ପୌର ବିଜୟ ଶ୍ରେୟ ଓଡ଼ିଶାବାସୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୌର ନିର୍ବାଚନରେ ବିପୁଳ ସମର୍ଥନ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ରାଜ୍ୟର ବିକାଶଧାରାରେ ସାମିଲ ହେବାକୁ ଦେଲେ ଆହ୍ବାନ । କର୍ମୀ ଓ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟ ଦେଇଥିବାରୁ ରାଜ୍ୟବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଲୋକଙ୍କ ଉତ୍ତମ ସେବା ଯୋଗାଇବାରେ ଆମେ ଆଗକୁ କାମ ଜାରି ରଖିବୁ । ନିର୍ବାଚନରେ ଅକ୍ଲାନ୍ତ ପରିର୍ଶମ କରି ଦଳକୁ ଜିତାଇଥିବାରୁ ସମସ୍ତ କର୍ମୀଙ୍କୁ ଧନ୍ୟବାଦ ।’

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ‘ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି । ଓ୍ବାର୍ଡସ୍ତରରୁ ଲୋକଙ୍କ ଭଲ ପାଇବା ତୃଣମୂଳସ୍ତରରେ ବିଜେଡିର ଲୋକପ୍ରିୟତାକୁ ପ୍ରମାଣିତ କରୁଛି । ଆସନ୍ତୁ, ସମସ୍ତେ ରାଜ୍ୟର ବିକାଶଧାରାରେ ସାମିଲ ହୋଇ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଏକ ହୋଇ ଆଗକୁ ବଢ଼ିବା । ’

ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ ଶ୍ରେୟ ରାଜ୍ୟବାସୀଙ୍କୁ ଦେଇଛନ୍ତି । ରାଜ୍ୟବାସୀଙ୍କ ଆଶୀର୍ବାଦ ଓ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସମସ୍ତେ ଏକାଠି ହୋଇ ଓଡ଼ିଶାକୁ ଆଗକୁ ନେବାକୁ ଆହ୍ବାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବାକୁ ବିଜୟୀ ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କ ଭିଡ ନବୀନ ନିବାସରେ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ବାହାରକୁ ଆସି ହାତ ହଲାଇ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଜୟୀ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବା ସହ ଓଡ଼ିଶାର ବିକାଶ ପାଇଁ ଏକାଠି କାମ କରିବାକୁ ଆହ୍ବାନ ଦେଇଛନ୍ତି ।

ସୂଚନାଯୋଗ୍ୟ, ପୌର ନିର୍ବାଚନରେ ବିଜେଡିକୁ ମିଳିଛି ବିପୁଳ ସଫଳତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନ ଉପରେ ଭରସା ଦେଖାଇଛନ୍ତି ରାଜ୍ୟବାସୀ । ବିଜେଡିକୁ ପୌର ନିର୍ବାଚନରେ ୯୦ ପ୍ରତିଶତରୁ ଅଧିକ ଭୋଟ ମିଳିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସର ଲଜ୍ଜାଜନକ ପ୍ରଦର୍ଶନ ଜାରି ରହିଛି । ବିଜେପିକୁ ୩.୫ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ୪.୫ ପ୍ରତିଶତ ଭୋଟ ମିଳିଛି ।

ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦ ହଜାର ୨୮୬ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟ ଦୁଇ ମହାନଗର ନିଗମ କଟକ ଓ ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଏବଂ ସୁଲୋଚନା ଦାସ ପ୍ରତିପକ୍ଷ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ବହୁ ଆଗରେ ରହିଛନ୍ତି । ଏହି ଦୁଇ ଆସନ ବିଜେଡି ଜିତିବା ନିଶ୍ଚିତ ହୋଇ ସାରିଛି ।

ରାଜ୍ୟର ୩୦ ଜିଲ୍ଲାର ୧୦୫ ଅଧ୍ୟକ୍ଷ ପଦରୁ ବିଜେଡି ୭୩ଟି ଦଖଲ କରିଛି । ବିଜେପି ୧୬, କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଛନ୍ତି । ସ୍ବାଧୀନଙ୍କ ଖାତାକୁ ୯ଟି ଅଧ୍ୟକ୍ଷ ଆସନ ଯାଇଛି ।

ଯେମିତି ଯେମିତି ନିର୍ବାଚନ ଫଳଫଳ ଆସୁଛି, ବିଜେଡି ନେତା ଓ କର୍ମୀ ବିଜୟ ଉତ୍ସବ ଆରମ୍ଭ କରି ଦେଇଛନ୍ତି । କେଉଁଠି ବିଜେଡି କର୍ମୀ ମିଠା ବାଣ୍ଟୁଛନ୍ତି ତ ଆଉ କେଉଁଠି ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରୁଛନ୍ତି ।