ୍ସଆପରେ କରାଗଲା ଆଲୋଚନା

ସିଙ୍ଗାପୁର: ୪ ଘଣ୍ଟାର ସସପେନ୍ସରେ ଅନ୍ତ। ମୁକୁଳିଲେ ୧୫ ପଣବନ୍ଦୀ। ଏହାସହ ପ୍ରାଣ ହରାଇଛି ଅଭିଯୁକ୍ତ। ସୁଇଜରଲ୍ୟାଣ୍ଡର ଏକ ଟ୍ରେନରେ ଜଣେ ଅଭିଯୁକ୍ତ ୧୫ ଜଣ ଯାତ୍ରୀଙ୍କୁ ପଣବନ୍ଦୀ ରଖିବା ପରେ ଆତଙ୍କ ଖେଳିଯାଇଥିଲା। ଯାତ୍ରୀମାନେ ପଶ୍ଚିମ ସୁଇଜରଲ୍ୟାଣ୍ଡର ୟେଭରଡନରୁ ସେଣ୍ଟ କ୍ରୋକ୍ସକୁ ଯାଉଥିବାବେଳେ ଜଣେ ବ୍ୟକ୍ତି ସେମାନଙ୍କୁ ପଣବନ୍ଦୀ ରଖିଥିଲା।

ଅଭିଯୁକ୍ତ ଜଣକ ଏକ କୁରାଢି ଓ ଛୁରି ଧରିଥିବାବେଳେ ପାର୍ସୀ ଓ ଇଂରାଜୀରେ କଥା ହେଉଥିଲା। ଯାତ୍ରୀଙ୍କ ଜୀବନ ବିପଦରେ ଥିବାରୁ ପୋଲିସ ସନ୍ତର୍ପଣର ସହ ଘଟଣାର ମୁକାବିଲା କରିଥିଲା। କୌଶଳକ୍ରମେ ପୋଲିସ ଅଭିଯୁକ୍ତକୁ ଗୁଳି କରିବା ପରେ ଯାତ୍ରୀମାନେ ମୁକ୍ତ ହୋଇଥିଲେ। କୌଣସି ଯାତ୍ରୀ ଆହତ ହୋଇ ନଥିବା ସୂଚନା ମିଳିଛି।

ଟ୍ରେନରେ ୧୪ ଜଣ ଯାତ୍ରୀ ଏବଂ କଣ୍ଡକ୍ଟରଙ୍କ ସମେତ ମୋଟ୍ ୧୫ ଜଣ ରହିଥିଲେ । ସେମାନଙ୍କୁ ସନ୍ଧ୍ୟା ପ୍ରାୟ ୬ଟା ୩୫ମି.ରୁ ରାତି ୧୦ଟା ୩୦ମି. ପର୍ଯ୍ୟନ୍ତ ଅର୍ଥାତ୍ ଦୀର୍ଘ ଚାରି ଘଣ୍ଟା ଧରି ବନ୍ଧକ ରଖାଯାଇଥିଲା । ସନ୍ଦିଗ୍ଧ ବ୍ୟକ୍ତି ଜଣକ ୟଭରଡୋନ୍ ନିକଟରେ ଟ୍ରେନ୍ ଅଟକାଇଥିଲା । ପରେ କଣ୍ଡକ୍ଟର ଜଣକ ଉପସ୍ଥିତ ବୁଦ୍ଧି ଲଗାଇ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇ ଦେଇଥିଲା।

ପରେ ପୋଲିସ ସନ୍ଦିଗ୍ଧଙ୍କ ସହ ହ୍ୱାଟ୍ସଆପରେ କଥା ହୋଇଥିଲା। ସେ ପାର୍ସୀ ଏବଂ ଇଂରାଜୀ କହୁଥିବା ବେଳେ ବାର୍ତ୍ତାଳାପ ପାଇଁ ଜଣେ ପାର୍ସୀ ଅନୁବାଦକଙ୍କ ସାହାଯ୍ୟ ଲୋଡାଯାଇଥିଲା। ତେବେ ରିପୋର୍ଟ ଅନୁଯାୟୀ, ଶେଷରେ ବନ୍ଧକମାନଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଅଧିକାରୀମାନେ ଟ୍ରେନରେ ପଶିବାକୁ ନିଷ୍ପତ୍ତି ନେଇଥିଲେ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର

ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା। ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର ପାଳନ ହେଉଛି। ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ରାହ୍ମମୁହୂର୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ଦେବୀଙ୍କୁ ସ୍ୱ-ନକ୍ଷତ୍ର ବିହିତ ମହାସ୍ନାନ କରାଯାଇଛି ।

ସ୍ନାନ ପରେ ମା ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପରେ ସିଂହାସନ ଉପରେ ଷୋଡଶୋପଚାର ପୂଜାବିଧି କରାଯିବ। ଆଜିର ଦିନରେ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିବାର ଲକ୍ଷ୍ୟ ରଖାଯାଇଛି। ଯାହାକି ଶୃଖଳିତ ଦର୍ଶନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଫୁଲ ସଜା, ଆଲୋକମାଳାରେ ସୁସଜିତ କରାଯାଇଛି।

ବିଜେଡିରେ ମିଶିଲେ କର୍ପୋରେଟ କିଙ୍ଗ ସଂତୃପ୍ତ ମିଶ୍ର

ଭୁବନେଶ୍ବର: ବିଜେଡିରେ ମିଶିଲେ କର୍ପୋରେଟ କିଙ୍ଗ ତଥା ଓଡିଆ ପୁଅ ସଂତୃପ୍ତ ମିଶ୍ର । ନବୀନ ନିବାସରେ ଆଜି ସେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ । ଉପସ୍ଥିତ ଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ସେହ୍ନାଙ୍ଗିନୀ ଛୁରିଆଙ୍କ ପ୍ରମୁଖ ନେତା ।

ଆଦିତ୍ଯ ବିର୍ଲା ଗ୍ରୁପର ପୂର୍ବତନ ସିଇଓ ତଥା ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ଯକ୍ଷ ଥିବା ସଂତୃପ୍ତ ମିଶ୍ର କର୍ପୋରେଟ ଜଗତର ଜଣେ ବଡ଼ ବ୍ଯକ୍ତିତ୍ବ । ସୀମିତ ସମୟରେ ସଫଳତାର ଏତେ ସୋପାନ ଆରୋହଣ କରିବାର ସ୍ବପ୍ନ ଦେଖୁଥିବା ଅଧିକାଂଶ ଯୁବ ପିଢି ପାଇଁ ସେ ହେଉଛନ୍ତି ଆଦର୍ଶ । ବିର୍ଲା ଗ୍ରୁପର ସଫଳତା ପଛରେ ତାଙ୍କର ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ । କମ୍ପାନୀର ପାଞ୍ଚ ପାଞ୍ଚଟି ପଦବୀରେ ରହି ସେ ସଫଳତାର ସହ ଦାୟିତ୍ବ ତୁଲାଇବାରେ ସମର୍ଥ ହୋଇଥିଲେ । ବିଚକ୍ଷଣ ବିଜିନେସ୍ ଅପରେସନ୍, ଷ୍ଟ୍ରାଟେଜି, ଭିଜନ୍, ମ୍ୟାନେଜମେଣ୍ଟ ଓ ଚେଞ୍ଜ୍ ଅପରେସନ୍ ପାଇଁ ଜଣାଶୁଣା ସଂତୃପ୍ତ ମିଶ୍ର ଦେଶ ବିଦେଶରୁ ଅନେକ କର୍ପୋରେଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସଂତୃପ୍ତ ମିଶ୍ର ଉଭୟ ଭାରତ ଓ ଇଂଲଣ୍ଡରେ ରାଜନୀତି ବିଜ୍ଞାନ ଏବଂ ପର୍ସୋନେଲ ମ୍ୟାନେଜମେଣ୍ଟ ଅଫ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନରେ ପିଜି କରିଛନ୍ତି । ସେହିପରି ଭାରତରେ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ଓ ଇଂଲଣ୍ଡରେ ଇଣ୍ଡଷ୍ଟ୍ରିଆଲ ରିଲେସନରେ ପିଏଚଡି କରିଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟରରୁ ଶିକ୍ଷା ସଂପୂର୍ଣ୍ଣ ପରେ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସରେ ଶିକ୍ଷା ସମାପ୍ତ କରିଥିଲେ । ପରେ ଆଷ୍ଟନ୍ ବିଜିନେସ୍ ସ୍କୁଲରେ ନାମ ଲେଖାଇ ଡିଗ୍ରୀ ପ୍ରାପ୍ତ ହୋଇଥିଲେ । ଯେତେବେଳେ ଯେଉଁ ବିଶ୍ବବିଦ୍ୟାଳୟରେ ପଢିଛନ୍ତି, ସବୁଠି ଫାଷ୍ଟ କ୍ଲାସ୍ ଫାଷ୍ଟ ହୋଇଛନ୍ତି । ଛାତ୍ର ଜୀବନରେ ୪ ଥର ଗୋଲଡ ମେଡାଲ ପାଇଛନ୍ତି । ଇଂଲଣ୍ଡର ଆଷ୍ଟନ୍ ବିଶ୍ବବିଦ୍ୟାଳୟ ତାଙ୍କୁ ସମ୍ମାନସୂଚକ ଡିଏସସି ଉପାଧି ପ୍ରଦାନ କରିଛି ।

