ରାଜନୈତିକ ଦଳଙ୍କୁ ଇଲେକ୍ଟୋରାଲ ବଣ୍ଡରେ ଅର୍ଥ ଦାନ ପ୍ରସଙ୍ଗ, ଆଜି ସୁଦ୍ଧା ତଥ୍ୟ ଦେବ SBI

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ତଥ୍ୟ ରଖିବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କର୍ତ୍ତୃପକ୍ଷ। ଆଜି ଇଲେକ୍ଟୋରାଲ ବଣ୍ଡ ଜରିଆରେ ଦେଶର ବିଭିନ୍ନ ରାଜନୈତିକ ଦଳକୁ ମିଳିଥିବା ଅର୍ଥର ସବିଶେଷ ତଥ୍ୟ ରଖିବାକୁ ଷ୍ଟେଟବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଆସନ୍ତା ୧୫ ତାରିଖ ସୁଦ୍ଧା ଅଫିସିଆଲ ୱେବସାଇଟରେ ତଥ୍ୟ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତଥ୍ୟ ପ୍ରଦାନ ଲାଗି ଆସନ୍ତା ୩୦ ତାରିଖ ଯାଏଁ ସମୟ ଦେବାକୁ ଆବେଦନ କରିଥିଲା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ। ତେବେ ଏହି ଅବଧି ବୃଦ୍ଧି କରିବାକୁ ରୋକଠୋକ୍ ଭାବେ ମନା କରିଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ। ଗତ ୨୬ ଦିନ ଧରି କଣ କରୁଥିଲ ବୋଲି ଷ୍ଟେଟବ୍ଯାଙ୍କକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ଵ ଗଠିତ ବେଂଚ୍ ଏହି ମାମଲାର ଶୁଣାଣି କରିଛନ୍ତି। ଜାଣିଶୁଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ତଥ୍ୟ ପ୍ରଦାନ କରିନଥିବା ନେଇ ସୁପ୍ରିମକୋର୍ଟରେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ନାଁରେ ଅଦାଲତ ଅବମାନନା ମାମଲା କରିଥିଲା ଏଡିଆର।

ପୂର୍ବରୁ ଗତ ଫେବୃଆରୀ ୧୫ରେ ଗତ ୬ ତାରିଖ ସୁଦ୍ଧା ରାଜନୈତିକ ଦଳଙ୍କୁ ମିଳିଥିବା ଅର୍ଥର ସମସ୍ତ ତଥ୍ୟ ପ୍ରଦାନ ସହ ମାର୍ଚ୍ଚ ୧୩ ସୁଦ୍ଧା ଅଫିସିଆଲ ୱେବସାଇଟରେ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଗତ ୪ ତାରିଖରେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଆସନ୍ତା ଜୁନ ୩୦କୁ ତଥ୍ୟ ଦାଖଲ ସମୟ ବୃଦ୍ଧି କରିବାକୁ ଆବେଦନ କରିଥିଲା