ଇସ୍ତଫା ଦେଲେ ରାୱତ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଧନ ସିଂହ

ଡେରାଡୁନ୍: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ମଙ୍ଗଳବାର ଦିନ ଇସ୍ତଫା ଦେଇଛନ୍ତି ତ୍ରିବେନ୍ଦ୍ର ସିଂ ରାଓ୍ବତ । ଆଜି ଅପରାହ୍ନ ୪ଟାରେ ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୋର୍ଯ୍ୟଙ୍କ ସହ ସାକ୍ଷାତ କରିବା ସହ ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି । ଆଉ କିଛି ସମୟ ପରେ ସେ ପ୍ରେସ୍ କନଫରେନ୍ସ କରି ସବିଶେଷ ସୂଚନା ଦେବେ ବୋଲି ଜଣାପଡିଛି ।

ବିଜେପିର ଅନେକ ବିଧାୟକ ମାନଙ୍କର ଅସନ୍ତୋଷ ପ୍ରକାଶ ପରେ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କର ମୁଖ୍ୟମନ୍ତ୍ରୀ ପଦ ସଙ୍କଟରେ ପଡିଥିଲା । ଯାହା ପରେ କେନ୍ଦ୍ରୀୟ ନେତୃତ୍ୱ ମାନସ ମନ୍ଥନ କରିବାରେ ଲାଗି ପଡିଥିଲେ । ଆଉ ସେବେଠାରୁ ତ୍ରିବେନ୍ଦ୍ର ସିଂ ରାଓ୍ବତ ମୁଖ୍ୟମନ୍ତ୍ରୀ ପଦ ହାତ ଛଡା କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା ।

୨୦୨୨ରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ବିଦ୍ରୋହୀଙ୍କୁ ଖୁସି କରିବାକୁ ଯାଇ ହାଇକମାଣ୍ଡ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେପଟେ ତ୍ରିବେନ୍ଦ୍ର ସିଂ ପଦରୁ ହଟିବା ପରେ ସରଗରମ ହୋଇପଡିଛି ରାଜ୍ୟ ରାଜନୀତି । ଏବେ ନୂଆ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ସେନେଇ ମାନସ ମନ୍ଥନ ଆରମ୍ଭ ହୋଇଛି ।

ତେବେ ନୂତନ ଭାବେ ବିଧାୟକ ହୋଇଥିବା ଧନ ସିଂହ ରାୱତ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିପାରନ୍ତ ବୋଲି ଚର୍ଚ୍ଚା ଜୋର୍ ଧରିଛି । ତାଙ୍କ ବ୍ୟତୀତ ଉତ୍ତରାଖଣ୍ଡର ଡେପୁଟି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ହୋଇପାରନ୍ତି ।

Leave a Reply