ଅଯୋଧ୍ୟାରେ ଭୂମି ପୂଜନ ପୂର୍ବରୁ ମସଜିଦ୍ ନିର୍ମାଣ ପାଇଁ ଗଠନ ହେଲା ଟ୍ରଷ୍ଟ

1 min read

ଲକ୍ଷ୍ନୌ: ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମ ମନ୍ଦିର ଭୂମି ପୂଜନ ପାଇଁ ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ନେଇ ଖବର ଆସିଛି । ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ୍ ବୋର୍ଡ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାର ଅଯୋଧ୍ୟାରେ ମିଳିଥିବା ଜମିରେ ମସଜିଦ୍ ନିର୍ମାଣ ପାଇଁ ବୁଧବାର ଟ୍ରଷ୍ଟ ଗଠନ କରିଛି । ଏହି ଟ୍ରଷ୍ଟରେ ୯ ଜଣ ସଦସ୍ୟ ରହିଛନ୍ତି । ବୋର୍ଡର ଅଧ୍ୟକ୍ଷା ଜୁଫର ଅହମ୍ମଦ ଫାରୁକି ଥିବାବେଳେ ଅଯୋଧ୍ୟା ଧନ୍ନିପୁର ଗାଁରେ ମିଳିଥିବା ୫ ଏକର ଜାଗାରେ ମସଜିଦ୍ ନିର୍ମାଣ ହେବ । ଇଣ୍ଡୋ ଇସଲାମିକ୍ କଲଚରାଲ ଫାଉଣ୍ଡେସନ୍ ନାମରେ ଟ୍ରଷ୍ଟ ଗଠନ କରାଯାଇଛି ।

ଫାରୁକଙ୍କ ସୂଚନା ଅନୁଯାୟୀ ଟ୍ରଷ୍ଟରେ ମୋଟ ୯ ଜଣ ସଦସ୍ୟ ଅଛନ୍ତି । ବୋର୍ଡ ନିଜେ ଏହାର ସଂସ୍ଥାପକ ଟ୍ରଷ୍ଟି ଓ ବୋର୍ଡର ମୁଖ୍ୟ ଅଧିକାରୀ ପ୍ରତିନିଧି ରହିବେ । ଏହା ବାଦ୍ ସେ ନିଜେ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ଓ ଅଧ୍ୟକ୍ଷ ରହିବେ । ଗତବର୍ଷ ନଭେମ୍ବର ୯ରେ ରାମ ଜନ୍ମଭୂମି ବାବ୍ରି ମସଜିଦ୍ ବିବାଦରେ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ । କୋର୍ଟ ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେବା ସହ ଅଯୋଧ୍ୟାର କୌଣସି ପ୍ରମୁଖ ସ୍ଥାନରେ ମସଜିଦ୍ ନିର୍ମାଣ ପାଇଁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

FILE

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଉତ୍ତରପ୍ରଦେଶ ସରକାର ଅଯୋଧ୍ୟାର ସୋହାବଳ ତହସିଲର ଧନ୍ନିପୁର ଗାଁରେ ୫ ଏକର ଜମି ୱାକଫ ବୋର୍ଡକୁ ଦେଇଥିଲେ । ସେହି ଜମିରେ ମସଜିଦ୍ ସହିତ ଇଣ୍ଡୋ ଇସଲାମିକ ରିସର୍ଚ୍ଚ ସେଣ୍ଟର, ହସ୍ପିଟାଲ ଓ ପୁସ୍ତକଗାର ତିଆରି ପାଇଁ ନିଷ୍ପତ୍ତି ନେଇଥିଲା ୱାକଫ୍ ବୋର୍ଡ । ତେବେ, ଏହି ସବୁ ନିର୍ମାଣ କେମିତି ହେବ ତା ଉପରେ ନିଷ୍ପତ୍ତି ନେବା ପାଇଁ ବୁଧବାର ଟ୍ରଷ୍ଟ ଗଠନ କରାଯାଇଛି ।

ଅଗଷ୍ଟ ୫ରେ ରାମ ମନ୍ଦିର ପାଇଁ ପିଏମ୍ କରିବେ ଭୂମି ପୂଜା

ଅନ୍ୟପଟେ ଆସନ୍ତା ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ପାଇଁ ଭୂମି ପୂଜନ କରାଯିବ । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ସମାରୋହରେ ରାମ ମନ୍ଦିର ଭୂମି ପୂଜନ କରିବେ । ଏହି ଅବସରରେ ଅଯୋଧ୍ୟାରେ ବିଜେପିର ବଡ଼ ନେତାଙ୍କ ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି କୁହାଯାଉଛି । କରୋନା ସଂକଟ ସମୟରେ ଏଭଳି ଭୂମି ପୂଜନକୁ ନେଇ ବି ରାଜନୈତିକ ବୟାନବାଜି ଜାରି ରହିଛି ।

Leave a Reply