ନନ୍ଦିଘୋଷ ବ୍ୟୁରୋ : ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀଙ୍କୁ ନିର୍ବାଚନ କମିଶନ ସ୍ବୀକୃତି ଦେବା ପରେ ଏହାକୁ ନେଇ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ମୂଳ ଟିଏମସିର ନାମକୁ ରଦ୍ଦ କରି ଦୁଇଟି ଗୋଷ୍ଠୀର ନାଁ ଦେବା ଏବଂ ଦୁଇ ଗୋଷ୍ଠୀଙ୍କୁ ଦୁଇଟି ଚିହ୍ନ ପ୍ରଦାନ କରିବା ଘଟଣାକୁ ସମାଲୋଚନା କରିଛନ୍ତି ରାହୁଲ। ଅତୀତରେ ଭୋଟ ଚୋରି ହୋଇଛି। ପରେ ସରକାର ଚୋରି ହୋଇଛି। ବର୍ତ୍ତମାନ ପାର୍ଟି ଚୋରି ହୋଇଛି ବୋଲି କହିଛନ୍ତି ରାହୁଲ। ରାହୁଲ ଅଭିଯୋଗ କରିଛନ୍ତି ଯେ ଶିବସେନା, ଏନ୍ସିପି ପରେ ଏବେ ତୃଣମୂଳ କଂଗ୍ରେସକୁ ନେଇ ମଧ୍ୟ ସମାନ ଧରଣର ଘଟଣା ଘଟୁଛି। ବିଜେପି ଓ ନିର୍ବାଚନ ଆୟୋଗ ମିଶି ରାଜନୈତିକ ଦଳଗୁଡ଼ିକୁ ଭାଙ୍ଗୁଛନ୍ତି ଏବଂ ପରେ ସେମାନଙ୍କ ନିର୍ବାଚନୀ ଚିହ୍ନ ଛଡ଼ାଇ ନିଆଯାଉଛି। ‘ଭୋଟ ଚୋରି, ସରକାର ଚୋରି, ଏବେ ଦଳ ଚୋରି’ ଭଳି ଶବ୍ଦ ବ୍ୟବହାର କରି ସେ ନିର୍ବାଚନୀ ବ୍ୟବସ୍ଥାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣାକୁ ନେଇ କଂଗ୍ରେସର ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ ମଧ୍ୟ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ପବନ ଖେଡ଼ା ନିର୍ବାଚନୀ ଅର୍ଥ, ପରିସୀମନ, ଭୋଟର ତାଲିକା ଓ ରାଜନୈତିକ ଦଳ ସମ୍ପର୍କିତ ପ୍ରସଙ୍ଗ ଉଠାଇ ଆୟୋଗର ଭୂମିକା ଉପରେ ପ୍ରଶ୍ନ କରିଛନ୍ତି।
ନନ୍ଦିଗ୍ରାମ ଉପନିର୍ବାଚନ ପୂର୍ବରୁ ବଢ଼ିଲା ରାଜନୈତିକ ହଲଚଲ
ନନ୍ଦିଘୋଷ ବ୍ୟୁରୋ : ନନ୍ଦିଗ୍ରାମ ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଘଡ଼ିକେ ଛୁଟୁଛି ଘୋଡ଼ା। ତୃଣମୂଳ କଂଗ୍ରେସର ଦୁଇଟି ବିଭାଜିତ ଗୋଷ୍ଠୀକୁ ଅଲଗା ନାମ ଓ ସଙ୍କେତ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ। ସେପଟେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ ମମତା ବାନାର୍ଜୀ। ମମତା ବାନାର୍ଜୀ ନେତୃତ୍ୱାଧୀନ ଗୋଷ୍ଠୀକୁ ମମତା ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ନାଁ ମିଳିଥିବାବେଳେ ଏହାର ନିର୍ବାଚନ ସଙ୍କେତ ହୋଇଛି ଫୁଟବଲ ଖେଳାଳି। ସେହିପରି ଋତୁବ୍ରତ ବାନାର୍ଜୀ ଗୋଷ୍ଠୀର ନାଁ ଡେମୋକ୍ରାଟିକ ତୃଣମୂଳ କଂଗ୍ରେସ ହୋଇଥିବାବେଳେ ଏହାର ସଙ୍କେତ ରହିଛି ଲଫାଫା। ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସର ନାମ ଓ ଏହାର ଫୁଲ ଓ ଘାସ ସଙ୍କେତକୁ କୌଣସି ଗୋଷ୍ଠୀ ବ୍ୟବହାର କରିପାରିବେ ନାହିଁ। ଆସନ୍ତା ଅକ୍ଟୋବର ୬ରେ ହେବାକୁ ଥିବା ଉପନିର୍ବାଚନରେ ଫୁଟବଲ ଖେଳାଳି ଓ ଲଫାଫା ଚିହ୍ନ ନେଇ ଦୁଇ ଗୋଷ୍ଠୀ ନିର୍ବାଚନ ଲଢିବେ। ତେଣେ ନନ୍ଦିଗ୍ରାମର କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଗିରଫ କରାଯାଇଛି। ୨୦୦୭ରେ ଜମି ଅଧିଗ୍ରହଣ ବିରୋଧୀ ଏକ ଆନ୍ଦୋଳନ ସଂକ୍ରାନ୍ତ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ନିଜ ଗୋଷ୍ଠୀର ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ କଂଗ୍ରେସ ପ୍ରାର୍ଥୀ ମିଲନଙ୍କୁ ସମର୍ଥନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନନ୍ଦିଗ୍ରାମରେ ମମତା ବାନାର୍ଜୀ ଦେଇଥିବା ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ସେଠାରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଅଛନ୍ତି ମିଲନ ପ୍ରଧାନ। ମମତା କହିଥିଲେ ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ତାଙ୍କ ଗୋଷ୍ଠୀ ସମର୍ଥନ କରିବ। ବିଜେପି ବିରୋଧରେ ଚାଲିଥିବା ଲଢେଇରେ ବିଜେପିକୁ ମାତ୍ ଦେବା ଲାଗି ଇଣ୍ଡି ମେଣ୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମମତା।
ରାଉରକେଲାରେ ଆକ୍ସନ ମୋଡ୍ରେ ବନ ବିଭାଗ, ଜବତ ହେଲା ୩୦ ଟନ୍ ଚୋରା କାଠ ଓ ୧.୨ ଟନ୍ କେନ୍ଦୁପତ୍ର
ନନ୍ଦିଘୋଷ ବ୍ୟୁରୋ : ରାଉରକେଲା ବନଖଣ୍ଡରେ କାଠ ଓ କେନ୍ଦୁପତ୍ର ଚୋରା କାରବାର କରୁଥିଲେ ସାବଧାନ। ଚୋରା କାରବାର ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଇଛି। ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ବେଆଇନ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଉଛି। ରାଉରକେଲା ରେଲୱେ ଷ୍ଟେସନ ଦେଇ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମଲେଶ୍ୱରୀ ଏକ୍ସପ୍ରେସ୍ ଟ୍ରେନ୍ ଯୋଗେ ଚୋରା ଚାଲାଣ ହେଉଥିବା ପ୍ରାୟ ୧.୨ ଟନ୍ କେନ୍ଦୁପତ୍ର ବନ ବିଭାଗ ଜବତ କରିବା ପରେ ରେଲୱେ ଷ୍ଟେସନରେ ଯାଞ୍ଚକୁ ଆହୁରି ଜୋରଦାର କରାଯାଇଛି। ସେହିପରି ଦୁଇଟି ଟ୍ରକ୍ ଯୋଗେ ଚୋରା ଚାଲାଣ ହେଉଥିବା ପ୍ରାୟ ୩୦ ଟନ୍ କାଠ ମଧ୍ୟ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି। ରାଉରକେଲା ବନଖଣ୍ଡରେ କାଠ ଚୋରା କାରବାର ରୋକିବା ପାଇଁ ଗତ ୧୦ ଦିନ ହେଲା ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ରାଉରକେଲା ଡିଏଫ୍ଓ ସୂଚନା ଦେଇଛନ୍ତି।
ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥିବା ସରଣ୍ଡା ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି କାଠ ମାଫିଆମାନେ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ଏହାସହ ଟ୍ରେନ୍ ଯୋଗେ କେନ୍ଦୁପତ୍ର ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି। କେନ୍ଦୁପତ୍ର ଓ କାଠ ଚୋରା କାରବାର ଜରିଆରେ ମାଫିଆମାନେ ବିପୁଳ ଟଙ୍କା ମୁନାଫା କମାଉଥିବା ଅଭିଯୋଗ ହେଉଥିବା ବେଳେ ସମ୍ପୃକ୍ତ ଚୋରା କାରବାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।
ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଅବ୍ୟବସ୍ଥା, ଭିତ୍ତିଭୂମି ଓ ସୁରକ୍ଷାକୁ ନେଇ ପ୍ରଶ୍ନ
ନନ୍ଦିଘୋଷ ବ୍ୟୁରୋ : ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଅଟକିଛି ଅନେକ ଉନ୍ନତିମୂଳକ କାର୍ଯ୍ୟ। ମୌଳିକ ସମସ୍ୟାର ସମାଧାନ ହୋଇନଥିବା ନେଇ ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରନେତାମାନେ ପ୍ରଶ୍ନ ଉଠାଇଛନ୍ତି। କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା ଓ CCTV ନଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟ ହେବାର ୪ ବର୍ଷ ପରେ ମଧ୍ୟ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ହୋଇନଥିବାରୁ ଅତିଥି ଅଧ୍ୟାପକଙ୍କ ଦ୍ୱାରା ଶିକ୍ଷାଦାନ ଚାଲିଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।
ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ ବିଶ୍ବବିଦ୍ୟାଳୟ ପରିଦର୍ଶନ କରି ସମୀକ୍ଷା କରିଥିଲେ। ଏହି ସମୟରେ ପୂର୍ବତନ ଛାତ୍ର ସଂସଦ ସଭାପତି ଧର୍ମେନ୍ଦ୍ର ଅଧିକାରୀ, ଗୌରୀ ଶଙ୍କର ଦେବଶର୍ମାଙ୍କ ସମେତ ବହୁ ଛାତ୍ରଛାତ୍ରୀ ତାଙ୍କୁ ଭେଟି ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଦାବି ଜଣାଇଥିଲେ। ଛାତ୍ରଛାତ୍ରୀଙ୍କ ସମସ୍ତ ସମସ୍ୟା ଉପରେ ଦୃଷ୍ଟି ଦିଆଯାଉଛି ଏବଂ ଖୁବଶୀଘ୍ର ସମାଧାନ କରାଯିବ ବୋଲି ଯୁଗ୍ମ ସଚିବ କହିଛନ୍ତି। ଅଧ୍ୟାପକ ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲିଥିବା ସେ ସୂଚନା ଦେଇଛନ୍ତି। ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେଇଥିବା ବେଳେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଏହାସହ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଅଲଗା କରିବା ଦାବି ବିଭାଗକୁ ଜଣାଇବେ ବୋଲି ଯୁଗ୍ମ ସଚିବ କହିଛନ୍ତି।
ସମଲେଇ ପ୍ରକଳ୍ପ ଉଚ୍ଛେଦକୁ ନେଇ ତେଜିଲା ବିରୋଧ, ଥଇଥାନ ଓ କ୍ଷତିପୂରଣ ଦାବିରେ ଅଡ଼ିଲେ ଅଞ୍ଚଳବାସୀ
