spot_img
Home Blog Page 103

ମନ୍ଦିରରୁ ଚୋରି ଉଦ୍ୟମ କରି ଦୁର୍ବୃତ୍ତ ବିଫଳ

ନନ୍ଦିଘୋଷ ବ୍ୟୁରୋ :ସୋନପୁର ଖମ୍ବେଶ୍ୱରୀ ମନ୍ଦିରରୁ ଚୋରି ଉଦ୍ୟମ ଅଭିଯୋଗ । ମନ୍ଦିର ଭିତରେ ପଶିବା ପରେ ସକାଳ ଯାଏ ସେଠାରେ ଶୋଇ ପଡ଼ିଥିଲେ ଜଣେ ଯୁବକ । ସକାଳୁ ପୂଜକ ମନ୍ଦିରକୁ ଆସି ଯୁବକଙ୍କୁ ଦେଖି ସନ୍ଦେହ କରିଥିଲେ । ପରେ ମନ୍ଦିର କମିଟିକୁ ଜଣାଇବା ସହ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ସୋନପୁର ପୋଲିସ ମନ୍ଦିରରେ ପହଞ୍ଚି ଯୁବକଙ୍କୁ ଧରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣକ କାହିଁକି ମନ୍ଦିରରେ ପଶିଥିଲେ ଏବଂ ପ୍ରକୃତରେ ଚୋରି ଉଦ୍ୟମ ହୋଇଥିଲା କି ନାହିଁ, ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ରାୟଗଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ, ୨୦୦ରୁ ଅଧିକ ଛାତ୍ରୀ ଘରମୁହାଁ

ନନ୍ଦିଘୋଷ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ରବାଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ। ଭୟରେ ଅବିଭାବକମାନେ ନିଜ ପିଲାଙ୍କୁ ଘରକୁ ନେଇଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ଛାତ୍ରୀ ହଷ୍ଟେଲ ଛାଡିଛନ୍ତି। ୨୦ରୁ ଅଧିକ ଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ଜଣେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବାକିମାନେ ଏବେ ବି ଛାତ୍ରୀ ନିବାସରେ ରହି ଚିକିତ୍ସିତ ହେଉଛନ୍ତି। ୫ ଦିନ ତଳେ କିଛି ଝିଅମାନଙ୍କୁ ସାମାନ୍ୟ ଜ୍ବର ହେବା ସହିତ ଆଖି ଦଳଦିଆ ପଡିଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଆକ୍ରାନ୍ତମାନେ ସାମାନ୍ୟ ସୁସ୍ଥ ହୋଇଥିଲେ ହେଁ ଜଣ୍ଡିସ୍ ଲକ୍ଷଣ କମିନାହିଁ। ନିୟମିତ ଚିକିତ୍ସା ଯୋଗାଇ ଦିଆଯାଉଥିବା କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।

ଗଣେଶ ଭସାଣିରେ ଅଘଟଣ, ଜେନେରେଟର ନିଆଁରେ ୫ ଶିଶୁ ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ପୁରୁଷୋତ୍ତମପୁର ଗଣେଶ ପୂଜା ଭସାଣିରେ ଅଘଟଣ। ଜେନେରେଟରରୁ ନିଆଁ ଲାଗି ୫ ଶିଶୁ ଗୁରୁତର। ମେଢ଼ ଭସାଣି ଶୋଭାଯାତ୍ରା ସମୟରେ ଏକ ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିଲା। ତାହା ନିକଟରେ ପେଟ୍ରୋଲ୍ ଜାର୍ ରଖାଯାଇଥିବା ବେଳେ ଏହି ଶିଶୁମାନେ ସେହି ଜେନେରେଟର ପାଖରେ ବସି ଶୋଭାଯାତ୍ରା ଦେଖୁଥିଲେ। ତେବେ ଜେନେରେଟରର ଅତ୍ୟଧିକ ଉତ୍ତାପ ଯୋଗୁ ନିକଟରେ ଥିବା ପେଟ୍ରୋଲ୍ ଜାର୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ନିକଟରେ ବସିଥିବା ୫ ଜଣ ଶିଶୁ ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲେ। ଗୁରୁତର ଶିଶୁଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି।