ଚୌଧୁରୀ ଚରଣ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓ ଏବଂ ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଘଷାଷଣା କରିଛନ୍ତି ଭାରତ ରତ୍ନ ସମ୍ମାନ । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓ ଏବଂ ଚୌଧୁରୀ ଚରଣ ସିଂ, ବୈଜ୍ଞାନିକ ଏମଏସ ସ୍ବାମୀନାଥନ ପାଇବେ ଭାରତ ରତ୍ନ ସମ୍ମାନ । ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଚୌଧୁରୀ ଚରଣ ସିଂଙ୍କୁ ସ୍ମରଣ କରି ମୋଦି ଲେଖିଛନ୍ତି, ‘ଆମ ସରକାରର ଏହା ସୌଭାଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛୁ । ଦେଶ ପାଇଁ ତାଙ୍କ ଅତୁଳନୀୟ ଯୋଗଦାନ ଓ ସମର୍ପଣର ଉପହାର ହେଉଛି ଏହି ସମ୍ମାନ । ସେ କୃଷକଙ୍କ ଅଧିକାର ଓ କଲ୍ୟାଣ ପାଇଁ ନିଜ ଜୀବନକୁ ସମର୍ପଣ କରି ଦେଇଥିଲେ । ରାଷ୍ଟ୍ର ନିର୍ମାଣକୁ ଏକ ଦିଗ ଦେଇଥିଲେ । ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଦୃଢ଼ ଭାବେ ଛିଡ଼ା ହୋଇଥିଲେ । କୃଷକଙ୍କ ପାଇଁ ସମର୍ପଣ ଭାବ ଓ ଜରୁରୀ ପରିସ୍ଥିତି ବେଳେ ଲୋକତନ୍ତ୍ରର ସୁରକ୍ଷା ପାଇଁ ତାଙ୍କ ପ୍ରତିବଦ୍ଧତା ସବୁ ବେଳେ ପ୍ରରଣା ଦେଇଥାଏ । ସୂଚନାଯୋଗ୍ୟ, ଆରଏଲଡି ମୁଖିଆ ଜୟନ୍ତ ସିଂଙ୍କ ଜେଜେ ଓ କୃଷକଙ୍କ ଉଦ୍ଧାରକର୍ତ୍ତା ଚରଣ ସିଂଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ।

କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ନରସିଂହଙ୍କୁ ନେଇ ସେ କହିଛନ୍ତି, ‘ଜଣେ ପ୍ରତିଷ୍ଠିତ ବିଦ୍ବାନ ଏବଂ ରାଜନେତା ଭାବେ ନରସିଂହ ରାଓ ବିଭିନ୍ନ ପଦରେ ରହି ଭାରତର ସେବା କରିଛନ୍ତି । ତାଙ୍କ ଦୂରଦର୍ଶୀ ନେତୃତ୍ବ ଭାରତକୁ ଆର୍ଥିକ ରୂପରେ ଉନ୍ନତ କରିବା ସହ ବିକାଶ ପାଇଁ ମୂଳଦୁଆ ପକାଇଥିଲା ।

ସେହିପରି ପ୍ରତିଷ୍ଠିତ ବୈଜ୍ଞାନିକ ଡ. ଏମ.ଏସ. ସ୍ବାମୀନାଥନ ଭାରତୀୟ କୃଷିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏକ୍ସରେ ସେ ଲେଖିଛନ୍ତି, ‘ଏହା ଖୁସିର କଥା ଭାରତ ସରକାର କୃଷି ଓ କୃଷକଙ୍କ କଲ୍ୟାଣରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସ୍ବାମୀନାଥଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛି । ଜଟିଳ ସମୟରେ ସେ ଭାରତୀୟଙ୍କୁ କୃଷି କ୍ଷେତ୍ରରେ ଆତ୍ମନିର୍ଭର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହାସହ ଭାରତୀୟ କୃଷିକୁ ଆଧୁନିକ କରିବାରେ ମହତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି ।

ଭୂତ ଦେଖି ରିଭର୍ସ ଗିୟର ପକାଇଲା ଡ୍ରାଇଭର !

ଶିୟୋପୁର: ମଧ୍ୟପ୍ରଦେଶ ଶିୟୋପୁରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବା ବୁଲଡୋଜର ଡ୍ରାଇଭର ଆଗରେ ଭୂତ ଦେଖି ଗାଡିର ପକାଇଲେ ରିଭର୍ସ ଗିୟର । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣା ବୀରପୁର ତହସିଲ ବଣ୍ଡାଗାଁର ।

ସୂଚନା ଅନୁସାରେ, ଗାଁର କିଛି ଲୋକ ସରକାରୀ ଜମିକୁ ଜବରଦଖଲ କରି ରଖିଛନ୍ତି । ଏନେଇ ଅଭିଯୋଗ ହେବା ପରେ ସ୍ଥାନୀୟ ତହସିଲଦାର ସିଦ୍ଧାର୍ଥ ଗୌତମ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସାଙ୍ଗରେ ବୁଲଡୋଜର ମଧ୍ୟ ଯାଇଥିଲା । ଜବରଦଖଲ ଉଚ୍ଛେଦ ନେଇ ଗାଁ ଲୋକେ ପୂର୍ବରୁ ଖବର ପାଇ ଯାଇଥିଲେ । ଉଚ୍ଛେଦକାରୀ ଦଳ ପହଞ୍ଚିବା ପୂର୍ବରୁ ଗାଁର ମହିଳାମାନେ ହାତରେ ପଥର ଧରି ଘରୁ ବାହାରକୁ ଚାଲି ଆସିଥିଲେ । ମହିଳାମାନେ ଉଚ୍ଛେଦକାରୀଙ୍କୁ ବିରୋଧ କରିବା ଆରମ୍ଭ କରିବା ସହ ପଥର ଫିଙ୍ଗିବା ଆରମ୍ଭ କରି ଦେଇଥିଲେ । ଏପରିକି ନିଜ ମୁଣ୍ଡକୁ ପଥରରେ ଛେଚି ଦେବାକୁ ଧମକ ଦେଇଥିଲେ । ଫଳରେ ଉଚ୍ଛେଦକାରୀ ଦଳଙ୍କୁ ଘଟଣା ସ୍ଥଳରୁ ଫେରିବାକୁ ପଡ଼ିଥିଲା ।