ନନ୍ଦିଘୋଷ ବ୍ୟୁରୋ : ସମଲେଇ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ। ହେଲେ ଆରମ୍ଭରୁ ପ୍ରଶାସନର ମୁଣ୍ଡରେ ବାଜିଛି ଚାଳ । ଅଞ୍ଚଳବାସୀଙ୍କ ମଧ୍ୟରେ ତେଜିଛି ବିରୋଧ । ପ୍ରଶାସନ ପ୍ରଭାବିତ ପରିବାରଙ୍କୁ ଥଇଥାନ ପାଇଁ ଘର ନଯୋଗାଇ ଉଚ୍ଛେଦ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ବାରମ୍ବାର ନିଜ ଦାବି ଓ ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ସେମାନେ । ମାଆ ସମଲେଶ୍ୱରୀଙ୍କ ପାଇଁ ନିର୍ମାଣ କାର୍ଯ୍ୟ ପାଇଁ ଲୋକେ ସ୍ଥାନ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ପ୍ରଶାସନ ଯେଉଁ ପ୍ରତିଶୃତି ଦେଇଛି ତାହା ପୂରଣ କରୁନଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି । କେବଳ ଥଇଥାନ ନୁହେଁ, ସଠିକ୍ କ୍ଷତିପୂରଣ ନମିଳିବାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଭାବିତ ପରିବାର। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉଚ୍ଛେଦକୁ ବିରୋଧ କରିବାକୁ ଅଞ୍ଚଳବାସୀ ଅଡ଼ି ବସିଥିବା ବେଳେ, ବିଦ୍ୟୁତ୍ ସଂଯୋଗ ମଧ୍ୟ କାଟିଦିଆଯାଉଥିବା ଅଭିଯୋଗ ହୋଇଛି । ବିରୋଧ ଓ ଉତ୍ତେଜନାକୁ ନଜରରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ବର୍ଷା ଆଶାରେ ଗିରି ପୂଜା, ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ ପାଇଁ ଚାଲିଛି ପୁରୁଣା ପରମ୍ପରା
ନନ୍ଦିଘୋଷ ବ୍ୟୁରୋ : ଆକାଶରେ ଢାଙ୍କି ରହୁଛି କଳାହାଣ୍ଡିଆ ମେଘ । ହେଲେ ବର୍ଷା ହେଉନି । ଗଞ୍ଜାମ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଫଳରେ ପୁରୁଣା ପରମ୍ପରାକୁ ଆପଣାଇଛନ୍ତି ଚାଷୀ । ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବାକୁ ଚାଲିଛି ପୂଜାର୍ଚ୍ଚନା । ଧରାକୋଟ ବ୍ଲକ ଦିଗି ଗାଁରେ ଚାଲିଛି ଗିରି ପୂଜା । ଭଲ ବର୍ଷା ଓ ଉତ୍ତମ ଫସଲ ପାଇଁ ଗାଁର ଆବାଳ ବୃଦ୍ଧବନିତା ଏକାଠି ହୋଇ କରିଛନ୍ତି ଗିରି ପୂଜା । ଗାଁ ଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଥିବା ଏକ ବିରାଟ ପାହାଡ଼ ଉପରକୁ ଯାଇ ମା’ ପୋଡା ବାଉରାଣୀ ଦେବୀଙ୍କ ସମେତ ଗିରିପୂଜା କରିଛନ୍ତି । ଏଭଳି ପୂଜା ଅର୍ଚ୍ଚନା କଲେ ଭଲ ବର୍ଷା ହୁଏ ବୋଲି ଲୋକଙ୍କ ରହିଛି ଅତୁଟ ବିଶ୍ଵାସ ।ସେହିପରି ଆସିକା ଓ ଧରାକୋଟ ବ୍ଲକର ଅନ୍ୟ ଗାଁରେ ଚାଲିଛି ବେଙ୍ଗୁଲି ନାଚ । ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ବେଙ୍ଗ ଓ ବେଙ୍ଗୁଲିକୁ ପୂଜା କରି ଗାଁ ସାରା ବୁଲାଉଛନ୍ତି ଲୋକେ । କେତେକ ସ୍ଥାନରେ ପଣାପାଣି ଦେଉଛନ୍ତି । କେଉଁ ଆବାହମାନ କାଳରୁ ଏହି ପରମ୍ପରା ଚାଲିଆସୁଛି ବୋଲି ଗ୍ରାମବାସୀ କହିଛନ୍ତି ।