ବାତ୍ୟା ଆସିବା ଆଗରୁ ସତର୍କ କରିବ କିଏ? ବାତ୍ୟା ପୂର୍ବରୁ ଅଚଳ ସତର୍କ ଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ : ବାତ୍ୟା ଆସିବା ପୂର୍ବରୁ ଉପକୂଳବାସୀଙ୍କୁ ସତର୍କ କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ବାତ୍ୟା ପୂର୍ବାନୁମାନ ରାଡାର ଏବେ ଅଚଳ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଥିବା ଏହି ରାଡାର ଦୀର୍ଘ ମାସ ହେଲା କାମ କରୁନଥିବା ଅଭିଯୋଗ ହୋଇଛି। ବାତ୍ୟା ପ୍ରବଣ ଅଞ୍ଚଳ ଭାବେ ପରିଚିତ ଅସ୍ତରଙ୍ଗ ଉପକୂଳରେ ବାତ୍ୟା ସମୟରେ ସୁରକ୍ଷା ଓ ଆଗୁଆ ସତର୍କ ସୂଚନା ପାଇଁ ଏହି ରାଡାର ଓ ସାଇରନ୍ ବ୍ୟବସ୍ଥା କରାଯାଇଥିଲା। ଫନି, ହୁଡହୁଡ ଓ ୟାସ୍ ଭଳି ବାତ୍ୟା ସମୟରେ ଅସ୍ତରଙ୍ଗ ଉପକୂଳ ପ୍ରଭାବିତ ହୋଇଥିଲା। ତେବେ ଏବେ ବ୍ଲକ ପରିସରରେ ଥିବା ରାଡାରଟି ଅଚଳ ହୋଇ ପଡ଼ିଛି। ଦୀର୍ଘଦିନ ଧରି ରକ୍ଷଣାବେକ୍ଷଣ ଅଭାବରୁ ଯନ୍ତ୍ରାଂଶରେ କଳଙ୍କି ଲାଗିଥିବା ବେଳେ ଏହାର ଦେଖାଶୁଣା ପାଇଁ ଆବଶ୍ୟକ କର୍ମଚାରୀ ନଥିବା ଅଭିଯୋଗ ହୋଇଛି। ଫଳରେ ଲକ୍ଷାଧିକ ଟଙ୍କାର ଏହି ଯନ୍ତ୍ର ଏବେ କେବଳ ଶୋ-ପିସ୍ ପାଲଟିଥିବା କୁହାଯାଉଛି।

ବଙ୍ଗୋପସାଗରରେ ଭବିଷ୍ୟତରେ କୌଣସି ବାତ୍ୟା ସୃଷ୍ଟି ହେଲେ ଅସ୍ତରଙ୍ଗବାସୀଙ୍କୁ ସ୍ଥାନୀୟ ସ୍ତରରେ ଆଗୁଆ ସତର୍କ କରିବା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ରାଡାର ଅଚଳ ହୋଇଥିବାରୁ ମତ୍ସ୍ୟଜୀବୀ ଓ ଉପକୂଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସହ ଚିନ୍ତା ବଢ଼ିଛି। ତୁରନ୍ତ ରାଡାର ଓ ସାଇରନ୍ ବ୍ୟବସ୍ଥାକୁ ସଚଳ କରିବା ସହ ନିୟମିତ ରକ୍ଷଣାବେକ୍ଷଣ କରିବାକୁ ଦାବି ହୋଇଛି।

