ଦେଶରେ କରୋନା ଟିକାର ଅଭାବ ଭିତରେ ଏହି ହିସାବ ବଢାଇଲା ଚିନ୍ତା,ଗାଏବ ଟିକାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଭାରତରେ କରୋନା ଟିକାକୁ ନେଇ ହୋହଲ୍ଲା ଜାରି ଥିବାବେଳେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକାର ୪କୋଟି ଡୋଜର ହିସାବ ମିଳୁନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଦେଶରେ ପ୍ରତିଦିନ ଦିଆଯାଉଥିବା ଟିକା ଓ ଉତ୍ପାଦନ ତଥ୍ୟ ମେଳ ଖାଉନଥିବା ଅଭିଯୋଗ ହେଉଛି । ଆସନ୍ତୁ କୋଭାକ୍ସିନର ଗଣିତକୁ ବୁଝିବାକୁ ଚେଷ୍ଟା କରିବା । ଜାଣିବା କ’ଣ ପାଇଁ ଏହି ପ୍ରଶ୍ନ ଉଠୁଛି । କେଉଁଥିପାଇଁ କୋଭାକ୍ସିନ୍ ଟିକାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ସରକାରୀ ଡାଟା ଅନୁସାରେ ଗୁରୁବାର ସକାଳ ସୁଧା ଦେଶରେ ୨ କୋଟି ୧ ଲକ୍ଷ ଡୋଜ୍ ଲଗା ଯାଇ ସାରିଛି । ଟାଇମ୍ସ ଅଫ୍ ଇଣ୍ଡିଆ ଡାଟା ଅନୁସାରେ ଦେଶରେ ଏବେ ମଧ୍ୟ ୬ କୋଟିରୁ ଅଧିକ କୋଭାକ୍ସିନ୍ ଡୋଜ୍ ଉପଲବ୍ଧ ଅଛି । ଏହାମଧ୍ୟରେ ଭ୍ୟାକ୍ସିନ ରପ୍ତାନୀ ଡାଟା ମଧ୍ୟ ରହିଛି । ଭାରତ ବାୟୋଟେକ୍ ଏପ୍ରିଲ ୨୦ ତାରିଖରେ କହିଥିଲା ଯେ, ମାର୍ଚ୍ଚ ୧.୫ କୋଟି ଡୋଜ୍ ତିଆରି ହୋଇଛି ଏପ୍ରିଲ ଶେଷ ସୁଧା ଅଧିକ ୨ କୋଟି ଡୋଜ୍ ପ୍ରସ୍ତୁତ ହେବ । କମ୍ପାନୀ ସିଏମଡି କୃଷ୍ଣା ଏଲ୍ଲା କହିଥିଲେ ଯେ, ମେ’ ମାସରେ ୩ କୋଟି ଟିକା ଉତ୍ପାଦନ ହେବ । ଯଦି ମଧ୍ୟ ଉତ୍ପାଦନ ଆଶା ମୁତାବକ ନହୋଇଥିବ ତେବେ ମଧ୍ୟ ମେ’ ମାସ ଶେଷ ସୁଧା ୫ କୋଟି ୫୦ ଲକ୍ଷ ଟିକା ଉପଲବ୍ଧ ରହିବା କଥା । କେନ୍ଦ୍ର ମଧ୍ୟ ଅଲଗା ଅଲଗା ଦୁଇଟି ସତ୍ୟପାଠରେ କହିଥିଲା ଯେ, କୋଭାକ୍ସିନର ମାସିକ ଉତ୍ପାଦନ ୨ କୋଟି । ଏଥିମଧ୍ୟରୁ ଗୋଟିଏ ସତ୍ୟପାଠ ମେ’ ୨୪ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ରଖାଯାଇଥିଲା । ଜାନୁଆରି ୫ ତାରିଖରେ ଭ୍ୟାକ୍ସିନେସନ୍ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଏଲା କହିଥିଲେ ଯେ, ବାୟୋଟେକ୍ ପାଖରେ ୨ କୋଟି ଟିକାର ଷ୍ଟକ୍ ରହିଛି । ଯଦି ଏହି ୨ କୋଟିକୁ ହିସାବକୁ ନିଆଯାଏ ତେବେ ମୋଟ ଟିକା ସଂଖ୍ୟା ହେଉଛି ୭ କୋଟି ୫୦ ଲକ୍ଷ । ପୁଣି ଯଦି ଏଥିରେ ଜାନୁଆରି ଓ ଫେବ୍ରୁଆରୀ ଉତ୍ପାଦନକୁ ମିଶାଯାଏ ତେବେ ଏହି ସଂଖ୍ୟା ୮ କୋଟି ଡୋଜ୍ ହେବ । ମାର୍ଚ୍ଚ ଓ ଏପ୍ରିଲ ତୁଳନାରେ ସେହି ସମୟରେ ଉତ୍ପାଦନ କମ ହୋଇଥିଲା । ଉତ୍ପାଦିତ ଟିକା ଡୋଜରୁ ଭ୍ୟାକ୍ସିନ୍ ଡିପ୍ଲୋମାସୀ କ୍ରମରେ କିଛି ଟିକାକୁ ବିଦେଶକୁ ରପ୍ତାନୀ କରାଯାଇଥିଲା । ଭାରତରୁ ମୋଟ ୬ କୋଟି ୬୦ ଲକ୍ଷ ଟିକା ବିଦେଶକୁ ଯାଇଛି । ତେବେ ବିଦେଶକୁ ରପ୍ତାନୀ ହୋଇଥିବା ଟିକା ମଧ୍ୟରୁ ସଂଖ୍ୟାଧିକ ହେଉଛି କୋଭିସିଲ୍ଡ । ଯଦି ବି ମାନି ନିଆଯାଏ ଯେ, ୨ କୋଟି କୋଭିସିଲ୍ଡ୍ ଟିକା ବିଦେଶକୁ ପଠାଯାଇଛି ତେବେ ବି ବାକି ୪ କୋଟି କୋଭାକ୍ସିନ୍ ଡୋଜ୍ କୁଆଡେ ଗଲା ପ୍ରଶ୍ନର ଉତ୍ତର ମିଳୁନାହିଁ ।

Leave a Reply