ବିଶ୍ୱକର୍ମା ପୂଜା ପାଇଁ ଝଲସୁଛି ପାରାଦୀପ, ଆକର୍ଷଣୀୟ ତୋରଣ ସାଙ୍ଗକୁ ଚାଲିଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
ନନ୍ଦିଘୋଷ ବ୍ୟୁରୋ : ସୁଉଚ୍ଚ ତୋରଣ । ଲାଇଟ୍ ଗେଟ୍ ସାଙ୍ଗକୁ ନାଲି, ନେଳି ଆଲୋକମାଳାରେ ଝଲସୁଛି ରାସ୍ତାଘାଟ । ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ସଜେଇ ହୋଇଛି ବନ୍ଦରନଗରୀ ପାରାଦୀପ । ପାରାଦୀପରେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ୨୮ରୁ ଊର୍ଦ୍ଧ୍ୱ ପୂଜା ପେଣ୍ଡାଲରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ପାଉଛନ୍ତି । ଗୋଟିଏ ସ୍ଥାନରେ ୧୮ଟି ମଣ୍ଡପରେ ପୂଜା ଆୟୋଜନ ହୋଇଥିବା ବେଳେ, ଆକର୍ଷଣୀୟ ତୋରଣ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । ଗତକାଲି ପ୍ରଥମ ଦିନରେ ପୂଜା ପେଣ୍ଡାଲ ସମେତ ଚଟପଟି ଖାଦ୍ୟ ଓ ଘରକରଣା ସାମଗ୍ରୀ ଦୋକାନରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା । ପୂଜାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆୟୋଜକ ମାନେ ବିଭିନ୍ନ ପ୍ରକାରର ତୋରଣ ଓ ଆଲୋକସଜ୍ଜା କରିଛନ୍ତି ।
ଚଳିତ ବର୍ଷ ପରିବେଶ ଅନୁକୂଳ ତୋରଣକୁ ପ୍ରାଧାନ୍ୟ ଦେଇଛନ୍ତି ପୂଜା କମିଟି । ବାଉଁଶ ପାତିଆ, ନଡ଼ିଆ ପତ୍ର ଏବଂ ପୁରାତନ ସାମଗ୍ରୀରେ ତିଆରି ହୋଇଛି ସୁଉଚ୍ଚ ତୋରଣ । ଆଲୋକମାଳାରେ ସଜେଇ ହୋଇଥିବା ପୂଜା ମଣ୍ଡପଗୁଡ଼ିକ ରାତିରେ ଆହୁରି ଆକର୍ଷଣୀୟ ଦେଖାଯାଉଛି । ପୂଜା ସମୟରେ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରତ୍ୟେକ ଆୟୋଜକ କମିଟି ପକ୍ଷରୁ ଏକ ଶୃଙ୍ଖଳା କମିଟି ଗଠନ କରାଯାଇଛି । ଏଥିସହ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପାରାଦୀପ ସହରରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୧୬ ଜଣ ଡିଏସପି, ଏସଡିପିଓ ଓ ଆଇଆଇସିଙ୍କୁ ନିୟୋଜିତ କରାଯାଇଛି । ସହର ସାରା ୮୦ରୁ ଊର୍ଦ୍ଧ୍ୱ ସିସିଟିଭି କ୍ୟାମେରା ଲଗାଯାଇଛି । ଏଥିସହ ଟ୍ରାଫିକ୍ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି
ଆଦିବାସୀଙ୍କ ମୁଣ୍ଡକୁ ମିଳୁନି ଛାତ, ଭଙ୍ଗା ଘରେ ବିତୁଛି ଜୀବନ