ଡିଆଇଜିଙ୍କ ଗସ୍ତ ବେଳେ ଥାନାରେ ମଦ୍ୟପଙ୍କ ଉତ୍ପାତ, ନାକେଦମ ପୋଲିସ

ନନ୍ଦିଘୋଷ ବ୍ୟୁରୋ : ଦାୟିତ୍ଵ ଗ୍ରହଣ ପରେ ପ୍ରଥମ ଥର ପାଇଁ ବଲାଙ୍ଗୀର ଗସ୍ତ କରି ଆଇନଶୃଙ୍ଖଳାର ତଦାରଖ କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଚରଣ ସିଂ ମୀନା । ଆଗକୁ ପାର୍ବଣ ଥିବାରୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଇନଶୃଙ୍ଖଳା ପରିସ୍ଥିତି ସହ କେସ ପେଣ୍ଡିଂକୁ ନେଇ ସମୀକ୍ଷା କରିବା ପରେ ବଲାଙ୍ଗୀର ଟାଉନ୍ ଥାନାରେ ପହଞ୍ଚି ତଦାରଖ କରିଛନ୍ତି । ଡିଆଇଜି ଟାଉନ୍ ଥାନାରେ ତଦାରଖ କରୁଥିବା ସମୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜଣେ ମଦ୍ୟପ ଟାଉନ୍ ଥାନାରେ ଦୀର୍ଘ ସମୟ ଧରି ପାଟିତୁଣ୍ଡ କରିବା ସହ ଉତ୍ପାତ କରିବା ଯୋଗୁଁ ପୋଲିସ କର୍ମଚାରୀକୁ ନାକେଦମ ହେବାକୁ ପଡ଼ିଥିଲା  । ମଦ୍ୟପ ଜଣଙ୍କ ତାଙ୍କୁ କେହି ଆକ୍ରମଣ କରିଥିବା ନେଇ ଥାନାକୁ ଏତଲା ଦେବାକୁ ଆସିଥିବା ବେଳେ ଡିଆଇଜିଙ୍କ ଗସ୍ତ ଯୋଗୁ ପୋଲିସ ଅଧିକାରୀଙ୍କ ଠୁ ଆରମ୍ଭ କରି କନେଷ୍ଟବଳ ପର୍ଯ୍ୟନ୍ତ ଡିଆଇଜିଙ୍କ ସୁରକ୍ଷାରେ ଥିବା ବେଳେ ମଦ୍ୟପଙ୍କ ଅଭିଯୋଗ କେହି ଶୁଣିନଥିଲେ  । ଯାହାକୁ ନେଇ ମଦ୍ୟପ ଜଣଙ୍କ ଶେଷରେ ଟାଉନ୍ ଥାନା ପରିସରରେ ପାଟିତୁଣ୍ଡ କରିବା ସହ ଉତ୍ପାତ ମଚାଇଥିଲେ ।

ଷଣ୍ଢ ଉପଦ୍ରବରେ ଅତିଷ୍ଠ ଚାଷୀ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୃଷକ ସଂଗଠନ

ନନ୍ଦିଘୋଷ ବ୍ୟୁରୋ : ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ନବନିର୍ମାଣ କୃଷକ ସଂଗଠନ। ଷଣ୍ଢମାନଙ୍କ ଉପଦ୍ରଵ ପ୍ରତିବାଦରେ ଦ୍ବାରସ୍ତ। ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟଙ୍କ ନେତୃତ୍ୱରେ ଚାଷିମାନେ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଫସଲ କ୍ଷେତରେ ଷଣ୍ଢ,ମାଙ୍କଡ଼ ଓ ବାରାହା ମାନଙ୍କ ଉପଦ୍ରବ ବଢ଼ିଚାଲିଛି। ଯାହାକୁ ନେଇ ଚାଷୀ ମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଚାଷ ଜମିରେ ଫସଲ ନଷ୍ଟ ହେବା ଫଳରେ ବହୁ କ୍ଷତି ସହୁଛନ୍ତି ଚାଷିକୂଳ। ଏ ନେଇ ଏକ ଚାଷୀ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଏହାର ପ୍ରତିକାର ଦାବି କରିବା ସହ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।

ଆସୁଛି ଲଘୁଚାପ, ଓଡ଼ିଶାର ୩୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ନନ୍ଦିଘୋଷ ବ୍ୟୁରୋ : ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ। ଉତ୍ତର ଥାଇଲାମ୍ଡ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଲୟ ଆଜି ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିଛି। ଏହା ଘନୀଭୁତ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ପରେ ଏହା ଆହୁରି ଘନୀଭୂତ ହୋଇ ୩ରୁ ୪ ଦିନ ଭିତରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଓ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ମୁହାଁଇବ। ଏହି ଲଘୁଚାପ ଆସନ୍ତା ଦୁଇରୁ ତିନି ଦିନ ଭିତରେ ଅବପାତ ରୂପ ନେବ। ବର୍ତ୍ତମାନ ସୁଦ୍ଧା ବାତ୍ୟା ନେଇ କିଛି ଆକଳନ କରାଯାଇନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ। ତେବେ ବିଭିନ୍ନ ମଡେଲ କହୁଛନ୍ତି, ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି। ବର୍ଷା ପାଇଁ ରାଜ୍ୟରେ ୩୦ଟି ଯାକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେବଳ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ସର୍ବାଧିକ ୬୬ ମିମି ବର୍ଷା ରେକର୍ଡ ହୋଇଛି ।

