ଠକିଦେଲା ଦଲାଲ, ବେଦୀକୁ ଆସିଲାନି କନ୍ୟା, ଶେଷରେ କାନମୁଣ୍ଡା ଆଉଁସି ଘରକୁ ଫେରିଲେ ଦୁଇଭାଇ

ବଲାଙ୍ଗୀର: ବଲାଙ୍ଗୀରରେ ବିବାହ ନାଁରେ ବଡ଼ ଠକେଇ । ବେଦୀକୁ ଆସିଲାନି ଝିଅ, ହଟହଟା ହେଲା ବର । ୭୦ ହଜାର ନେଇ ଦଲାଲ ଫେରାର । ୨ ଅଣଓଡ଼ିଆ ବରପାତ୍ର ସାଜିଲେ ଶିଶୁପାଳ । ବଲାଙ୍ଗୀର ଟାଉନଥାନା ଅଞ୍ଚଳର ଏ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦଲାଲ କଥାରେ ପଡି ଗତ ୧୯ରେ ବଲାଙ୍ଗୀର ପହଞ୍ଚିଥିଲେ ୟୁପି ନିଖୋରାଁର ରାଜଭାନ ପାଲ ଓ ଏମପି ନିୱାରୀର କିଶୋରୀ ପାଲ ।

ବିବାହ ପାଇଁ ଦଲାଲ ଦୀପକ ମିଶ୍ରଙ୍କ ସହ ୭୦ ହଜାର ଟଙ୍କାରେ ଡିଲ ମଧ୍ୟ ହୋଇଥିଲା । ଏଥିପାଇଁ ୪୦ ହଜାର ଟଙ୍କାର ଅଗ୍ରୀମ ନେଇଥିଲେ । ଯୋଜନା ମୁତାବକ ଝିଅ ଦେଖାଇବା ସହ ୨୦ ତାରିଖରେ ବାହାଘର ପାଇଁ ଧାର୍ଯ୍ୟ ହୋଇଥିଲା ତାରିଖ । ଏପରକି ଦ୍ୱିତୀୟ ପର୍ଯ୍ୟାୟରେ ବାକି ୩୦ ହଜାର ଟଙ୍କା ବି ନେଇଥିଲେ ଦୀପକ । ହେଲେ ବିବାହ ଦିନ ନାଁ ଦୀପକ ନାଁ କନ୍ୟାପକ୍ଷଙ୍କ କେହିବି ଆସିନଥିଲେ । ଦଲାଲ ସହ ଯୋଗାଯୋଗ ହୋଇନପାରିବାରୁ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଠକେଇର ଶିକାର ଦୁଇଭାଇ ।

ତେବେ ପୋଲିସର ଖୋଲତାଡ଼ ବେଳେ ଦଲାଲ ଦୀପକ ମିଶ୍ରର ନାଁ ସାମ୍ନାକୁ ଆସିଛି । ଦୀପକ ଫେରାର ଥିବାବେଳେ, ଠକେଇରେ ସାମିଲ ଥିବା ତିନି ଯୁବତୀଙ୍କ ମାଙ୍କୁ ଆଣି ପଚରାଉଚରା କରୁଛି ପୋଲିସ । ସେପଟେ ନିରାଶ ଯୁବକ ଦ୍ୱୟ କାନମୁଣ୍ଡା ଆଉଁସି ଫେରିଛନ୍ତି ଘର । ତେବେ ଘଟଣା ପଛରେ ବଡ ଧରଣ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି । ବାହାର ରାଜ୍ୟରେ ବିବାହ କରାଇଦେବାକୁ କହି ଗରିବ ଯୁବତୀଙ୍କୁ ଟାର୍ଗେଟ କରିଥାନ୍ତି ଦଲାଲ । ଆଉ ଏଥିପାଇଁ ବରପକ୍ଷ ସହ ହୋଇଥାଏ ଲକ୍ଷ ଲକ୍ଷ ଟଙ୍କାର ଡିଲ୍ । ପ୍ରାଥମିକ ତଦନ୍ତରୁ ପୋଲିସକୁ ଏନେଇ ସୂଚନା ମିଳିଥିବା ବେଳେ, ଫେରାର ଦଲାଲ ଦୀପକୁ ଗିରଫ ହେଲେ ପୂରା ଗ୍ୟାଙ୍ଗର ପର୍ଦ୍ଦାଫାସ ହେବ ।

Leave a Reply