ମୟୂରଭଞ୍ଜ : ଘୂର୍ଣ୍ଣିଝଡ଼ର ତାଣ୍ଡବ । ଭୁଶୁଡିଲା ପୂଜା ତୋରଣ । ଅଟୋ ଓ ଭ୍ୟାନ୍ କ୍ଷତିଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ଆଜି ସନ୍ଧ୍ୟାରେ ଘୂର୍ଣ୍ଣିଝଡ଼ର ଭୟଙ୍କର ତାଣ୍ଡବ ଦେଖିବାକୁ ମିଳିଥିଲା। ହଠାତ୍ ପ୍ରବଳ ଝଡ଼ତୋଫାନ ଓ ବର୍ଷା ମାଡ଼ି ଆସିବା ଫଳରେ ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଷ୍ଟେସନବଜାର ଦୁର୍ଗାପୂଜା ମଣ୍ଡପ ନିକଟରେ ନିର୍ମିତ ବିଶାଳ ବାଉଁଶ ତୋରଣ ମୁଖ୍ୟ ରାସ୍ତା ଉପରେ ଭୁଶୁଡ଼ି ପଡ଼ିଛି। ଏହି ସମୟରେ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ଅଟୋ ଓ ମାରୁତି ଭ୍ୟାନ୍ ଉପରେ ତୋରଣଟି ସିଧାସଳଖ ଖସିପଡ଼ିବାରୁ ଗାଡ଼ି ଦୁଇଟି ବାଉଁଶ ଗଦା ତଳେ ଚାପି ହୋଇ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ବାଉଁଶ ମାଡ଼ରେ ମାରୁତି ଭ୍ୟାନ୍ର ସମ୍ମୁଖ କାଚ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଯାତ୍ରୀବାହୀ ଅଟୋଟି ମଧ୍ୟ ବାଉଁଶ ତଳେ ଚାପି ହୋଇ ସମ୍ମୁଖଟି ଭାଙ୍ଗିରୁଜି ଯାଇଛି। ତେବେ ସୌଭାଗ୍ୟବଶତଃ ଏଥିରୁ ଗାଡ଼ି ଚାଳକ ଓ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତୋରଣ ଭୁଷୁଡ଼ିବା ଫଳରେ ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ପୂଜା କମିଟି କର୍ମକର୍ତ୍ତା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଭଙ୍ଗା ବାଉଁଶ ହଟାଇବା ସହ ଚାପି ହୋଇ ରହିଥିବା ଗାଡ଼ି ଦୁଇଟିକୁ ଉଦ୍ଧାର କରିଛନ୍ତି । ଅନ୍ୟପଟେ ଏଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବିପଦସଙ୍କୁଳ ତୋରଣ ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।….