ଆଜି-କାଲି ମିରଠରେ ବାୟୁସେନାର ଦମଦାର ଏୟାର ଶୋ, ଆକାଶରେ ଗର୍ଜିବ ୯ଟି ହକ୍ ବିମାନ

ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତୀୟ ବାୟୁସେନା ଦେଖାଇବ ଦମ। ଉତ୍ତରପ୍ରଦେଶର ମିରଠରେ ଆଜି ଓ କାଲି ରଣକୌଶଳ ପ୍ରଦର୍ଶନ କରିବ ବାୟୁସେନାର ସୂର୍ଯ୍ୟକିରଣ ଏରୋବାଟିକ୍ ଟିମ୍। ଏହି ଏୟାର ଶୋ’ରେ ସାମିଲ ହେବେ ୯ଟି Hawk Mk-132 ଏୟାରକ୍ରାଫ୍ଟ। ମିରଠର ପ୍ରତାପପୁର ଅଞ୍ଚଳ ଅନ୍ତର୍ଗତ ମୋହିଉଦ୍ଦିନପୁରର ନ୍ୟୁ ଇଣ୍ଟିଗ୍ରେଟେଡ୍ ଟାଉନସିପ୍‌ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶୋ’ ଦେଖିବା ପାଇଁ ହଜାର ହଜାର ଦର୍ଶକ ଯୋଗଦେବାର ସମ୍ଭାବନା ଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନାସିକସ୍ଥିତ ଏୟାରଫୋର୍ସ ବେସ୍ ରିପେୟାର ଡିପୋ ପକ୍ଷରୁ ପ୍ରଦତ୍ତ ବିଭିନ୍ନ ରଙ୍ଗର ସ୍ମୋକ୍ ବ୍ୟବହାର କରି ଆକାଶରେ ଚିତ୍ତାକର୍ଷକ କୌଶଳ ପ୍ରଦର୍ଶନ କରିବ ଟିମ୍। ଏହି କାର୍ଯ୍ୟକ୍ରମରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ।

ରୁଷିଆ କଟକଣା ବିଲ୍‌ରେ ଟ୍ରମ୍ପଙ୍କ ମୋହର, ଭାରତ ଉପରେ ଲାଗିପାରେ ୧୦୦% ଟାରିଫ୍

ନନ୍ଦିଘୋଷ ବ୍ୟୁରୋ : ରୁଷିଆ କଟକଣା ବିଲ୍ ଉପରେ ସ୍ଵାକ୍ଷର କଲେ ଟ୍ରମ୍ପ। ଏହା ଦ୍ଵାରା ଭାରତ ଉପରେ ଲାଗିପାରେ ୧୦୦ ପ୍ରତିଶତ ଟାରିଫ। ରୁଷିଆରୁ ଭାରତ ପେଟ୍ରୋଲିୟମ କିଣୁଥିବାରୁ ଏହି ଟାରିଫ ଲାଗିବାର ଆଶଙ୍କା ଅଛି। ୟୁକ୍ରେନ ଯୁଦ୍ଧ ପାଇଁ ରୁଷିଆ ଉପରେ ଅଧିକ ଆର୍ଥିକ କଟକଣା ଲଗାଇଛି ଆମେରିକା। ଏ ସଂପର୍କିତ ବିଲକୁ ଟ୍ରମ୍ପ ଅନୁମୋଦନ କରିଛନ୍ତି। ଆଗରୁ କଂଗ୍ରେସରେ ଏହା ପାସ୍ ହୋଇଥିଲା। ଏହି ବିଲ୍ ଏବେ ଆଇନରେ ପରିଣତ ହେବା ଦ୍ଵାରା ଯେଉଁ ଦେଶ ରୁଷ ସହିତ ବାଣିଜ୍ୟ କରୁଛନ୍ତି, ସେମାନଙ୍କ ଉପରେ ବି ଲାଗିବ ଅଧିକ ଟାରିଫ। ବିଶେଷ କରି ଭାରତ ଓ ଚୀନ ଏହା ଦ୍ଵାରା ପ୍ରଭାବିତ ହେବେ। ଏହି ଆଇନର ଲକ୍ଷ୍ୟ ହେଉଛି ୟୁକ୍ରେନ ବିରୁଦ୍ଧରେ ରୁଷିଆର ଯୁଦ୍ଧକୁ ସହାୟତା କରୁଥିବା ଆର୍ଥିକ ଉତ୍ସକୁ ହ୍ରାସ କରିବା। ରୁଷିଆର ଅଧିକାରୀ, ବ୍ୟାଙ୍କ, ଶକ୍ତି କ୍ଷେତ୍ର ସହ ଜଡ଼ିତ ସଂସ୍ଥା ଏବଂ ମସ୍କୋର ସାମରିକ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ବିଦେଶୀ ସଂସ୍ଥାଗୁଡ଼ିକୁ ଟାର୍ଗେଟ୍ କରାଯିବ। ଏହି ଆଇନ ଟ୍ରମ୍ପଙ୍କୁ ଏମିତି କ୍ଷମତା ଦେଇଛି, ଯାହା ଦ୍ଵାରା ରୁଷ ସହିତ ବାଣିଜ୍ୟ କରୁଥିବା ଦେଶ ଉପରେ ମନଇଚ୍ଛା ଟାରିଫ ଲଗାଇପାରିବେ ଟ୍ରମ୍ପ।

