ପୌରରେ ପଞ୍ଚାୟତ ରିପିଟ୍: ୯୫ ପୌରାଞ୍ଚଳରେ ସଂଖ୍ୟାଗରିଷ୍ଠତା

ଭୁବନେଶ୍ବର: ଗାଁ ପରେ ସହରରେ ବି ବିଜେଡି ଉଡାଇଲା ବିଜୟ ପତାକା । ମାସେ ତଳେ ରାଜ୍ୟର ଅଧିକାଂଶ ପଞ୍ଚାୟତରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବେ ବିଜେଡି ପୌରରେ ବି ସମାନ ସଫଳତା ଦୋହରାଇଛନ୍ତି ନବୀନ ବ୍ରିଗେଡ । ବିଜେଡି ଖାତାକୁ ସର୍ବାଧିକ ୭୩ଟି ଅଧ୍ୟକ୍ଷ ପଦ ଯାଇଥିବା ବେଳେ ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ଅନ୍ୟମାନଙ୍କୁ ୯ଟି ଆସନ ମିଳିଛି । ୨୧ଟି ପୌରାଞ୍ଚଳରେ ବିଜେଡିର ଅଧିକ ସଦସ୍ୟ ବିଜୟୀ ହୋଇଥିଲେ ମଧ୍ୟ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ । ପରୋକ୍ଷ ନିର୍ବାଚନ ହୋଇଥିଲେ ଏସବୁ ପୌର ପରିଷଦର ଅଧ୍ୟକ୍ଷ ପଦ ବିଜେଡି ଖାତାକୁ ଯାଇଥାନ୍ତା ।

ପୌର ସିଟି ଫାଇଟ୍‌ରେ ବିଜେଡିକୁ ମିଳିଛି ବଡ଼ ବିଜୟ । ସହର ପରେ ସହର ଦଖଲ କରିଛି ବିଜେଡି । ଆଖପାଖରେ ନାହାନ୍ତି ବିରୋଧୀ । ୧୦୮ ପୌରାଞ୍ଚଳ ମଧ୍ୟରୁ ବିଜେଡି ସର୍ବାଧିକ ୭୩ଟି ଅଧ୍ୟକ୍ଷ ପଦ ହାତେଇଥିବା ବେଳେ ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ସ୍ବାଧୀନ ପ୍ରାର୍ଥୀ ୯ଟି ଆସନରେ କବ୍‌ଜା କରିଛନ୍ତି । ତେବେ ୯୫ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେଡି । କଂଗ୍ରେସ ୪ଟି, ବିଜେପି ୬ଟି ଓ ସ୍ବାଧୀନ ୩ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ପାଇଛନ୍ତି । ୮୮ ପ୍ରତିଶତ ଆସନରେ ବିଜେଡିକୁ ସଫଳତା ମିଳିଛି । କଂଗ୍ରେସକୁ ୩.୫ ପ୍ରତିଶତ, ବିଜେପି ୫.୫ ପ୍ରତିଶତ ଓ ସ୍ବାଧୀନ ୩ ପ୍ରତିଶତ ଆସନରେ ସଫଳତା ପାଇଛନ୍ତି । ସବୁଠୁ ବଡ଼ କଥା ହେଲା, ୩ଟି ଯାକ ମହାନଗର ନିଗମ ମେୟର ପଦକୁ ବିଜେଡି କବ୍‌ଜା କରିବା ସହ ସଂଖ୍ୟାଗରିଷ୍ଠତା ପାଇଛି ।

ପୌର ନିର୍ବାଚନରେ ମୋଟ୍ ୧୮୮୯ କାଉନସିଲର ଓ କର୍ପୋରେଟର ପଦ ପାଇଁ ନିର୍ବାଚନ ହୋଇଥିଲା । ୧୨ ଶହରୁ ଅଧିକ ଆସନରେ ବିଜୟୀ ହୋଇଛି ବିଜେଡି । ସେହିପରି ବିଜେପିକୁ ୩ଶହରୁ ଅଧିକ ଓ କଂଗ୍ରେସକୁ ୧୪୦ରୁ ଅଧିକ ଆସନ ମିଳିଛି । ୧୩୦ରୁ ଅଧିକ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡିର ଏହି ସଫଳତାକୁ ଐତିହାସିକ ବୋଲି କହିଛନ୍ତି ସମୀକ୍ଷକ ।

ପ୍ରତ୍ୟକ୍ଷ ନିର୍ବାଚନ ଗଣିତ ଅନୁସାରେ, ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ହାତେଇଥିବା ଅଧ୍ୟକ୍ଷ ପଦରୁ, ୨୧ଟି ପୌରାଞ୍ଚଳରେ ବିଜେଡି ଅଧିକ ସଂଖ୍ୟକ ଓ୍ବାର୍ଡ ଜିତିଛି । ପୂର୍ବ ପରି ପରୋକ୍ଷ ନିର୍ବାଚନ ହୋଇଥିଲେ, ଏସବୁ ପୌରାଞ୍ଚଳ ବି ବିଜେଡି ଦଖଲ କରିଥାନ୍ତା । ଅଧିକ ସଂଖ୍ୟକ କାଉନସିଲର ଥିବାରୁ ଏସବୁ ପୌରାଞ୍ଚଳରେ ବିଜେଡିର ଦବଦବା ରହିବ ।