ପୋଲିସର ଲାଠିମାଡ଼କୁ ବିରୋଧ କରି ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ

ବାଲିଗୁଡ଼ା: ବାଲିଗୁଡାର ଦଣ୍ଡପଦର ଗାଁରେ ପୋଲିସ ଲାଠି ଚାର୍ଜକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଗାଁ ଲୋକ । ଦଣ୍ଡପଦର ଗାଁ ଲୋକଙ୍କ ଅଭିଯୋଗ ଯେ, ବିନା କାରଣରେ ଗାଁ ଭିତରକୁ ପସି ପୋଲିସ ଲୋକଙ୍କୁ ଗୋଡାଇ ଗୋଡାଇ ପିଟିଥିଲା । ସୋମବାର ରାତିରେ ପୋଲିସ ଏଭଳି କରିଥିବା ଗାଁ ଲୋକଙ୍କ ଅଭିଯୋଗ । ପୋଲିସ ମାଡରେ ଅନେକ ଲୋକ ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି । ଆହତଙ୍କ ମଧ୍ୟରେ ଜଣେ ନାବାଳକ ଥିବା କୁହାଯାଉଛି ।

ପୋଲିସର ଲାଠିମାଡକୁ ବିରୋଧ କରି ଦଣ୍ଡପଦର ଗାଁ ଲୋକ ୫୯ ନମ୍ବର ଜାତୀୟ ରାଜପଥକୁ ମଙ୍ଗଳବାର ସକାଳୁ ସକାଳୁ ଅବରୋଧ କରିଥିଲେ ।  ପଥର ପକାଇବା ସହ ଟାୟାର ଜାଳି ଗାଁ ଲୋକ ରାସ୍ତା ବନ୍ଦ କରିଥିଲେ । ଆହତଙ୍କୁ କ୍ଷତିପୁରଣ ଦେବା ପାଇଁ ଗାଁ ଲୋକ ଦାବି କରୁଛନ୍ତି । ପୋଲିସ ଆକ୍ରମଣର ତଦନ୍ତ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି । ଏହାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଥିଲା ।

Leave a Reply