ମରାଠା କୋଟା ପାଇଁ ଅନଶନ !

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ମରାଠା କୋଟା ପ୍ରସଙ୍ଗରେ ମୁମ୍ବାଇର ଆଜାଦ ମଇଦାନରେ ଅନିର୍ଦ୍ଦିଷ୍ଟକାଳୀନ ଅନଶନ କରିବେ ସାମାଜିକ କର୍ମୀ ମନୋଜ ଜାରେଙ୍ଗେ। ତେବେ ତାଙ୍କୁ ଅନଶନ ପାଇଁ ମୁମ୍ବାଇ ପୋଲିସ ଅନୁମତି ଦେବ କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ମରାଠାମାନଙ୍କୁ ସଂରକ୍ଷଣ ଦେବା ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଛନ୍ତି ଜାରେଙ୍ଗେ। ଅନଶନରେ ସାମିଲ ହେବା ପୂର୍ବରୁ ବିଭିନ୍ନ ଜିଲ୍ଲାରୁ ତାଙ୍କ ସମର୍ଥକମାନଙ୍କ ରାଲି ଆଜାଦ ମଇଦାନରେ ପହଞ୍ଚିଛି। ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ବୋଲି ଜାରେଙ୍ଗେ କହିଛନ୍ତି। ମରାଠା ସଂରକ୍ଷଣ ସମ୍ପର୍କିତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

ଗତବର୍ଷ ମଧ୍ୟ ଏହି ସମୟରେ ଜାରେଙ୍ଗେ ଅନଶନ କରିଥିଲେ। ଏହା ଯୋଗୁଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ଯାତାୟାତ ପ୍ରଭାବିତ ହୋଇଥିଲା। ଜାରେଙ୍ଗେଙ୍କ ମୁଖ୍ୟ ଦାବି ହେଉଛି, ପୁରୁଣା ରେକର୍ଡ ଓ ଗେଜେଟ୍ ଦସ୍ତାବିଜ୍ ଆଧାରରେ ମରାଠାମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ଅନ୍ତର୍ଭୁକ୍ତ କୁନବୀ ସମ୍ପ୍ରଦାୟ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ସୁବିଧା ଦିଆଯାଉ। ଏଥିସହ ପୁରୁଣା ତଥ୍ୟ ଆଧାରରେ ସମସ୍ତ ଯୋଗ୍ୟ ମରାଠାଙ୍କୁ କୁନବୀ ଜାତି ପ୍ରମାଣପତ୍ର ପ୍ରଦାନ କରିବାକୁ ସେ ଦାବି କରୁଛନ୍ତି। କୁନବୀମାନଙ୍କୁ ମରାଠାଙ୍କ ‘ସେଜ୍ ସୋୟରା’ ବା ରକ୍ତ ସମ୍ପର୍କୀୟ ଭାବେ ସ୍ୱୀକୃତି ଦେବା ସମ୍ପର୍କିତ ଚିଠା ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରିବା ମଧ୍ୟ ତାଙ୍କର ଦାବି ରହିଛି। ତେବେ ଜାରେଙ୍ଗେଙ୍କ ଏହି ଦାବିକୁ ବିଭିନ୍ନ ପଛୁଆ ବର୍ଗ ସଂଗଠନ ବିରୋଧ କରିଆସୁଛନ୍ତି।