ବହୁଚର୍ଚ୍ଚିତ ସେକ୍ସ ଭିଡିଓ ମାମଲା: ଆଜି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବେ ଗିରଫ ଜେଡିଏସ ବିଧାୟକ ଏଚ.ଡି ରେବନ୍ନା

ବ୍ୟୁରୋ ରିପୋର୍ଟ: ବହୁଚର୍ଚ୍ଚିତ ସେକ୍ସ ଭିଡିଓ ମାମଲା। ଆଜି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବେ ଗିରଫ ଜେଡିଏସ ବିଧାୟକ ଏଚ.ଡି ରେବନ୍ନା। ଗତକାଲି ଏହି ବହୁଚର୍ଚ୍ଚିତ ମାମଲାରେ ତାଙ୍କୁ ଗିରଫ କରିଥିଲା କର୍ଣ୍ଣାଟକ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍। ତାଙ୍କ ବିରୋଧରେ ହୋଇଥିବା ଅପହରଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଅପହୃତ ମହିଳାଙ୍କ ପୁଅଙ୍କ ଅଭିଯୋଗ ଆଧାରରେ ରେବନ୍ନାଙ୍କୁ ଗିରଫ କରିଥିଲା କର୍ଣ୍ଣାଟକ ପୋଲିସର ଏସଆଇଟି। ଅଭିଯୋଗ କରିଥିବା ମହିଳା ଜଣକ ସମ୍ପୃକ୍ତ ବିଧାୟକଙ୍କ ଘରେ ୫ ବର୍ଷ ଧରି କାମ କରୁଥିଲେ। ୩ ବର୍ଷ ପୂର୍ବରୁ ସେ ତାଙ୍କ ଘରେ କାମ ଛାଡି ଦେଇଥିଲେ। ପ୍ରଜ୍ବଳ ଓ ତାଙ୍କ ବାପାଙ୍କ ବିରୋଧରେ ଅପହୃତ ମହିଳାଙ୍କ ପୁଅ କରିଥିବା ସାନି ଅଭିଯୋଗ ଅଧିକ ଅଡୁଆ ସୃଷ୍ଟି କରିଛି। ଯୁବକଙ୍କ ଅଭିଯୋଗ ଅନୁସାରେ ଭିଡିଓ ପଦାକୁ ଆସିବା ପରେ ତାଙ୍କ ମାଙ୍କୁ ଅପହରଣ କରାଯାଇଥିଲା।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ମୁଖ୍ଯ ଅଭିଯୁକ୍ତ ତଥା ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ପତ୍ତା ମିଳିନାହିଁ। କିଛିଦିନ ତଳେ ପ୍ରଜ୍ଵଳ ଦେଶ ଛାଡି ଚାଲିଯାଇଥିଲେ ଜର୍ମାନୀ। ଅଭିଯୁକ୍ତ ତଥା ହାସନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ବିରୋଧରେ ସିବିଆଇ ବ୍ଲୁ କର୍ଣ୍ଣର ନୋଟିସ କରିବା ସମ୍ଭାବନା ରହିଛି। ସ୍ବତନ୍ତ୍ର ତଦନ୍ତକାରୀ ଟିମ ବି ପ୍ରଜ୍ବଳଙ୍କ ବାପା ତଥା ବିଧାୟକ ଏଚ.ଡି. ରେବନ୍ନାଙ୍କ ବିରୋଧରେ ଜାରି କରିିଥିଲା ଲୁକ ଆଉଟ ନୋଟିସ। ଯୌନ ନିର୍ଯାତନା ମାମଲା ପଦାକୁ ଆସିବା ପରେ ଏକ କୂଟନୈତିକ ପାସପୋର୍ଟ ଜରିଆରେ ପ୍ରଜ୍ବଳ ଜର୍ମାନୀ ଚାଲିଯାଇଥିଲେ।  ଗତ ଏପ୍ରିଲ ୨୮ ତାରିଖରେ ପ୍ରାୟ ୩ ହଜାର ସେକ୍ସକ୍ଲିପ ଥିବା ଭିଡିଓ ଲିକ୍ ହେବା ପରେ ହୋଲେନାରାସିପୁର ଟାଉନ ଥାନାରେ ମାମଲା ଦାୟର ହୋଇଥିଲା। ଜଣେ ୪୭ ବର୍ଷ ବୟସ୍କା ମହିଳା ଉଭୟ ବାପା ଓ ପୁଅଙ୍କ ନାମରେ ଏତଲା ଦାୟର କରିଥିଲେ। ଭିଡିଓରେ ମହିଳାଙ୍କୁ ବନ୍ଧାଯାଇ ତାଙ୍କୁ ପ୍ରଜ୍ବଳ ଦୁଷ୍କର୍ମ କରୁଥିବା ଦୃଶ୍ଯ ରହିଛି ।