ନନ୍ଦିଘୋଷ ବ୍ୟୁରୋ : କେଉଁଠି ଛାତ ଗଳି ପଡ଼ିଛି ତ ଆଉ କେଉଁଠି ଘରର କାନ୍ଥ ଫାଟି ଆଁ କଲାଣି । ଭଙ୍ଗାଦଦରା ଘର ଭିତରେ ଏବେ ବି ରହୁଛନ୍ତି ଅନେକ ପରିବାର । ବର୍ଷା ହେଲେ ଘର ଭିତରେ ପଶୁଛି ପାଣି । ଏଭଳି ବିପଦସଙ୍କୁଳ ପରିସ୍ଥିତିରେ ଦିନ କାଟୁଛନ୍ତି ଲୋକେ । ୧୯୯୯ ମସିହା ମହାବାତ୍ୟା ପରେ ବଡ଼ଚଣା ବ୍ଲକ ଭୂଷଣ୍ଡପୁର ପଞ୍ଚାୟତର ବହୁ ଆଦିବାସୀ ପରିବାରଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ମଧ୍ୟ ନଥିଲା । ସେହି ସମୟରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ସାହେବ ସିଂ ବର୍ମାଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରୀୟ ସ୍ୱାଭିମାନ ସଂଗଠନ ପକ୍ଷରୁ ୧୧୦ଟି ନୂଆ ପକ୍କା ଘର ନିର୍ମାଣ କରାଯାଇଥିଲା । ୨୦୦୩ ମସିହାରେ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ ଏହି ଘରଗୁଡ଼ିକୁ ଆଦିବାସୀ ପରିବାରଙ୍କୁ ସମର୍ପଣ କରିଥିଲେ । ହେଲେ ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ଏବେ ଘରଗୁଡ଼ିକ ଭାଙ୍ଗିରୁଜି ଗଲାଣି । ଛାତ ଦୁର୍ବଳ ହୋଇପଡ଼ିଥିବା ବେଳେ କାନ୍ଥରେ ଦେଖାଦେଇଛି ବଡ଼ ବଡ଼ ଫାଟ । ଘର ମରାମତି ନହେବାରୁ ବର୍ଷା ହେଲେ ଛାତରୁ ଗଳୁଛି ପାଣି । ଅନେକ ପରିବାର ବାଧ୍ୟ ହୋଇ ଚାଳ ଛପର ଘରେ ରହୁଛନ୍ତି । ଘର ଭାଙ୍ଗିଯାଇଥିଲେ ମଧ୍ୟ ନା ପୁରୁଣା ଘରର ମରାମତି ହେଉଛି, ନା ମିଳୁଛି ନୂଆ ଘର । ଫଳରେ ଅସୁବିଧା ମଧ୍ୟରେ ଜୀବନ ବିତାଉଛନ୍ତି ଲୋକେ ।
ଏନେଇ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି । ହେଲେ ଅଭିଯୋଗ ଅନୁସାରେ, ଏଯାଏଁ କୌଣସି ସୁଫଳ ମିଳିନାହିଁ । ତୁରନ୍ତ ଘରଗୁଡ଼ିକର ମରାମତି କରିବା ସହ ଆବଶ୍ୟକସ୍ଥଳେ ନୂଆ ଘର ଯୋଗାଇଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ତେଲେଙ୍ଗାନାରେ ୯ ଓଡ଼ିଆ ଦାଦନ ଶ୍ରମିକ ଫସିଛନ୍ତି, ୫ ଦିନ ହେଲା ଭୋକ ଉପାସ; ଉଦ୍ଧାର ପାଇଁ ଗୁହାରି
ନନ୍ଦିଘୋଷ ବ୍ୟୁରୋ : ପୁଣି ସାମ୍ନାକୁ ଆସିଛି ଦାଦନ ଦୁଃଖର ସାଂଘାତିକ ଚିତ୍ର। ତେଲେଙ୍ଗାନାରେ ଫସି ରହିଥିବା ୯ ଜଣ ଓଡ଼ିଆ ଦାଦନ ଶ୍ରମିକ ଗତ ୫ ଦିନ ହେଲା ଭୋକ ଉପାସରେ ଥିବା ଅଭିଯୋଗ ହୋଇଛି। ପାଖରେ ଟଙ୍କା ନଥିବାରୁ ସେମାନେ ଦୁର୍ଦ୍ଦଶାରେ ଦିନ କାଟୁଥିବା ବେଳେ ତୁରନ୍ତ ଉଦ୍ଧାର ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି। ସୂଚନା ଅନୁସାରେ, ଗଜପତି ଜିଲ୍ଲାର ୯ ଜଣ ଶ୍ରମିକ ପ୍ରାୟ ୩ ମାସ ପୂର୍ବରୁ ପରିବାର ପୋଷଣ ପାଇଁ ତେଲେଙ୍ଗାନାର ସିତେନପେଟ୍କୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଜଣେ ଠିକାଦାରଙ୍କ ଅଧୀନରେ ରହି କୋଠା ନିର୍ମାଣ କାମ କରୁଥିଲେ। ତେବେ ୩ ମାସ ଧରି କାମ କରିବା ପରେ ମଧ୍ୟ ମଜୁରୀ ମିଳିନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ମଜୁରୀ ମାଗିଲେ ଠିକାଦାର ଧମକ ଦେବା ସହ ବନ୍ଦୀ କରି ରଖିବାକୁ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଜୀବନ ପ୍ରତି ଭୟ ଥିବା ଦର୍ଶାଇ ଶ୍ରମିକମାନେ ଏକ ଭିଡିଓ ଜାରି କରି ସରକାରଙ୍କୁ ସହାୟତା ମାଗିଛନ୍ତି।
ତେବେ ଏହି ୯ ଜଣଙ୍କ ମଧ୍ୟରୁ ୨ ଜଣ ଶ୍ରମିକ କୌଶଳକ୍ରମେ ସେଠାରୁ ଖସି ଆସି ଗଜପତି ଜିଲ୍ଲାର ଚନ୍ଦ୍ରଗିରିରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ସେମାନେ ତେଲେଙ୍ଗାନାରେ ଭୋଗିଥିବା ଦୁଃଖ ଓ ଯନ୍ତ୍ରଣା ସମ୍ପର୍କରେ କହିଛନ୍ତି। ବର୍ତ୍ତମାନ ଅନ୍ୟ ୭ ଜଣ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ଓ ବକେୟା ମଜୁରୀ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଦାବି ହୋଇଛି।
ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଗଛରେ ବାନ୍ଧି ଯୁବକ-ମହିଳାଙ୍କୁ ଅକଥନୀୟ ନିର୍ଯାତନା
ନନ୍ଦିଘୋଷ ବ୍ୟୁରୋ : ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ। ଯୁବକ ଓ ଦୁଇ ସନ୍ତାନର ମା’ଙ୍କୁ ଗଛରେ ବାନ୍ଧି ଅକଥନୀୟ ନିର୍ଯାତନା ଅଭିଯୋଗ। ଘଟଣାର ଭିଡିଓ ଭାଇରାଲ ହେବାର ଦୁଇ ଦିନ ପରେ ଉଭୟଙ୍କୁ ପୋଲିସ ଜିମାରେ ଦେଲେ ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଯୋକା ପଞ୍ଚାୟତରେ କଙ୍ଗାରୁ କୋର୍ଟକୁ ନେଇ ଏକ ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି।
ଅଭିଯୋଗ ଅନୁସାରେ, ରତିଲା ଗ୍ରାମର ଜଣେ ଯୁବକଙ୍କ ସହ ଯୋକା ଗ୍ରାମର ଜଣେ ବିବାହିତା ମହିଳାଙ୍କ ପ୍ରେମ ସମ୍ପର୍କ ଥିଲା। ମହିଳାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡ଼ିଛି। ଉଭୟ ଦେଖା କରିବାକୁ ଆସିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ କାବୁ କରି ଗଛରେ ବାନ୍ଧି ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ଗାଁରେ ସଭା କରି ଉଭୟଙ୍କୁ ନିର୍ଯାତନା ଦିଆଯିବା ସହ ଦୁଇ ଦିନ ଧରି ଅଟକ ରଖାଯାଇଥିବା କୁହାଯାଉଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ଦୁଇ ଦିନ ପରେ ଗ୍ରାମବାସୀ ଉଭୟଙ୍କୁ ଝାରପୋଖରୀଆ ପୋଲିସ ଜିମାରେ ଦେଇଛନ୍ତି। ପୋଲିସ ଉଭୟଙ୍କୁ ହେପାଜତକୁ ନେଇ ଘଟଣାର ତଦନ୍ତ କରୁଛି। ଆଇନକୁ ହାତକୁ ନେଇଥିବା ଲୋକଙ୍କ ବିରୋଧରେ ମଧ୍ୟ ପୋଲିସ ପଦକ୍ଷେପ ଆରମ୍ଭ କରିଥିବା ସୂଚନା ମିଳିଛି।

