ବିପିନଙ୍କ ଆର୍ମୀ ଚାକିରି ସ୍ୱପ୍ନ ପୂରଣ କରିଥିଲା ଏକ ଦିଆସିଲି

ଭୁବନେଶ୍ବର: ବିପିନ ରାଓ୍ବତ । ସିଡିଏସ୍ ବିପିନ ରାଓ୍ବତ । ନାଁ ହିଁ କାଫି । ଯାହାଙ୍କ ପଦିଏ କଥାରେ ଥରହର ହେଉଥିଲା ଶତ୍ରୁ କ୍ୟାମ୍ପ । ଯାହାଙ୍କ ଗର୍ଜନରେ ଚୀନ, ପାକିସ୍ତାନ ପରି ପଡୋଶୀ ରାଷ୍ଟ୍ରଙ୍କର କପଡ଼ା ଓଦା ହୋଇଯାଇଥାଏ । ଆଜି ସେହି ବୀର ନାହାନ୍ତି । ସେନା ଚପର ଦୁର୍ଘଟଣାରେ ୧୧ ବୀର ଯବାନ ଏବଂ ପତ୍ନୀଙ୍କ ସହ ସହିଦ ହୋଇଛନ୍ତି ଭାରତମାତାଙ୍କ ଏହି ସୁଯୋଗ୍ୟ ସନ୍ତାନ ।

ଆର୍ମୀ ଚାକିରିରୁ ସିଡିଏସ୍ ପରି ପଦକୁ ଆସିଥିବା ବିପିନ ରାଓ୍ବତଙ୍କ ଜୀବନୀକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ । ସର୍ଜିକାଲ ଷ୍ଟ୍ରାଇକ୍, ପୁଲଓ୍ବାମା ଆକ୍ରମଣ ହେଉ କି ଚୀନକୁ ମୁହଁତୋଡ଼ ଜବାବ ଦେବା ହେଉ, ତାଙ୍କ ତତ୍ବାବଧାନରେ ସାରା ବିଶ୍ବ ଦେଖିଛି ଭାରତୀୟ ବୀର ଯବାନଙ୍କ ପରାକ୍ରମ ।

ତେବେ ଜାଣିଛନ୍ତି କି ଏକ ଦିଆସିଲି ହିଁ ତାଙ୍କୁ ଆର୍ମୀରେ ଯାଇ ଦେଶମାତୃକାର ସେବା କରିବାର ସ୍ବପ୍ନକୁ ପୂରଣ କରିଥିଲା । ଏବେ ଭାବୁଥିବେ ଆର୍ମୀ ଚାକିରି କରିବାକୁ ହେଲେ କଠିନ ଶାରୀରିକ ଓ ମୌଖିକ ପରୀକ୍ଷା ଦେବାକୁ ପଡ଼ିଥାଏ । ଏକ ଦିଆସିଲି କେମିତି ତାଙ୍କୁ ଆର୍ମୀ ଚାକିରି ଦେଇପାରିବ । ଆସନ୍ତୁ ଜାଣିବା ଆର୍ମୀ ଚାକିରି ପାଇବା ପଛରେ ବିପିନ ରାଓ୍ବତ ଓ ତାଙ୍କ ଦିଆସିଲିର ଥିବା ଏହି ରୋଚକ କାହାଣୀ ।

ଘଟଣା ସେ ସମୟର, ୟୁପିଏସସି ଦ୍ବାରା ପରିଚାଳିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ବିପିନ । ଲିଖିତ ପରୀକ୍ଷା ଠିକଠାକ ହୋଇଯାଇଥିଲା । ଏଥିରେ ସେ କୃତକାର୍ଯ୍ୟ ମଧ୍ୟ ହୋଇ ଯାଇଥିଲେ । ଏବେ ଥିଲା ମୌଖିକ ସାକ୍ଷାତକାର ସମୟ ।

ଯୁବାବସ୍ଥା ଓ ଆର୍ମୀ ଚାକିରି ପାଇଁ ସାକ୍ଷାତକାର । ଅନ୍ୟ ପରୀକ୍ଷାର୍ଥୀଙ୍କ ପରି ସେ ବି ନର୍ଭସ ଥିଲେ । ସାକ୍ଷାତକାର ହଲକୁ ଯିବା ବେଳେ ତାଙ୍କ ହୃଦ ସ୍ପନ୍ଦନ ବି ବଢ଼ି ଯାଇଥିଲା । ଆଗରେ ବସିଥିଲେ ଜଣେ ବ୍ରିଗେଡିୟର ରାଙ୍କର ଅଫିସର ।

ଆର୍ମୀ ଷ୍ଟାଇଲ ଓ ଚଢ଼ା ଗଳାରେ ସେପଟୁ ପ୍ରଶ୍ନ ଆସିଥିଲା, ‘୪ରୁ ୫ ଦିନ ପାଇଁ ଏକ ଟ୍ରେକିଂକୁ ଯିବା ବେଳେ ସାଙ୍ଗରେ କ’ଣ କ’ଣ ଗୁରୁତ୍ବପୂର୍ଣ୍ଣ ଜିନିଷ ନେଇ କି ଯିବାକୁ ଚାହିଁବ ।’

ନରମ ଗଳାରେ ବିପିନ ରାଓ୍ବତ ଉତ୍ତର ଦେଇଥିଲେ, ‘ସାର୍ ଏଭଳି ସ୍ଥିତିରେ ମୁଁ ସାଙ୍ଗରେ ଏକ ଦିଆସିଲି ରଖିବାକୁ ଚାହିଁବି ।’

ଏପରି ଉତ୍ତର ଶୁଣିବା ପରେ ଅଧିକାରୀଙ୍କ ତରଫରୁ ପୁଣି ଏକ ପ୍ରଶ୍ନ ଆସିଥିଲା, ‘କେବଳ ଦିଆସିଲି କାହିଁକି ? ବହି, ବୋତଲ କିମ୍ବା ଛୁରୀ ମଧ୍ୟ ନେଇପାରିବ ?’

ପ୍ରତି ଉତ୍ତରରେ ବିପିନ କହିଥିଲେ, ‘ଯେତେବେଳେ ମଣିଷ ପ୍ରାଚୀନ କାଳରେ ଜଙ୍ଗଲରେ ରହୁଥିଲା, ସେତେବେଳେ ସେ ପ୍ରଥମେ ନିଆଁ ଆବିଷ୍କାର କରିଥିଲା । ତେଣୁ ମୋ ଦୃଷ୍ଟିରେ ଦିଆସିଲି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ।’

ବିପିନ ରାଓ୍ବତଙ୍କ ଏମିତି ଉତ୍ତର ସାକ୍ଷାତକାର ନେଉଥିବା ବ୍ରିଗେଡିଆରଙ୍କୁ କେତେ ପ୍ରଭାବିତ କରିଥିବ ତାହା ତାଙ୍କୁ ଜଣା । ହେଲେ ଏନଡିଏରେ ବିପିନଙ୍କ ଏଣ୍ଟି ହୋଇଯାଇଥିଲା । ଏକ ସାକ୍ଷାତକାର ବେଳେ ବିପିନ ତାଙ୍କ ଦିଆସିଲି ପ୍ରସଙ୍ଗ କହିଥିଲେ । ସେତିକି ନୁହେଁ ପରୀକ୍ଷା ସହ ଦିଆସିଲି ବି ତାଙ୍କୁ ଚାକିରି ମିଳିବା ପଛରେ ସହାୟକ ହୋଇଥିବା ସେ ମନେ କରୁଥିଲେ ।

Leave a Reply