ଭୁବନେଶ୍ବର ପାଇଲା ପ୍ରଥମ ମହିଳା ମେୟର

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପାଇଲା ପ୍ରଥମ ମହିଳା ମେୟର । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ହୋଇଛନ୍ତି ଭୁବନେଶ୍ବରର ପ୍ରଥମ ମହିଳା ମେୟର । ପ୍ରଥମ ଥର ପାଇଁ ମେୟର ପଦ ପାଇଁ ହୋଇଥିବା ସିଧାସଳଖ ନିର୍ବାଚନରେ ବିଜୟୀ ହୋଇଛନ୍ତି ସୁଲୋଚନା । ସେ ୬୧ ହଜାର ୪୮୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ସୁଲୋଚନାଙ୍କୁ ମୋଟ ୧ ଲକ୍ଷ ୭୪ ହଜାର ୪୮୭ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସୁନିତା ମୁଣ୍ଡଙ୍କୁ ୧ ଲକ୍ଷ ୧୩ ହଜାର ୪୦୦ ଭୋଟ୍ ପାଇଛନ୍ତି । କଂଗ୍ରେସ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ କରିଛି । ଦଳକୁ ମାତ୍ର ୧୧ ହଜାର ୬ ଖଣ୍ଡ ଭୋଟ ମିଳିଛି ।

ବିଜୟ ପରେ ସୁଲୋଚନା କହିଥିଲେ, ‘ସବୁ କର୍ପୋରେଟଙ୍କ ସହ ମିଶି ସହରବାସୀଙ୍କ ସ୍ବପ୍ନ ପୂରଣ ପାଇଁ ଚେଷ୍ଟା କରିବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ରହିଛି, ଲୋକଙ୍କ ଘରେ ସେବା ଯୋଗାଇବାକୁ । ଆମେ ଚେଷ୍ଟା କରିବୁ, ବିଏମସି କାର୍ଯ୍ୟାଳୟକୁ ଯେମିତି କାହାରିଙ୍କୁ ଆସିବାକୁ ପଡିବ ନାହିଁ । ସେବା ଆପଣମାନଙ୍କ ଘର ପାଖରେ ପହଞ୍ଚିବ ।’